ପ୍ରତିରକ୍ଷା ମନ୍ତ୍ରଣାଳୟ
azadi ka amrit mahotsav

ସୈନିକ ସ୍କୁଲରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ନିମନ୍ତେ ଅନଲାଇନ ଆବେଦନ ଆରମ୍ଭ


୨୧ ଅକ୍ଟୋବର ୨୦୨୨ ଠାରୁ ଆବେଦନ ଆରମ୍ଭ; ଆବେଦନର ଶେଷ ତାରିଖ ୩୦ ନଭେମ୍ବର ୨୦୨୨

୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ଷଷ୍ଠ ଶ୍ରେଣୀରେ ନାମ ଲେଖାଇବାକୁ ଆବେଦନ କରିପାରିବେ ଛାତ୍ରଛାତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 28 OCT 2022 3:30PM by PIB Bhubaneswar

ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା (ଏଆଇଏସଏସଇଇ) ୨୦୨୩ ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ୨୧ ଅକ୍ଟୋବର, ୨୦୨୨ ଠାରୁ ଆରମ୍ଭ ହୋଇଛି । ଛାତ୍ରଛାତ୍ରୀମାନେ https://aissee.nta.nic.in ୱେବସାଇଟରେ ଏଆଇଏସଏସଇଇ ୨୦୨୩ ପାଇଁ ଆବେଦନ କରିପାରିବେ । ଅନଲାଇନରେ ଆବେଦନ କରାଯାଇନଥିଲେ ଆବେଦନ ପତ୍ରକୁ ଗ୍ରହଣ କରାଯିବ ନାହିଁ । ଛାତ୍ରଛାତ୍ରୀମାନେ ପ୍ରବେଶିକା ପରୀକ୍ଷା ନିମନ୍ତେ ୩୦ ନଭେମ୍ବର ୨୦୨୨ ଅପରାହ୍ଣ ୫ଟା ସୁଦ୍ଧା ଆବେଦନ କରିପାରିବେ । ଚଳିତ ବର୍ଷ ଭୁବନେଶ୍ବର ସୈନିକ ସ୍କୁଲରେ ଷଷ୍ଠ ଶ୍ରେଣୀରେ ନାମଲେଖା ଲାଗି ଉଭୟ ଝିଅ ଓ ପୁଅ ପ୍ରବେଶିକା ପରୀକ୍ଷା ଦେବାକୁ ଆବେଦନ କରିପାରିବେ । ପୁଅଙ୍କ ପାଇଁ ୧୦୩ ଏବଂ ଝିଅଙ୍କ ପାଇଁ ୧୨ଟି ଆସନରେ ନାମ ଲେଖାଯିବ । ୨୦୨୩-୨୪ ଶିକ୍ଷା ବର୍ଷରେ ଷଷ୍ଠ ଶ୍ରେଣୀରେ ନାମ ଲେଖା ନିମନ୍ତେ ଛାତ୍ରଛାତ୍ରୀଙ୍କ ବୟସ ୩୧ ମାର୍ଚ୍ଚ ୨୦୨୩ ସୁଦ୍ଧା ୧୦ରୁ ୧୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।

