ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ
azadi ka amrit mahotsav

ଓଡ଼ିଶାରେ ସ୍ୱାଭାବିକ ଓ ସ୍ଥିର ରହିଛି ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ଯୋଗାଣ

ପୋଷ୍ଟ କରାଯିବା ଦିନାଙ୍କ: 21 APR 2026 2:26PM by PIB Bhubaneswar

ବର୍ତ୍ତମାନ ବିଶ୍ୱ ଶକ୍ତି ବଜାରକୁ ପ୍ରଭାବିତ କରୁଥିବା ଭୌଗୋଳିକ-ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି, ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ପୁନର୍ବାର ନିଶ୍ଚିତ କରିଛି ଯେ, ସାରା ଓଡ଼ିଶାରେ ଏଲପିଜି, ପେଟ୍ରୋଲ ଓ ଡିଜେଲର ଯୋଗାଣ ସ୍ୱାଭାବିକ ଓ ସ୍ଥିର ରହିଛି। ସମଗ୍ର ରାଜ୍ୟରେ ଅତ୍ୟାବଶ୍ୟକ ଇନ୍ଧନର ଅବିରତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି।

 

ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ସୂଚନା ଦେଇଛି ଯେ, ତାଙ୍କର ବ୍ୟାପକ ବିତରକ ନେଟୱାର୍କ ମାଧ୍ୟମରେ ଘରୋଇ ଏଲପିଜି ଯୋଗାଣ ସୁରୁଖୁରୁରେ ଚାଲିଛି, ଏଥିରେ ପେଟ୍ରୋଲ ଓ ଡିଜେଲ ଓଡିଶାର ସମସ୍ତ ଖୁଚୁରା ଦୋକାନ ମାଧ୍ୟମରେ ନିର୍ବିଘ୍ନ ଭାବେ ଯୋଗାଇ ଦିଆଯାଉଛି। ଯୋଗାଣ ସ୍ଥାନରୁ ବିତରକ ଓ ଖୁଚୁରା ଦୋକାନକୁ ପେଟ୍ରୋଲିୟମ ଉତ୍ପାଦର ପରିବହନ ବିନା ବାଧାବିଘ୍ନରେ ଜାରି ରହିଛି ଏବଂ ସାମଗ୍ରିକ ଯୋଗାଣ ଶୃଙ୍ଖଳ ପୂର୍ଣ୍ଣ କ୍ଷମତାର ସହିତ କାର୍ଯ୍ୟ କରୁଛି।

 

ସମଗ୍ର ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ଏଲପିଜି ମହଜୁଦ ରହିଛି। ବର୍ତ୍ତମାନର ବିତରଣ ବ୍ୟାକଲଗ୍ ପ୍ରାୟ ୫-୬ ଦିନ ରହିଛି, ଯାହା ନିୟନ୍ତ୍ରଣଯୋଗ୍ୟ ସୀମା ଭିତରେ ଅଛି। ଯେକୌଣସି କୃତ୍ରିମ ଅଭାବକୁ ରୋକିବା ପାଇଁ ପଦକ୍ଷେପ ନିଆଯାଇଛି, ଡିଜିଟାଲ୍ ବୁକିଂ ସିଷ୍ଟମର ବ୍ୟାପକ ପରିଚାଳନା ଦ୍ୱାରା ପ୍ରାୟ ୯୫ ପ୍ରତିଶତ ବୁକିଂ ହେଉଛି ଏବଂ ପ୍ରାୟ ୮୫ ପ୍ରତିଶତ ବିତରଣକୁ କଭର କରୁଥିବା ଓଟିପି-ଆଧାରିତ ପ୍ରମାଣୀକରଣ ଦ୍ୱାରା ଯୋଗାଣ ପ୍ରକୃତ ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ନିଶ୍ଚିତ ହେବ।

 

