PIB Headquarters
azadi ka amrit mahotsav

ଭାରତ ଏବଂ ଜୋର୍ଡାନ ସମ୍ପର୍କ

प्रविष्टि तिथि: 16 DEC 2025 1:31PM by PIB Bhubaneshwar

ମୁଖ୍ୟ ବିଷୟବସ୍ତୁ

  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୫-୧୬, ୨୦୨୫ରେ ଜୋର୍ଡାନ ଗସ୍ତ କରିଛନ୍ତି, ଯାହାକି ତାଙ୍କର ଏହି ଦେଶକୁ ପ୍ରଥମ ସମ୍ପୂର୍ଣ୍ଣ ଦ୍ୱିପାକ୍ଷିକ ଗସ୍ତ।
  • ନବୀକରଣ ଯୋଗ୍ୟ ଶକ୍ତି, ଜଳ ସମ୍ପଦ ପରିଚାଳନା, ସାଂସ୍କୃତିକ ଆଦାନପ୍ରଦାନ, ଡିଜିଟାଲ୍ ସମାଧାନ ଏବଂ ପେଟ୍ରା ଓ ଏଲୋରା ମଧ୍ୟରେ ସହଯୋଗ ପାଇଁ ପାଞ୍ଚଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।
  • ଏହି ବର୍ଷ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୭୫ତମ ବାର୍ଷିକୀ ପାଳନ କରାଯାଉଛି।
  • ଭାରତ ହେଉଛି ଜୋର୍ଡାନର ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗୀଦାର। ଆଗାମୀ ୫ ବର୍ଷ ମଧ୍ୟରେ ଦୁଇ ଦେଶ ଦ୍ୱିପାକ୍ଷିକ ବାଣିଜ୍ୟକୁ ୫ ବିଲିୟନ ଆମେରିକୀୟ ଡଲାରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି।
  • ଜୋର୍ଡାନ ଭାରତ ପାଇଁ ଫସଫେଟ୍ ଏବଂ ପଟାଶ୍ ସାରର ଏକ ପ୍ରମୁଖ ଯୋଗାଣକାରୀ।
  • ପ୍ରାୟ ୧୭,୫୦୦ ଭାରତୀୟ ନାଗରିକ ବର୍ତ୍ତମାନ ଜୋର୍ଡାନରେ ବାସ କରୁଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ବସ୍ତ୍ର, ନିର୍ମାଣ, ଉତ୍ପାଦନ, ସ୍ୱାସ୍ଥ୍ୟସେବା ଇତ୍ୟାଦି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି।

ଡିସେମ୍ବର ୧୫ ରୁ ୧୮, ୨୦୨୫ ପର୍ଯ୍ୟନ୍ତ ଜୋର୍ଡାନ, ଇଥିଓପିଆ ଏବଂ ଓମାନର ତିନି ରାଷ୍ଟ୍ର ଗସ୍ତର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୫-୧୬ରେ ଆମ୍ମାନରେ ଆସିଥିଲେ। ଏହି ଅବସରରେ ସେ ଡିସେମ୍ବର ୧୫, ୨୦୨୫ରେ ଜୋର୍ଡାନର ମହାମହିମ ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କ ସହିତ ବ୍ୟାପକ ଆଲୋଚନା କରିଥିଲେ। ଏହା ଜୋର୍ଡାନକୁ ତାଙ୍କର ପ୍ରଥମ ସମ୍ପୂର୍ଣ୍ଣ ଦ୍ୱିପାକ୍ଷିକ ଗସ୍ତ। ସେ ପୂର୍ବରୁ ଫେବୃଆରୀ ୨୦୧୮ ରେ ପାଲେଷ୍ଟାଇନ ଯିବା ସମୟରେ ଏହି ଦେଶକୁ ଯାଇଥିଲେ।

ଭାରତ-ଜୋର୍ଡାନ ସମ୍ପର୍କ ଦଶନ୍ଧିର କୂଟନୈତିକ ସଦ୍ଭାବନା, ସଂରଚନାତ୍ମକ ରାଜନୈତିକ ଆଲୋଚନା ଏବଂ କ୍ରମାଗତ ଭାବରେ ସମ୍ପ୍ରସାରିତ ହେଉଥିବା ଅର୍ଥନୈତିକ ସହଯୋଗ ଉପରେ ଆଧାରିତ। ୧୯୫୦ରେ କୂଟନୈତିକ ସମ୍ପର୍କ ସ୍ଥାପନ ପରଠାରୁ, ଏହି ସମ୍ପର୍କ ନିୟମିତ ନେତୃତ୍ୱ-ସ୍ତରୀୟ ଆଦାନପ୍ରଦାନ, ସାଂସ୍ଥାନିକ କୌଶଳ ଏବଂ କ୍ଷେତ୍ରୀୟ ସହଯୋଗ ଦ୍ୱାରା ସମର୍ଥିତ ଏକ ପରିପକ୍ୱ ଭାଗିଦାରୀରେ ପରିଣତ ହୋଇଛି। ବାଣିଜ୍ୟ ଏବଂ ଅର୍ଥନୈତିକ ନୀବିଡ଼ତା ଏହି ସମ୍ପର୍କର ଏକ ମୁଖ୍ୟ ସ୍ତମ୍ଭ ଅଟେ। ଭାରତ ଜୋର୍ଡାନର ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାର ଅଟେ। ଭାରତ ଜୋର୍ଡାନକୁ ଶସ୍ୟ, ଫ୍ରୋଜେନ୍ ମାଂସ, ପେଟ୍ରୋଲିୟମ୍ ଉତ୍ପାଦ, ପଶୁ ଖାଦ୍ୟ ଇତ୍ୟାଦି ରପ୍ତାନି କରୁଥିବାବେଳେ, ସାର, ବିଶେଷ କରି ଫସଫେଟ୍ ଏବଂ ପଟାଶ୍ ଆମଦାନୀ କରିଥାଏ। ଦୀର୍ଘକାଳୀନ ମିଳିତ ଉଦ୍ୟମରେ ଚାଲିଥିବା କାର୍ଯ୍ୟକ୍ରମ ଏବଂ ଜୋର୍ଡାନରେ ଭାରତୀୟ ମାଲିକାନାରେ ଥିବା ଉତ୍ପାଦନ ୟୁନିଟ୍‌ଗୁଡ଼ିକର ପରିଚାଳନା ଗଭୀର ବାଣିଜ୍ୟିକ ସଂଯୋଗକୁ ପ୍ରତିଫଳିତ କରେ। ବୈଦେଶିକ କାର୍ଯ୍ୟାଳୟ ପରାମର୍ଶ ଏବଂ ଶୀର୍ଷ ନେତୃତ୍ୱ ସ୍ତରର ସମ୍ପର୍କ ଉଚ୍ଚ-ସ୍ତରୀୟ ରାଜନୈତିକ ତଥା ଦ୍ୱିପାକ୍ଷିକ ସମ୍ପର୍କକୁ ନିବିଡ଼ କରିଥାଏ।

