ଆୟୁଷ
ରେଡ୍ ରୋଡ୍ରେ ଐତିହାସିକ ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ଉତ୍ସବ ପାଇଁ ପ୍ରସ୍ତୁତ କୋଲକାତା
ଆଇଡିୱାଇ ୨୦୨୬ ଜାତୀୟ ଉତ୍ସବ ପାଇଁ ପଶ୍ଚିମବଙ୍ଗ ପ୍ରସ୍ତୁତ; ଏହା ରାଜ୍ୟ ପାଇଁ ଏକ ଐତିହାସିକ ଗୌରବ: ମୁଖ୍ୟମନ୍ତ୍ରୀ ଶ୍ରୀ ଶୁଭେନ୍ଦୁ ଅଧିକାରୀ
ଯୋଗ ଦିବସ-୨୦୨୬ ବିଶ୍ୱର ପ୍ରାୟ ୨,୫୦୦ ସ୍ଥାନରେ ପାଳନ କରାଯିବ: କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରତାପରାଓ ଜାଧବ
ଯୋଗକୁ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶରେ ପରିଣତ କରିବା ହେଉଛି ‘ଯୋଗ ୩୬୫’ର ଲକ୍ଷ୍ୟ: କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପରାଓ ଜାଧବ
ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ପାଳନ ଅବସରରେ ୧୨ଟି ସ୍ୱତନ୍ତ୍ର ଡାକ ଟିକେଟ୍ ଉନ୍ମୋଚିତ
प्रविष्टि तिथि:
18 JUN 2026 6:56PM by PIB Bhubaneswar
ଜୁନ୍ ମାସ ୨୧ ତାରିଖରେ ପ୍ରସିଦ୍ଧ ରେଡ୍ ରୋଡ୍ଠାରେ ଆୟୋଜିତ ହେବାକୁ ଥିବା ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ (ଆଇଡିୱାଇ)ର ଜାତୀୟ ସମାରୋହ ଆୟୋଜନ ପାଇଁ କୋଲକାତା ପ୍ରସ୍ତୁତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘କମନ୍ ଯୋଗ ପ୍ରୋଟୋକଲ୍’ରେ ଦେଶବାସୀଙ୍କୁ ନେତୃତ୍ୱ ପ୍ରଦାନ କରିବେ। ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପୂର୍ବରୁ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶ୍ରୀ ଶୁଭେନ୍ଦୁ ଅଧିକାରୀ ଏବଂ କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରତାପରାଓ ଜାଧବ ଆଜି ନବାନ୍ନ ସଭାଗୃହରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଚଳିତ ବର୍ଷର ଅନ୍ତର୍ଜାତୀୟ ଯୋଗ ଦିବସର ଗୁରୁତ୍ୱ, ବ୍ୟାପକତା ଏବଂ ପ୍ରସ୍ତୁତି ସମ୍ପର୍କରେ ଆଲୋକପାତ କରିଥିଲେ।

