ରାଷ୍ଟ୍ରପତିଙ୍କ ସଚିବାଳୟ
ଓଡ଼ିଶା ହାଇକୋର୍ଟର ୭୫ତମ ବର୍ଷପୂର୍ତ୍ତି ସମାରୋହର ଉଦଯାପନୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ରାଷ୍ଟ୍ରପତି
ଆଇନ ପେସାଦାରମାନେ ଶୀଘ୍ର ଶୁଣାଣି ଏବଂ ତ୍ୱରିତ ନ୍ୟାୟ ଦିଗରେ କାମ କରିବା ଉଚିତ୍ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
प्रविष्टि तिथि:
26 JUL 2023 2:22PM by PIB Bhubaneswar
ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (ଜୁଲାଇ ୨୬, ୨୦୨୩) କଟକସ୍ଥିତ ଓଡ଼ିଶା ହାଇକୋର୍ଟର ୭୫ତମ ବର୍ଷ ପୂର୍ତ୍ତି ସମାରୋହର ଉଦଯାପନୀ କାର୍ଯ୍ୟକ୍ରମରେ ସାମିଲ ହୋଇ ଅଭିଭାଷଣ ରଖିଛନ୍ତି ।
କାର୍ଗିଲ୍ ଯୁଦ୍ଧ ସମୟରେ ନିଜ ଜୀବନ ବଳିଦାନ ଦେଇଥିବା ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ରାଷ୍ଟ୍ରପତି ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ । ଭାରତ ମା’ର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସହିଦ ଯବାନଙ୍କ ମଧ୍ୟରୁ ଅନେକ ଓଡ଼ିଶାର ଥିଲେ ବୋଲି ରାଷ୍ଟ୍ରପତି କହିଥିଲେ । ସେ ଆହୁରି କହିଥିଲେ, ମେଜର ପଦ୍ମପାଣି ଆଚାର୍ଯ୍ୟଙ୍କୁ ତାଙ୍କର ଯୋଗଦାନ ପାଇଁ ମହାବୀର ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ଯବାନମାନଙ୍କ ସାହସିକତା ସବୁବେଳେ ଆମ ଦେଶର ନାଗରିକଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ।
ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ସମାରୋହ ସମ୍ପର୍କରେ ବକ୍ତବ୍ୟ ରଖି ରାଷ୍ଟ୍ରପତି କହିଥିଲେ ଯେ, ୭୫ ବର୍ଷର ସମୃଦ୍ଧଶାଳୀ ଯାତ୍ରାରେ ଓଡ଼ିଶା ହାଇକୋର୍ଟ ଅନେକ ଉଚ୍ଚ ମାନକ ପ୍ରତିଷ୍ଠା କରିଛି । ଏହି ହାଇକୋର୍ଟର କିର୍ତ୍ତୀକୁ ଶୀର୍ଷରେ ପହଞ୍ଚାଇଥିବା ବିଶିଷ୍ଟ ବିଚାରପତିମାନଙ୍କ ମଧ୍ୟରେ ଜଷ୍ଟିସ ବାବୁ ଜଗନ୍ନାଥ ଦାସ, ରଙ୍ଗନାଥ ମିଶ୍ର, ରାଧାଚରଣ ପଟ୍ଟନାୟକ, ଦେବପ୍ରିୟ ମହାପାତ୍ର, ଗୋପାଳ ବଲ୍ଲଭ ପଟ୍ଟନାୟକ, ଅରିଜିତ ପଶାୟତ, ଅନଙ୍ଗ କୁମାର ପଟ୍ଟନାୟକ ଏବଂ ଦୀପକ ମିଶ୍ର ପ୍ରମୁଖ ରହିଛନ୍ତି । ଏମାନଙ୍କ ମଧ୍ୟରୁ କେତେ ଜଣ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଏବଂ ଆଉ କିଛି ଭାରତର ପ୍ରଧାନ ବିଚାରପତି ଭାବେ କାମ କରିଛନ୍ତି । ରାଷ୍ଟ୍ରପତି କହିଥିଲେ ଯେ, ପୂର୍ବର ଏବଂ ବର୍ତ୍ତମାନର ମୁଖ୍ୟ ବିଚାରପତି, ବିଚାରପତିଗଣ, ଆଇନଜୀବୀ ଓ କର୍ମଚାରୀ ମାନଙ୍କର ଅସାଧାରଣ ଜ୍ଞାନ ଏବଂ କାମ ପ୍ରତି ସେମାନଙ୍କର ଯୋଗଦାନ, ବିଶ୍ୱସ୍ତତା, ସମର୍ପଣ କାରଣରୁ ଆଜି ଏହି ହାଇକୋର୍ଟର ସମ୍ମାନ ବୃଦ୍ଧି ପାଇଛି ।
