ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗ୍ଲାସଗୋଠାରେ ସିଓପି୨୬ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପ୍ରଦତ୍ତ ରାଷ୍ଟ୍ରୀୟ ବିବୃତ୍ତି

Posted On: 01 NOV 2021 11:30PM by PIB Bhubaneshwar

ବନ୍ଧୁଗଣ,

ଆଜି ମୁଁ ଆପଣଙ୍କ ଗହଣରେ, ଏହି ଭୂମିର ପ୍ରତିନିଧିତ୍ୱ କରୁଛି, ଯେଉଁ ଭୂମି ହଜାର ହଜାର ବର୍ଷ ପୂର୍ବେ ଏହି ମନ୍ତ୍ର ପ୍ରଦାନ କରିଥିଲା –

ସମ୍‌- ଗଚ୍ଛ- ଧ୍ୱମ୍‌,

ସମ୍‌- ବ- ଦଦ୍ୱମ୍‌,

ସମ- ବୋ ମାନସି ଜାନତାମ୍‌

ଆଜି ଏକବିଂଶ ଶତାବ୍ଦୀରେ ସୁଦ୍ଧା ଏହି ମନ୍ତ୍ର ଆହୁରି ମହତ୍ତ୍ୱପୂର୍ଣ୍ଣ ପାଲଟି ଯାଇଛି, ପ୍ରାସଙ୍ଗିକ ହୋଇ ଉଠିଛି ।

ସମ୍‌- ଗଚ୍ଛ- ଧ୍ୱମ୍‌ ଅର୍ଥାତ୍‌ ସମସ୍ତେ ସାଙ୍ଗସାଥୀ ହୋଇ ଚାଲିବା । ସମ୍‌- ବ- ଦ୍ୱଦମ୍‌ ଅର୍ଥାତ୍‌ ସମସ୍ତେ ମିଳିମିଶି ପରସ୍ପର ମଧ୍ୟରେ ଆଲୋଚନା କରିବା ଏବଂ ସମ୍‌ ବୋ ମାନସି ଜାନତାମ୍‌ କହିଲେ ଆମେ ବୁଝୁ ଯେ ସମସ୍ତଙ୍କ ମନ ପରସ୍ପର ମଧ୍ୟରେ ସଂଯୁକ୍ତ ହୋଇରହୁ ।

ବନ୍ଧୁଗଣ,

ଯେତେବେଳେ ମୁଁ ପ୍ରଥମ ଥର ଜଳବାୟୁ ଶିଖର ବୈଠକକୁ ପ୍ୟାରିସ ଆସିଥିଲି, ସେତେବେଳେ ମୋର ଏହା ଉଦ୍ଦେଶ୍ୟ ନଥିଲା ଯେ ବିଶ୍ୱରେ ହେଉଥିବା ଅନେକ ପ୍ରତିଶ୍ରୁତି ସହିତ ମୁଁ ବି ଆଉ ଗୋଟିଏ ପ୍ରତିଶ୍ରୁତି ଯୋଡ଼ିଦେବି ।

ମୁଁ ସମଗ୍ର ମାନବତା ନିମନ୍ତେ ଏକ ଭାବନାର ସହିତ ଆସିଥିଲି । ମୁଁ ଏହି ସଂସ୍କୃତିର ପ୍ରତିନିଧି ଭାବେ ସେଠାକୁ ଯାଇଥିଲି ଯେଉଁଥିରେ “ସର୍ବେ ଭବକ୍ତୁ ସୁଖିନଃ: ଅର୍ଥାତ୍‌ ସମସ୍ତେ ସୁଖଶାନ୍ତିରେ ସହାବସ୍ଥାନ କରନ୍ତୁ ଭଳି ବାର୍ତ୍ତା ଥିଲା । ସେଇଥିପାଇଁ ମୋ ପାଇଁ ପ୍ୟାରିସ୍‌ରେ ହୋଇଥିବା ଆୟୋଜନ, କେବଳ ଗୋଟିଏ ଶିଖର ବୈଠକ ନଥିଲା, ବିବୃତ୍ତି ଥିଲା, ଏକ ପ୍ରତିଶ୍ରୁତି ଥିଲା ।