ସଂଶୟରହିତ ବୁକିଂକୁ ରୋକିବା ପାଇଁ, ସହରାଞ୍ଚଳରେ କ୍ରମାଗତ ଏଲପିଜି ବୁକିଂ ମଧ୍ୟରେ ସର୍ବନିମ୍ନ ୨୫ ଦିନର ବ୍ୟବଧାନ ଲାଗୁ କରାଯାଇଛି। ବାୟୋମେଟ୍ରିକ୍ ପ୍ରମାଣୀକରଣ ମିଶନ ମୋଡ୍‌ରେ କରାଯାଉଛି, ଏପର୍ଯ୍ୟନ୍ତ ୬୦ ପ୍ରତିଶତରୁ ଅଧିକ ଉପଭୋକ୍ତାଙ୍କ ପ୍ରମାଣୀକରଣ ସମ୍ପନ୍ନ ହୋଇଛି। ଏହା ବ୍ୟତୀତ, ଅନିୟମିତତା ରୋକିବା ପାଇଁ କଠୋର ମାନକ କାର୍ଯ୍ୟ ପ୍ରଣାଳୀ (ଏସ୍‌ଓପି) କାର୍ଯ୍ୟକାରୀ କରାଯାଉଛି ଏବଂ ତୈଳ ବିପଣନ କମ୍ପାନୀ (ଓଏମ୍‌ସି) ଅଧିକାରୀମାନେ ନିୟମିତ ଯାଞ୍ଚ କରୁଛନ୍ତି। କେବଳ ଏପ୍ରିଲ ୨୦୨୬ ମଧ୍ୟରେ ଏଲପିଜି ବିତରକମାନଙ୍କର ୬୦୦ ରୁ ଅଧିକ ଯାଞ୍ଚ କରାଯାଇଛି।

 

ଓଡିଶାର ସମସ୍ତ ଇଣ୍ଡିଆନ ଅଏଲ୍‌ର ଖୁଚୁରା ଦୋକାନ ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଓ ଡିଜେଲ ମହଜୁଦ ଅଛି ଏବଂ ସାଧାରଣ ଚାହିଦା ଅନୁସାରେ ଯୋଗାଇ ଦିଆଯାଉଛି। ରାଜ୍ୟରେ କୌଣସି ପ୍ରକାରର ଇନ୍ଧନ ଅଭାବ ନାହିଁ। ଉପଭୋକ୍ତାମାନଙ୍କୁ ଆତଙ୍କିତ ହୋଇ କ୍ରୟ କରିବା କିମ୍ବା ଅନାବଶ୍ୟକ ସଂଗ୍ରହ କରିବାରୁ ବିରତ ରହିବାକୁ ପରାମର୍ଶ ଦିଆଯାଇଛି।

 

ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ବର୍ତ୍ତମାନର ବୈଶ୍ୱିକ ପରିସ୍ଥିତି ପରିପ୍ରେକ୍ଷୀରେ ସୋସିଆଲ ମିଡିଆରେ କିଛି ଦୁଃଶ୍ଚିନ୍ତା ଓ ଯାଞ୍ଚ ନ ହୋଇଥିବା ବାର୍ତ୍ତା ପ୍ରସାରିତ ହେଉଛି। ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ତୁରନ୍ତ ପ୍ରକୃତ ଜନସାଧାରଣଙ୍କ ଚିନ୍ତାକୁ ସମାଧାନ କରୁଛି ଏବଂ ଉପଭୋକ୍ତାଙ୍କ ସୁବିଧା ପାଇଁ ସରକାରୀ ଯୋଗାଯୋଗ ଚ୍ୟାନେଲ ମାଧ୍ୟମରେ ସଠିକ୍ ସୂଚନା ପ୍ରସାରଣ କରୁଛି।

 

ଏହି ନିଗମ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସହିତ ଘନିଷ୍ଠ ସମନ୍ୱୟ ରଖି କାର୍ଯ୍ୟ କରୁଛି, ଯାହା ଦ୍ୱାରା ଓଡ଼ିଶାର ସହରାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳରେ ଅନିୟମିତତାକୁ ରୋକିବା, ମହଜୁଦକାରୀକୁ ନିୟନ୍ତ୍ରଣ କରିବା ଏବଂ ସ୍ୱାଭାବିକ ଇନ୍ଧନ ଉପଲବ୍ଧତା ସୁନିଶ୍ଚିତ କରାଯାଇପାରୁଛି।

 

ଉପଭୋକ୍ତାମାନଙ୍କୁ ଶାନ୍ତ ରହିବା, ଆତଙ୍କିତ କ୍ରୟରୁ ନିବୃତ୍ତ ରହିବା ଓ କେବଳ ସରକାରୀ ସୂତ୍ରରୁ ମିଳୁଥିବା ସୂଚନା ଉପରେ ନିର୍ଭର କରିବାକୁ ଅନୁରୋଧ କରାଯାଇଛି।

 

ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ଓଡ଼ିଶାର ସମସ୍ତ ଉପଭୋକ୍ତାଙ୍କ ପାଇଁ ଏଲପିଜି, ପେଟ୍ରୋଲ ଓ ଡିଜେଲର ନିରବଚ୍ଛିନ୍ନ ଏବଂ ସୁଗମ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଏହାର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛି।

 

*****

MT


(ରିଲିଜ ଆଡି: 2254307) ପରିଦର୍ଶକ କାଉଣ୍ଟର : 15
ଏହି ରିଲିଜ ପଢନ୍ତୁ : English