ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
azadi ka amrit mahotsav

ଜି-୨୦ ଜନଭାଗିଦାରୀ : ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ଜାତୀୟ ୱେବିନାର ଆୟୋଜିତ

ପୋଷ୍ଟ କରାଯିବା ଦିନାଙ୍କ: 13 APR 2023 3:15PM by PIB Bhubaneshwar

ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ପୂର୍ବରୁ ଆୟୋଜିତ ଜନଭାଗିଦାରୀ କାର୍ଯ୍ୟକ୍ରମରେ ଏକ ପ୍ରମୁଖ (ଆଙ୍କର) ଶିକ୍ଷାନୁଷ୍ଠାନ ଭାବେ ସାମିଲ ହୋଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଏନସିଇଆରଟି । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ୱାରା ମିଳିଥିବା ଏହି ଦାୟିତ୍ୱକୁ ନିର୍ବାହ କରିବାକୁ ଯାଇ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇ ଭାରତର ଜି-୨୦ ଅଧ୍ୟକ୍ଷତା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି । ଏହି କ୍ରମରେ ଆଜି ଜନଭାଗିଦାରୀ କାର୍ଯ୍ୟକ୍ରମର ତ୍ରୟୋଦଶ ଦିନରେ ପ୍ରତିଷ୍ଠାନ ପକ୍ଷରୁ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଉପରେ ଏକ ଜାତୀୟ ୱେବିନାର ଆୟୋଜନ କରାଯାଇଥିଲା। ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପି. ସି. ଅଗ୍ରୱାଲ ୱେବିନାରରେ ଅଧ୍ୟକ୍ଷତା କରିଥିବା ବେଳେ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ। ଅନ୍ୟ ବକ୍ତାମାନଙ୍କ ମଧ୍ୟରେ ଏନସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଏଚ. କେ. ସେନାପତି, କେନ୍ଦ୍ରାପଡ଼ାସ୍ଥିତ ଡିଆଇଇଟିର ଅଧ୍ୟକ୍ଷ ଡକ୍ଟର ପିସି ବର୍ମା ପ୍ରମୁଖ ଯୋଗ ଦେଇଥିଲେ । ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଏବଂ ଡିଏମ ସ୍କୁଲର ତିନି ଶହରୁ ଅଧିକ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ଥିଲେ । ଏହାବ୍ୟତୀତ କେନ୍ଦ୍ରାପଡ଼ା, ଯାଜପୁର ଏବଂ ଜଗତସିଂହପୁର ଜିଲ୍ଲାର ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଏବଂ ଜନଶିକ୍ଷଣ ସଂସ୍ଥାନର ଶତାଧିକ ଛାତ୍ରଛାତ୍ରୀ, ଅଧ୍ୟକ୍ଷ, ଶିକ୍ଷକଶିକ୍ଷୟିତ୍ରୀ ଓ କର୍ମକର୍ତ୍ତାମାନେ ଅନଲାଇନ ମାଧ୍ୟମରେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

********

P.S.


(ରିଲିଜ ଆଡି: 1916197) ପରିଦର୍ଶକ କାଉଣ୍ଟର : 191