Ministry of Health and Family Welfare
ଏମ୍ସ ଭୁବନେଶ୍ୱରରେ 'ସ୍ତନ କର୍କଟ ସଚେତନତା ମାସ' ପାଳନ
ମେଡିକାଲ୍ ଅଙ୍କୋଲୋଜି ବିଭାଗରେ 'ସ୍ତନ ସ୍ୱୟଂ-ପରୀକ୍ଷଣ' (ବ୍ରେଷ୍ଟ୍ ସେଲ୍ଫ-ଏକ୍ଜାମିନେସନ୍) ବିଏସଇ ବୁଥ୍ ଉଦ୍ଘାଟିତ
ଭାରତରେ ପ୍ରଥମ ପୋର୍ଟେବଲ୍ ବୁଥ୍, ସ୍ତନ ସ୍ୱୟଂ-ପରୀକ୍ଷଣକୁ ପ୍ରୋତ୍ସାହିତ କରିବ
ପ୍ରତି ମାସରେ ପ୍ରାୟ ୧୦୦ ଜଣ ସ୍ତନ କର୍କଟ ରୋଗୀ ମେଡିକାଲ୍ ଅଙ୍କୋଲୋଜି ବିଭାଗକୁ ଆସିଥାନ୍ତି
ଯୁବତୀମାନଙ୍କ ମଧ୍ୟରେ ସ୍ତନ କର୍କଟର ବୃଦ୍ଧି ପାଉଥିବା ପ୍ରଭାବ ଚିନ୍ତାଜନକ
ଯୋଗ, ଧ୍ୟାନ ଏବଂ ସଙ୍ଗୀତ ରୋଗୀମାନଙ୍କୁ ମାନସିକ ଚାପ କମାଇବାରେ ଏବଂ ଚିକିତ୍ସା ପ୍ରକ୍ରିୟା ସହ ସହଜରେ ଖାପ ଖୁଆଇ ଚଳିବାରେ ସାହାଯ୍ୟ କରେ
Posted On:
16 OCT 2026 7:44PM by PIB Bhubaneswar
ସ୍ତନ କର୍କଟ ସମ୍ବନ୍ଧୀୟ ସଚେତନତା ବୃଦ୍ଧି କରିବା, ରୋଗକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ କରିବାକୁ ଉତ୍ସାହିତ କରିବା ଏବଂ ମହିଳାମାନଙ୍କୁ ନିଜ ସ୍ତନ ସ୍ୱାସ୍ଥ୍ୟ ପ୍ରତି ସଚେତନ ଓ ସକ୍ଷମ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି ଏମ୍ସ ଭୁବନେଶ୍ବର। ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ମେଡିକାଲ୍ ଅଙ୍କୋଲୋଜି ବିଭାଗରେ ଏକ 'ସ୍ତନ ସ୍ୱୟଂ-ପରୀକ୍ଷଣ' (ବିଏସଇ) ବୁଥ୍ ଉଦ୍ଘାଟିତ ହୋଇଛି। ଭାରତରେ ସ୍ତନ ସ୍ୱୟଂ-ପରୀକ୍ଷଣ ପାଇଁ ଏହା ଏହି ଧରଣର ପ୍ରଥମ ପୋର୍ଟେବଲ୍ ବୁଥ୍ ଅଟେ।


'ସ୍ତନ କର୍କଟ ସଚେତନତା ମାସ' ପାଳନ ଅବସରରେ ଏହି ବୁଥ୍କୁ ଉଦ୍ଘାଟନ କରି, ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ, ରୋଗକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ କରିବା ଦ୍ୱାରା ଚିକିତ୍ସାର