ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
azadi ka amrit mahotsav g20-india-2023

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱରରେ ରାଷ୍ଟ୍ରୀୟ ଶିକ୍ଷା ନୀତି (NEP)-2020 ଏବଂ ସମନ୍ୱିତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ (ITEP) ସମ୍ୱନ୍ଧୀୟ ସୂଚନା ପ୍ରଦାନ ଅଧିବେଶନ ଅନୁଷ୍ଠିତ

Posted On: 27 AUG 2023 4:05PM by PIB Bhubaneshwar

ରାଷ୍ଟ୍ରୀୟ ଶିକ୍ଷକ ଶିକ୍ଷା ପରିଷଦ (NCTE), ନୂଆଦିଲ୍ଳୀ ଓ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୂବନେଶ୍ୱର ସହଭାଗୀତାରେ ପ୍ରତିଷ୍ଠାନରେ ଆଜି ଏକଦିବସୀୟ ରାଷ୍ଟ୍ରୀୟ ଶିକ୍ଷା ନୀତି (NEP)-2020 ଏବଂ ସମନ୍ୱିତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ (ITEP) ସମ୍ୱନ୍ଧୀୟ ସୂଚନା ପ୍ରଦାନ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏସିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲ୍‌ଥର (AIPH), ଭୂବନେଶ୍ବରର କୁଳପତି ପଦ୍ମଶ୍ରୀ ପ୍ରଫେସର ଏ.ପି. ଦାଶ, ରାଷ୍ଟ୍ରୀୟ ଶିକ୍ଷକ ଶିକ୍ଷା ପରିଷଦ (NCTE)ର ସଦସ୍ୟ ସଚିବ, ସୁଶ୍ରୀ କେସଙ୍ଗ ୱାଇ ଶେପ୍ରାଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି | ଅନ୍ୟମାନଙ୍କ ମଧ୍ୟରେ ଦକ୍ଷିଣ ବିହାରର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଏଚ.ସି.ଏସ୍. ରାଠୋର୍, ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପି.ସି. ଅଗ୍ରୱାଲ, ପ୍ରଫେସର ଆର୍.ସି. ପଟେଲ୍, ପ୍ରଫେସର ଆଇ.ପି. ଗୌରମ୍ମା ପ୍ରମୂଖ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।

କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ମୁଖ୍ୟ ଅତିଥି ପ୍ରଫେସର ଏ.ପି. ଦାଶ, ITEPର ପ୍ରଭାବଶାଳୀ କାର୍ଯ୍ୟକାରିତାର ଆବଶ୍ୟକତାକୁ ଗୂରୁତ୍ୱ ଦେଇଥିଲେ ଯାହାଦ୍ୱାରା ରାଷ୍ଟ୍ରୀୟ ଶିକ୍ଷାନୀତି (NEP)-2020ର ପରିବର୍ତ୍ତନଶୀଳ ଦୃଷ୍ଟିକୋଣ ସମ୍ପନ୍ନ ହୋଇପାରିବ। ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ଅଗ୍ରୱାଲ, ଅତିଥି ଓ ଅଂଶଗ୍ରହଣକାରୀ ମାନଙ୍କୁ ସ୍ୱାଗତ କରିଥିଲେ। ତାଙ୍କ ସ୍ୱାଗତ ଅଭିଭାଷଣରେ ସେ ସମନ୍ୱିତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ (ITEP) ମାଧ୍ୟମରେ ଶିକ୍ଷକ ଶିକ୍ଷାକୁ ରୂପାନ୍ତର କରିବା ପାଇଁ ରାଷ୍ଟ୍ରୀୟ ଶିକ୍ଷାନୀତି (NEP)-2020ର ଦୃଷ୍ଟିକୋଣ ଉପରେ ଆଲୋକପାତ କରିଥିଲେ | ସିଦ୍ଧାନ୍ତ, ଅଭ୍ୟାସ ଏବଂ ବିଷୟ ଦକ୍ଷତାକୁ ନିରବଚ୍ଛୀନ୍ନ ଭାବରେ ଏକତ୍ର କରି ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ (ITEP) ଦକ୍ଷ ଏବଂ ପ୍ରଭାବଶାଳୀ ଶିକ୍ଷକଙ୍କ ବିକାଶରେ ସହାୟକ ହେବବୋଲି ସେ କହିଥିଲେ |

