Ministry of Education
azadi ka amrit mahotsav

ସିଏସଆଇଆର-ଆଇଏମଏମଟି ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ

Posted On: 11 APR 2023 9:17PM by PIB Bhubaneshwar

ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଭୁବନେଶ୍ୱର ସ୍ଥିତ ବୈଜ୍ଞାନିକ ଏବଂ ଔଦ୍ୟୋଗିକ ଅନୁସନ୍ଧାନ ପରିଷଦ (ସିଏସଆଇଆର) - ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଏମଏମଟି) ପକ୍ଷରୁ ଆଜି ଏକ ବୈଜ୍ଞାନିକ-ଛାତ୍ରଛାତ୍ରୀ ମତବିନିମୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସିଏସଆଇଆର- ଆଇଏମଏମଟିର ବୈଜ୍ଞାନିକ ସାମାଜିକ ଉତ୍ତରଦାୟିତ୍ୱ କାର୍ଯ୍ୟକ୍ରମ ଜିଜ୍ଞାସା ଦ୍ୱାରା କ୍ୟାମ୍ପସ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କେଏମବିବି ସାଇନ୍ସ କଲେଜ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ୟୁନିଭର୍ସିଟୀ ହାଇସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଜି୨୦ ଓ ଭବିଷ୍ୟତର ଶିକ୍ଷା ଓ ଗବେଷଣା କାର୍ଯ୍ୟ ଉପରେ ଆଲୋଚନାଚକ୍ର, ପ୍ରଶ୍ନୋତ୍ତର ପ୍ରତିଯୋଗିତା, ଗବେଷଣାଗାର ପରିଦର୍ଶନ, ବୈଜ୍ଞାନିକ ପ୍ରୟୋଗ ପ୍ରଦର୍ଶନ, ବୈଜ୍ଞାନିକ, ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ନେଇ ଭବିଷ୍ୟତର କାର୍ଯ୍ୟ ବିଷୟରେ ଆଲୋଚନା, ଆଇଏମଏମଟି ପରିସରରେ ଥିବା ଜିଜ୍ଞାସା ଉଦ୍ୟାନ (ଔଷଧିୟ, ସୁଗନ୍ଧିତ ଏବଂ ପୁଷ୍ପଉଦ୍ୟାନ) ପରିଦର୍ଶନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଶ୍ନୋତ୍ତର ପ୍ରତିଯୋଗିତାରେ ୪୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ଏବଂ ଦୁଇଟି ବର୍ଗରେ ପ୍ରାୟ ୧୨ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

ଅପରାହ୍ଣରେ, ସିଏସଆଇଆର ଆଇଏମଏମଟି ପରିସରରେ ଥିବା ଆମ୍ବ ଉଦ୍ୟାନରେ ଏକ ବୈଠକ ଆୟୋଜନ କରାଯାଇଥିଲା। ଏଥିରେ ଜି୨୦ ଏବଂ ଭବିଷ୍ୟତର କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା। ଏଥିରେ ଜାତୀୟ ଦକ୍ଷତା ବିକାଶ ଆୟୋଗ (ଏନଏସଡିସି)ର ଡିଜିଏମ ଶ୍ରୀମତୀ ଭାବନା ବର୍ମା ମୁଖ୍ୟ ଅତିଥି, ଏନଏସଡିସିର ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ଏବଂ ସ୍ମୃତି ରଞ୍ଜନ  ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସିଏସଆଇଆର-ଆଇଏମଏମଟିର ମୁଖ୍ୟ ବୈଜ୍ଞାନିକ ତଥା ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକର ନୋଡାଲ ଅଧିକାରୀ ଡକ୍ଟର ଅଶୋକ କୁମାର ସାହୁ, କାର୍ଯ୍ୟକ୍ରମର ସଂଯୋଜକ ଡକ୍ଟର ଦେବୀ ପ୍ରସାଦ ଦାସ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।

*********

P.S.


(Release ID: 1915747)