ସ୍ଵତନ୍ତ୍ର ସେବା ଓ ଫିଚର
azadi ka amrit mahotsav

ଜିଏସଟି 2.0 ଆରମ୍ଭର ପ୍ରଥମ ଦିନରେ ବଜାର ମାଲାମାଲ୍‌

ପୋଷ୍ଟ କରାଯିବା ଦିନାଙ୍କ: 23 SEP 2025 8:17PM by PIB Bhubaneswar

ନବରାତ୍ରୀ ଏବଂ ଟିକସ ହ୍ରାସ ଯୋଗୁ କିଣାକିଣି ପାଇଁ ଗ୍ରାହକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ

 

22 ସେପ୍ଟେମ୍ବର 2025 ତାରିଖ ଦେଶର ଦୋକାନୀ, ଗାଡ଼ି ବିକ୍ରେତା ଏବଂ ପ୍ରତ୍ୟେକ ଗ୍ରାହକଙ୍କ ସ୍ମୃତିରେ ତାଜା ହୋଇ ରହିବ। କାରଣ ଜିଏସଟି 2.0 ଲାଗୁ ହେବାର ପ୍ରଥମ ଦିନରେ ଗ୍ରାହକଙ୍କ ମଧ୍ୟରେ ବିଭିନ୍ନ ଜିନିଷ କିଣାକିଣି ପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ସାରା ଦେଶରେ ନବରାତ୍ରୀର ପ୍ରଥମ ପୂଜା ଆରମ୍ଭ ହେବା ସହିତ ମୋଦୀ ସରକାର ଜିଏସଟି 2.0 ଲାଗୁ କରିଛନ୍ତି; ଏହା ଦେଶବାସୀଙ୍କ ପାଇଁ ପ୍ରକୃତ ଦୀପାବଳି ଉପହାର ସାବ୍ୟସ୍ତ ହୋଇଛି । ନବରାତ୍ରୀର ପ୍ରଥମ ଦିନରେ ଏହି ସମୟୋଚିତ ଟିକସ ସଂସ୍କାର ସାଧାରଣ ଲୋକଙ୍କୁ ଏକସଙ୍ଗେ ଦରହ୍ରାସ, ସରଳ ଟିକସ ବ୍ୟବସ୍ଥା ଏବଂ ନିତ୍ୟବ୍ୟବହାର୍ଯ୍ୟ ଜରୁରି ସାମଗ୍ରୀ କିଣିବା ଲାଗି ତ୍ୱରିତ ଆଶ୍ୱସ୍ତି ପ୍ରଦାନ କରିଛି । ଏହା ସେମାନଙ୍କ ଖୁସିକୁ ବହୁଗୁଣିତ କରିଛି।

ପ୍ରଧାନମନ୍ତ୍ରୀ ମୋଦୀ ଜିଏସଟି 2.0 କୁ ‘‘ଭାରତର ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ଏକ ସଂସ୍କାର’’ ବୋଲି କହିଥିଲେ। ତାଙ୍କ କଥାରେ ସତ୍ୟତା ରହିଛି । ଏହା କେବଳ ଏକ ଫମ୍ପା ନୀତିଗତ ପରିବର୍ତ୍ତନ ନୁହେଁ ବରଂ ଏକ ଉତ୍ସବମୁଖୀ ଆନନ୍ଦ ପରି ଅନୁଭବ ହୋଇଛି। ବଜାରକୁ ଅବଲୋକନ କଲେ କାର ଶୋ’ରୁମଗୁଡ଼ିକରେ ଗ୍ରାହକଙ୍କର ଧାଡ଼ି ଲମ୍ବିଛି । ଅନଲାଇନ୍ କାର୍ଟଗୁଡ଼ିକର ଅର୍ଡର ଅଭୂତପୂର୍ବ ଭାବେ ବୃଦ୍ଧି ପାଇଛି । ପ୍ରଥମ ଦିନରେ ପାର୍ବଣ କିଣାକିଣି ସବୁ ରେକର୍ଡ ଟପିବାର ସଂକେତ ଦେଇଛି ।