୮ ଜାନୁଆରୀ ୨୦୨୩, ରବିବାର ଦିନ ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଏଠାରେ ସୂଚନାଯୋଗ୍ୟ ଯେ ୩ ଲକ୍ଷ ଟଙ୍କାରୁ କମ ବାର୍ଷିକ ଆୟ ଥିବା ପରିବାରର ଛାତ୍ରଛାତ୍ରୀଙ୍କୁ ସୈନିକ ସ୍କୁଲରେ ପାଠପଢ଼ା ନିମନ୍ତେ ଟ୍ୟୁସନ ଫି’ ବାବଦରେ ସହାୟତା ଯୋଗାଇ ଦେବା ଲାଗି ଓଡ଼ିଶା ସରକାର ଏକ ଛାତ୍ରବୃତ୍ତି ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ୨୦୧୯-୨୦ ଶିକ୍ଷା ବର୍ଷ ଠାରୁ ଆରମ୍ଭ ହୋଇଛି । ରାଜ୍ୟ ସରକାର ସୈନିକ ସ୍କୁଲରେ ପଢ଼ୁଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ୨୦୨୨-୨୩ ଶିକ୍ଷା ବର୍ଷ ଠାରୁ ଖାଦ୍ୟ ସବସିଡି ଯୋଜନା ଆରମ୍ଭ କରିଛନ୍ତି । ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ (ଅଣ ସ୍ବଚ୍ଛଳ ବର୍ଗ), ପ୍ରତିରକ୍ଷା ଓ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କୁ ଦିନକୁ ୭୫ ଟଙ୍କା ଲେଖାଏଁ ୨୯୫ଟି କାର୍ଯ୍ୟ ଦିବସ ପାଇଁ ବର୍ଷକୁ ୨୨,୧୨୫ ଟଙ୍କା ଯୋଗାଇ ଦିଆଯିବ । ରାଜ୍ୟ ସରକାରଙ୍କ ବୃତ୍ତି ଯୋଜନା, ଖାଦ୍ୟ ସବସିଡି ଯୋଜନା ସହିତ ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଯୋଗାଇ ଦିଆଯାଉଥିବା ଆର୍ଥିକ ସହାୟତା କାରଣରୁ ସାଧାରଣ ପରିବାରର ଛାତ୍ରଛାତ୍ରୀଙ୍କ ପାଇଁ ସୈନିକ ସ୍କୁଲରେ ପାଠପଢ଼ିବା ସହଜଲବ୍ଧ ହୋଇପାରିଛି ଯାହାକି ଦେଶରେ ସୈନିକ ସ୍କୁଲ ପ୍ରତିଷ୍ଠା କରାଯିବାର ଏକ ପ୍ରମୁଖ ଉଦ୍ଦେଶ୍ୟ।

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସ୍ଥଳସେନା, ନୌସେନା, ବାୟୁସେନାରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କ ରେଙ୍କ ଆଧାରରେ ସେମାନଙ୍କ ପିଲାମାନଙ୍କୁ ପ୍ରତିରକ୍ଷା ବର୍ଗରେ ପ୍ରତିରକ୍ଷା ବୃତ୍ତି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କ ବୃତ୍ତିଧାରୀ ଏବଂ ସବସିଡି ପାଉଥିବା ସବୁ ଛାତ୍ରଛାତ୍ରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଭାଗ ବାବଦରେ ଅର୍ଥ ଦେବା ବ୍ୟତୀତ ଅତିରିକ୍ତ ପ୍ରତିରକ୍ଷା ବୃତ୍ତି ଦେବାର ବ୍ୟବସ୍ଥା କରିଛନ୍ତି । ଏଭଳି ଏକ ପ୍ରୋତ୍ସାହନ ବ୍ୟବସ୍ଥା କାରଣରୁ ଓଡ଼ିଶାର ଆର୍ଥିକ ଦୁର୍ବଳ ପରିବାରର ଛାତ୍ରଛାତ୍ରୀଙ୍କ ସୈନିକ ସ୍କୁଲରେ ପଢ଼ିବାର ସ୍ବପ୍ନ ସାକାର ହୋଇପାରିବ ।

ଭୁବନେଶ୍ବର ସୈନିକ ସ୍କୁଲରେ ସ୍ମାର୍ଟ ଶ୍ରେଣୀଗୃହ, ପରୀକ୍ଷାଗାର, ପାଠାଗାର, କ୍ରୀଡ଼ା ସୁବିଧା, ଉନ୍ନତ ସୁବିଧା ଥିବା ଛାତ୍ରାବାସ ଓ କ୍ୟାଡେଟ୍‌ ମେସ ସମେତ ଛାତ୍ରଛାତ୍ରୀଙ୍କ ସାମଗ୍ରୀକ ବିକାଶ ପାଇଁ ବିଭିନ୍ନ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି । ଭୁବନେଶ୍ବର ସୈନିକ ସ୍କୁଲରେ ନାମ ଲେଖାଇବା ପାଇଁ ଅଭିଭାବକମାନେ ନିର୍ଦ୍ଧାରିତ ତାରିଖ ସୁଦ୍ଧା ଆବେଦନ କରିବାକୁ ସୈନିକ ସ୍କୁଲ କର୍ତ୍ତୃପକ୍ଷ ନିବେଦନ କରିଛନ୍ତି ।

 

*****

P.S.

 


(ରିଲିଜ ଆଡି: 1871552) ପରିଦର୍ଶକ କାଉଣ୍ଟର : 170
ଏହି ରିଲିଜ ପଢନ୍ତୁ : English