ସାମ୍ବାଦିକ ସମ୍ମିଳନୀ ସମୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶ୍ରୀ ଶୁଭେନ୍ଦୁ ଅଧିକାରୀ ଏବଂ କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ପ୍ରତାପରାଓ ଜାଧବ, ପଶ୍ଚିମବଙ୍ଗ ସର୍କଲର ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲ୍ ଶ୍ରୀ ଅଶୋକ କୁମାରଙ୍କ ଉପସ୍ଥିତିରେ ଅନ୍ତର୍ଜାତୀୟ ଯୋଗ ଦିବସ - ୨୦୨୬ ପାଳନ ପାଇଁ ବାରଟି ସ୍ୱତନ୍ତ୍ର ଡାକ ଟିକେଟ୍ ଉନ୍ମୋଚିତ ହୋଇଥିଲା।
ଗଣମାଧ୍ୟମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ଶୁଭେନ୍ଦୁ ଅଧିକାରୀ କହିଥିଲେ ଯେ, କୋଲକାତାରେ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ର ଜାତୀୟ ସମାରୋହ ଆୟୋଜନ କରିବା ପଶ୍ଚିମବଙ୍ଗ ପାଇଁ ଅତ୍ୟନ୍ତ ଗର୍ବର ବିଷୟ। ସେ କୋଲକାତାକୁ ସମୃଦ୍ଧ ସାଂସ୍କୃତିକ, ଆଧ୍ୟାତ୍ମିକ ଓ ବୌଦ୍ଧିକ ଐତିହ୍ୟର ସହର ବୋଲି ବର୍ଣ୍ଣନା କରିବା ସହ ସ୍ୱାସ୍ଥ୍ୟ, ସୁସ୍ଥତା ଏବଂ ସାମୂହିକ କଲ୍ୟାଣର ମୂଲ୍ୟବୋଧକୁ ଏହି ସହର ନିରନ୍ତର ଭାବେ ଅନୁସରଣ କରୁଥିବା କଥା କହିଥିଲେ।
ମୁଖ୍ୟମନ୍ତ୍ରୀ ଯୋଗକୁ ବିଶ୍ୱ ପାଇଁ ଭାରତର ସବୁଠୁ ମୂଲ୍ୟବାନ ସାଂସ୍କୃତିକ ଅବଦାନ ମଧ୍ୟରୁ ଗୋଟିଏ ଭାବରେ ବର୍ଣ୍ଣନା କରି କହିଥିଲେ ଯେ, ଏହି ପ୍ରାଚୀନ ବିଦ୍ୟା ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ଲୋକମାନଙ୍କୁ ସୁସ୍ଥତା, ସଦ୍ଭାବ ଓ ଆନ୍ତରିକ ଶାନ୍ତି ହାସଲ ପାଇଁ ଏକତ୍ରିତ କରିଥାଏ। ଚଳିତ ବର୍ଷର ବିଷୟବସ୍ତୁ, "ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ" ବିଷୟରେ ଉଲ୍ଲେଖ କରି ସେ ଜୋର ଦେଇଥିଲେ ଯେ, ଯୋଗ ଶାରୀରିକ ସାମର୍ଥ୍ୟ, ମାନସିକ ସ୍ଥିରତା ଏବଂ ଭାବନାତ୍ମକ ସନ୍ତୁଳନକୁ ପ୍ରୋତ୍ସାହିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ, ଯାହା ଲୋକମାନଙ୍କୁ ସୁସ୍ଥ ଓ ସନ୍ତୋଷ ପରିପୂର୍ଣ୍ଣ ଜୀବନଯାପନ କରିବାରେ ସହାୟତା କରିଥାଏ।
ମୁଖ୍ୟମନ୍ତ୍ରୀ ଆୟୁଷ ମନ୍ତ୍ରଣାଳୟର ସେହି ପଦକ୍ଷେପଗୁଡ଼ିକର ପ୍ରଶଂସା କରିଥିଲେ, ଯାହା ମାଧ୍ୟମରେ ଯୋଗ ଦେଶର ପ୍ରତ୍ୟେକ କୋଣରେ ପହଞ୍ଚିପାରିଛି ଏବଂ ‘ଯୋଗ ୩୬୫’, ‘ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ’, ‘ଅସଂକ୍ରାମକ ରୋଗ ପାଇଁ ଯୋଗ’, ‘ଯୋଗ ପାର୍କ ପଦକ୍ଷେପ’ ଓ ‘୧୦୦ ଦିନର ମାଗଣା ଅନଲାଇନ୍ ଯୋଗ’ ଭଳି ଅନେକ କାର୍ଯ୍ୟକ୍ରମ ମାଧ୍ୟମରେ ଏହା ଏକ ବର୍ଷବ୍ୟାପୀ ଜନଆନ୍ଦୋଳନରେ ପରିଣତ ହୋଇଛି। ଏହା ଦ୍ୱାରା ସାମଗ୍ରିକ ସ୍ୱାସ୍ଥ୍ୟ ଓ ସୁସ୍ଥତା କ୍ଷେତ୍ରରେ ଭାରତର ବିଶ୍ୱ ନେତୃତ୍ୱର ଭୂମିକାକୁ ଆହୁରି ସୁଦୃଢ଼ କରାଯାଇଛି।