ରେଳ ମନ୍ତ୍ରଣାଳୟ
azadi ka amrit mahotsav

ସ୍ୱାଧୀନତା ସଂଗ୍ରାମର ସ୍ମୃତିଚାରଣ କରିବ ସ୍ୱର୍ଣ୍ଣିମ ଭାରତ ରେଳ ଯାତ୍ରା


ଅଗଷ୍ଟ ୧୪ ତାରିଖ ଠାରୁ ଆରମ୍ଭ ହେବ ଭାରତ ଗୌରବ ପର୍ଯ୍ୟଟନ ଟ୍ରେନ୍‌

ସ୍ୱାଧୀନତା ଆନ୍ଦୋଳନ ସହ ଜଡ଼ିତ ପ୍ରମୁଖ ଗନ୍ତବ୍ୟସ୍ଥଳୀରେ ପହଞ୍ଚିବ

ପୋଷ୍ଟ କରାଯିବା ଦିନାଙ୍କ: 10 JUL 2025 10:24PM by PIB Bhubaneswar

 

ଭାରତୀୟ ସ୍ୱାଧୀନତା ସଂଗ୍ରାମର ସ୍ମୃତିଚାରଣ କରିବା ଲାଗି ଭାରତ ଗୌରବ ଯୋଜନା ଅଧୀନରେ ‘‘ସ୍ୱର୍ଣ୍ଣିମ ଭାରତ ଯାତ୍ରା’’ ପର୍ଯ୍ୟଟନ ଟ୍ରେନ୍‌ ଚଳାଚଳ ଆରମ୍ଭ ହେବ । ଆସନ୍ତା ଅଗଷ୍ଟ ୧୪ ତାରିଖ ଠାରୁ ଏହି ଟ୍ରେନ ନୂଆଦିଲ୍ଲୀର ସଫଦରଜଙ୍ଗ ରେଳ ଷ୍ଟେସନରୁ ଛାଡ଼ିବ। ୯ରାତି ଓ ୧୦ ଦିନର ଏହି ଟ୍ରେନ୍‌ ଭାରତର ସ୍ୱାଧୀନତା ଆନ୍ଦୋଳନ ଏବଂ ଐତିହ୍ୟ ସହ ଜଡ଼ିତ ପ୍ରମୁଖ ଐତିହାସିକ ଏବଂ ସାଂସ୍କୃତିକ ଗନ୍ତବ୍ୟସ୍ଥଳୀରେ ପହଞ୍ଚିବ।

‘ସ୍ୱର୍ଣ୍ଣିମ ଭାରତ ଯାତ୍ରା’ର ପ୍ରଥମ ଗନ୍ତବ୍ୟସ୍ଥଳ ହେବ ଅହମ୍ମଦାବାଦ। ଏହା ମହାତ୍ମା ଗାନ୍ଧୀଙ୍କ ସ୍ୱାଧୀନତା ଆନ୍ଦୋଳନର ଏକ ପ୍ରମୁଖ କେନ୍ଦ୍ର ସାବରମତୀ ଆଶ୍ରମ ଏବଂ ଏଠାରେ ପଞ୍ଚଦଶ ଶତାବ୍ଦୀର ଜଟିଳ ଆଦାଲଜ ବାମ୍ଫୀ ଅବସ୍ଥିତ। ଏହି ଯାତ୍ରା ପ୍ରାଚୀନ ସୂର୍ଯ୍ୟ ମନ୍ଦିର ପାଇଁ ପ୍ରସିଦ୍ଧ ମୋଢେରା ଏବଂ ୟୁନେସ୍କୋ-ତାଲିକାରେ ସ୍ଥାନିତ ରାନୀ କି ଭାଓ ଥିବା ସ୍ଥାନ ପାଟନକୁ ଦିନିକିଆ ଯାତ୍ରା ସହିତ ଆଗକୁ ବଢ଼ିବ। କେୱଡିଆରେ ଯାତ୍ରୀମାନେ ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି ଏବଂ ସର୍ଦ୍ଦାର ସରୋବର ଡ୍ୟାମ୍ ଦେଖିବେ।

