ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
azadi ka amrit mahotsav

ବାଣପୁରଠାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଅଂଶଗ୍ରହଣ କଲେ ମେଘାଳୟ ଗଣମାଧ୍ୟମ ପ୍ରତିନିଧି ଦଳ

प्रविष्टि तिथि: 18 JAN 2024 6:29PM by PIB Bhubaneswar

ଏକ ନୂତନ ଓ ବିକଶିତ ରାଷ୍ଟ୍ର ଗଠନ ଲକ୍ଷ୍ୟ ନେଇ ବିକଶିତ ଭାରତ ସଂକଳ୍ପ ଯାତ୍ରା ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି । ଆଜି ମେଘାଳୟର ୧୦ ଜଣିଆ ଗଣମାଧ୍ୟମ ପ୍ରତିନିଧି ଦଳ ଖୋର୍ଦ୍ଧା ଜିଲ୍ଲା ବାଣପୁରଠାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସାମ୍ବାଦିକମାନେ କେନ୍ଦ୍ରୀୟ କଲ୍ୟାଣକାରୀ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିବା ସହ ସଭାକୁ ସମ୍ବୋଧିତ କରିଥିଲେ। ସେମାନେ ଗ୍ରାମୀଣ ହିତାଧିକାରୀଙ୍କ ସହ ସେମାନଙ୍କର ଅଭିଜ୍ଞତା ବାଣ୍ଟିବା ସହିତ ସରକାରୀ ଯୋଜନା ଏବଂ କାର୍ଯ୍ୟକ୍ରମ ବିଷୟରେ ବାର୍ତ୍ତା ଅନ୍ୟମାନଙ୍କ ନିକଟରେ ପହଞ୍ଚାଇବାକୁ ଅନୁରୋଧ କରିଥିଲେ, ଯାହାଦ୍ୱାରା ଅଧିକରୁ ଅଧିକ ଲୋକ ଏହାର ଲାଭ ପାଇପାରିବେ । ଏହି ଅବସରରେ ବିଭିନ୍ନ ଯୋଜନାର ହିତାଧିକାରୀମାନେ ସେମାନଙ୍କ ଜୀବନ ପରିବର୍ତ୍ତନକାରୀ ଅନୁଭୂତି ବର୍ଣ୍ଣନା କରିଥିଲେ।

ମେଘାଳୟର ଏହି ଗଣମାଧ୍ୟମ ପ୍ରତିନିଧିମାନେ ଏବେ ୪ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି । ଆଜି ସେମାନେ ଶତାଧିକ ଗ୍ରାମବାସୀଙ୍କ ସହ ମିଶି ‘ବିକଶିତ ଭାରତ ସଂକଳ୍ପ’ ଶପଥ ଗ୍ରହଣ କରିବା ସହିତ କେନ୍ଦ୍ର ସରକାରଙ୍କ ଯୋଜନା ଓ ଉପଲବ୍ଧି ସମ୍ପର୍କିତ ସୂଚନା, ଶିକ୍ଷା, ଯୋଗାଯୋଗ (ଆଇଇସି) ବିଷୟବସ୍ତୁ ଦେଖିଥିଲେ।

ଏହାପରେ ପ୍ରତିନିଧିମାନେ ଏସିଆର ସର୍ବବୃହତ ଲୁଣା ହ୍ରଦ ଚିଲିକା  ପରିଦର୍ଶନ କରି ଏହାର ଅନନ୍ୟ ପରିବେଶ ଓ ସମୃଦ୍ଧ ଜୈବ ବିବିଧତା ବିଷୟରେ ଜାଣିବାକୁ ପାଇଥିଲେ। ଓଡ଼ିଶାର ଗୌରବମୟ ଅତୀତ ଓ ସାଂସ୍କୃତିକ ଐତିହ୍ୟକୁ ଦେଖିବା ପାଇଁ ପ୍ରତିନିଧିମାନେ ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା ପରିଦର୍ଶନ କରିଥିଲେ, ଯାହାର ଇତିହାସ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀର। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ରକ୍ଷଣାବେକ୍ଷଣ କରାଯାଉଥିବା ଏହି ଦୁଇଟି ପାହାଡ଼ ଜୈନ ପ୍ରସ୍ତର ସ୍ଥାପତ୍ୟର ପ୍ରାରମ୍ଭିକ କିର୍ତ୍ତିରାଜି ମଧ୍ୟରୁ ଅନ୍ୟତମ । ଏଠାରେ ଥିବା ପ୍ରାଚୀନ ପଥର  ଗୁମ୍ଫା ମୁଖ୍ୟତଃ ପ୍ରାଚୀନ କାଳରେ ଜୈନ ସନ୍ନ୍ୟାସୀଙ୍କ ଆଶ୍ରୟ ସ୍ଥଳୀ ଭାବେ ବ୍ୟବହୃତ ହେଉଥିଲା।

କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନା, ପ୍ରକଳ୍ପ ଓ ପଦକ୍ଷେପ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତତ୍ତ୍ୱାବଧାନରେ ପତ୍ର ସୂଚନା କାର୍ଯ୍ୟାଳୟ, ଶିଲଂ ଓ ପତ୍ର ସୂଚନା କାର୍ଯ୍ୟାଳୟ, ଭୁବନେଶ୍ୱର ସହଯୋଗରେ ଏହି ଗଣମାଧ୍ୟମ ପ୍ରତିନିଧିଙ୍କ ଗସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

 

******

P.S/Swadhin/PIB Bhubaneswar


(रिलीज़ आईडी: 1997643) आगंतुक पटल : 115
इस विज्ञप्ति को इन भाषाओं में पढ़ें: English