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରତାପରାଓ ଜାଧବ ଜୋର ଦେଇ କହିଥିଲେ ଯେ, ଅନ୍ତର୍ଜାତୀୟ ଯୋଗ ଦିବସ-୨୦୨୬ କେବଳ ଏକ କାର୍ଯ୍ୟକ୍ରମ ନୁହେଁ ବରଂ ଭାରତର କାଳଜୟୀ ଜ୍ଞାନର ଏକ ଜାତୀୟ ଉତ୍ସବ, ଯାହା ସ୍ୱାସ୍ଥ୍ୟ, ସମନ୍ୱୟ ଏବଂ ସାମୂହିକ କଲ୍ୟାଣ ପାଇଁ ଏକ ବିଶ୍ୱସ୍ତରୀୟ ଜନଆନ୍ଦୋଳନରେ ପରିଣତ ହୋଇଛି। ବିଶ୍ୱବ୍ୟାପୀ ଅଂଶଗ୍ରହଣର ବୃଦ୍ଧିକୁ ଉଲ୍ଲେଖ କରି ସେ କହିଥିଲେ ଯେ, ଭାରତୀୟ ସାଂସ୍କୃତିକ ସମ୍ପର୍କ ପରିଷଦ (ଆଇସିସିଆର୍) ଏବଂ ବିଦେଶରେ ଥିବା ଭାରତୀୟ ମିଶନର ସମନ୍ୱିତ ପ୍ରୟାସ ମାଧ୍ୟମରେ, ଚଳିତ ବର୍ଷ ଯୋଗ ଦିବସ ପାଳନ ବିଶ୍ୱର ପ୍ରାୟ ୨,୫୦୦ ସ୍ଥାନରେ ଆୟୋଜନ କରାଯାଉଛି। ଏଥିରେ ୨୧୦ରୁ ଅଧିକ ଭାରତୀୟ ମିଶନ ଅଂଶଗ୍ରହଣ କରୁଛନ୍ତି, ଯାହା ସାମୂହିକ କଲ୍ୟାଣ ପାଇଁ ଏକ ବିଶ୍ୱସ୍ତରୀୟ ଆନ୍ଦୋଳନ ଭାବରେ ଯୋଗର ଭୂମିକାକୁ ପ୍ରତିଫଳିତ କରୁଛି।
ଶ୍ରୀ ପ୍ରତାପରାଓ ଜାଧବ ଯୋଗକୁ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ଭାବରେ ଗ୍ରହଣ କରିବା ପାଇଁ ଆରମ୍ଭ ହୋଇଥିବା ମନ୍ତ୍ରଣାଳୟର ପ୍ରମୁଖ ପଦକ୍ଷେପ ଯୋଗ ୩୬୫’ର ସଫଳତା ଉପରେ ଆଲୋକପାତ କରିଥିଲେ। ସେ ୧୦୦ ଦିନର ମାଗଣା ଅନଲାଇନ୍ ଯୋଗ ଅଧିବେଶନର ସଫଳ ସମାପ୍ତି ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ, ଜୁନ୍ ମାସ ୧୪ ତାରିଖରେ ଆୟୋଜିତ ଦେଶବ୍ୟାପୀ ଲାଇଭ୍ ଯୋଗ ଅଧିବେଶନରେ ଏକକାଳୀନ ୪ ଲକ୍ଷରୁ ଅଧିକ ଲୋକଙ୍କ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା, ଯାହା ଏକ ନୂତନ ଗିନିଜ୍ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲା।
ଶ୍ରୀ ଜାଧବ ଆହୁରି ସୂଚନା ଦେଇଥିଲେ ଯେ, ସଂସ୍କୃତି ମନ୍ତ୍ରଣାଳୟ ସାରା ଭାରତର ୧୦୦ଟି ପ୍ରତିଷ୍ଠିତ ସ୍ଥାନରେ ସ୍ୱତନ୍ତ୍ର ଯୋଗ କାର୍ଯ୍ୟକ୍ରମ ଆୟୋଜନ କରୁଛି, ଯାହା ଯୋଗକୁ ଭାରତର ସାଂସ୍କୃତିକ ଐତିହ୍ୟ, ପର୍ଯ୍ୟଟନ ଏବଂ ସଭ୍ୟତାଗତ ପରିଚୟ ସହିତ ଯୋଡିଛି। ସେ ଜାତୀୟ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ ଏବଂ କହିଥିଲେ ଯେ, କୋଲକାତା ଏବଂ ସମଗ୍ର ବଙ୍ଗଳାରୁ ମିଳୁଥିବା ଉତ୍ସାହଜନକ ପ୍ରତିକ୍ରିୟା ଯୋଗ ପ୍ରତି ଲୋକଙ୍କ ବଢ଼ୁଥିବା ଆଗ୍ରହ ଏବଂ ସଂପୃକ୍ତିକୁ ପ୍ରତିଫଳିତ କରୁଛି।