ଏହାପରେ ଯାତ୍ରା ପୁଣେ ପହଞ୍ଚିବ। ସେଠାରେ ଭାରତ ଛାଡ଼ ଆନ୍ଦୋଳନର ଏକ ଐତିହାସିକ ସ୍ଥଳ ଆଗା ଖାଁ ମହଲ ଏବଂ ଭୀମାଶଙ୍କର ଜ୍ୟୋର୍ତିଲିଙ୍ଗ ଭଳି ପବିତ୍ର ସ୍ଥଳ ବୁଲି ଦେଖିବାର ସୁଯୋଗ ମିଳିବ। ଛତ୍ରପତି ସମ୍ଭାଜି ନଗର/ଔରଙ୍ଗାବାଦରେ ପର୍ଯ୍ୟଟକମାନେ ଘୃଷ୍ଣେଶ୍ୱର ଜ୍ୟୋତିର୍ଲିଙ୍ଗ ସହିତ ଅଜନ୍ତା ଏବଂ ଏଲୋରାର ଗୁମ୍ଫା ଭଳି ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳୀ ଭ୍ରମଣ କରିବେ। ଶେଷରେ, ଦିଲ୍ଲୀ ଫେରିବା ପୂର୍ବରୁ ଝାନ୍ସୀ ଦୁର୍ଗ ଏବଂ ଓରଛାର ଐତିହାସିକ ମନ୍ଦିର ଏବଂ ପ୍ରାସାଦ ପରିଦର୍ଶନ ସହିତ ଯାତ୍ରା ଶେଷ ହେବ।

ଏହି ଡିଲକ୍ସ ଏସି ଟୁରିଷ୍ଟ ଟ୍ରେନରେ ୧୫୦ ଜଣ ପର୍ଯ୍ୟଟକଙ୍କ ପାଇଁ ପ୍ରଥମ ଶ୍ରେଣୀ ଏସି, ଦ୍ୱିତୀୟ ଶ୍ରେଣୀ ଏସି ଏବଂ ତୃତୀୟ ଶ୍ରେଣୀ ଏସି ସୁବିଧା ରହିଛି । ଏଥିସହିତ ଡାଇନିଂ କାର, ସାୱାର କ୍ୟୁବିକଲ୍, ସେନ୍ସର-ଆଧାରିତ ୱାଶରୁମ୍, ପାଦ ମସାଜର୍ ଏବଂ ସିସିଟିଭି-ସକ୍ଷମ ସୁରକ୍ଷା ଭଳି ଆଧୁନିକ ସୁବିଧା ଉପଲବ୍ଧ। ଦିଲ୍ଲୀ ସଫଦରଜଙ୍ଗ, ଗୁଡ଼ଗାଓଁ, ରେୱାଡି, ରିଙ୍ଗାସ୍, ଫୁଲେରା ଏବଂ ଆଜମେରରୁ ଟ୍ରେନ୍‌ ବୋର୍ଡିଂ ସୁବିଧା ଉପଲବ୍ଧ।

ଆଇଆରସିଟିସି ଯାତ୍ରା ମୂଲ୍ୟ ୭୧,୫୮୫ ଟଙ୍କା (ତୃତୀୟ ଶ୍ରେଣୀ ଏସି), ୮୧,୬୭୫ ଟଙ୍କା (ଦ୍ୱିତୀୟ ଶ୍ରେଣୀ ଏସି), ୯୪,୮୪୫ ଟଙ୍କା (ପ୍ରଥମ ଶ୍ରେଣୀ ଏସି କ୍ୟାବିନ୍), ଏବଂ ୧,୦୧,୪୩୦ ଟଙ୍କା (ପ୍ରଥମ ଶ୍ରେଣୀ ଏସି କୁପ୍) ଧାର୍ଯ୍ୟ କରିଛି। ଏହି ପ୍ୟାକେଜରେ ଟ୍ରେନ ଯାତ୍ରା, ୩ ତାରକା ହୋଟେଲ ରହଣି, ନିରାମିଷ ଭୋଜନ, ସ୍ଥାନାନ୍ତର, ଏସି ଯାନରେ ଦର୍ଶନୀୟ ସ୍ଥାନ, ବୀମା ଏବଂ ଆଇଆରସିଟିସି ଟୁର୍ ପରିଚାଳକ ସେବା ଅନ୍ତର୍ଭୁକ୍ତ।

ଅଧିକ ବିବରଣୀ ପାଇଁ, ଆଇଆରସିଟିସି ୱେବସାଇଟ୍ ପରିଦର୍ଶନ କରିପାରିବେ: https://www.irctctourism.com/bharatgaurav.

*****

PS/Swadhin


(ରିଲିଜ ଆଡି: 2143899) ପରିଦର୍ଶକ କାଉଣ୍ଟର : 12