ଏବଂ ଭାରତ ସେହି ପ୍ରତିଶ୍ରୁତି ବିଶ୍ୱକୁ ପ୍ରଦାନ କରୁନଥିଲା, ବରଂ ସେ ପ୍ରତିଶ୍ରୁତି ୧୨୫ କୋଟି ଭାରତବାସୀ ନିଜେ ନିଜକୁ କରୁଥିଲେ ଏବଂ ମୁଁ ଏଥିରେ ଆନନ୍ଦିତ ଯେ ଭାରତ ଭଳି ଏକ ବିକାଶଶୀଳ ରାଷ୍ଟ୍ର, ଯାହା କୋଟି କୋଟି ଗରିବ ଲୋକଙ୍କୁ ଦାରିଦ୍ର୍ୟରୁ ଉଦ୍ଧାର କରିବା କାର୍ଯ୍ୟରେ ନିୟୋଜିତ ରହିଛି; ଯାହା କୋଟି କୋଟି ଲୋକଙ୍କୁ ଇଜ୍‌ ଅଫ୍‌ ଲିଭିଂ ପ୍ରଦାନ ନିମନ୍ତେ ଦିନ ରାତି କାର୍ଯ୍ୟ କରିଚାଲିଛି । ଆଜି ବିଶ୍ୱର ମୋଟ ଜନସଂଖ୍ୟାର ୧୭ ପ୍ରତିଶତ ଜନସଂଖ୍ୟାର ଅଧିକାରୀ ହୋଇଥିବା କାରଣରୁ ଯାହାର ଉତ୍ସର୍ଜନରେ ଦାୟିତ୍ୱ କେବଳ ୫ ପ୍ରତିଶତ ରହିଛି ସେହି ଭାରତ ନିଜର କର୍ତ୍ତବ୍ୟ ପୂରଣ କରିଥିବା ଉଦାହରଣ ପ୍ରଦର୍ଶନ କରିବାକୁ କୌଣସି ଅବସର ହାତଛଡ଼ା କରିନାହିଁ ।

ଆଜି ସମଗ୍ର ବିଶ୍ୱ ଏକଥା ସ୍ୱୀକାର କରୁଛି ଯେ ଭାରତ ଏକମାତ୍ର ବିରାଟ ଅର୍ଥବ୍ୟବସ୍ଥା ଯିଏ ପ୍ୟାରିସ୍‌ କମିଟମେଣ୍ଟକୁ କାୟମନୋବାକ୍ୟରେ କାର୍ଯ୍ୟକାରୀ କରି ଏହାର ପରିଣାମ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପନ କରିପାରିଛି । ଆମେ ସଂକଳ୍ପବଦ୍ଧ ହୋଇ ସକଳ ପ୍ରକାର ସମ୍ଭାବ୍ୟ ପ୍ରୟାସ କରିଚାଲିଛୁ, ଏ ଦିଗରେ ପରିଶ୍ରମ କରୁଛୁ ଏବଂ ପରିଣାମ ଆଣି ଆପଣମାନଙ୍କ ଆଗରେ ପ୍ରଦର୍ଶନ କରିଛୁ ।

ବନ୍ଧୁଗଣ,

ଆଜି ଯେତେବେଳେ ମୁଁ ଆପଣମାନଙ୍କ ସମ୍ମୁଖକୁ ଆସିଛି ସେତେବେଳେ ଭାରତର ଟ୍ରାକ୍‌ ରେକର୍ଡକୁ ମଧ୍ୟ ଆଣି ଉପସ୍ଥିତ ହୋଇଛି । ମୋର କଥା, କେବଳ କିଛି ଶବ୍ଦ ନୁହେଁ, ଏହା ଭବିଷ୍ୟତ ପିଢ଼ିଙ୍କ ଉଜ୍ଜ୍ୱଳ ଭବିଷ୍ୟତର ମଧ୍ୟ ଜୟଘୋଷ ।

ଆଜି ଭାରତର ସ୍ଥାପିତ ଅକ୍ଷୟ ଶକ୍ତି କ୍ଷମତା ସମଗ୍ର ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି । ବିଗତ ୭ ବର୍ଷ ଭିତରେ ଭାରତର ଅଣ ଜୀବାଷ୍ମ ଶକ୍ତି କ୍ଷମତାରେ ୨୫ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିପାରିଛି । ଏବେ ଏହା ଆମର ଏନର୍ଜି ମିକ୍ସରେ ୪୦ ପ୍ରତିଶତ ଛୁଇଁ ସାରିଛି ।