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ତର୍ଜାତୀୟ ଯୋଗ ଦିବସ - ୨୦୨୬ ପ୍ରସ୍ତୁତି ଅବସରରେ ଦେଶବ୍ୟାପୀ ଆୟୋଜିତ ବିଭିନ୍ନ ଜନସମ୍ପର୍କ କାର୍ଯ୍ୟକ୍ରମ ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା। ଏଥିରେ ନୂଆଦିଲ୍ଲୀରେ ୧୦୦ ଦିନିଆ କାର୍ଯ୍ୟକ୍ରମ, ମହାରାଷ୍ଟ୍ରର ଲୋନାରରେ ୭୫ ଦିନିଆ କାର୍ଯ୍ୟକ୍ରମ, ହାଇଦ୍ରାବାଦର କାନ୍ହା ଶାନ୍ତି ବନମରେ ୫୦ ଦିନିଆ ଉତ୍ସବ ଏବଂ ଖଜୁରାହୋରେ ୨୫ ଦିନିଆ କାର୍ଯ୍ୟକ୍ରମ ସାମିଲ ରହିଛି। ଆଉ ଏକ ପ୍ରମୁଖ ଆକର୍ଷଣ ହେଉଛି "ଗଙ୍ଗୋତ୍ରୀରୁ ଗଙ୍ଗାସାଗର - ଗଙ୍ଗା ତଟ ଯୋଗ ଯାତ୍ରା", ଯାହା ଗଙ୍ଗୋତ୍ରୀ, ଋଷିକେଶ, ହରିଦ୍ୱାର, ପ୍ରୟାଗରାଜ, ବାରାଣସୀ, ପାଟନା, ହୁଗଲି ଏବଂ ଗଙ୍ଗାସାଗରକୁ ସଂଯୋଗ କରୁଛି, ଯୋଗ, ପରିବେଶ ସଚେତନତା, ନଦୀ ସଂସ୍କୃତି ଏବଂ ଲୋକଙ୍କ ଅଂଶଗ୍ରହଣକୁ ଏକତ୍ରିତ କରୁଛି।
ଏହି ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମବଙ୍ଗ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଶରଦ୍ୱତ ମୁଖୋପାଧ୍ୟାୟ; ପଶ୍ଚିମବଙ୍ଗ ସରକାରଙ୍କ ମୁଖ୍ୟ ସଚିବ ଡକ୍ଟର ମନୋଜ କୁମାର ଅଗ୍ରୱାଲ ଏବଂ ଆୟୁଷ ମନ୍ତ୍ରଣାଳୟର ସଚିବ ବୈଦ୍ୟ ରାଜେଶ କୋଟେଚା ମଧ୍ୟ ଉପସ୍ଥିତ ଥିଲେ।
ଜୁନ୍ ମାସ ୨୧ ତାରିଖ ପୂର୍ବରୁ କୋଲକାତା ଏବଂ ପଶ୍ଚିମବଙ୍ଗରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯିବାର ଯୋଜନା କରାଯାଇଛି। ଏଥିରେ ସୁସ୍ଥତା ପାଇଁ ସାଇକେଲିଂ, ସ୍କୁଲ ଏବଂ ସରକାରୀ କାର୍ଯ୍ୟାଳୟରେ ଯୋଗ, ମାନସିକ ସୁସ୍ଥତା ପାଇଁ ଯୋଗ, ମହିଳା ସ୍ୱାସ୍ଥ୍ୟ ପାଇଁ ଯୋଗ, ବରିଷ୍ଠ ନାଗରିକଙ୍କ ପାଇଁ ଯୋଗ, କର୍ପୋରେଟ୍ ଯୋଗ ଏବଂ ପୁଲିସ, ଅଗ୍ନିଶମ ସେବା ଏବଂ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ ପାଇଁ ଯୋଗ କାର୍ଯ୍ୟକ୍ରମ ସାମିଲ ଅଛି। ଜୁନ୍ ମାସ ୧୯ ତାରିଖରେ କୋଲକାତାର ୧୧ଟି ସ୍ଥାନରେ "ଦୌଡ଼ ରୁ ଧ୍ୟାନ" ନାମକ ଏକ ସ୍ୱତନ୍ତ୍ର ପଦକ୍ଷେପର ଆୟୋଜନ କରାଯିବ। ଏହା ପରେ ଜୁନ୍ ମାସ ୨୦ ତାରିଖରେ ହୁଗଲି ନଦୀକୂଳରେ ‘ବନ୍ଦେ ଯୋଗମ୍’ ଏବଂ ପଶ୍ଚିମବଙ୍ଗ ପ୍ରତିଷ୍ଠା ଦିବସ ପାଳନ କରାଯିବ, ଯେଉଁଥିରେ ସାଂସ୍କୃତିକ ପରିବେଷଣ, କଳା ପ୍ରତିଯୋଗିତା, ଫଟୋଗ୍ରାଫି ପ୍ରତିଯୋଗିତା ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ସାମିଲ ରହିବ।
ଏହି ଉତ୍ସବରେ ହୁଗ୍ଳି ନଦୀ ଉପରେ ୫୦୦ଟି ନୌକାରେ ସାମୂହିକ ଯୋଗ ପ୍ରଦର୍ଶନ ମଧ୍ୟ କରାଯିବ। ଏହା ଯୋଗ ଏବଂ ବଙ୍ଗଳାର ସମୃଦ୍ଧ ନଦୀ ଐତିହ୍ୟକୁ ପ୍ରଦର୍ଶିତ କରିବ। କୋଲକାତାରେ ଯୋଗ-ଥିମ୍ ଆଲୋକସଜ୍ଜା, ସ୍ୱତନ୍ତ୍ର ସେତୁ ଆଲୋକୀକରଣ ଏବଂ ଏକ ବୃହତ୍ ଡ୍ରୋନ୍ ଶୋ’ ପ୍ରଦର୍ଶନ କରାଯିବ, ଯେଉଁଥିରେ ପ୍ରାୟ ୩,୦୦୦ ଡ୍ରୋନ୍ ଭାରତର ଯୋଗ ଯାତ୍ରା ପ୍ରଦର୍ଶନ କରିବେ ଏବଂ ମହାନ ଯୋଗ ଗୁରୁମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ।
ମୁଖ୍ୟମନ୍ତ୍ରୀ ଏବଂ ଆୟୁଷ ମନ୍ତ୍ରୀ ନାଗରିକମାନଙ୍କୁ, ବିଶେଷକରି ଯୁବପିଢ଼ି ଏବଂ ବରିଷ୍ଠ ନାଗରିକମାନଙ୍କୁ ଯୋଗକୁ ଦୈନନ୍ଦିନ ଜୀବନର ଏକ ଅଂଶ କରିବାକୁ ଏବଂ ଶାରୀରିକ ସ୍ୱାସ୍ଥ୍ୟ, ମାନସିକ ଶାନ୍ତି ଏବଂ ସାମଗ୍ରିକ ସୁସ୍ଥତା ପାଇଁ ଏହାକୁ ଜୀବନବ୍ୟାପୀ ଅଭ୍ୟାସ ଭାବରେ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ନାଗରିକମାନଙ୍କୁ ଏହି ଉତ୍ସବଗୁଡ଼ିକରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଏବଂ ‘ଯୋଗ ସଙ୍ଗମ ପୋର୍ଟାଲ’ରେ ସେମାନଙ୍କର ନିଜ ଯୋଗ କାର୍ଯ୍ୟକ୍ରମଗୁଡ଼ିକୁ ପଞ୍ଜୀକୃତ କରିବାକୁ ମଧ୍ୟ ଉତ୍ସାହିତ କରାଯାଇଥିଲା।
ରେଡ୍ ରୋଡ୍ରେ ଜାତୀୟ ସମାରୋହ ୨୧ ଜୁନ୍ ସକାଳ ୫ଟାରେ ଆରମ୍ଭ ହେବ। ଏଥିରେ ହଜାର ହଜାର ଲୋକ ସିଧାସଳଖ ଯୋଗ ଦେବେ ଏବଂ ଭାରତ ତଥା ବିଶ୍ୱର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଲୋକ ଭର୍ଚୁଆଲ୍ ଭାବେ ଯୋଡ଼ି ହେବାର ଆଶା କରାଯାଉଛି। ଏହା ସ୍ୱାସ୍ଥ୍ୟ, ସଦଭାବନା ଏବଂ ସାମୂହିକ କଲ୍ୟାଣ ପାଇଁ ଏକ ବିଶ୍ୱବ୍ୟାପୀ ଜନଆନ୍ଦୋଳନ ଭାବରେ ଯୋଗର ଭୂମିକାକୁ ପୁନର୍ବାର ପ୍ରତିଷ୍ଠିତ କରିବ।
*****
MT
(रिलीज़ आईडी: 2274984)
आगंतुक पटल : 9