ସଂସ୍କୃତି ମନ୍ତ୍ରଣାଳୟ
ଆଜାଦୀ କା ଅମୃତ ମହୋତ୍ସବ - ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ଗୁଳିକାଣ୍ଡ
Posted On:
13 AUG 2022 1:43PM by PIB Bhubaneshwar
ପ୍ରଭାତୀ ବିଷୋୟୀ
ଦେଶ ପାଳନ କରୁଛି ସ୍ଵାଧୀନତାର 75 ତମ ବର୍ଷ ପୂର୍ତ୍ତି। ଏହାକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜିଙ୍କ ଡାକରାରେ ସମଗ୍ର ଦେଶରେ ପାଳିତ ହେଉଛି ଆଜାଦୀ କା ଅମୃତ ମହୋତ୍ସବ। କିନ୍ତୁ ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ଠାରେ ଥିବା ଶହୀଦ ପୀଠରେ ପ୍ରତିବର୍ଷ ଅଗଷ୍ଟ 24 ତାରିଖ ଦିନ ପାଳିତ ହୁଏ ଶହୀଦ ସ୍ମୃତି ଦିବସ। ଦେଶପାଇଁ ଜୀବନକୁ ଉତ୍ସର୍ଗ କରି ଚରମ ବଳିଦାନ ଦେଇଥିବା ସ୍ଵାଧୀନତା ସଂଗ୍ରାମୀଙ୍କୁ ପ୍ରଦାନ କରାଯାଏ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।
ଶହୀଦ ସ୍ମୃତି କମିଟି ପକ୍ଷରୁ ପ୍ରଜ୍ଜ୍ଵଳିତ ଶହୀଦ ମଶାଲ ନବରଙ୍ଗପୁରରୁ ଏକ ଶୋଭାଯାତ୍ରାରେ ବାହାରି ଭାରତ ମାତାର ଜୟ ଗାନ ସହ ପାପଡାହାଣ୍ଡି ଶହୀଦ ସ୍ମୃତି ମୀନାର ନିକଟରେ ପହଞ୍ଚି ଥାଏ । ଶହୀଦ ସ୍ମୃତି ମିନାର ଠାରେ ମଶାଲ ସ୍ଥାପନ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରେ ସ୍ମୃତି ସୌଧ ଠାରେ ସ୍ଵାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଟୁରୀ ନଦୀ ପଠାରେ ତିଳ ତର୍ପଣ ପୂର୍ବକ ଅମର ଶହୀଦ ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଏ। ଏଥି ସହ ଜିଲ୍ଲା ପୋଲିସ ପକ୍ଷରୁ ଶହୀଦଙ୍କ ଉଦ୍ଦେଶ୍ୟ ରେ ସାମରିକ ଅଭିବାଦନ ପ୍ରଦାନ କରାଯାଏ।