ଭାରତ-ଜୋର୍ଡାନ ଦ୍ୱିପାକ୍ଷିକ ସମ୍ପର୍କର ଗତି

ଭାରତ ଏବଂ ଜୋର୍ଡାନ ପାରସ୍ପରିକ ସମ୍ମାନ ଉପରେ ଆଧାରିତ ଉଷ୍ମ ସମ୍ପର୍କ ଉପଭୋଗ କରନ୍ତି। ୧୯୪୭ରେ ସହଯୋଗ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ପାଇଁ ପ୍ରଥମ ଚୁକ୍ତି ସ୍ୱାକ୍ଷରିତ ହେବା ପରେ ୧୯୫୦ ରେ କୂଟନୈତିକ ସମ୍ପର୍କକୁ ଆନୁଷ୍ଠାନିକ କରାଯାଇଥିଲା। ଏହି ବର୍ଷ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୭୫ତମ ବାର୍ଷିକୀ ପାଳନ କରାଯାଉଛି।

୧. ଉଚ୍ଚ-ସ୍ତରୀୟ ରାଜନୈତିକ ସମ୍ପର୍କ

ଏହି ସମ୍ପର୍କର ମୂଳଦୁଆ ଉଚ୍ଚ-ସ୍ତରୀୟ ଆଦାନପ୍ରଦାନ ମାଧ୍ୟମରେ ଗଢ଼ା ଯାଇଥିଲା। ପ୍ରଧାନମନ୍ତ୍ରୀ ଫେବୃଆରୀ ୨୦୧୮ ରେ, ପାଲେଷ୍ଟାଇନକୁ ଗସ୍ତ ସମୟରେ, ବାଟରେ ଜୋର୍ଡାନ ଗସ୍ତ କରିଥିଲେ। ଏହା ପରେ ଫେବୃଆରୀ ୨୭ରୁ ମାର୍ଚ୍ଚ ୧, ୨୦୧୮ ପର୍ଯ୍ୟନ୍ତ ଜୋର୍ଡାନର ରାଜା ଅବଦୁଲ୍ଲା-ଦ୍ୱିତୀୟ ଭାରତ ଗସ୍ତରେ ଆସିଥିଲେ। ଏହି ଗସ୍ତ ସମୟରେ ପ୍ରତିନିଧିମଣ୍ଡଳ-ସ୍ତରୀୟ ଆଲୋଚନା, ଏକ ସିଇଓ ରାଉଣ୍ଡଟେବୁଲ୍, 'ଇସଲାମିକ୍ ହେରିଟେଜ୍: ପ୍ରୋମୋଟିଙ୍ଗ୍ ଅଣ୍ଡରଷ୍ଟାଣ୍ଡିଂ ଏବଂ ମଡେରେସନ୍' ଉପରେ ଏକ ସମ୍ମିଳନୀରେ ମିଳିତ ଅଭିଭାଷଣ, ଏବଂ ୧୨ଟି ବୁଝାମଣାପତ୍ର/ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହା ମଧ୍ୟ ଜୋର୍ଡାନରେ ଆଇଟି ବୃତ୍ତିଗତମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ସିଡାକ  ସେଣ୍ଟର ଅଫ୍ ଏକ୍ସିଲେନ୍ସ ପ୍ରତିଷ୍ଠା ଏବଂ ଫାର୍ମାସ୍ୟୁଟିକାଲ୍ ଡ୍ରଗ୍ସ ଓ ଟିକା ପାଇଁ ୫ ନିୟୁତ ଆମେରିକୀୟ ଡଲାରର ସହାୟତା ପ୍ୟାକେଜ୍ ଘୋଷଣା କରିଥିଲା।

ତା'ପରେ ଉଭୟ ନେତା ଅନେକ ଥର ଭେଟିଥିଲେ, ସେଥିମଧ୍ୟରେ ଜୁନ୍ ୨୦୨୪ ରେ ଇଟାଲୀର ଆପୁଲିଆରେ ଜି-୭ ଶିଖର ସମ୍ମିଳନୀ; ଡିସେମ୍ବର ୨୦୨୩ ରେ ଦୁବାଇରେ କୋପ୍‍- ୨୮; ଏବଂ ଅକ୍ଟୋବର ୨୦୧୯ ରେ ରିୟାଦରେ ଫ୍ୟୁଚର ଇନଭେଷ୍ଟମେଣ୍ଟ ଇନିସିଏଟିଭ୍ ଏବଂ ସେପ୍ଟେମ୍ବର ୨୦୧୯ ରେ ନ୍ୟୁୟର୍କରେ ୭୪ତମ ଜାତିସଂଘ ସାଧାରଣ ପରିଷଦ ଅନୁଷ୍ଠିତ ବୈଠକ ମୁଖ୍ୟ ଥିଲା।

ଏହା ବ୍ୟତୀତ, ଉଭୟ ନେତା ଏପ୍ରିଲ୍ ୨୪, ୨୦୨୫ ରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଟେଲିଫୋନ୍ ବାର୍ତ୍ତାଳାପ ମଧ୍ୟ କରିଥିଲେ। ଜୋର୍ଡାନର ରାଜା ଆକ୍ରମଣକୁ ନିନ୍ଦା କରିଥିଲେ ଏବଂ ଆତଙ୍କବାଦ ବିରୁଦ୍ଧରେ ଭାରତର ଲଢେଇକୁ ତାଙ୍କର ସମର୍ଥନକୁ ଦୋହରାଇଥିଲେ। ଉଭୟ ନେତା ଅକ୍ଟୋବର ୨୦୨୩ ରେ ଗାଜାରେ ଘଟିଥିବା ବିକାଶ ବିଷୟରେ ଆଲୋଚନା କରିବା ପାଇଁ ଫୋନରେ କଥା ହୋଇଥିଲେ ଏବଂ ଆତଙ୍କବାଦ, ହିଂସା ଏବଂ ସାଧାରଣ ନାଗରିକଙ୍କ ଜୀବନ ହାନି ସମ୍ବନ୍ଧରେ ନିଜ ନିଜର ମତ ବ୍ୟକ୍ତ କରିଥିଲେ।