ଫଳାଫଳ ବହୁତ ଭଲ ମିଳିଥାଏ ବୋଲି ମତପ୍ରକାଶ କରିଥିଲେ। ସ୍ତନ କର୍କଟ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି, ଠିକ୍ ସମୟରେ ଡାକ୍ତରୀ ପରାମର୍ଶ ଏବଂ ସ୍ତନ ସ୍ୱୟଂ-ପରୀକ୍ଷଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ମହିଳାମାନଙ୍କ ଶରୀରରେ ଦେଖାଦେଉଥିବା ଅସ୍ୱାଭାବିକ ପରିବର୍ତ୍ତନଗୁଡ଼ିକୁ ଚିହ୍ନଟ କରିବା ଏବଂ ବିଳମ୍ବ ନକରି ଡାକ୍ତରୀ ପରାମର୍ଶ ନେବା ନିମନ୍ତେ ଡ. ବିଶ୍ବାସ ପରାମର୍ଶ ଦେଇଥିଲେ।
ନୂତନ ଭାବରେ ଉଦ୍ଘାଟିତ ହୋଇଥିବା ପୋର୍ଟେବଲ୍ ବିଏସଇ ବୁଥ୍ ମହିଳାମାନଙ୍କୁ ଏହାର କାନ୍ଥରେ ପ୍ରଦର୍ଶିତ, ସହଜରେ ଅନୁସରଣ କରିବାକୁ ଥିବା ନିର୍ଦ୍ଦେଶାବଳୀ ମାଧ୍ୟମରେ ସ୍ତନ ଆତ୍ମପରୀକ୍ଷା ସହିତ ଜଡିତ ପଦକ୍ଷେପଗୁଡ଼ିକ ଶିଖିବା ପାଇଁ ଏକ ବ୍ୟକ୍ତିଗତ ଗୋପନୀୟ ସ୍ଥାନ ପ୍ରଦାନ କରେ। ଏହି ରୋଗକୁ ନେଇ ମନରେ ଥିବା ଦ୍ବନ୍ଦ୍ବ ଦୂର କରିବା, ସ୍ତନ ସ୍ୱାସ୍ଥ୍ୟ ପ୍ରତି ସଚେତନତା ବୃଦ୍ଧି କରିବା ଏବଂ ମହିଳାମାନେ କୌଣସି ଅସ୍ୱାଭାବିକ ପରିବର୍ତ୍ତନ ଲକ୍ଷ୍ୟ କଲେ ତୁରନ୍ତ ଡାକ୍ତରୀ ପରାମର୍ଶ କରିବାକୁ ଉତ୍ସାହିତ କରିବା ଏହି ବ୍ୟବସ୍ଥାର ଲକ୍ଷ୍ୟ ଅଟେ। ମେଡିକାଲ୍ ଅଙ୍କୋଲୋଜି ବିଭାଗ ପକ୍ଷରୁ ନିକଟ ଭବିଷ୍ୟତରେ ଏକ ସ୍ଥାୟୀ ବୁଥ୍ ପ୍ରତିଷ୍ଠା କରିବାକୁ ଯୋଜନା କରାଯାଉଥିବା ସୂଚନା ପ୍ରଦାନ କରିଛନ୍ତି ବିଭାଗୀୟ ଆସୋସିଏଟ୍ ପ୍ରଫେସର୍ ଡ. ସୌରଭ କୁମାର ମିଶ୍ର।
ଯୁବତୀମାନଙ୍କ ମଧ୍ୟରେ ସ୍ତନ କର୍କଟର ବୃଦ୍ଧି ପାଉଥିବା ପ୍ରଭାବ ଉପରେ ଆଲୋକପାତ କରି, ଡ. ମିଶ୍ର କହିଛନ୍ତି ଯେ, ଚାରି ବର୍ଷ ପୂର୍ବେ ବିଭାଗଟି ସ୍ଥାପିତ ହେବା ପରଠାରୁ ଏଠାରେ ପ୍ରାୟ ୧,୦୦୦ ଜଣ ସ୍ତନ କର୍କଟ ରୋଗୀଙ୍କ ଚିକିତ୍ସା କରାଯାଇଛି ଏବଂ ପ୍ରତି ମାସରେ ପ୍ରାୟ ୧୦୦ ଜଣ ସ୍ତନ କର୍କଟ ରୋଗୀ ଏଠାକୁ ଚିକିତ୍ସା ନିମନ୍ତେ ଆସିଥାନ୍ତି।