ସମଗ୍ର ଦେଶରେ ଏବେ ସ୍ଵାଧୀନତାର 75ତମ ବର୍ଷ ପୂର୍ତ୍ତି ଉତ୍ସବ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରାଯାଉଥିବା ବେଳେ ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ଶହୀଦ ସ୍ତମ୍ଭ ଠାରେ 100 ଫୁଟ ଉଚ୍ଚତା ବିଶିଷ୍ଟ ଜାତୀୟ ପତାକାକୁ ସ୍ଥାପିତ କରାଯାଇଛି। ଦେଶର ଦ୍ଵିତୀୟ ଜାଲିୱାନାବାଲାବାଗ ରୂପେ ପରିଚିତ ରକ୍ତତୀର୍ଥ ପାପଡାହାଣ୍ଡି ଠାରେ ଥିବା ଶହୀଦ ସ୍ମୃତି ସ୍ତମ୍ଭ ପରିସରରେ 100 ଫୁଟ ଉଚ୍ଚତା ବିଶିଷ୍ଟ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ କରାଯାଇଛି ।
ପ୍ରକୃତିର ନୈସର୍ଗିକ ଶୋଭାର ଅପୂର୍ବ ସମ୍ଭାରରେ ଭରପୂର ନବରଙ୍ଗପୁର ଜିଲ୍ଲା। ଏହି ଅଞ୍ଚଳ ଏକ ପଛୁଆ ଅଞ୍ଚଳ ରୂପେ ଜଣାଶୁଣା। କିନ୍ତୁ ଏହି ଉପାନ୍ତ ଅଞ୍ଚଳର ମହତ୍ଵପୂର୍ଣ୍ଣ ଅବଦାନ ଭାରତୀୟ ସ୍ଵାଧୀନତା ସଂଗ୍ରାମ ଇତିହାସରେ ଚିରସ୍ମରଣୀୟ ହୋଇ ରହିବ ନିଶ୍ଚିତ ରୂପରେ । ଗାନ୍ଧୀଜୀଙ୍କ ଡାକରାରେ ବନ ପାହାଡ ଘେରା ଏ ଅଞ୍ଚଳର ଅଧିବାସୀ ଯେଉଁ ମହନୀୟତାର ପ୍ରଦର୍ଶନ କରିଛନ୍ତି ତାହାର ଜ୍ଵଳନ୍ତ ମୁକ ସାକ୍ଷୀ ପାପଡାହାଣ୍ଡିର ମାଟି – ରକ୍ତତୀର୍ଥ ପାପଡାହାଣ୍ଡି।
ସେଦିନ ଥାଏ 1942 ମସିହା ଅଗଷ୍ଟ ମାସର 24 ତାରିଖ । ପଞ୍ଜାବର ଜାଲିଆନାୱାଲାବାଗ ଗଣହତ୍ୟା ଅନୁରୂପ ଘଟଣାଟିଏ ଘଟିଥିଲା ପାପଡାହାଣ୍ଡିର ଟୁରୀ ନଦୀ ନିକଟରେ । ଇନ୍ଦ୍ରାବତୀ ନଦୀ ଅବବାହିକା ଅଞ୍ଚଳର ଅଧିବାସୀ ମୁଖ୍ୟତଃ ପ୍ରକୃତିର ସନ୍ତାନ। ସେଇଥିପାଇଁ ତ କୁହାଯାଏ ଅମୃତସ୍ୟ ପୁତ୍ର । କିନ୍ତୁ ଏ ନିରୀହ ଅଧିବାସୀ ମାନେ ଯେଉଁ ଶୋଷଣ , ବର୍ବରତାର ଶିକାର ଅନ୍ୟମାନଙ୍କ ଦ୍ଵାରା ହୁଅନ୍ତି ତାହର ହିସାବ ନାହିଁ । ଶୋଷଣର ଶିକାର ହୋଇ ଅଣନିଶ୍ଵାସୀ ହୋଇ ଆସୁଥିବା ମୃତବତ ପ୍ରାଣରେ ନୂତନ ଶକ୍ତି ସଞ୍ଚାର କରିଥିଲା ଗାନ୍ଧୀ ମାହାପରୁର ଡାକ। ଜନଜାତି