ପ୍ରତିରକ୍ଷା ମନ୍ତ୍ରଣାଳୟ
azadi ka amrit mahotsav

ଭୁବନେଶ୍ୱରେ ଅନୁଷ୍ଠିତ ହେଲା ୧୦୮ତମ ଆରପିଏସ୍ ଶୁଣାଣି ଶିବିର


ପୂର୍ବତନ ସେନା କର୍ମଚାରୀଙ୍କ ପେନ୍‍ସନ୍‍ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ଗୁରୁ୍ତ୍ୱ

प्रविष्टि तिथि: 10 JUL 2026 9:41PM by PIB Bhubaneswar

 

ଭୁବନେଶ୍ୱର: ସଶସ୍ତ୍ର ବାହିନୀର ଅବସରପ୍ରାପ୍ତ ସୈନିକମାନଙ୍କର ପେନସନ ସମ୍ବନ୍ଧୀୟ ଅଭିଯୋଗଗୁଡ଼ିକୁ ତ୍ୱରିତ ଶୁଣାଣୀ ଓ ସମାଧାନ ଉଦ୍ଦେଶ୍ୟରେ ଆଜି ଭୁବନେଶ୍ୱରଠାରେ ଆଞ୍ଚଳିକ ସେବା ପେନସନ ଆୟୋଜନ (ଆରପିଏସ୍‍ଏ) ଦ୍ୱାରା ଏକ ଉଚ୍ଚସ୍ତରୀୟ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ସେନା ଏବଂ ପ୍ରତିରକ୍ଷା ପେନସନ ମହାନିୟନ୍ତ୍ରକ (ସିଜିଡିଏ)ଙ୍କ ଦ୍ୱାରା ମିଳିତ ଭାବେ ଏହି ୧୦୮ତମ ଅଭିଯୋଗ ଶୁଣାଣି ଶିବିରକୁ ପୂର୍ବତଟ ରେଳପଥର ମୁଖ୍ୟାଳୟ ‘ରେଳ ସଦନ’ଠାରେ ଆୟୋଜନ କରାଯାଇଥିଲା।  

ଏହି କାର୍ଯ୍ୟକ୍ରମରେ ସେଣ୍ଟ୍ରାଲ କମାଣ୍ଡର ଜେନେରାଲ ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଲେଫ୍ଟନାଣ୍ଟ ଜେନେରାଲ ଅନିନ୍ଦ୍ୟ ସେନଗୁପ୍ତ ଏବଂ ପ୍ରତିରକ୍ଷା ପେନସନ ମହାନିୟନ୍ତ୍ରକ (ସିଜିଡିଏ) ଉପସ୍ଥିତ ଥିଲେ। ଏହାସହ ଭାରତୀୟ ସେନା ଏବଂ ସିଜିଡିଏର ଅନେକ ବରିଷ୍ଠ ଅଧିକାରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେମାନଙ୍କ ଉପସ୍ଥିତି ଅବସରପ୍ରାପ୍ତ ସୈନିକମାନଙ୍କ କଲ୍ୟାଣ ଏବଂ ପେନସନ ସମ୍ବନ୍ଧୀୟ ସମସ୍ୟାର ଦକ୍ଷ ସମାଧାନ ତଥା ପ୍ରତିରକ୍ଷା ବାହିନୀ ଏବଂ ପ୍ରତିରକ୍ଷା ଆକାଉଣ୍ଟସ୍ ସଂଗଠନର ନିରନ୍ତର ପ୍ରତିବଦ୍ଧତାକୁ ଦର୍ଶାଇଛି।

ଏହି ଶୁଣାଣି ସମୟରେ, ପ୍ରତିରକ୍ଷା ବାହିନୀର ଅବସରପ୍ରାପ୍ତ ସୈନିକମାନଙ୍କର ବହୁ ସଂଖ୍ୟକ ପେନସନ ସମ୍ବନ୍ଧୀୟ ଅଭିଯୋଗକୁ ସମୀକ୍ଷା କରାଯାଇଥିଲା। ଭାରତୀୟ ସେନା ଏବଂ ପ୍ରତିରକ୍ଷା ଆକାଉଣ୍ଟସ୍ ବିଭାଗର ଅଧିକାରୀମାନେ ଯଥାସମ୍ଭବ ଘଟଣାସ୍ଥଳରେ ହିଁ ମାମଲାଗୁଡ଼ିକର ସମାଧାନ ପାଇଁ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିଥିଲେ। ପେନସନ ସମ୍ବନ୍ଧୀୟ ସୁବିଧାଗୁଡ଼ିକର ସଠିକ ସମୟରେ ପ୍ରଦାନ ନିଶ୍ଚିତ କରିବା ପାଇଁ ବକେୟା ମାମଲାଗୁଡ଼ିକର ଶୀଘ୍ର ସମାଧାନ, ପ୍ରକ୍ରିୟାର ସରଳୀକରଣ ଏବଂ ବିଭିନ୍ନ ସଂସ୍ଥା ମଧ୍ୟରେ ଉନ୍ନତ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ସମ୍ପୃକ୍ତ ଉଚ୍ଚ ଅଧିକାରୀମାନେ ଅବସରପ୍ରାପ୍ତ ସୈନିକମାନଙ୍କ ପାଖରେ ପହଞ୍ଚି ସେମାନଙ୍କ ଅଭିଯୋଗର ତୁରନ୍ତ ପ୍ରତିକାର ନିଶ୍ଚିତ କରିବା, ଏହି କାର୍ଯ୍ୟକ୍ରମର ଗୁରୁତ୍ୱକୁ ଦୋହରାଇଛି। ପେନସନ ପ୍ରଦାନ ଏବଂ ଅଭିଯୋଗ ସମାଧାନରେ ସକ୍ରିୟ ଭାବେ ଜଡ଼ିତ ଥିବା ସମସ୍ତ ଅଂଶଗ୍ରହଣକାରୀ ସଂଗଠନମାନଙ୍କ ମିଳିତ ପ୍ରୟାସକୁ ସେମାନେ ପ୍ରଶଂସା କରିଥିଲେ, ଯାହାଙ୍କର ସାମୂହିକ ଅବଦାନ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହାୟକ ହୋଇଥିଲା।

ସଶସ୍ତ୍ର ବାହିନୀର ପେନସନଭୋଗୀମାନଙ୍କ କଲ୍ୟାଣ ଏବଂ ଅଭିଯୋଗ ପ୍ରତିକାର ବ୍ୟବସ୍ଥାରେ ନିରନ୍ତର ସୁଧାର ପ୍ରତି ସାମୂହିକ ପ୍ରତିବଦ୍ଧତାକୁ ଦୋହରାଇ ଧନ୍ୟବାଦ ଅର୍ପଣ ସହ ଏହି କାର୍ଯ୍ୟକ୍ରମ ଶେଷ ହୋଇଥିଲା।


(रिलीज़ आईडी: 2283521) आगंतुक पटल : 9
इस विज्ञप्ति को इन भाषाओं में पढ़ें: English