ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
azadi ka amrit mahotsav

ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜିତ

Posted On: 09 APR 2023 9:22PM by PIB Bhubaneshwar

ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି

ଏହି କ୍ରମରେ ଆଜି ଆଇଆଇଏମ ସମ୍ବଲପୁର ସହଯୋଗରେ ଦେବଗଡ଼ ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ସଚେତନତା ଗଣଦୌଡ଼  ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀ ପ୍ଲାକାର୍ଡ଼ ଧରି ଭାରତ ଜି-୨୦ ଅଧ୍ୟକ୍ଷତାକୁ ଜନସଚେତନତା ସୃଷ୍ଟି କରିଥିଲେ ।

ଅନ୍ୟପଟେ ଏନଆଇଟି ରାଉରକେଲା ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ମିନି-ମାରାଥନ ଅନୁଷ୍ଠିତ ହୋଇଥିଲା। ଏଥିରେ ଏନଆଇଟି ଛାତ୍ରଛାତ୍ରୀ, ଅଧ୍ୟାପକ, ଗବେଷକ ଓ କର୍ମଚାରୀମାନେ ସାମିଲ ହୋଇଥିଲେ। ସେହିପରି ଏନଆଇଟି ପରିସରରେ ‘ଜାତୀୟ ଉଦ୍ୟମିତା ଶିଖର ସମ୍ମିଳନୀ ୨୦୨୩’ ଆଜି ଉଦଘାଟିତ ହୋଇଯାଇଛି । ଜି-୨୦ ଜନଭାଗିଦାରୀର ଅଂଶବିଶେଷ ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରାଉରକେଲା ମହାନଗର ଉପ ଆୟୁକ୍ତ ରୋନିତ କୁମାର ଉଦଘାଟନ କରିଥିଲେ । ଏହି ସମ୍ମିଳନୀରେ ଉଦ୍ୟୋଗୀମାନଙ୍କୁ ଭାରତର ଜି-୨୦ ଅଧ୍ୟକ୍ଷତାର ଗୁରୁତ୍ୱ ଓ ପ୍ରାସଙ୍ଗିକତା ଉପରେ ସଚେତନ କରାଯାଇଥିଲା।

ସେହିପରି ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଏନସିଇଆରଟି ପକ୍ଷରୁ ବିଭିନ୍ନ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ନେଇ କ୍ରିକେଟ, ଭଲିବଲ ଖେଳ ଅନୁଷ୍ଠିତ ହୋଇଥିଲା।

ଭୁବନେଶ୍ୱରସ୍ଥିତ ସିପେଟ୍‌ ଆଇପିଟି ଦ୍ୱାରା ସ୍ୱଚ୍ଛ ଭାରତ ଅଭିଯାନ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀମାନେ ସାମିଲ ହୋଇଥିଲେ।

*******

P.S.


(Release ID: 1915162)