ମାନଙ୍କ ଅତୁଳନୀୟ ଶକ୍ତି , ସାମର୍ଥ୍ୟକୁ ପୁନର୍ଜୀବିତ କରିଥିଲା ମୁକ୍ତି ସଂଗ୍ରାମର ବହ୍ନି। ନାହିଁ ନାହିଁ ର ହାହାକାରୀ ଜୀବନକୁ ତୁଚ୍ଛ କରି ଏ ମାଳ ଅଞ୍ଚଳବାସୀ ଭାରତୀୟ ସ୍ଵାଧୀନତା ସଂଗ୍ରାମରେ ଯେଉଁ ତ୍ୟାଗ ଓ ପରାକାଷ୍ଠାର ପରୀକ୍ଷା ଦେଇଥିଲେ ତାହା ଅନ୍ୟତ୍ର ବିରଳ। ବାପୁଜୀଙ୍କୁ ସେମାନେ ଦେଖି ନ ଥିଲେ କି ଭେଟି ନ ଥିଲେ। କିନ୍ତୁ ଅହିଂସାର, ସତ୍ୟାଗ୍ରହର ଏ ଲଢେଇରେ ସେମାନେ ଉତ୍ସର୍ଗ କରିଥିଲେ ନିଜକୁ।
1930 ରେ ଏ ଅଗନା ଅଗନି ବନସ୍ତ ମଧ୍ୟରେ ସ୍ଵାଧୀନତା ସଂଗ୍ରାମର ବୀଜ ବପନ ହେଲା । କୋରାପୁଟିଆ ଗାନ୍ଧୀ ରାଧାକୃଷ୍ଣ ବିଶ୍ଵାସ ରାୟଙ୍କ ସହ ରାଧାମୋହନ ସାହୁ , ସଦାଶିବ ତ୍ରିପାଠୀ, ମହମ୍ମଦ ବାଜୀ ସାହେବ, ସନୁ ମାଝୀ, ମାଧବ ପ୍ରଧାନୀ, ସଦାନନ୍ଦ ମହାନ୍ତି, ରବି ସିଁ ମାଝୀ, ବଗା ପୂଜାରୀ, ମିରୁ ହରିଜନ, ଚୈତନ୍ୟ ସେଠିଆ ,ରାଇଧର ଜାନି ପ୍ରମୁଖ ସାମିଲ ହେଲେ । ଗାଁ ଗାଁ ରେ ସ୍ଵାଧୀନତାର ବାର୍ତ୍ତା। ନିଶା ନିବାରଣ ସହ ଗ୍ରାମ ସଫେଇ , ପ୍ରତିବାଦ ସଭା ଜୋରସୋର ରେ ଚାଲିଲା ।
1942 ମସିହା ଅଗଷ୍ଟ 9 ତାରିଖ ରେ ଜାତିର ପିତା ମାହତ୍ମା ଗାନ୍ଧୀ ଆହ୍ଵାନ ଦେଲେ ଇଂରେଜ ଭାରତ ଛାଡ। କର୍ମୀଙ୍କ ପାଇଁ କର ବା ମର ର ଆହ୍ଵାନ। ଚାରିଆଡେ ବିଦ୍ୟୁତ ବେଗରେ ଖେଳିଗଲା ଏହି ଆହ୍ଵାନ। ସକ୍ରିୟ ହୋଇଗଲେ କର୍ମୀ । ସବୁଠି ସଭା ସମିତି , ନେତୃବର୍ଗଙ୍କ ଗିରଫଦାରୀ । ଏଭଳି ଏକ ଘଡିସନ୍ଧି ମୂହୁର୍ତ୍ତରେ କୋରାପୁଟିଆଙ୍କ ଗର୍ବ ଓ ଗୌରବ ବୀର ଲକ୍ଷ୍ମଣ ନାୟକଙ୍କୁ ଗିରଫ କରାଗଲା ଏକ ମିଛ କେସ ରେ । ନବରଙ୍ଗପୁରର ପ୍ରାୟ ସ୍ଵାଧୀନତା ସଂଗ୍ରାମୀ ଗିରଫ ହୋଇସାରିଥିଲେ। ଆନ୍ଦୋଳନର ନେତୃତ୍ଵ ନେଲେ ବାଘ ଶିଉନିର ମାଧବ ପ୍ରଧାନୀ ଓ ତାରା ଗାଁ ର ଚୈତନ୍ୟ ସେଠିଆ।