ରାଷ୍ଟ୍ରପତି କହିଥିଲେ ଯେ, ସମୟ ସହ ତାଳ ଦେଇ ବଦଳି ପାରୁନଥିବା ଅନୁଷ୍ଠାନ ପଛରେ ପଡ଼ିଯାଏ। ଓଡ଼ିଶା ହାଇକୋର୍ଟ ନ୍ୟାୟ ପ୍ରଦାନ ବ୍ୟବସ୍ଥାରେ ଆଧୁନିକ ପ୍ରଯୁକ୍ତିକୁ କାର୍ଯ୍ୟକାରୀ କରିଥିବା ବିଷୟ ସେ ଉଲ୍ଲେଖ କରିଥିଲେ । ବିଭିନ୍ନ ଆଧୁନିକ, ଅଭିନବ ଓ ପ୍ରଯୁକ୍ତି ପରିଚାଳିତ ପରିବର୍ତ୍ତନ ଜରିଆରେ ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ବ୍ୟବସ୍ଥିତ ଓ ତ୍ୱରାନ୍ୱିତ କରିବା ପାଇଁ ସେ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକୁ ପ୍ରଶଂସା କରିଥିଲେ।
ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଥିଲେ ଯେ, ଭାରତରେ ଆଇନ ପେସା ନାଗରିକଙ୍କ ବିଶ୍ୱାସଭାଜନ ହୋଇପାରିଛି ଏବଂ ଏହା ଏକ ସମ୍ମାନଜନକ କାର୍ଯ୍ୟ ଭାବେ ବିବେଚିତ ହେଉଛି । ବିଶ୍ୱର ସର୍ବବୃହତ ଗଣତନ୍ତ୍ରରେ ଏହା ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବେ ନିଜର ସ୍ଥିତି ସୁଦୃଢ଼ କରିପାରିଛି। ଶୀଘ୍ର ଶୁଣାଣି ଏବଂ ତ୍ୱରିତ ନ୍ୟାୟ ପ୍ରଦାନ ଲାଗି କାର୍ଯ୍ୟ କରିବାକୁ ସେ ଆଇନ ପେସାଦାରମାନଙ୍କୁ ନିବେଦନ କରିଥିଲେ । ଛୋଟ-ମୋଟ ଅଭିଯୋଗରେ ଜେଲରେ ବନ୍ଦୀ ଥିବା ନିର୍ଦ୍ଦୋଷମାନଙ୍କୁ ମୁକ୍ତ କରି ଦେବା ଉଚିତ୍।
ରାଷ୍ଟ୍ରପତି କହିଥିଲେ, ଏପରି କିଛି ଉଦାହରଣ ରହିଛି ଯେଉଁଥିରେ ଲୋକମାନଙ୍କୁ ସେମାନଙ୍କ ଅପରାଧ ପାଇଁ ଉଦ୍ଦିଷ୍ଟ ଦଣ୍ଡ ଠାରୁ ଅଧିକ ଦିନ ପର୍ଯ୍ୟନ୍ତ ଜେଲ ଭୋଗିବାକୁ ପଡ଼ିଥାଏ । ଏହି କାରଣରୁ ନିରୀହ ଲୋକମାନେ ସେମାନଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ସମୟକୁ ହରାଇଥାନ୍ତି । ଅନ୍ୟପଟେ, ପ୍ରକୃତ ଦୋଷୀଙ୍କୁ ଆଇନ ଠାରୁ ଦଣ୍ଡ ମିଳୁନଥିବା ଦେଖି ପୀଡ଼ିତମାନେ ମଧ୍ୟ ନିରାଶ ହୋଇଥାନ୍ତି । ଏପରି ବିଳମ୍ବ ଏକ ବଡ଼ ଚିନ୍ତାର ବିଷୟ। ଓଡ଼ିଶା ହାଇକୋର୍ଟରେ କାର୍ଯ୍ୟରତ ପେସାଦାରମାନେ ତ୍ୱରିତ ନ୍ୟାୟ ପ୍ରଦାନ ଦିଗରେ କାର୍ଯ୍ୟ କରିବା ସହିତ ସାରା ଦେଶ ପାଇଁ ଏକ ଉଦାହରଣ ପ୍ରସ୍ତୁତ କରିବା ଉଚିତ୍ ବୋଲି ଶ୍ରୀମତୀ ମୁର୍ମୁ କହିଥିଲେ ।
ରାଷ୍ଟ୍ରପତି କହିଥିଲେ ଯେ, ଆମର ସମ୍ବିଧାନ ନିର୍ମାତାମାନେ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ବଞ୍ଚିତ ଲୋକମାନଙ୍କୁ ନ୍ୟାୟ ପ୍ରଦାନ ଉପରେ ପ୍ରାଥମିକତା ଦେଇଛନ୍ତି । ସମାଜର ବଞ୍ଚିତ ବର୍ଗର ଲୋକମାନଙ୍କ ପାଖରେ ନ୍ୟାୟ ପାଇବା ପାଇଁ ଯଥେଷ୍ଟ ଜ୍ଞାନ କିମ୍ବା ସମ୍ବଳ ନଥାଏ। ତେଣୁ ‘ସେମାନେ କିପରି ନ୍ୟାୟ ପାଇବେ?’ ଏହା ଆମ ଆଗରେ ଏକ ପ୍ରଶ୍ନ ହୋଇ ରହିଛି । ଏହି ପ୍ରଶ୍ନ ଉପରେ ଆମକୁ ଗଭୀର ଭାବେ ବିଚାର କରିବାର ଆବଶ୍ୟକତା ରହିଛି।
ରାଷ୍ଟ୍ରପତି କହିଥିଲେ ଯେ ପ୍ରାକୃତିକ ବିପର୍ଯ୍ୟୟ ମାନବତା ପାଇଁ ଏକ ଆହ୍ୱାନ ପାଲଟିଛି । ପ୍ରକୃତି ଅନୁକୂଳ ଜୀବନଯାପନ କରିବା ବର୍ତ୍ତମାନ ସମୟର ଆବଶ୍ୟକତା। କାର୍ଯ୍ୟପାଳିକା ଓ ବିଧାନପାଳିକା ଭଳି ନ୍ୟାୟପାଳିକା ମଧ୍ୟ ପରିବେଶ ଓ ବନ୍ୟପ୍ରାଣୀ ସୁରକ୍ଷା ପ୍ରତି ସର୍ବୋଚ୍ଚ ପ୍ରାଥମିକତା ଦେବା ଆବଶ୍ୟକ ।
*******
P.S.
(रिलीज़ आईडी: 1942869)
आगंतुक पटल : 149