୨୦୨୫ ରେ, ଭାରତ-ଜୋର୍ଡାନ ସମ୍ପର୍କ ଅନେକ ସଂରଚନାତ୍ମକ କୂଟନୈତିକ ସମ୍ପର୍କ ମାଧ୍ୟମରେ ଆଗକୁ ବଢ଼ିଥିଲା। ଭାରତ-ଜୋର୍ଡାନ ବୈଦେଶିକ କାର୍ଯ୍ୟାଳୟ ପରାମର୍ଶର ୪ର୍ଥ ରାଉଣ୍ଡ ଏପ୍ରିଲ୍ ୨୯, ୨୦୨୫ ରେ ଆମ୍ମାନରେ ଅନୁଷ୍ଠିତ ହୋଇଥିଲା, ଯାହାର ସହ-ଅଧ୍ୟକ୍ଷତା ଭାରତୀୟ ସଚିବ ଏବଂ ଜୋର୍ଡାନର ବୈଦେଶିକ ବ୍ୟାପାର ଏବଂ ପ୍ରବାସୀ ମନ୍ତ୍ରଣାଳୟର ମହାସଚିବ କରିଥିଲେ। ଏହା ପରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗ ଉପରେ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀର ୨ୟ ରାଉଣ୍ଡ ବୈଠକ ସେପ୍ଟେମ୍ବର ୦୨, ୨୦୨୫ ରେ ଭର୍ଚୁଆଲ୍ ମାଧ୍ୟମରେ ପରିଚାଳିତ ହୋଇଥିଲା। ଏହି ବୈଠକରେ ଭାରତୀୟ ଫାର୍ମାକୋପିଆର ଗ୍ରହଣ ଏବଂ ସ୍ୱୀକୃତି, ଫାର୍ମାସ୍ୟୁଟିକାଲ୍ସ, ଟିକା ଏବଂ ଚିକିତ୍ସା ଉପକରଣର ନିୟମାବଳୀ, ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ, ଏବଂ ଅଣ-ସଂକ୍ରାମକ ରୋଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଅକ୍ଟୋବର ୧୩-୧୫, ୨୦୨୫ ରେ ଭାରତୀୟ ସଚିବ (ଦକ୍ଷିଣ)ଙ୍କ ଜୋର୍ଡାନ ଗସ୍ତ ସମୟରେ ଅଧିକ ଗତି ଯୋଡା ଯାଇଥିଲା, ଯେଉଁଥିରେ ସେ ରାଷ୍ଟ୍ରଦୂତ ଦାଇଫାଲ୍ଲା ଅଲି ଅଲ-ଫାୟେଜ୍, ମହାସଚିବଙ୍କୁ ଭେଟିଥିଲେ ଏବଂ ଦ୍ୱିପାକ୍ଷିକ ସହଯୋଗ ଉପରେ ରାଷ୍ଟ୍ରଦୂତ ମହମ୍ମଦ ଆବୁ ୱେଣ୍ଡି, ମହାନିର୍ଦ୍ଦେଶକ (ଏସିଆ ଏବଂ ଓସେନିଆ ବ୍ୟାପାର) ଙ୍କ ସହିତ ମହତ୍ତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ।

ଅତିରିକ୍ତ ଆଦାନପ୍ରଦାନରେ ଡିସେମ୍ବର ୨୦୧୭ ରେ ଜୋର୍ଡାନର ବୈଦେଶିକ ମନ୍ତ୍ରୀ ଆୟମାନ ସଫାଡିଙ୍କ ଭାରତ ଗସ୍ତ; ଜାନୁଆରୀ ୨୦୨୦ ରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଶ୍ରୀ ଅଜିତ କୁମାର ଡୋଭାଲଙ୍କ ଜୋର୍ଡାନ ଗସ୍ତ; ଏବଂ ଜାନୁଆରୀ ଏବଂ ଅକ୍ଟୋବ୦୨୦ ରେ ବୈଦେଶିକ ବ୍ୟାପାର ମନ୍ତ୍ରୀ (ଇଏଏମ) ଏବଂ ବୈଦେଶିକ ମନ୍ତ୍ରୀ ସଫାଡିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ପ୍ରସଙ୍ଗ ଏବଂ କୋଭିଡ-୧୯ ସହଯୋଗ ଉପରେ ଟେଲିଫୋନ୍ ବାର୍ତ୍ତାଳାପ ଅନ୍ତର୍ଭୁକ୍ତ ଥିଲା।

୨. ବାଣିଜ୍ୟ ଏବଂ ଅର୍ଥନୈତିକ ସହଯୋଗ

ବର୍ଷ ବର୍ଷ ଧରି, ଭାରତ ଏବଂ ଜୋର୍ଡାନ ମଧ୍ୟରେ ଅର୍ଥନୈତିକ ସମ୍ପର୍କ ଯଥେଷ୍ଟ ମଜବୁତ ହୋଇଛି, ଦ୍ୱିପାକ୍ଷିକ ବାଣିଜ୍ୟ ଦୃଢ଼ ଅଭିବୃଦ୍ଧି ଦେଖାଇଛି। ଭାରତ ଜୋର୍ଡାନର ଚତୁର୍ଥ ବୃହତ୍ତମ ବାଣିଜ୍ୟ ଭାଗିଦାର ଅଟେ। ଆର୍ଥିକ ବର୍ଷ ୨୦୨୩–୨୪ ରେ, ମୋଟ ଭାରତ-ଜୋର୍ଡାନ ବାଣିଜ୍ୟ ୨.୮୭୫ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଥିଲା, ଯେଉଁଥିରେ ଜୋର୍ଡାନକୁ ଭାରତର ରପ୍ତାନୀ ୧.୪୬୫ ବିଲିୟନ ଆମେରିକୀୟ ଡଲାର ଥିଲା। ଏହି ବାଣିଜ୍ୟକୁ ସମର୍ଥନ କରୁଥିବା ସାଂସ୍ଥାନିକ ଢାଞ୍ଚାରେ ୧୯୭୬ ବାଣିଜ୍ୟ ଚୁକ୍ତି ଅନୁଯାୟୀ ସ୍ଥାପିତ ବାଣିଜ୍ୟ ଏବଂ ଅର୍ଥନୈତିକ ମିଳିତ କମିଟି (ଟିଇଜେସି), ଏବଂ ଅନ୍ୟାନ୍ୟ ଆଲୋଚନା କୌଶଳ ଯେପରିକି ସାମୁଦ୍ରିକ ଏବଂ କ୍ଷେତ୍ର-ନିର୍ଦ୍ଦିଷ୍ଟ କାର୍ଯ୍ୟକାରୀ ଗୋଷ୍ଠୀ ଅନ୍ତର୍ଭୁକ୍ତ।