ନବରଙ୍ଗପୁରରୁ ପାପଡାହାଣ୍ଡି ରାସ୍ତାରେ ରହିଛି ଗୁମ୍ମା ଗୁଡା ଗାଁ। 23 ତାରିଖ ଦିନ ଏଠାରେ ସମସ୍ତ କର୍ମୀ ଏକତ୍ରିତ ହେବା ପରେ ତା ପରଦିନ ଅର୍ଥାତ 24 ତାରିଖ ଦିନ ଡାବୁ ଗାଁ ଠାରେ ପ୍ରତିବାଦ ସଭା କରାଯିବାକୁ ସ୍ଥିର କରାଗଲା।
1942 ମସିହା ଅଗଷ୍ଟ 24 ତାରିଖ । ନବରଙ୍ଗପୁରର ବିଭିନ୍ନ ସ୍ଥାନ ନନ୍ଦାହାଣ୍ଡି, ପାତ୍ରପୁଟ, ତୁରୁଞ୍ଜି, ମୁରଲାବାଇ, କଙ୍ଗ୍ରା ଉସୁରୀ ପଦର, ତଣ୍ଡା, ଫୁଫୁ ଗାଁ, ନୂଆ ଗାଁ , ଦଳେଇ ଗୁଡା , ବାଘ ଶିଉନି, ପିତା କୁମୁଲି, ସରୁ ଗୁଡା, ନିଶାନ ହାଣ୍ଡି ତାରା ଗାଁ, ମନ୍ତ୍ରୀ ଗୁଡା, ଫୋଟାକୋଟ , ଜାମ ଗୁଡା , ଅଟକ ବେଡା , ଦୁଖୁ ଗୁଡା , ମଞ୍ଚ ଗାଁ ଅଞ୍ଚଳରୁ ଶହ ଶହ କର୍ମୀ ଆସି ରୁଣ୍ଡ ହେଲେ। ସମସ୍ତଙ୍କ ହାତରେ ଝଣ୍ଡା। ମାଧବ ପ୍ରଧାନୀଙ୍କ ନେତୃତ୍ଵରେ ଧୀର ପଦବ୍ରଜରେ ଚାଲିଲେ ଡାବୁ ଗାଁ ଅଭିମୁଖେ । ସମସ୍ତଙ୍କ ମନରେ ଅପୂର୍ବ ଉତ୍ସାହ, ବନ୍ଦେ ମାତେରମରେ ପ୍ରକମ୍ପିତ ଗଗନ ପବନ । ଶ୍ରାବଣର ବର୍ଷାକୁ ଭ୍ରୂକ୍ଷେପ ନାହିଁ କାହାର। ବୀରଦର୍ପରେ ଆଗେଇ ଚାଲିଛନ୍ତି ସମସ୍ତେ। ଏ ଜନସମାବେଶକୁ ଲକ୍ଷ୍ୟ କରୁଥିଲେ ସରକାରୀ ଗୁପ୍ତଚର। ସେମାନଙ୍କ ଆଶଙ୍କା ଥିଲା ହୁଏତ ଏହି ସମସ୍ତ କର୍ମୀ ପାପଡାହାଣ୍ଡି ଓ ଡାବୁ ଗାଁ ଫାଣ୍ଡି ଘେରାଓ କରି ଜଳାପୋଡା କରିବେ। ପୂର୍ବରୁ ପୋଲିସ ବାହିନୀକୁ ସତର୍କ କରାଇ ଦିଆଯାଇଥିଲା । ସେତେବେଳେ ପାପଡାହାଣ୍ଡି ଫାଣ୍ଡିର ସର୍କଲ ଇନ୍ସପେକ୍ଟର ଥିଲେ ରାମକୃଷ୍ଣ ପଟ୍ଟନାୟକ। ଏ ମହାଶୟ ଜଣଙ୍କ ନିଜ କାର୍ଯ୍ୟ କଳାପ ପାଇଁ କଳା ନାଗ ନାମରେ କୁଖ୍ୟାତ ଥିଲେ। ଆସନ୍ନ ବିପଦର ଆଶଙ୍କାରେ ସଶସ୍ତ୍ର ଫୌଜ ପ୍ରସ୍ତୁତ କରଯାଇଥିଲା ।
