ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
azadi ka amrit mahotsav

ବିକଶିତ ଭାରତ ସଂକଳ୍ପ ଯାତ୍ରାର ତୃତୀୟ ଦିନରେ ଦେଖିବାକୁ ମିଳିଲା ବ୍ୟାପକ ଜନଭାଗିଦାରୀ

Posted On: 17 NOV 2023 8:36PM by PIB Bhubaneshwar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରାର ତୃତୀୟ ଦିନରେ ଆଜି ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ବିଶେଷ କରି ଆଦିବାସୀ ବହୁଳ ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ସଚେତନ କରାଯିବା ସହିତ ସେମାନଙ୍କୁ ଯୋଜନାରେ ପଞ୍ଜୀକରଣ ଓ ସହାୟତା ବିତରଣ କରାଯାଇଛି ।

ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂ ଆଜି ବିକଶିତ ଭାରତ ସଂକଳ୍ପ ଯାତ୍ରାର ସୂଚନା, ଶିକ୍ଷା ଓ ଯୋଗାଯୋଗ ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଜିଲ୍ଲାର ପୋଡ଼ାଘାଟ ଗ୍ରାମପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ଥାନୀୟ ଲୋକମାନେ ସକ୍ରିୟତାର ସହିତ ଅଂଶଗ୍ରହଣ କରିବା ସହିତ ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେଇଥିଲେ। ସଂକଳ୍ପ ଯାତ୍ରାର ସଚେତନତା ରଥ ପଞ୍ଚାୟତର ବିଭିନ୍ନ ସ୍ଥାନ ପରିକ୍ରମା କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲା। ଅନୁରୂପ ଭାବେ ଜିଲ୍ଲାର ଖଇରପୁଟ ବ୍ଲକ୍‌ରେ ମଧ୍ୟ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜନ ସହ ହିତାଧିକାରୀମାନଙ୍କୁ ସଚେତନ କରାଯାଇଛି।

ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ବହୁଳ ରାଇରଙ୍ଗପୁର ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ଆଜି ବିକଶିତ ଭାରତ ସଂକଳ୍ପ ଯାତ୍ରାର ସଚେତନତା ରଥ ପରିକ୍ରମା କରିଛି । ହିତାଧିକାରୀମାନେ ସଚେତନତା ରଥ ନିକଟକୁ ଆସି ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ହାସଲ କରିଥିଲେ । ଏହି ଅବସରରେ ହିତାଧିକାରୀଙ୍କ ପଞ୍ଜୀକରଣ ମଧ୍ୟ କରାଯାଇଥିଲା।

କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକ୍‌ର ବିଭିନ୍ନ ଗ୍ରାମରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁ ସଂଖ୍ୟାରେ ହିତାଧିକାରୀ ଯୋଗ ଦେଇ ସେମାନଙ୍କ ଜୀବନରେ କେନ୍ଦ୍ର ସରକାରଙ୍କ ଯୋଜନାସବୁ କିଭଳି ପରିବର୍ତ୍ତନ ଆଣିପାରିଛି ସେ ସମ୍ପର୍କରେ ନିଜର ଅନୁଭୂତି ବଖାଣିଥିଲେ । ଏଥିସହିତ ବିକଶିତ ଭାରତ ପାଇଁ ସଂକଳ୍ପ ଶପଥ ପାଠ କରିଥିଲେ।

ସୂଚନାଯୋଗ୍ୟ ଯେ ଆଜି ତୃତୀୟ ଦିନରେ ଦେଶବ୍ୟାପୀ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ବିପୁଳ ଜନସମର୍ଥନ ମିଳିଛି । ଆସନ୍ତା ୨୫ ଜାନୁଆରୀ ୨୦୨୪ ପର୍ଯ୍ୟନ୍ତ ଚାଲିବାକୁ ଥିବା ସଂକଳ୍ପ ଯାତ୍ରା ଦେଶର ଆଦିବାସୀ ବହୁଳ ଜିଲ୍ଲା ସମେତ ସବୁ ଜିଲ୍ଲାରେ ଆୟୋଜନ କରାଯାଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଶତପ୍ରତିଶତ ଲାଭ ହିତାଧିକାରୀଙ୍କୁ ଦେବା ପାଇଁ ପ୍ରୟାସ କରାଯିବ।

*******

P.S.


(Release ID: 1977744) Visitor Counter : 93