ରାଷ୍ଟ୍ରପତିଙ୍କ ସଚିବାଳୟ
azadi ka amrit mahotsav g20-india-2023

ଓଡ଼ିଶାରେ ରାଷ୍ଟ୍ରପତି; ରାଇରଙ୍ଗପୁରରେ ଅବକାଶ ନିବାସ ଓ କ୍ରୀଡ଼ା ପରିସରର ଶିଳାନ୍ୟାସ କଲେ


ଆଭାସୀ ମାଧ୍ୟମରେ ବିଭିନ୍ନ ସଡ଼କ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ବଡ଼ସାହିସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଉଦଘାଟନ କଲେ

Posted On: 28 FEB 2024 8:07PM by PIB Bhubaneshwar

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (୨୮ ଫେବ୍ରୁଆରୀ ୨୦୨୪) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ କେନ୍ଦ୍ର ସରକାରଙ୍କ ଅବକାଶ ନିବାସ ଏବଂ କ୍ରୀଡ଼ା କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସେ ଆଭାସୀ ମାଧ୍ୟମରେ ବିଭିନ୍ନ ସଡ଼କ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ବଡ଼ସାହିସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଉଦଘାଟନ କରିଛନ୍ତି ।

ସଭାକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି ଯେ ଭାରତ ସରକାର ଆଦିବାସୀ ଅଞ୍ଚଳର ବିକାଶ ଏବଂ ଆଦିବାସୀ ଭାଇଭଉଣୀଙ୍କ ପ୍ରଗତିକୁ ପ୍ରାଥମିକତା ଦେଉଛନ୍ତି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିଜୁଳି ଓ ରାସ୍ତା ସମ୍ପ୍ରସାରଣ ଉପରେ ଗୁରୁତ୍ୱ ଦେବା ସହ ଆଦିବାସୀ ପରିବାରକୁ ନଳ ଯୋଗେ ପାଣି ଯୋଗାଇବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ସେ କହିଛନ୍ତି ଯେ, ସିକଲ୍ ସେଲ୍ ରକ୍ତହୀନତା ଦୂର କରିବା ପାଇଁ ଏକ ଜାତୀୟ ମିଶନ ଆରମ୍ଭ କରାଯାଇଛି, ଯେଉଁଥିରେ ଅନେକ ପିଢ଼ି ଧରି ଯେଉଁ ଆଦିବାସୀ ସମ୍ପ୍ରଦାୟ କ୍ଷତିଗ୍ରସ୍ତ ହେଉଥିଲେ ସେମାନେ ଉପକୃତ ହେବେ । ଲୋକଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ ହୋଇ ହିତାଧିକାରୀ ହେବାକୁ ସେ ଅନୁରୋଧ କରିଛନ୍ତି। ସେମାନଙ୍କ ଉଦ୍ୟମ ବିନା ବିକାଶ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।

ସମାଜର ବିକାଶ ପାଇଁ ଶିକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ରାଷ୍ଟ୍ରପତି କହିଥିଲେ। ସେଥିପାଇଁ ସରକାର ଆଦିବାସୀ ଛାତ୍ରଛାତ୍ରୀଙ୍କ ଲାଗି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଖୋଲିଛନ୍ତି। ଯଦିଓ ସରକାର ସ୍କୁଲ ପ୍ରତିଷ୍ଠା କରୁଛନ୍ତି ତଥାପି ପିଲାଙ୍କୁ ସ୍କୁଲ ପଠାଇବା ଅଭିଭାବକଙ୍କ ଦାୟିତ୍ୱ ବୋଲି ସେ କହିଛନ୍ତି।

ଏକ ସଶକ୍ତ ସମାଜ ପାଇଁ ମହିଳା ସଶକ୍ତିକରଣ ଜରୁରୀ ବୋଲି ରାଷ୍ଟ୍ରପତି କହିଥିଲେ। ସେ ଆହୁରି କହିଥିଲେ, ମହିଳାମାନଙ୍କୁ ଆର୍ଥିକ ଭାବେ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ସମସ୍ତଙ୍କ ସହଯୋଗ ଓ ଭାଗିଦାରୀରେ ହିଁ ସରକାରୀ ଯୋଜନାର ଶତ ପ୍ରତିଶତ ଲାଭ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ ।

ଆଜି ଆରମ୍ଭ ହୋଇଥିବା ସଡ଼କ ପ୍ରକଳ୍ପଗୁଡ଼ିକ ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରିବ ବୋଲି ରାଷ୍ଟ୍ରପତି ବିଶ୍ୱାସ ବ୍ୟକ୍ତ କରିଥିଲେ। କ୍ରୀଡ଼ା ପରିସର ନିର୍ମାଣ ହେଲେ ଯୁବପିଢ଼ିଙ୍କୁ ଉନ୍ନତ କ୍ରୀଡ଼ା ସୁଯୋଗ ମିଳିବ। ଅବକାଶ ନିବାସ ନିର୍ମାଣ ପରେ ରାଇରଙ୍ଗପୁର ଆସିବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରାଯିବ ବୋଲି ସେ କହିଛନ୍ତି। ଏହା ଦ୍ୱାରା ସ୍ଥାନୀୟ ଲୋକଙ୍କୁ ରୋଜଗାର ମଧ୍ୟ ମିଳିବ ।

 

*********

P.S/Swadhin

 



(Release ID: 2010112) Visitor Counter : 41


Read this release in: English , Urdu , Hindi