ପ୍ରମୁଖ ଅର୍ଥନୈତିକ ଓ ବାଣିଜ୍ୟିକ ପଦକ୍ଷେପ / ମୁଖ୍ୟାଂଶ

ଇଣ୍ଡିଆନ ଫାର୍ମର୍ସ ଫର୍ଟିଲାଇଜର୍ କୋଅପରେଟିଭ୍ (ଆଇଏଫଏଫସିଓ) ଏବଂ ଜୋର୍ଡାନ ଫସଫେଟ୍ ମାଇନ୍ସ କମ୍ପାନୀ (ଜେପିଏମସି) ମଧ୍ୟରେ ଏକ ମିଳିତ ଉଦ୍ୟମ, ଜିଫକୋ, ଭାରତକୁ ଫସଫୋରିକ୍ ଏସିଡ୍ ଉତ୍ପାଦନ ଏବଂ ରପ୍ତାନୀ କରିବା ପାଇଁ କାର୍ଯ୍ୟକ୍ଷମ ହୋଇଥିଲା। ଏହି ଉଦ୍ୟମ, ଯାହାର ମୂଳ ମୂଲ୍ୟ ୮୬୦ ନିୟୁତ ଆମେରିକୀୟ ଡଲାର ଥିଲା, ତାହା ଭାରତ ପାଇଁ ଫସଫୋରିକ୍ ଏସିଡର ଏକ ପ୍ରମୁଖ ଉତ୍ସ ଭାବେ ପରିଚିତ। ଜୋର୍ଡାନ ଭାରତ ପାଇଁ, ବିଶେଷ କରି ଫସଫେଟ୍ ଏବଂ ପଟାଶ୍, ସାରର ଏକ ପ୍ରମୁଖ ଯୋଗାଣକାରୀ ମଧ୍ୟ ଅଟେ।

ପୂର୍ବରୁ, ଇଣ୍ଡୋ-ଜୋର୍ଡାନ କେମିକାଲ୍ କମ୍ପାନୀ (ଜେପିଏମ୍‍ସି ଏବଂ ସଦର୍ଣ୍ଣ ପେଟ୍ରୋକେମିକାଲ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ୍ ମଧ୍ୟରେ) ଦ୍ୱାରା ପରିଚାଳିତ ଏକ ଫସଫୋରିକ୍ ଏସିଡ୍ ପ୍ଲାଣ୍ଟ୍ ୧୬୯.୫ ନିୟୁତ ଆମେରିକୀୟ ଡଲାର ବିନିଯୋଗରେ କାର୍ଯ୍ୟକ୍ଷମ ହୋଇଥିଲା; ଏହାର ଅଧିକାଂଶ ଉତ୍ପାଦନ ଭାରତକୁ ରପ୍ତାନି କରାଯାଏ।

ମେ ୨୦୨୨ ରେ, ଜୋର୍ଡାନ ଫସଫେଟ୍ ମାଇନ୍ସ କମ୍ପାନୀ (ଜେପିଏମସି), ଅନେକ ଭାରତୀୟ ଫସଫେଟ୍/ଫସଫେଟ୍-ସାର୍ କମ୍ପାନୀ ସହିତ ବୁଝାମଣାପତ୍ର ଏବଂ ଚୁକ୍ତି ସ୍ୱାକ୍ଷର କରିଥିଲା, ଯାହାର ମୋଟ ମୂଲ୍ୟ ୧.୫ ବିଲିୟନ ଆମେରିକୀୟ ଡଲାର ଥିଲା। ଆରବ ପଟାଶ୍ କମ୍ପାନୀ ଏବଂ ଇଣ୍ଡିଆନ୍ ପଟାଶ୍ ଲିମିଟେଡ୍ (ଆଇପିଏଲ୍) ଭାରତୀୟ ବଜାରକୁ ବାର୍ଷିକ ୨,୭୫,୦୦୦ ରୁ ୩,୨୫,୦୦୦ ଟନ୍ ପରିମାଣର ପଟାଶ୍ ଯୋଗାଇବା ପାଇଁ ଏକ ପାଞ୍ଚ ବର୍ଷିୟ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି।

ପ୍ରବାସୀ ଭାରତୀୟମାନଙ୍କ ମାଲିକାନାରେ ଥିବା ୧୫ରୁ ଅଧିକ ବସ୍ତ୍ର-ଉତ୍ପାଦନ କମ୍ପାନୀ ଜୋର୍ଡାନର କ୍ୱାଲିଫାଏଡ୍ ଇଣ୍ଡଷ୍ଟ୍ରିଆଲ୍ ଜୋନ୍‌ସ ରେ କାର୍ଯ୍ୟ କରୁଛନ୍ତି, ଯାହାର ମୋଟ ବିନିଯୋଗ ପ୍ରାୟ ୫୦୦ ନିୟୁତ ଆମେରିକୀୟ ଡଲାର। ଏହି କମ୍ପାନୀଗୁଡ଼ିକ ଜୋର୍ଡାନରେ ବସ୍ତ୍ର ଉତ୍ପାଦନ କରନ୍ତି ଏବଂ ଜୋର୍ଡାନ-ୟୁଏସ୍‌ଏ ଏଫଟିଏ ଢାଞ୍ଚା ଅଧୀନରେ ଉତ୍ପାଦିତ ସାମଗ୍ରୀକୁ ଜୋର୍ଡାନ ବାହାରକୁ ରପ୍ତାନି କରନ୍ତି।

