ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
azadi ka amrit mahotsav

ଦିବ୍ରୁଗଡ଼ ସ୍ଥିତ ଆଇସିଏମଆର-ଏନଆଇଏଚଆର ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି


ପ୍ରମୁଖ ସ୍ୱାସ୍ଥ୍ୟସେବା ଗବେଷଣା ଓ ଉଦ୍ଭାବନ ସମ୍ପର୍କରେ ବୈଜ୍ଞାନିକଙ୍କ ସହ କଲେ ମତ ବିନିମୟ

ପୋଷ୍ଟ କରାଯିବା ଦିନାଙ୍କ: 24 SEP 2026 10:37PM by PIB Bhubaneswar

ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ଆନୁକୂଲ୍ୟରେ ଆସାମ ଗସ୍ତରେ ଥିବା ଉଚ୍ଚସ୍ତରୀୟ ଗଣମାଧ୍ୟମ ପ୍ରତିନିଧି ଦଳ ଆଜି ଦିବ୍ରୁଗଡ଼ ସ୍ଥିତ ଆଇସିଏମଆର-ଜାତୀୟ ସ୍ୱାସ୍ଥ୍ୟ ଗବେଷଣା ପ୍ରତିଷ୍ଠାନ (ଏନଆଇଏଚଆର) ପରିଦର୍ଶନ କରିଛି । ଗଣମାଧ୍ୟମ ପ୍ରତିନିଧିମାନେ ଏହି ପ୍ରତିଷ୍ଠାନର ନିର୍ଦ୍ଦେଶକ ଡକ୍ଟର ସୁମନ କାନୁନଗୋଙ୍କ ସହିତ ମଧ୍ୟ ମତ ବିନିମୟ କରିଛନ୍ତି । ଆଇସିଏମଆର- ଏନଆଇଏଚଆରର ଗବେଷଣା, ରୋଗ ନିରୀକ୍ଷଣ, ନିଦାନ ସୁବିଧା ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ ହସ୍ତକ୍ଷେପ ସମ୍ପର୍କରେ ଓଡ଼ିଶାର ସାମ୍ବାଦିକମାନଙ୍କୁ ସୂଚନା ଦିଆଯାଇଥିଲା । ସାମ୍ବାଦିକମାନେ ପ୍ରତିଷ୍ଠାନରେ କାର୍ଯ୍ୟରତ ବୈଜ୍ଞାନିକ, ଗବେଷକ ଓ ବିଶେଷଜ୍ଞଙ୍କ ଆଲୋଚନା କରିବା ସହିତ ବୈଜ୍ଞାନିକ ଗବେଷଣାର ଫଳାଫଳ କିପରି ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଉପଯୋଗୀ ହୋଇପାରୁଛି ସେ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ । 

ଦିବ୍ରୁଗଡ଼ ସ୍ଥିତ ଆଇସିଏମଆର-ଏନଆଇଏଚଆର ୧୨ ଜୁଲାଇ ୧୯୮୨ରେ ପ୍ରତିଷ୍ଠା କରାଯାଇଥିଲା । ଏହି ପ୍ରତିଷ୍ଠାନ ବର୍ତ୍ତମାନ ଉତ୍ତର ପୂର୍ବ ଭାରତରେ ବାୟୋମେଡ଼ିକାଲ ଗବେଷଣା, ରୋଗ ନିରୀକ୍ଷଣ, ନିଦାନ ଏବଂ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ନୂତନ ଉଦ୍ଭାବନ ଲାଗି ଖ୍ୟାତି ଅର୍ଜନ କରିଛି । ଏହା ସ୍ଥାନୀୟ ଅଞ୍ଚଳରେ ଗବେଷଣା ଓ ନିଦାନ କ୍ଷମତାକୁ ସୁଦୃଢ଼ କରିବାରେ ଉଲ୍ଲେଖନୀୟ ଯୋଗଦାନ ଦେଇଛି । ଆଇସିଏମଆର- ଏନଆଇଏଚଆର ଅଧୀନରେ ୬ଟି ଆଞ୍ଚଳିକ କେନ୍ଦ୍ର ଆସାମ, ଅରୁଣାଚଳ ପ୍ରଦେଶ, ମେଘାଳୟ, ମିଜୋରାମ, ନାଗାଲାଣ୍ଡ ଓ ତ୍ରିପୁରାରେ କାର୍ଯ୍ୟକ୍ଷମ ରହିଛି । ସେହିପରି ମଣିପୁରର ସେନାପତି ଜିଲ୍ଲାରେ ଆଉ ଏକ କେନ୍ଦ୍ର ପ୍ରତିଷ୍ଠାକୁ ମଞ୍ଜୁରି ମିଳିଛି । ସେହିପରି ଗୌହାଟୀରେ ଏକ ବାୟୋମେଡ଼ିକାଲ ଗବେଷଣା କେନ୍ଦ୍ର ଖୁବ୍‌ କମ୍‌ ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି ଏବଂ ତ୍ରିପୁରାରେ ମଧ୍ୟ ଏଭଳି କେନ୍ଦ୍ର ସ୍ଥାପନ କରାଯିବ ।