ବନ୍ଧୁଗଣ,

ବିଶ୍ୱର ମୋଟ ଜନସଂଖ୍ୟର ଅଧିକ ଯାତ୍ରୀ ଭାରତୀୟ ରେଳ ପ୍ରତିବର୍ଷ ପରିବହନ କରିଥାଏ । ଏହି ବିଶାଳ ରେଳବ୍ୟବସ୍ଥା ନିଜକୁ ୨୦୩୦ ମସିହା ପର୍ଯ୍ୟନ୍ତ ‘ନେଟ୍‌ ଜିରୋ’ ଅଙ୍ଗାରାମ୍ଳ ଉତ୍ସର୍ଜନ କରିବା ଲକ୍ଷ୍ୟରେ ଏବେ କାର୍ଯ୍ୟ କରୁଛି । କେବଳ ଏହି କ୍ଷେତ୍ରରୁ ଆମେ ପ୍ରତିବର୍ଷ ୬୦ ନିୟୁତ ଟନ୍‌ ଉତ୍ସର୍ଜନ କମ୍‌ କରିପାରିବୁ । ଏହିଭଳି ଭାବେ ଆମର ବିଶାଲ ଏଲଇଡ଼ି ବଲ୍‌ବ ଅଭିଯାନ ବର୍ଷକୁ ୪୦ ନିୟୁତ ଟନ୍‌ ଉତ୍ସର୍ଜନ ହ୍ରାସ କରିପାରିବୁ । ଆଜି ଭାରତ ଦୃଢ଼ ଇଚ୍ଛାଶକ୍ତି ସହିତ ଏଭଳି ଅନେକ ପ୍ରୟାସ ଉପରେ ବେଶ୍‌ ଦ୍ରୁତ ବେଗରେ କାର୍ଯ୍ୟ କରୁଛି ।

ଏଥି ସହିତ ଭାରତ ଅନ୍ତରାଷ୍ଟ୍ରୀୟ ସ୍ତରରେ ବିଶ୍ୱକୁ ସହଯୋଗ କରିବା ନିମନ୍ତେ ଆନୁଷ୍ଠାନିକ ସମାଧାନ ସୂତ୍ର ମଧ୍ୟ ପ୍ରଦାନ କରିଛି । ସୌର ଶକ୍ତିରେ ଏକ ଯୁଗାନ୍ତକାରୀ ପଦକ୍ଷେପ ସ୍ୱରୂପ, ଆମେ ଅନ୍ତରାଷ୍ଟ୍ରୀୟ ସୌର ସଂଗଠନର ଶୁଭାରମ୍ଭ କରିଛୁ ।

କ୍ଲାଇମେଟ୍‌ ଆଡପସନ୍‌ ନିମନ୍ତେ ଆମେ ବିପର୍ଯ୍ୟୟ ସହନଶୀଳ ସଂସାଧନ ସହଯୋଗ ବ୍ୟବସ୍ଥା ନିର୍ମାଣ କରିଛୁ । ଏହା କୋଟି କୋଟି ଲୋକଙ୍କ ଜୀବନ ରକ୍ଷା କରିବା ସହିତ ଏକ ସମ୍ବେଦନଶୀଳ ଏବଂ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ସାବ୍ୟସ୍ତ ହୋଇପାରିଛି ।

ବନ୍ଧୁଗଣ,

ମୁଁ ଆଉ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ବିଷୟ ଉପରେ ଆପଣମାନଙ୍କ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚାହେଁ । ଆଜି ସମଗ୍ର ବିଶ୍ୱ ଏକଥା ସ୍ୱୀକାର କରୁଛି ଯେ ଜଳବାୟୁ ପରିବର୍ତ୍ତନ ନିମନ୍ତେ ଲାଇଫ ଷ୍ଟାଇଲ ଅଥବା ଜୀବନ ଶୈଳୀର ଏକ ବିରାଟ ବଡ଼ ଭୂମିକା ରହିଛି । ମୁଁ ଆଜି ଆପଣମାନଙ୍କ ସମ୍ମୁଖରେ ଗୋଟିଏ ‘ଏକକ ବିଶ୍ୱ ଆନ୍ଦୋଳନ’ର ପ୍ରସ୍ତାବ ଉପସ୍ଥାପନ କରୁଛି ।