୨୦୨୫ ରେ, ପ୍ରମୁଖ ଭାରତ–ଜୋର୍ଡାନ ଅର୍ଥନୈତିକ ପଦକ୍ଷେପଗୁଡ଼ିକରେ ଅନ୍ତର୍ଭୁକ୍ତ ଥିଲା: ଜୋର୍ଡାନ ସୋସାଇଟି ଅଫ୍ ଟୁରିଜିମ୍ ଏବଂ ଟ୍ରାଭେଲ୍ ଏଜେଣ୍ଟ୍ସ ସହିତ ମିଳିତ ଭାବରେ ଫେବୃଆରୀ ୫, ୨୦୨୫ ରେ ମଧ୍ୟପ୍ରଦେଶକୁ ଏକ ଗନ୍ତବ୍ୟସ୍ଥଳ ଭାବରେ ଆଲୋକିତ କରିବା ଏବଂ ଜୋର୍ଡାନ ଏବଂ ଭାରତ ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ଘୋଷଣା କରିବା ପାଇଁ ଏକ ପର୍ଯ୍ୟଟନ-ପ୍ରୋତ୍ସାହନ କାର୍ଯ୍ୟକ୍ରମ; ଫେବୃଆରୀ ୧୯, ୨୦୨୫ ରେ ଜୋର୍ଡାନିଆନ୍ ବିଜନେସ୍‌ମେନ୍ ଆସୋସିଏସନ୍ (ଜେବିଏ) ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ସହିତ ବିନିଯୋଗ ଏବଂ ବାଣିଜ୍ୟକୁ ବୃଦ୍ଧି କରିବା ପାଇଁ ଏକ ବାଣିଜ୍ୟ-ପ୍ରୋତ୍ସାହନ ସେମିନାର୍। ଏହା ବ୍ୟତୀତ, କୂଟନୈତିକ ମିଶନ ଆମ୍ମାନରେ ତୃତୀୟ ଆନ୍ତର୍ଜାତୀୟ ଖାଦ୍ୟ ଏବଂ ଖାଦ୍ୟ ପ୍ରଯୁକ୍ତିବିଦ୍ୟା ଏକ୍ସପୋ (ଅଗଷ୍ଟ ୧୨-୧୪, ୨୦୨୫) ରେ ଭାରତୀୟ କମ୍ପାନୀମାନଙ୍କର ଅଂଶଗ୍ରହଣକୁ ସ୍ୱାଗତ କରିଥିଲା।

୩. ପ୍ରତିରକ୍ଷା ସମ୍ପର୍କ

ଭାରତ ଏବଂ ଜୋର୍ଡାନ ୨୦୧୮ ରେ ପ୍ରତିରକ୍ଷା ସହଯୋଗକୁ ଭିତ୍ତିକରି ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ। ୨୦୨୪ ରେ, ଏକ ତିନିଜଣିଆ ଭାରତୀୟ ସେନା, ନୌସେନା ଏବଂ ବାୟୁସେନା ପ୍ରତିନିଧିମଣ୍ଡଳ ଅକାବାରେ ସ୍ପେଶାଲ୍ ଅପରେସନ୍ସ ଫୋର୍ସ ଏକ୍ସିବିସନ୍ ଏବଂ କନଫରେନ୍ସ (ଏସଓଏଫ ଇଏକ୍ସ) ରେ ଯୋଗ ଦେଇଥିଲେ। ଏକ ଜୋର୍ଡାନିଆନ୍ ରୟାଲ୍ ନୌସେନା ପ୍ରତିନିଧିମଣ୍ଡଳ ମଧ୍ୟ ଭାରତ ଗସ୍ତ କରିଥିଲା। ସେମାନେ ସଦର୍ଣ୍ଣ ନାଭାଲ୍ କମାଣ୍ଡ କୋଚି ଏବଂ ଇଣ୍ଡିଆନ୍ ନାଭାଲ୍ ଏକାଡେମୀ, ଏଝିମାଲା ପରିଦର୍ଶନ କରିଥିଲେ। ଏହି ଗସ୍ତ ଏପ୍ରିଲ୍ ୨୯ ରୁ ମେ ୪, ୨୦୨୪ ପର୍ଯ୍ୟନ୍ତ ହୋଇଥିଲା।

