ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
କଟକ ସହରରେ ବିକଶିତ ଭାରତ ସଂକଳ୍ପ ଯାତ୍ରା
ଅନୁଭୂତି ବାଣ୍ଟିଲେ ସରକାରୀ ଯୋଜନାର ହିତାଧିକାରୀ
Posted On:
15 DEC 2023 6:04PM by PIB Bhubaneshwar
କଟକ ମହାନଗର ନିଗମ ଅଞ୍ଚଳରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାରି ରହିଛି। ଆଜି ଖାନନଗର ଅଞ୍ଚଳରେ ସଂକଳ୍ପ ଯାତ୍ରାର ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇଇସି) ବାହନ ପହଞ୍ଚିଛି । ଯାତ୍ରା ରହଣୀ ସ୍ଥଳରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନା ସମ୍ପର୍କରେ ହିତାଧିକାରୀଙ୍କୁ ସଚେତନ କରାଯାଇଛି। ଯାତ୍ରା ବାହନରେ ଲାଗିଥିବା ଏଲଇଡି ସ୍କ୍ରିନ୍ ଜରିଆରେ ଭିଡିଓ ବାର୍ତ୍ତା ପ୍ରସାରଣ କରାଯାଇ ସରକାରୀ ଯୋଜନା ସମ୍ପର୍କରେ ସୂଚନା ଦିଆଯାଇଥିଲା। ଯାତ୍ର ରହଣୀ ସ୍ଥଳରେ ପ୍ରଧାନମନ୍ତ୍ରୀ ଉଠାଦୋକାନୀ ଆତ୍ମନିର୍ଭର ନିଧି (ପିଏମ୍ ସ୍ୱନିଧି), ପିଏମ ଉଜ୍ଜ୍ୱଳା ଯୋଜନା, ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା ଆଦିର ଷ୍ଟଲ୍ ଖୋଲାଯାଇ ହିତାଧିକାରୀଙ୍କ ପଞ୍ଜୀକରଣ କରାଯାଇଥିଲା। ହିତାଧିକାରୀଙ୍କ ସଚେତନତା ପାଇଁ କ୍ୟାଲେଣ୍ଡର ଓ ପ୍ରଚାର ପୁସ୍ତିକା ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସରକାରୀ ଯୋଜନାର ହିତାଧିକାରୀମାନେ ସେମାନଙ୍କର ଅନୁଭୂତି ପ୍ରକାଶ କରିଥିଲେ। ବିଶେଷ କରି ଉଜ୍ଜ୍ୱଳା ଯୋଜନାରେ ମାଗଣା ଗ୍ୟାସ ସଂଯୋଗ ଓ ରିହାତି ମୂଲ୍ୟରେ ସିଲିଣ୍ଡର ପାଇଥିବା ମହିଳା ହିତାଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାରଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ। ପୂର୍ବରୁ କାଠ ଚୁଲିରେ ରୋଷେଇ କରୁଥିବା କାରଣରୁ ସେମାନେ ଧୂଆଁରେ ଅଣନିଃଶ୍ୱାସୀ ହୋଇପଡ଼ୁଥିଲେ। ଏବେ ସେମାନେ ପ୍ରଦୂଷଣମୁକ୍ତ ପରିବେଶରେ ରୋଷେଇ କରୁଥିବାରୁ ନିଜ ସ୍ୱାସ୍ଥ୍ୟ ରକ୍ଷା କରିପାରୁଛନ୍ତି। ସେହିପରି ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ପାଇଖାନା ନିର୍ମାଣ ପାଇଁ ସହାୟତା ପାଇଥିବା ହିତାଧିକାରୀ ମଧ୍ୟ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ପ୍ରକାଶ କରିଥିଲେ । ଯାତ୍ରା ରହଣୀ ସ୍ଥଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ସ୍ୱାସ୍ଥ୍ୟ ଶିବିରରେ ରୋଗୀଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରାଯିବା ସହିତ ବିଭିନ୍ନ ରୋଗ ପାଇଁ ଅଧିକ ଚିକିତ୍ସା ନିମନ୍ତେ ସୁପାରିସ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍ଥାନୀୟ ଜନପ୍ରତିନିଧି, ଆଶା, ଅଙ୍ଗନୱାଡ଼ି କର୍ମୀ, ବିକଶିତ ଭାରତ ସଂକଳ୍ପ ଯାତ୍ରାର ନୋଡାଲ୍ ଅଧିକାରୀମାନେ ଉପସ୍ଥିତ ଥିଲେ। ସମସ୍ତେ ମିଶି ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲାଗି ଶପଥ ପାଠ କରିଥିଲେ।
*********
P.S/Swadhin
(Release ID: 1986791)
Visitor Counter : 72