ଐତିହାସିକ ସଂଖ୍ୟା ସହିତ ଅଟୋମୋବାଇଲ କ୍ଷେତ୍ର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ନୂତନ ଜିଏସଟି ଢାଞ୍ଚା ଅଧୀନରେ, 4 ମିଟରରୁ କମ୍ ଛୋଟ କାରଗୁଡ଼ିକୁ 18% ସ୍ଲାବକୁ ସ୍ଥାନାନ୍ତରିତ କରାଯାଇଛି ଏବଂ ଅଟୋମୋବାଇଲ ଉପରେ କ୍ଷତିପୂରଣ ସେସ୍ ସମ୍ପୂର୍ଣ୍ଣ ଭାବରେ ହଟାଇ ଦିଆଯାଇଛି। ଏହି କାରଣରୁ ଜିଏସଟି 2.0ର ପ୍ରଥମ ଦିନରେ ମାରୁତି କାର କିଣିବା ଲାଗି କମ୍ପାନୀ ସହ 80,000ରୁ ଅଧିକ ଲୋକ ଯୋଗାଯୋଗ କରିଛନ୍ତି । ଗୋଟିଏ ଦିନରେ କମ୍ପାନୀର 30,000 କାର୍‌ ବିକ୍ରି ହୋଇଛି ଯାହା କି ଗତ 35 ବର୍ଷ ମଧ୍ୟରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଛୋଟ କାର୍‌ ବୁକିଂ ସାଧାରଣ ପାର୍ବଣ ଋତୁ ଦର ତୁଳନାରେ 50% ବୃଦ୍ଧି ପାଇଛି । ସେହିପରି ଗୋଟିଏ ଦିନରେ ହ୍ୟୁଣ୍ଡାଇର ବିଲିଂ ମଧ୍ୟ 11 ହଜାରକୁ ବୃଦ୍ଧି ପାଇଛି ଯାହାକି ଗତ 5 ବର୍ଷ ମଧ୍ୟରେ ସର୍ବାଧିକ । ନବରାତ୍ରିର ପ୍ରଥମ ଦିନରେ ଟାଟା ମୋଟର୍ସ 10,000 କାର୍ ବିକ୍ରି କରିଥିବା ବେଳେ 25,000 ରୁ ଅଧିକ ଗ୍ରାହକ କାର କିଣିବାକୁ ଯୋଗାଯୋଗ କରିଛନ୍ତି ଯାହାକି ଏକ ରେକର୍ଡ । ପାର୍ବଣ ଋତୁର କମ୍ପାନୀ ପାଇଁ ଏହା ଦୃଢ଼ ଆରମ୍ଭ। ଶୋ’ରୁମ୍ ଆସୁଥିବା ଗ୍ରାହକଙ୍କ ସଂଖ୍ୟା ଏବଂ ବୁକିଂ ମଧ୍ୟ ବଢ଼ିଛି । ଅଗଣିତ ପରିବାର ପାଇଁ ଜିଏସଟି 2.0 ଦୀର୍ଘ ଦିନର ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିଛି। ଗାଡ଼ି କେବଳ ଅଧିକ ସୁଲଭ ହୋଇନାହିଁ ବରଂ ଏକ ପ୍ରକୃତ ଉତ୍ସବ କ୍ରୟର ଆନନ୍ଦ ଦେଇଛି।

ଡିଜିଟାଲ୍ ବଜାରରେ ମଧ୍ୟ ବ୍ୟାପକ ଉତ୍ସାହ ଦେଖିବାକୁ ମିଳିଛି । କ୍ରେତାମାନେ ପୋଷାକ ପରିଧାନ, ଘର ପାଇଁ ଆବଶ୍ୟକ ଜିନିଷପତ୍ର ଏବଂ ଉତ୍ସବ ପାଇଁ ଜିନିଷପତ୍ର କିଣାକିଣି କରିଛନ୍ତି। ଫ୍ଲିପକାର୍ଟ ଏବଂ ଆମାଜନ ସୋମବାର ଦିନ ଲୟାଲ୍ଟି ପ୍ରୋଗ୍ରାମ୍ ବ୍ୟବହାରକାରୀଙ୍କ ପାଇଁ ସେମାନଙ୍କର ପାର୍ବଣ ବିକ୍ରି କାର୍ଯ୍ୟକ୍ରମଗୁଡ଼ିକ ଆରମ୍ଭ କରିଥିଲେ। ଜିଏସଟି ହ୍ରାସ ଦ୍ୱାରା ପ୍ରାରମ୍ଭିକ ଆକର୍ଷଣ ବୃଦ୍ଧି ପାଇଥିବା ବିକ୍ରେତା ଏବଂ ବ୍ରାଣ୍ଡଗୁଡ଼ିକ କହିଛନ୍ତି । ଫେଶନ ବ୍ରାଣ୍ଡ ‘‘ଦି ପାଣ୍ଟ୍ ପ୍ରୋଜେକ୍ଟ’’ର ବିକ୍ରି ଗତ ବର୍ଷ ତୁଳନାରେ 15-20% ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଘରୋଇ ଆବଶ୍ୟକ ଜିନିଷପତ୍ର ବିକ୍ରି ଗତ ସପ୍ତାହ ତୁଳନାରେ 151% ବୃଦ୍ଧି ପାଇଥିବା ଉଭୟ ବଜାରର ବିକ୍ରେତା ସାଡୋ ଏଟେଲ୍ କହିଛି । ସ୍ନିଚ୍ ଭଳି ଫେଶନ ବ୍ରାଣ୍ଡଗୁଡ଼ିକ ସେମାନଙ୍କର ଅନଲାଇନ୍ ଅର୍ଡରରେ 40% ବୃଦ୍ଧି ପାଇଥିବା କହିଛନ୍ତି।