୪. ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା

ଭାରତ-ଜୋର୍ଡାନ ସେଣ୍ଟର ଅଫ୍ ଏକ୍ସିଲେନ୍ସ ଇନ୍ ଇନଫର୍ମେସନ୍ ଟେକ୍ନୋଲୋଜି (ଆଇଜେସିଓଇଆଇଟି), ଯାହାକି ଅଲ-ହୁସେନ୍ ଟେକ୍ନିକାଲ୍ ୟୁନିଭର୍ସିଟି (ଏଚଟିୟୁ) ରେ ଏକ ପରବର୍ତ୍ତୀ ପିଢ଼ିର ଆଇଟି ସୁବିଧା ଭାବେ ପରିଚିତ, ତାହା ଅକ୍ଟୋବର ୦୨, ୨୦୨୧ ରେ ଉଦ୍ଘାଟିତ ହୋଇଥିଲା। ଏହି କେନ୍ଦ୍ରଟି ସୁପର କମ୍ପ୍ୟୁଟର ‘ପରମ ସବକ’ ଏବଂ ଉନ୍ନତ ପ୍ରଶିକ୍ଷଣ ସୁବିଧା ସହିତ ଅତ୍ୟାଧୁନିକ ଆଇଟି ଭିତ୍ତିଭୂମିରେ ସଜ୍ଜିତ। ଭାରତ ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ଅର୍ଥପୋଷିତ ଏବଂ ମାର୍ଚ୍ଚ ୨୦୧୮ ରେ ମହାମହିମ ରାଜା ଅବଦୁଲ୍ଲା-ଦ୍ୱିତୀୟଙ୍କ ଭାରତ ଗସ୍ତ ସମୟରେ ସ୍ୱାକ୍ଷରିତ ଏକ ବୁଝାମଣାପତ୍ର ଅନୁଯାୟୀ ଏହାର ସ୍ଥାପନା କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ବିଶିଷ୍ଟ କ୍ଷେତ୍ରରେ ଜୋର୍ଡାନରେ ସଫ୍ଟୱେୟାର୍ ଦକ୍ଷତା ବିକାଶ ଏବଂ ମଜବୁତ କରିବା। ଭାରତ ସରକାର ସାଇବର ସୁରକ୍ଷା, ୱେବ୍ ଡେଭଲପମେଣ୍ଟ୍, ମେସିନ୍ ଲର୍ଣ୍ଣିଂ, ବିଗ୍ ଡାଟା ଆନାଲିଟିକ୍ସ ଇତ୍ୟାଦି ଉଦୀୟମାନ କ୍ଷେତ୍ରରେ ଜୋର୍ଡାନିଆନ୍ ବିଶେଷଜ୍ଞମାନଙ୍କ ପାଇଁ ମାଷ୍ଟର ଟ୍ରେନର୍ କୋର୍ସ ପରିଚାଳନା କରନ୍ତି, ଯେଉଁମାନେ ପରବର୍ତ୍ତୀ ସମୟରେ ଆଇଜେସିଓଇଆଇଟିରେ ଜୋର୍ଡାନିଆନ୍ ଯୁବକମାନଙ୍କୁ ତାଲିମ ଦିଅନ୍ତି। ଏହି କେନ୍ଦ୍ରରେ ୩୦୦୦ ଜୋର୍ଡାନ ବିଶେଷଜ୍ଞ/ବୃତ୍ତିଗତମାନଙ୍କୁ ପୋଷଣ କରାଯିବ ବୋଲି ବିଚାର କରାଯାଇଛି। ଜୋର୍ଡାନ ସହିତ ବୈଦେଶିକ କାର୍ଯ୍ୟାଳୟ ପରାମର୍ଶର ୪ର୍ଥ ରାଉଣ୍ଡର ପାର୍ଶ୍ୱରେ, ସଚିବ (ସିପିଭି ଆଣ୍ଡ ଓଆଇଏ) ଏବଂ ଜେଏସ(ଡ଼ବ୍ଲୁଏଏନଏ) ଅଲ-ହୁସେନ୍ ଟେକ୍ନିକାଲ୍ ୟୁନିଭର୍ସିଟି ରେ ଥିବା ଇଣ୍ଡିଆ-ଜୋର୍ଡାନ ସେଣ୍ଟର ଅଫ୍ ଏକ୍ସିଲେନ୍ସ ଇନ୍ ଆଇଟି(ଆଇଜେସିଓଇଟି) ପରିଦର୍ଶନ କରିଥିଲେ।

୫. ଶିକ୍ଷା ଏବଂ ଲୋକ-ଲୋକ ସମ୍ପର୍କ

ଭାରତ ଏବଂ ଜୋର୍ଡାନ ଶିକ୍ଷା ଏବଂ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ସମ୍ପର୍କକୁ ମଜବୁତ କରୁଛନ୍ତି। ଆଇଆଇଟି, ଆଇଆଇଏମ ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ପରି ବିଶ୍ୱ ପ୍ରସିଦ୍ଧ ଅନୁଷ୍ଠାନ ସହିତ ଭାରତରେ ବିଶ୍ୱର ସର୍ବବୃହତ ଉଚ୍ଚ ଶିକ୍ଷା ବ୍ୟବସ୍ଥା ମଧ୍ୟରୁ ଗୋଟିଏ ରହିଛି। ଭାରତ ଜୋର୍ଡାନିଆନ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଲୋକପ୍ରିୟ ଅଧ୍ୟୟନ ଗନ୍ତବ୍ୟସ୍ଥଳ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଇଣ୍ଡିଆନ୍ ଟେକ୍ନିକାଲ୍ ଏବଂ ଇକୋନୋମିକ୍ କୋଅପରେସନ୍ (ଆଇଟିଇସି) କାର୍ଯ୍ୟକ୍ରମ ଅଧୀନରେ ଜୋର୍ଡାନ ପାଇଁ ୫୦ଟି ସ୍ଲଟ୍ ରହିଛି। ୨,୫୦୦ ରୁ ଅଧିକ ଜୋର୍ଡାନିଆନ୍ ଭାରତୀୟ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଛନ୍ତି। ୨୦୨୪-୨୫ ରେ, ଜୋର୍ଡାନ ୩୭ଟି ବେସାମରିକ ଆଇଟିଇସି ସ୍ଲଟ୍, ୪ଟି ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ କାର୍ଯ୍ୟକ୍ରମ, ଏବଂ ୫ଟି ଆଇସିସିଆର ସ୍କଲାରସିପ୍ ବ୍ୟବହାର କରିଥିଲା।

ମାର୍ଚ୍ଚ ୨୦୧୮ ରେ ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କ ଭାରତ ଗସ୍ତ ସମୟରେ ଭାରତ ଏବଂ ଜୋର୍ଡାନ ଏକ ମାନବଶକ୍ତି ଚୁକ୍ତି ଏବଂ କୂଟନୈତିକ ଏବଂ ଅଧିକାରୀ ପାସପୋର୍ଟ ଧାରକଙ୍କ ପାଇଁ ଭିସା-ମୁକ୍ତ ଯାତ୍ରା ସ୍ୱାକ୍ଷର କରିଥିଲେ। ପ୍ରାୟ ୧୭,୫୦୦ ଭାରତୀୟ ନାଗରିକ ବର୍ତ୍ତମାନ ଜୋର୍ଡାନରେ ବାସ କରୁଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ବସ୍ତ୍ର, ନିର୍ମାଣ, ଉତ୍ପାଦନ, ସ୍ୱାସ୍ଥ୍ୟସେବା, ନର୍ସିଂ, ବିଶ୍ୱବିଦ୍ୟାଳୟ, ଆଇଟି, ଆର୍ଥିକ କମ୍ପାନୀ ଏବଂ ଜାତିସଂଘ ଏଜେନ୍ସିଗୁଡ଼ିକରେ କାର୍ଯ୍ୟ କରୁଛନ୍ତି। ଜୋର୍ଡାନ ୨୦୦୯ ରୁ ଭାରତୀୟ ପର୍ଯ୍ୟଟକମାନଙ୍କୁ ଭିସା ଅନ୍ ଆରାଇଭାଲ୍ ଏବଂ ୨୦୨୩ ରୁ ଇ-ଭିସା ପ୍ରଦାନ କରୁଛି।