ଏପଟେ ଶହ ଶହ ସ୍ଵରାଜ ସେନାନୀ ପହଞ୍ଚିଲେ ଆସି ପାପଡାହାଣ୍ଡି ଗ୍ରାମ ସଲଗ୍ନ ଟୁରୀ ନଦୀର କାଠ ପୋଲ ଉପରେ। ହଠାତ ଟ୍ରକ ଭର୍ତି ପୋଲିସ ଆସି ପଥ ଅବରୋଧ କଲେ ସେମାନଙ୍କର । ଆଦେଶ ହେଲା ସମସ୍ତେ ଫେରିଯାଅ। କେହି ଆଗକୁ ଯାଇପାରିବ ନାହିଁ। କିନ୍ତୁ କର୍ମୀ ଏ ଆଦେଶ ଅମାନ୍ୟ କଲେ। କହିଲେ ଆମେ ଆଗକୁ ବଢିବୁ। ସ୍ଵରାଜ ଆମର ଅଧିକାର । ଉଭୟ ପକ୍ଷ ମଧ୍ୟରେ ଆରମ୍ଭ ହେଲା ବଚସା ଓ ପାଟିତୁଣ୍ଡ। କାଠ ପୋଲର ଆଗରେ ପୋଲିସ, ପଛରେ ପୋଲିସ। ମଝିରେ ସ୍ଵରାଜ ସେନାନୀ। ଦୁଇ ପାର୍ଶ୍ଵରେ ଶ୍ରାବଣଭରା ଟୁରୀ ନଇ । ହଠାତ ଏକ ଅଭାବନୀୟ ଘଟଣା ଘଟିଗଲା। ଜଣେ ସେନାନୀ ହାତରେ ଥିବା ଫାରସା ବାଜି ଗଲା ସିପାହୀ ଏ ମୁତ୍ୟାଲୁଙ୍କ କାନରେ । ଧାର ଧାର ରକ୍ତ ବୋହିଗଲା। ଏହା ଦେଖି ଅତର୍କିତ ଭାବରେ ଗୁଳିଚାଳନା ପାଇଁ ଆଦେଶ ଦେଲେ ସୁବେଦାର କୈବଲ୍ୟ ଗୌଡ। ସେତୁର ପଛପଟୁ ପୋଲିସ ଦଳ ବି କୌଣସି ଘଟଣା ବିଷୟରେ ଅବଗତ ନ ହୋଇ ଆଦେଶ ପାଇ ଗୁଳି ଚଳାଇଲେ । ଗୁଳିବିଦ୍ଧ ହୋଇ ଘଟଣା ସ୍ଥଳରେ କେତେକଙ୍କ ମୃତ୍ୟୁ ହେଲା । ଅନେକେ ଟୁରୀ ନଦୀର ଅଥଳ ଜଳରାଶିରେ ଲମ୍ଫ ଦେଲେ। ଶହ ଶହ ସ୍ଵରାଜ ସେନାନୀଙ୍କ ଶୋଭାଯାତ୍ରା କ୍ଷଣକରେ ମୃତ୍ୟୁର ବିଭୀଷିକା ପାଲଟିଲା। ଟୁରୀ ନଦୀର ଜଳ ରକ୍ତ ରଞ୍ଜିତ ହୋଇସାରିଥିଲା । ନଦୀର ଜଳରେ କେତେଜଣଙ୍କ ମୃତ୍ୟୁ ହେଲା ତାର ହିସାବ କେହି ରଖିନାହିଁ । ଅନେକ ହସ୍ପିଟାଲରେ ପ୍ରାଣ ହରାଇଲେ। ଯେଉଁ କେତେଜଣ ବର୍ତ୍ତୀ ଗଲେ ସେମାନେ ଚିରଦିନ ପାଇଁ ପଙ୍ଗୁ ହୋଇଗଲେ।
ପାପଡାହାଣ୍ଡିର ଗୁଳିକାଣ୍ଡରେ ଶହୀଦ ହୋଇଥିବା ସେନାନୀଙ୍କ ନାମ ଶହୀଦ ମିନାରରେ ଲିପିବଦ୍ଧ ହୋଇଛି । ସେମାନେ ହେଲେ 1/ଭଗବାନ ପୂଜାରୀ- ଗ୍ରାମ ମନ୍ତ୍ରୀ ଗୁଡା, 2/ବିକ୍ରମ ଭତରା ଗ୍ରାମ- ଦଳେଇଗୁଡା, 3/ଖଗପତି ଅମନାତ୍ୟ - ଗ୍ରାମ କଙ୍ଗ୍ରା ,4/ ପରମାନନ୍ଦ ଶବର ଗ୍ରାମ- କଙ୍ଗ୍ରା, 5/ଆନନ୍ଦ ଗୌଡ – ଗ୍ରାମ ଦୁଖୁଗୁଡା , 6/ବଳି ସଉରା ଗ୍ରାମ- ଧଣ୍ଡ୍ରା, 7/ରତନ ରନ୍ଧାରି ଗ୍ରାମ – ତୁରୁଞ୍ଜି, 8/ବୁଦୁ ଅମନାତ୍ୟ – ଗ୍ରାମ- ତୁରୁଞ୍ଜି , 9/ମଙ୍ଗରୁ ଭତରା ଗ୍ରାମ- ଉମୁରି , 10/ଜଗନ୍ନାଥ ଅମନାତ୍ୟ ଗ୍ରାମ- ପାତ୍ରପୁଟ, 11/ଶୁକରୁ ମୁଦୁଳି ଗ୍ରାମ –ମୁର୍ଲାବାଈ,12/ସହଦେବ ପୂଜାରୀ ଗ୍ରାମ ମୁର୍ଲାବାଇ, 13/ସଦାଶିବ ରଣା ଗ୍ରାମ – ମଞ୍ଚା ଗାଁ , 14/ରାମଚନ୍ଦ୍ର ଅମନାତ୍ୟ- ଗ୍ରାମ ଫୁଫୁ ଗାଁ , 15/ରତନ ପୂଜାରୀ ଗ୍ରାମ ଉଷୁରି ପଦର, 16/ଘାସି ଜାନି ଗ୍ରାମ – ନୂଆ ଗାଁ 17/ଦୀନବନ୍ଧୁ ଜାନି, ଗ୍ରାମ ନୂଆ ଗାଁ , 18/ସୁଦୁ ଭତରା ଗ୍ରାମ- ନନ୍ଦାହାଣ୍ଡି , 19/ଶ୍ୟାମ ସୁନ୍ଦର ଗୌଡ ଗ୍ରାମ- ସରୁଗୁଡା । ପୋଲିସର ଗୁଳିରେ ଟଳି ପଡିଥିଲେ ଏମାନେ। କିନ୍ତୁ ଟୁରୀ ନଦୀରେ କେତେ ଜଣଙ୍କ ପ୍ରାଣ ଗଲା ତାହା ହୁଏତ ଟୁରୀ ନଦୀ କୁ ହିଁ ଜଣା । ଟୁରୀ ନଦୀ ତ କୋଳେଇ ନେଲା ତାର ପ୍ରିୟ ସନ୍ତାନଙ୍କୁ । ହୁଏତ ଗୁମୁରି କାନ୍ଦି ଉଠି ଥିବ ତା ମା ମନ, ଏହି ବୀର ସନ୍ତାନଙ୍କ ଶବକୁ ଦେଖି। ତେବେ ଶହୀଦ କେବେ ମରେ କି ? ଭାରତୀୟ ସ୍ଵାଧୀନତା ସଂଗ୍ରାମର ମୁକ୍ତି ମଶାଲକୁ ନିଜ ରକ୍ତରେ ପ୍ରଜ୍ଜ୍ଵଳିତ କରି ରଖିଥିବା ସେହି ଶହୀଦ ମାନେ କଣ କେବେ ମରିପାରିବେ? ସେମାନେ ତ ଚିର ନମସ୍ୟ।
ତେବେ ପାପଡାହାଣ୍ଡି ଗୁଳିକାଣ୍ଡ ସମ୍ପର୍କରେ ନବରଙ୍ଗପୁର ବିଧାନସଭା ନିର୍ବାଚିତ ସଭ୍ୟ ସଦାଶିବ ତ୍ରିପାଠୀ 1946 ରେ ଓଡିଶା ବିଧାନସଭାରେ ପ୍ରଶ୍ନ ପଚାରି ଥିଲେ। ତତ୍କାଳୀନ ଓଡିଶାର ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବ ସେହି ପ୍ରଶ୍ନର ଯେଉଁ ଉତ୍ତର ଦେଇଥିଲେ ସେଥିରେ ଘଟଣାସ୍ଥଳରେ 12 ଜଣ ସଂଗ୍ରାମୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ନେଇ ଉଲ୍ଲେଖ ରହିଛି। ପାପଡାହାଣ୍ଡି ଗୁଳିକାଣ୍ଡ ସମ୍ପର୍କିତ ସମସ୍ତ ତଥ୍ୟ ବିଧାନସଭାର ଦସ୍ତାବେଜରେ ସଂରକ୍ଷିତ ରହିଛି।