ଗମ୍ଭୀର ଏନସେଫାଲାଇଟିସ୍‌ ରୋଗ, ଜାପାନୀ ଏନସେଫାଲାଇଟ୍ସ ରୋଗ, ରିକେଟସିଆଲ ସଂକ୍ରମଣ ଭଳି ରୋଗ ନିଦାନ ଓ ଗବେଷଣା କ୍ଷେତ୍ରରେ ଆଇସିଏମଆର- ଏନଆଇଏଚଆର ଉନ୍ନତ ଗବେଷଣା ଏବଂ ଉପଲବ୍ଧି ହାସଲ କରିଛି । ପ୍ରତିଷ୍ଠାନର ଆଞ୍ଚଳିକ ପ୍ରୟୋଗଶାଳା କୋଭିଡ୍‌ ମହାମାରୀ ସମୟରେ ପ୍ରାୟ ୩.୯ ଲକ୍ଷ ଆରଟି-ପିସିଆର୍‌ ପରୀକ୍ଷା କରିଥିଲା । ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ କ୍ଷେତ୍ରରେ ମଧ୍ୟ ଏହି ପ୍ରତିଷ୍ଠାନ ଉଲ୍ଲେଖନୀୟ ଯୋଗଦାନ କରିଛି । ୨୦୨୫ରେ ଏହା ସିଆରଆଇଏସପିଆର-ସିଏଏସ ଆଧାରିତ ଯକ୍ଷ୍ମା ନିଦାନ ପ୍ଲାଟଫର୍ମ ଘରୋଇ ଉତ୍ପାଦନକାରୀଙ୍କୁ ହସ୍ତାନ୍ତର କରିଛି । ଏହା ସୁଲଭ ଓ ବ୍ୟାପକ ପରୀକ୍ଷଣକୁ ସମର୍ଥନ କରିଛି । ସେହିପରି ମ୍ୟାଲେରିଆ ରୋଗ ମୁକାବିଲାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଗବେଷଣା ଓ ବିକାଶ ଯୋଗଦାନ ଦେଇଛି । ଚା’ ବଗିଚାରେ ଆଇସିଏମଆର- ଏନଆଇଏଚଆର ହସ୍ତକ୍ଷେପ ଫଳରେ ସେଠାରେ କାର୍ଯ୍ୟରତ ଲୋକଙ୍କ ମଧ୍ୟରେ ଉଚ୍ଚରକ୍ତଚାପ ହାର ୬୦.୮%ରୁ ୩୦%କୁ ହ୍ରାସ ପାଇଛି । ଏହାବ୍ୟତୀତ ପ୍ରତିଷ୍ଠାନ ଆଠଟି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ପୋଷଣ, କର୍କଟ, ଏନିମିଆ ଏବଂ ହିମୋଗ୍ଲୋବିନୋପାଥୀ ଉପରେ ମଧ୍ୟ ଗବେଷଣା କରୁଛି । 

ଏଭଳି ଏକ ପ୍ରତିଷ୍ଠିତ ସ୍ୱାସ୍ଥ୍ୟ ଗବେଷଣା ପ୍ରତିଷ୍ଠାନକୁ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳର ଗସ୍ତ ଆସାମ ଓ ଉତ୍ତର ପୂର୍ବାଞ୍ଚଳରେ ଚାଲିଥିବା ସ୍ୱାସ୍ଥ୍ୟସେବା ପ୍ରସ୍ତୁତି, ବୈଜ୍ଞାନିକ ଗବେଷଣା ଏବଂ ଗୋଷ୍ଠୀ ଆଧାରିତ ସ୍ୱାସ୍ଥ୍ୟ ହସ୍ତକ୍ଷେପ ଲୋକଲୋଚନକୁ ଆଣିବା ଏବଂ ମଜବୁତ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି ।

*******

PS

 

 


(ରିଲିଜ ଆଡି: 2314662) ପରିଦର୍ଶକ କାଉଣ୍ଟର : 33
ଏହି ରିଲିଜ ପଢନ୍ତୁ : English