ଆମ୍ମାନରୁ ମୁମ୍ବାଇକୁ ଏକ ସିଧାସଳଖ ବିମାନ ଉଡ଼ାଣ ରହିଛି। ଅପରେସନ୍ ସିନ୍ଧୁ ଅଧୀନରେ ଇସ୍ରାଏଲରୁ ଭାରତୀୟ ନାଗରିକଙ୍କୁ ସ୍ଥାନାନ୍ତର କରିବା ସମୟରେ ଉଭୟ ଦେଶ ସହଯୋଗ କରିଥିଲେ।

୬. ସାଂସ୍କୃତିକ ଆଦାନପ୍ରଦାନ

ଭାରତ ଏବଂ ଜୋର୍ଡାନ ମଧ୍ୟରେ ସାଂସ୍କୃତିକ ବିନିମୟ ଉଚ୍ଚକୋଟୀର ରହିଛି। ଜୋର୍ଡାନରେ ଭାରତୀୟ ସଂସ୍କୃତି, ବିଶେଷ କରି ବଲିଉଡ୍ ଚଳଚ୍ଚିତ୍ର ପାଇଁ ଦୃଢ଼ ଆଗ୍ରହ ରହିଛି। ନୃତ୍ୟ ଏବଂ ସଙ୍ଗୀତକୁ ନେଇ ନିୟମିତ ସାଂସ୍କୃତିକ ଆଦାନପ୍ରଦାନ, ଏବଂ ଯୋଗ ଦିବସ କାର୍ଯ୍ୟକ୍ରମଗୁଡ଼ିକ ଉଭୟ ଦେଶ ମଧ୍ୟରେ ନିୟମିତ ଭାବରେ ଅନୁଷ୍ଠିତ ହୁଏ। ସର୍ବଶେଷରେ, ଜୁଲାଇ ୨୦୨୪ରେ, ଆଇସିସିଆର ପ୍ରାୟୋଜିତ “ନଟରାଜ ସାଂସ୍କୃତିକ ଶିଳ୍ପୀ ସମାଜ” ସାଂସ୍କୃତିକ ଦଳ ଜୋର୍ଡାନର ସ୍ୱାକ୍ଷର ସାଂସ୍କୃତିକ ଉତ୍ସବ ୩୮ତମ ଜେରାଶ୍ ଫେଷ୍ଟିଭାଲ୍ ଅଫ୍ କଲଚର୍ ଏବଂ ଆର୍ଟସ୍‌ରେ ଅହମୀୟା ଲୋକନୃତ୍ୟ ପରିବେଷଣ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଫଳାଫଳ

ଡିସେମ୍ବର ୧୫, ୨୦୨୫ ରେ, ପ୍ରଧାନମନ୍ତ୍ରୀ ଜୋର୍ଡାନର ଆମ୍ମାନରେ ପହଞ୍ଚିଥିଲେ, ଯେଉଁଠାରେ ଜୋର୍ଡାନିଆନ୍ ପ୍ରଧାନମନ୍ତ୍ରୀ ଡଃ ଜାଫର୍ ହାସନ ତାଙ୍କୁ ଏକ ଆନୁଷ୍ଠାନିକ ସ୍ୱାଗତ ସହିତ ଉଷ୍ମ ଅଭ୍ୟର୍ଥନା ଜଣାଇଥିଲେ, ଯାହା ଦୁଇ ଦେଶ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ଆଲୋକିତ କରିଥିଲା। ଏହା ତାଙ୍କର ତିନି ଦେଶ ଗସ୍ତର (ଜୋର୍ଡାନ, ଇଥିଓପିଆ, ଓମାନ) ପ୍ରଥମ ପର୍ଯ୍ୟାୟ ଥିଲା। ଜୋର୍ଡାନକୁ ଏହି ସମ୍ପୂର୍ଣ୍ଣ ଦ୍ୱିପାକ୍ଷିକ ଗସ୍ତ ୩୭ ବର୍ଷର ବ୍ୟବଧାନ ପରେ ହେଉଛି, ଯାହା ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୭୫ତମ ବାର୍ଷିକୀ ସହିତ ମେଳ ଖାଉଛି।

ଜୋର୍ଡାନ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଜୋର୍ଡାନର ମହାମହିମ ରାଜା ଅବଦୁଲ୍ଲା ଦ୍ୱିତୀୟ ଏବଂ ଅନ୍ୟାନ୍ୟ ବରିଷ୍ଠ ପ୍ରତିନିଧିମାନଙ୍କୁ ଭେଟିଥିଲେ। ଉଭୟ ନେତା ବାଣିଜ୍ୟ ଏବଂ ବିନିଯୋଗ; ପ୍ରତିରକ୍ଷା ଏବଂ ସୁରକ୍ଷା; ନବୀକରଣ ଯୋଗ୍ୟ ଶକ୍ତି; ସାର ଏବଂ କୃଷି; ଅଭିନବତା, ଆଇଟି ଏବଂ ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା; ଗୁରୁତ୍ୱପୂର୍ଣ୍ଣ ଖଣିଜ; ଭିତ୍ତିଭୂମି; ସ୍ୱାସ୍ଥ୍ୟ ଏବଂ ଫାର୍ମା; ଶିକ୍ଷା ଏବଂ ଦକ୍ଷତା; ପର୍ଯ୍ୟଟନ ଏବଂ ଐତିହ୍ୟ; ଏବଂ ସଂସ୍କୃତି ଏବଂ ଲୋକ-ଲୋକ ସମ୍ପର୍କ କ୍ଷେତ୍ରରେ ଦ୍ୱିପାକ୍ଷିକ ଜଡ଼ିତତାକୁ ଆହୁରି ଗଭୀର କରିବାର ଉପାୟ ଉପରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ ଯେ ଆଗାମୀ ୫ ବର୍ଷ ମଧ୍ୟରେ ଦୁଇ ଦେଶ ୫ ବିଲିୟନ ଆମେରିକୀୟ ଡଲାର ପର୍ଯ୍ୟନ୍ତ ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିବା ଉଚିତ। ସେ ଜୋର୍ଡାନର ଡିଜିଟାଲ୍ ପେମେଣ୍ଟ୍ ବ୍ୟବସ୍ଥା ଏବଂ ଭାରତର ୟୁନିଫାଏଡ୍ ପେମେଣ୍ଟ୍ ଇଣ୍ଟରଫେସ୍ (ୟୁପିଆଇ) ମଧ୍ୟରେ ସହଯୋଗ ପାଇଁ ମଧ୍ୟ ଆହ୍ୱାନ କରିଥିଲେ।