ପରବର୍ତ୍ତୀ ସମୟରେ ଦେଶ ସ୍ଵାଧୀନ ହେବା ପରେ ପାପଡାହାଣ୍ଡି ଗୁଳିକାଣ୍ଡରେ ମୃତ୍ୟୁ ବରଣ କରିଥିବା ଅମର ସ୍ଵାଧୀନତା ସଂଗ୍ରାମୀଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ମୃତକ ମାନଙ୍କୁ ଶାୟିତ କରାଯାଇଥିବା ସେହି ରକ୍ତରଞ୍ଜିତ ଭୂମି ଶଯ୍ୟାରେ ଶହୀଦ ମିନାର ନିର୍ମାଣ ପାଇଁ ସ୍ଥିର କରାଗଲା। 1981 ମସିହାରେ ସେହି ପବିତ୍ର ଟୁରୀ ନଦୀ ପଥରେ ପୂଣ୍ୟ ଭୂମିରେ ମିନାର ନିମନ୍ତେ ଭୂମିପୂଜା ହେଲା। ଏହି ଅଞ୍ଚଳକୁ ଗାନ୍ଧୀ ଜି ଙ୍କ ବାର୍ତ୍ତା ଆଣି ପ୍ରଥମେ ପ୍ରଚାର କରିଥିବା କୋରାପୁଟିଆ ଗାନ୍ଧୀ ରାଧାକୃଷ୍ଣ ବିଶ୍ଵାସ ରାୟ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହାର ତିନି ବର୍ଷ ପରେ 1984 ମେ 5 ତାରିଖ ଦିନ ତତ୍କାଳୀନ ଓଡିଶାର ରାଜ୍ୟପାଳ ଶ୍ରୀ ବିଶ୍ଵମ୍ବର ନାଥ ପାଣ୍ଡେ ଏହି ଐତିହାସିକ ଶହୀଦ ମିନାରକୁ ଉଦ୍ଘାଟନ କଲେ।
ଆଶ୍ଚର୍ଯ୍ୟ ହେବାକୁ ହୁଏ, ଯେଉଁ ବନବାସୀ ଦିନେ ପ୍ରକୃତି କୋଳରେ ଜୀବନ ବିତଉଥିଲା, ତା ଦୁନିଆରେ ମସଗୁଲ ଥିଲା। ଦୁଃଖ କଷ୍ଟର କର୍ମମୟ ତେଲ ଲୁଣ ସଂସାରର ଯାତନାକୁ ସହି ନେଉଥିଲା। ଲନ୍ଦା ଟିକିଏ ପିଦେଇ, ଧୂଙ୍ଗିଆ ଟିକେ ପାଟିରେ ପକେଇ ଢେମସା ନାଚି ଦେଉଥିଲା ଟିକକ ଖୁସି ପାଇଁ। ସେହି ମଣିଷ କ୍ରାନ୍ତିର ଶପଥ ନେଇ ବିପ୍ଲବ କରି ଦେଇଦେଲା ତାର ଚରମ ବଳିଦାନ। ସେହି ଅମର ସେନାନୀଙ୍କ ଅଶ୍ରୁତପୂର୍ବ ଗାଥା ଆଜି ବି ଝଙ୍କୃତ ହୁଏ ସେହି ମିନାରର କୋଣ ଅନୁକୋଣରେ । ଏ ଶହୀଦ ସ୍ତମ୍ଭ ନିଶ୍ଚିତ ରୂପେ ଏକ ଜାତୀୟ ତୀର୍ଥ ।
**********
(Release ID: 1851183)
Visitor Counter : 234