ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
azadi ka amrit mahotsav

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ 'ଜୈବ ବିବିଧତା ସଂରକ୍ଷଣ: ସମୟର ଆବଶ୍ୟକତା' ଶୀର୍ଷକ ସେମିନାର

ପୋଷ୍ଟ କରାଯିବା ଦିନାଙ୍କ: 04 APR 2023 8:33PM by PIB Bhubaneshwar

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜି-୨୦ ୱାର୍କିଂ ଗ୍ରୁପ୍ ଅଫ୍ ଏଜୁକେସନ୍ କାର୍ଯ୍ୟକ୍ରମ ଅଧୀନରେ 'ଜୈବ ବିବିଧତା ସଂରକ୍ଷଣ: ସମୟର ଆବଶ୍ୟକତା' ଶୀର୍ଷକ ଏକ ସେମିନାର ଗତ ଏପ୍ରିଲ 3 ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଜି-୨୦ ୱାର୍କିଂ ଗ୍ରୁପ୍ ଅଫ୍ ଏଜୁକେସନ୍ କାର୍ଯ୍ୟକ୍ରମ ଅଧୀନରେ ବିଶ୍ୱବିଦ୍ୟାଳୟକୁ ଆଙ୍କର ଇନଷ୍ଟିଚ୍ୟୁସନ ଭାବେ ଚୟନ କରାଯାଇଛି।

ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଉଦ୍ ଘାଟନ କରିଥିଲେ। ସେ ଆମ ଦେଶର ପାରମ୍ପରିକ ଜ୍ଞାନ ଏବଂ ଆଧ୍ୟାତ୍ମିକତାର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ । ବିଶ୍ୱବିଦ୍ୟାଳୟର ଏକାଡେମିକ୍ସ ଆଣ୍ଡ ପ୍ରଶାସନ ଉପଦେଷ୍ଟା ପ୍ରଫେସର ସୁଧେନ୍ଦୁ ମଣ୍ଡଳ ଓ ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଶିବା ପ୍ରସାଦ ଅଧିକାରୀ ଏହି ସ୍ୱତନ୍ତ୍ର ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରଫେସର ତ୍ରିପାଠୀ କହିଥିଲେ ଯେ, ପୃଥିବୀରେ ପ୍ରତ୍ୟେକ ପ୍ରଜାତି ଏକ ସ୍ୱତନ୍ତ୍ର ଉଦ୍ଦେଶ୍ୟ ରେ ଜନ୍ମ ଗ୍ରହଣ କରିଥାନ୍ତି। ଜୈବ ବିବିଧତାର ସଂରକ୍ଷଣ ପ୍ରଜାତିର ଅସ୍ତିତ୍ୱ ଉପରେ ନିର୍ଭର କରେ । ତେଣୁ ଜୈବ ବିବିଧତାର ସଂରକ୍ଷଣ ସମୟର ଆବଶ୍ୟକତା ବୋଲି ସେ ଗୁରୁତ୍ଵାରୋପ କରିଥିଲେ । ଆମ ପରମ୍ପରା ସର୍ବଦା ଏହାର ସଂରକ୍ଷଣ ପାଇଁ ଚେଷ୍ଟା କରେ କିନ୍ତୁ ପାଶ୍ଚାତ୍ୟ ଦେଶମାନେ ଏହାକୁ ନଷ୍ଟ କରି ଅନ୍ତର୍ଜାତୀୟ ସ୍ତରରେ ସଂରକ୍ଷଣ ପାଇଁ ଚିତ୍କାର କରନ୍ତି ବୋଲି ସେ କହିଥିଲେ  ।

ପ୍ରଫେସର ମଣ୍ଡଳ ତାଙ୍କ ବକ୍ତବ୍ୟରେ ଜୈବ ବିବିଧତା ଏବଂ ଖାଦ୍ୟ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ଜୈବ ବିବିଧତା ନଷ୍ଟ ହେଲେ ଖାଦ୍ୟ ର ଅଭାବ ଦେଖାଦେବ ।  ତେଣୁ ଜୈବ ବିବିଧତାର ସଂରକ୍ଷଣ ଜରୁରୀ ବୋଲି ସେ କହିଥିଲେ । ପ୍ରଫେସର ଅଧିକାରୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ କୋରାପୁଟ ଏକ ଜୈବ ବିବିଧତାର ହଟସ୍ପଟ୍ ଏବଂ ଅବିଭକ୍ତ କୋରାପୁଟରେ ଜୈବ ବିବିଧତା ବିକାଶର ନୂତନ କ୍ଷେତ୍ର ଖୋଜିବା ପାଇଁ ଆମେ ଅଧିକ ଗବେଷଣା କରିବା ଉଚିତ୍ । ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଦ୍ୟାଳୟର ଡିନ୍ ପ୍ରଫେସର ଶରତ କୁମାର ପାଲିତା 'ଜୈବ ବିବିଧତା ସଂରକ୍ଷଣ: ସମୟର ଆବଶ୍ୟକତା' ବିଷୟବସ୍ତୁ ଉପରେ ସଂକ୍ଷିପ୍ତ ପରିଚୟ ପ୍ରଦାନ କରିଥିଲେ।

ବିଶ୍ୱବିଦ୍ୟାଳୟର ଜି-୨୦ ୱାର୍କିଂ ଗ୍ରୁପର ନୋଡାଲ ଅଫିସର ଡ ପ୍ରଦୋଷ କୁମାର ରଥ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିସିଏନଆରର ଆସିଷ୍ଟାଣ୍ଟ ପ୍ରଫେସର ଡ. ଦେବବ୍ରତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଗବେଷକ ଓ ଅଧ୍ୟାପକଙ୍କ ସମେତ  ଭାଷା ବିଭାଗ ସମୂହର ଡିନ୍ ପ୍ରଫେସର ଏନ୍ ସି ପଣ୍ଡା, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଭାରପ୍ରାପ୍ତ ମୁଖ୍ୟ ଡ. ପ୍ରଦୋଷ କୁମାର ସ୍ବାଇଁ ଓ ସହକାରୀ ପ୍ରଫେସର ଡ. ଆଲୋକ ବରାଳ, ସମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ଭାରପ୍ରାପ୍ତ ମୁଖ୍ୟ ଡ. ସୌରଭ ଗୁପ୍ତା ଓ ଜନସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

RoW

 


(ରିଲିଜ ଆଡି: 1913668) ପରିଦର୍ଶକ କାଉଣ୍ଟର : 236
ଏହି ରିଲିଜ ପଢନ୍ତୁ : English