ଜୋର୍ଡାନ ଭାରତ ପାଇଁ ସାରର ଏକ ଗୁରୁତ୍ୱପୂର୍ଣ୍ଣ ଯୋଗାଣକାରୀ, ଏବଂ ଉଭୟ ପାର୍ଶ୍ୱରେ ଥିବା କମ୍ପାନୀଗୁଡ଼ିକ ଭାରତରେ ଫସଫେଟିକ୍ ସାରର ବଢୁଥିବା ଚାହିଦା ପୂରଣ କରିବା ପାଇଁ ଜୋର୍ଡାନରେ ଅଧିକ ମହତ୍ତ୍ୱପୂର୍ଣ୍ଣ ବିନିଯୋଗ ପାଇଁ ଆଲୋଚନା କରୁଛନ୍ତି।

ଉଭୟ ନେତା ଆତଙ୍କବାଦ ବିରୁଦ୍ଧରେ ପରସ୍ପରର ଲଢେଇ ପାଇଁ ଦୃଢ଼ ପ୍ରଶଂସା ଏବଂ ସମର୍ଥନ ଜଣାଇଥିଲେ ଏବଂ ଏହାର ସମସ୍ତ ରୂପ ଓ ପ୍ରକାଶନରେ ଆତଙ୍କବାଦକୁ ନିନ୍ଦା କରିଥିଲେ। ସେମାନେ ଅଞ୍ଚଳରେ ଏବଂ ଅନ୍ୟାନ୍ୟ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ଘଟିଥିବା ବିକାଶ ଉପରେ ଦୃଷ୍ଟିକୋଣ ବାଣ୍ଟିଥିଲେ ଏବଂ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ପୁନଃସ୍ଥାପନର ଗୁରୁତ୍ୱକୁ ଦୋହରାଇଥିଲେ।

ଭାରତ ଏବଂ ଜୋର୍ଡାନ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର (ଏମଓୟୁ):

୧. ନୂତନ ଏବଂ ନବୀକରଣ ଯୋଗ୍ୟ ଶକ୍ତି କ୍ଷେତ୍ରରେ ବୈଷୟିକ ସହଯୋଗ ଉପରେ ବୁଝାମଣାପତ୍ର। ୨. ଜଳ ସମ୍ପଦ ପରିଚାଳନା ଏବଂ ବିକାଶ କ୍ଷେତ୍ରରେ ସହଯୋଗ ଉପରେ ବୁଝାମଣାପତ୍ର। ୩. ପେଟ୍ରା ଏବଂ ଏଲୋରା ମଧ୍ୟରେ ଯୁଗ୍ମୀକରଣ (ଟ୍ବିନିଙ୍ଗ) ଚୁକ୍ତି। ୪. ୨୦୨୫–୨୦୨୯ ବର୍ଷ ପାଇଁ ସାଂସ୍କୃତିକ ଆଦାନପ୍ରଦାନ କାର୍ଯ୍ୟକ୍ରମର ନବୀକରଣ। ୫. ଡିଜିଟାଲ୍ ରୂପାନ୍ତରଣ ପାଇଁ ଜନସଂଖ୍ୟା ସ୍ତରରେ କାର୍ଯ୍ୟକାରୀ ହୋଇଥିବା ସଫଳ ଡିଜିଟାଲ୍ ସମାଧାନଗୁଡ଼ିକୁ ବାଣ୍ଟିବା କ୍ଷେତ୍ରରେ ସହଯୋଗ ଉପରେ ଉଦ୍ଦେଶ୍ୟ ପତ୍ର (ଲେଟର ଅଫ ଇଣ୍ଟେଣ୍ଟ)।

ଉପସଂହାର

ଭାରତ-ଜୋର୍ଡାନ ସମ୍ପର୍କ ଦର୍ଶାଏ ଯେ କିପରି ସ୍ଥାୟୀ ରାଜନୈତିକ ଜଡ଼ିତତା ଦୃଢ଼ ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ଅର୍ଥନୈତିକ ଏବଂ ଅନ୍ୟାନ୍ୟ ଫଳାଫଳକୁ ମଜବୁତ କରେ। ନିୟମିତ ପରାମର୍ଶ, ନେତୃତ୍ୱ-ସ୍ତରୀୟ ବୈଠକ, ଏବଂ ଆଞ୍ଚଳିକ ସ୍ଥିରତା ତଥା ଆତଙ୍କବାଦ ନିରୋଧ ଉପରେ ସାଧାରଣ ଦୃଷ୍ଟିକୋଣ ଭାଗିଦାରୀରେ ରଣନୈତିକ ଗଭୀରତା ଯୋଡିଛି। ସାମ୍ପ୍ରତିକ ଉଚ୍ଚ-ସ୍ତରୀୟ ଗସ୍ତର ଜଡ଼ିତତା ଏବଂ ଫଳାଫଳ ଏହି ଲାଭଗୁଡ଼ିକୁ ଆହୁରି ଦୃଢ଼ କରିବ। ଯେହେତୁ ଭାରତ ପଶ୍ଚିମ ଏସିଆ ସହିତ ଏହାର ଜଡ଼ିତତାକୁ ଗଭୀର କରୁଛି, ଏକ ବିଶ୍ୱସ୍ତ ଅର୍ଥନୈତିକ ଏବଂ ରାଜନୈତିକ ଭାଗିଦାର ଭାବରେ ଜୋର୍ଡାନର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି, ଯାହା ବିଶ୍ୱାସ, ବାଣିଜ୍ୟ ଏବଂ ରଣନୈତିକ ସମନ୍ୱୟ ଉପରେ ନିର୍ମିତ ଏକ ସନ୍ତୁଳିତ ସମ୍ପର୍କକୁ ପ୍ରତିଫଳିତ କରେ।

 


(रिलीज़ आईडी: 2205653) आगंतुक पटल : 3
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Bengali