ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
ଜି-୨୦ ଜନଭାଗିଦାରୀ : କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ବୈଷୟିକ କର୍ମଶାଳା ଅନୁଷ୍ଠିତ
Posted On:
05 APR 2023 9:31PM by PIB Bhubaneshwar
ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି କରିବା ଲାଗି କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜି୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି କିଟ୍ କ୍ୟାମ୍ପସରେ ଏକ କର୍ମଶାଳା ଆୟୋଜନ କରାଯାଇଥିଲା। ବାଙ୍ଗାଲୋର ସ୍ଥିତ ସିପିଆରଆଇର ପୂର୍ବତନ ମହାନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ତ୍ରିପାଠୀ ଏହି କର୍ମଶାଳାରେ ଯୋଗ ଦେଇ ‘‘ପ୍ରଯୁକ୍ତି ଆଧାରିତ ଅଧ୍ୟୟନକୁ ଅଧିକ ସମାବେଶୀ, ଗୁଣାତ୍ମକ ଏବଂ ସହଭାଗୀ କରିବା’’ ବିଷୟବସ୍ତୁ ଉପରେ ବୈଷୟିକ ଆଲୋଚନାଚକ୍ରକୁ ସମ୍ବୋଧିତ କରିଥିଲେ । ସେ କମ୍ପ୍ୟୁଟର ପ୍ରଯୁକ୍ତିର ଯୁଗ, ବିଭିନ୍ନ ପ୍ରକାର ଉପକରଣ, ସଫ୍ଟ କମ୍ପ୍ୟୁଟିଂ ପାଇଁ ସଫ୍ଟୱେର, ଆଧୁନିକ ଅଧ୍ୟୟନ ପ୍ରଯୁକ୍ତି, ସହଭାଗୀ ପ୍ରକଳ୍ପ, ପାୱାର ସିଷ୍ଟମ ପ୍ରୟୋଗ, ବିଭିନ୍ନ ପ୍ରକାର ସମସ୍ୟା, ସବୁଜ ହାଇଡ୍ରୋଜେନ ଏବଂ ବିଭିନ୍ନ ଅଧ୍ୟୟନ ପ୍ରଯୁକ୍ତି ଉପରେ ବକ୍ତବ୍ୟ ରଖିଥିଲେ । ଏହି କର୍ମଶାଳାରେ ମୋଟ୍ ୯୨ ଜଣ ଇଞ୍ଜିନିୟରିଂ ସ୍ନାତକ ଓ ସ୍ନାତକୋତ୍ତୋର ଛାତ୍ରଛାତ୍ରୀ, ଗବେଷକ, ପ୍ରୟୋଗଶାଳା ବୈଷୟିକ ସହାୟକ ଏବଂ ଅଧ୍ୟାପକମାନେ ଅଂଶଗ୍ରହଣ କରିଥିଲେ ।
ଅନ୍ୟପକ୍ଷରେ କନ୍ଧମାଳ ସ୍ଥିତ ସରକାରୀ ପଲିଟେକ୍ନିକ ଠାରେ କିଟ୍ ବିଶ୍ୱବିଦ୍ୟାଳୟ ସହଯୋଗରେ ଏକ ପଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ‘ଜି-୨୦ ଏବଂ ଭାରତର ଭୂମିକା’ ଶୀର୍ଷକ ଏହି ପ୍ରତିଯୋଗିତାରେ ୫୨ ଜଣ ପଲିଟେକ୍ନିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।


*****
P.S.
(Release ID: 1914082)