ଜିଏସଟି 2.0 ଅଧୀନରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବିକ୍ରି ଆଉ ଏକ ବଡ଼ ସଫଳତାର କାହାଣୀ ପାଲଟିଛି। ବିଭିନ୍ନ ପରିବାର ଅଧିକ ଚାହିଦା ଥିବା ଉତ୍ପାଦଗୁଡ଼ିକର ମୂଲ୍ୟ ହ୍ରାସର ସୁଯୋଗ ନେଉଛନ୍ତି। ସ୍ପ୍ଲିଟ୍ ଏସିର ମୂଲ୍ୟ 3,000-5,000 ଟଙ୍କା ହ୍ରାସ ପାଇଥିବାବେଳେ, ଉଚ୍ଚମାନର ଟିଭିର ମୂଲ୍ୟ 85,000 ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି। 22 ସେପ୍ଟେମ୍ବରରେ ହାୟର ଭଳି କମ୍ପାନୀର ବିକ୍ରି ଦୁଇ ଗୁଣ ବୃଦ୍ଧି ପାଇଛି । ନୂଆ ଦର ଲାଗୁ ହେବା ପୂର୍ବରୁ ମଧ୍ୟ ବହୁ ଗ୍ରାହକ ଆଗୁଆ ବୁକିଂ କରିଥିବା କମ୍ପାନୀ ସୂଚନା ଦେଇଛି। ସେହିପରି ବ୍ଲୁ ଷ୍ଟାରର ବିକ୍ରି ମଧ୍ୟ ପୂର୍ବ ବର୍ଷ ତୁଳନାରେ 20% ବୃଦ୍ଧି ପାଇଛି । ଟିଭି ବିକ୍ରୟ ମଧ୍ୟ ବୃଦ୍ଧି ପାଇଛି, ବିଶେଷକରି 43-ଇଞ୍ଚ ଏବଂ 55-ଇଞ୍ଚ ସେଗମେଣ୍ଟରେ। ଫ୍ଲିପକାର୍ଟ ମାଧ୍ୟମରେ ମୁଖ୍ୟତଃ ବିକ୍ରୟ କରୁଥିବା ସୁପର ପ୍ଲାଷ୍ଟ୍ରୋନିକ୍ସ ପ୍ରାଇଭେଟ୍ ଲିମିଟେଡ୍ ଭଳି କମ୍ପାନୀଗୁଡ଼ିକର ବିକ୍ରୟରେ 30-35% ବୃଦ୍ଧି ଦେଖିବାକୁ ମିଳିଛି ।

ଜିଏସଟି 2.0 ପ୍ରଥମ ଦିନରୁ ତୁରନ୍ତ ଆଶ୍ୱସ୍ତି ପ୍ରଦାନ କରିଛି ଏବଂ ଗ୍ରାହକଙ୍କ ଖୁସି ବଢ଼ାଇଛି। ଏହା ଘରୋଇ ଖର୍ଚ୍ଚ ହ୍ରାସ କରିବା ସହି ଶିଳ୍ପଗୁଡ଼ିକରେ ଚାହିଦାକୁ ପୁନର୍ଜୀବିତ କରିଛି । ରେକର୍ଡ ପରିମାଣର ବିକ୍ରି ସହିତ ପର୍ବପର୍ବାଣୀର ଖୁସିକୁ ବହୁଗୁଣିତ କରି ଦେଇଛି । କାର ଏବଂ ଇଲେକ୍ଟ୍ରୋନିକ୍ସ ଠାରୁ ଆରମ୍ଭ କରି ତେଜରାତି ଏବଂ ଫେଶନ ପର୍ଯ୍ୟନ୍ତ, ପ୍ରତ୍ୟେକ କ୍ଷେତ୍ର ଏହି ବୃଦ୍ଧି ଅନୁଭୂତ ହୋଇଛି । ଜିଏସଟି 2.0 କେବଳ ଏକ ଟିକସ ସଂସ୍କାର ନୁହେଁ, ଏହା ସଞ୍ଚୟର ଏକ ପର୍ବ ଯାହା ଚାହିଦାକୁ ବୃଦ୍ଧି କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ମାଧ୍ୟମରେ ଦେଶବାସୀଙ୍କୁ ପ୍ରକୃତ ଦୀପାବଳି ଉପହାର ଦେଇଛନ୍ତି ।

******

PS/Swadhin

 


(ରିଲିଜ ଆଡି: 2170320) ପରିଦର୍ଶକ କାଉଣ୍ଟର : 7