ରାଷ୍ଟ୍ରୀୟ ଶିକ୍ଷକ ଶିକ୍ଷା ପରିଷଦ (NCTE)ର ସଦସ୍ୟ ସଚିବ, ସୁଶ୍ରୀ ସେସଙ୍ଗ ୱାଇ ଶେର୍ପା କହିଲେ ପ୍ରଥମ ପର୍ଯ୍ୟାୟରେ ଦେଶର 42ଟି ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନରେ ଏହି କାର୍ଯ୍ଯକ୍ରମ ପରୀକ୍ଷାମୂଳକ ଭାବରେ ଆରମ୍ଭ କରାଯାଇଛି। ରାଷ୍ଟ୍ରୀୟ ଶିକ୍ଷା ନୀତି-2020 ଅନୂଯାୟୀ ଶିକ୍ଷକ ଶିକ୍ଷାରେ କଳା ଓ ଖେଳକୁଦକୁ ଅନ୍ତର୍ଭୁକ୍ତ କରାଯାଇଛି। 2030 ସୁଦ୍ଧା ଦେଶର ସମସ୍ତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ ପାଇଁ ସର୍ବନିମ୍ନ ଡିଗ୍ରୀ ଭାବରେ ସମନ୍ୱିତ ଶିକ୍ଷକ ଶିକ୍ଷାର ଲକ୍ଷ୍ୟକୁ ସଫଳ ରୂପାୟନ କରିବାପାଇଁ ସମସ୍ତଙ୍କର ସହଯୋଗୀତା ଉପରେ ସେ ଗୁରୂତ୍ୱ ଦେଇଥିଲେ |

ପରବର୍ତ୍ତୀ ଅଧୀବେଶନରେ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନର ଅଂଶଗ୍ରହଣକାରୀ ମାନଙ୍କର ପ୍ରଶ୍ନୋତ୍ତର ପାଇଁ ଖୋଲା ଅଧିବେଶନରେ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ (ITEP)ର କୋର କମିଟିର ସଦସ୍ୟ ପ୍ରଫେସର ଏଚ୍.ସି.ଏସ୍. ରାଠୋର, ପ୍ରଫେସର ପି.ସି. ଅଗ୍ରୱାଲ ଏବଂ ପ୍ରଫେସର ଆର୍.ସି. ପଟେଲ ପ୍ରମୂଖ ଏହି କାର୍ଯ୍ୟକ୍ରମର ରୂପାୟନରେ ଥିବା ସମସ୍ୟା, ସୂଯୋଗ ବିଷୟରେ ବିଷଦ ଭାବରେ ଆଲୋଚନା କରିଥିଲେ |  

ଏହି କାର୍ଯ୍ୟକ୍ରମରେ ITEP କାର୍ଯ୍ୟକାରୀ ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ, ରାଷ୍ଟ୍ରୀୟ ଶିକ୍ଷକ ଶିକ୍ଷା ପରିଷଦ (NCTE)ର ଅଧିକାରୀ, ଓଡ଼ିଶାର ବିଭିନ୍ନ ଜିଲ୍ଲା ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ (DIET) ତଥା ଓଡିଶାର ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ (TEI)ର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱରର ଅଧ୍ୟାପକ ଓ ଅଧ୍ୟାପିକା ମାନେ ଅଂଶଗ୍ରହଣ କରିଥିଲେ। ପରିଶେଷରେ କାର୍ଯ୍ୟକ୍ରମର ସଂଯୋଜିକା ପ୍ରଫେସର ଆଇ.ପି. ଗୌରାମ୍ମା ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମର ଅଧିବେଶନରେ ଆଲୋଚନା କରାଯାଇଥିବା ବିଷୟବସ୍ତୁ ଦେଶର ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସାହାଯ୍ୟ କରିବ।

RoM



(Release ID: 1952689) Visitor Counter : 67


Read this release in: English