ସାମଗ୍ରୀକ କର୍କଟ ରୋଗ ଚିକିତ୍ସାର ଗୁରୁତ୍ୱ ଉପଲବ୍ଧି କରି, ବିଭାଗ ପକ୍ଷରୁ ରୋଗୀଙ୍କୁ ଚାପ ପରିଚାଳନା କରିବା, ଭାବପ୍ରବଣ ସୁସ୍ଥତାରେ ଉନ୍ନତି ଆଣିବାରେ ଏବଂ ଉତ୍ତମ ଚିକିତ୍ସା ଫଳାଫଳ ନିମନ୍ତେ ଯୋଗ, ଧ୍ୟାନ, ବ୍ୟାୟାମ, ସଙ୍ଗୀତ ଏବଂ ବିଶ୍ରାମ କୌଶଳର ଭୂମିକା ଉପରେ ବ୍ୟାପକ ସୂଚନା ପ୍ରଦାନ କରାଯାଇଥାଏ। ଏନେଇ ବିଭାଗ ପକ୍ଷରୁ ଯୋଗ, ଧ୍ୟାନ, ସଙ୍ଗୀତ ଏବଂ ଗୀତ ଅଧିବେଶନମାନ ଆୟୋଜନ କରିଆସୁଛି।
ଏହି ଅବସରରେ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ କର୍କଟ ସଂଗ୍ରାମୀମାନେ ଏକାଠି "ହମ୍ ହୋଙ୍ଗେ କାମୟାବ ଏକ ଦିନ" ସଂଗୀତ ଗାନ କରିଥିଲେ। ଏଥିସହିତ କର୍କଟ ସଂଗ୍ରାମୀମାନେ ସେମାନଙ୍କର ବ୍ୟକ୍ତିଗତ ଯାତ୍ରାର ଅଭିଜ୍ଞତା, କର୍କଟ ରୋଗ ସହିତ ବଞ୍ଚିବା ଏବଂ ପରାସ୍ତ କରିବାର ଆହ୍ବାନକୁ ନେଇ ହୃଦୟସ୍ପର୍ଶୀ ବିବରଣୀ ପ୍ରଦାନ କରିଥିଲେ। ପ୍ରତି ଅକ୍ଟୋବରରେ ବିଶ୍ୱବ୍ୟାପୀ ପାଳିତ ହେଉଥିବା ସ୍ତନ କର୍କଟ ସଚେତନତା ମାସ ସ୍ତନ କର୍କଟ ବିଷୟରେ ସଚେତନତା ବୃଦ୍ଧି କରିବା, ପ୍ରାରମ୍ଭିକ ରୋଗ ନିର୍ଣ୍ଣୟ ଏବଂ ସମୟୋଚିତ ଚିକିତ୍ସାକୁ ପ୍ରୋତ୍ସାହିତ କରିବା ଏବଂ ରୋଗୀ ଏବଂ ବଞ୍ଚିଥିବା ଲୋକଙ୍କ ପାଇଁ ସମର୍ଥନକୁ ମଜବୁତ କରିବା ପାଇଁ ଚେଷ୍ଟା କରିଥାଏ।
ଏହି ଅବସରରେ ଡିନ୍ ଡ. ଦିଲ୍ଲୀପ କୁମାର ପରିଡ଼ା, ମେଡିକାଲ୍ ଅଧୀକ୍ଷକ ଡ. ପ୍ରଭାସ ରଞ୍ଜନ ତ୍ରିପାଠୀ, ଡିଡିଏ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଭିଜିତ୍ ସରକାର, ଡ. ସୌରଭ କୁମାର ମିଶ୍ର, ଡ. ସରୋଜ ଦାସ ମଜୁମଦାରଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ, କର୍ମଚାରୀ ଏବଂ ରୋଗୀମାନେ ଉପସ୍ଥିତ ଥିଲେ।
(Release ID: 2324534)
Visitor Counter : 8