ଏହି ଗୋଟିଏ ଶବ୍ଦ, ଜଳବାୟୁ ପରିପ୍ରେକ୍ଷୀରେ, ଏକ ବିଶ୍ୱର ମୂଳ ଆଧାର ହୋଇପାରିବ । ଅଧିଷ୍ଠାନ ହୋଇପାରିବ । ଏହି ଗୋଟିଏ ଶବ୍ଦ- ‘ଲାଇଫ’, ଏଲ, ଆଇ, ଏଫ, ଇ ଅର୍ଥାତ୍‌ ପରିବେଶ ପାଇଁ ଜୀବନଶୈଳୀ ହେଉଛି ଆଜିର ଆବଶ୍ୟକତା । କାରଣ ଆମେ ସଭିଏଁ, ଏକାସଙ୍ଗେ ଆସି, ସାମୂହିକ ଯୋଗଦାନର ସହ ପରିବେଶ ସକାଶେ ଜୀବନଶୈଳୀ ଅର୍ଥାତ୍‌ ଲାଇଫ୍‌କୁ ଏକ ଅଭିଯାନ ଭାବେ ଆଗକୁ ଆଗେଇ ନେଇପାରିବା ।

ଏହି ପରିବେଶ ସଚେତନ ଜୀବନ ଶୈଳୀକୁ ଏକ ଗଣ ଆନ୍ଦୋଳନରେ ପରିଣତ କରିପାରିବ । ଆଜିର ଆବଶ୍ୟକତା ହେଉଛ ଅଚିନ୍ତ୍ୟ ଏବଂ ବିନାଶକାରୀ ଉପଭୁକ୍ତି ପରିବର୍ତ୍ତେ  ଚିନ୍ତାଶୀଳ ତଥା ସଜ୍ଞାନଯୁକ୍ତ ଉପଭୁକ୍ତି ।

ଏହି ଆନ୍ଦୋଳନ, ଏକତ୍ର ମିଳିମିଶି ଏକ ଲକ୍ଷ୍ୟ ସ୍ଥିର କରିପାରିବେ ଯାହା ବିବିଧ କ୍ଷେତ୍ର ଯେମିତିକି ମାଛଧରା, କୃଷି, ନିରାମୟତା, ଖାଦ୍ୟ ଋଚି, ପ୍ୟାକେଜିଂ, ବାସଗୃହ ନିର୍ମାଣ, ଆତିଥ୍ୟ, ପର୍ଯ୍ୟଟନ, ପୋଷାକ ପରିଚ୍ଛଦ, ଫେଶନ, ଜଳ ପରିଚାଳନା ଏବଂ ଶକ୍ତି ଭଳି ଅନେକ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଘଟାଇପାରିବ ।

ଏହା ଏପରି ଏକ ବିଷୟ, ଯାହା ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକେ ପ୍ରତିଦିନ ସଚେତନ ଭାବେ ବାଛିବା ଓ ଗ୍ରହଣ କରିବାକୁ ପଡ଼ିବ । ସମଗ୍ର ବିଶ୍ୱରେ କୋଟି କୋଟି- ଶହ ଶହ କୋଟି ଲୋକଙ୍କ ପ୍ରତିଦିନର ଏହି ଚୟନ, ଜଳବାୟୁ ପରିବର୍ତ୍ତନ ବିରୁଦ୍ଧରେ ସଂଗ୍ରାମକୁ ପ୍ରତି ଦିନ, ଶହ ଶହ କୋଟି ପାହୁଣ୍ଡ ଆଗକୁ ଆଗେଇ ନେଇଯିବ ।  ମୁଁ ଏହି ଆର୍ଥିକ ଆଧାରର ସହିତ, ବୈଜ୍ଞାନିକ ଆଧାର ସହିତ, ବିଗତ ଶତାବ୍ଦୀର ଅନୁଭବର ଆଧାର ସହିତ, ପ୍ରତିଟି ପରୀକ୍ଷାରେ ସଫଳତା ହାସଲ କରାଯିବାକୁ ଥିବା ଆନ୍ଦୋଳନ ବୋଲି ବିଶ୍ୱାସ କରେ ।  ଗଣଠାରୁ ସମଷ୍ଟିର ଏହି ମାର୍ଗ ବାହାରିବ । ମୁଁ ଠାରୁ ଆମମାନଙ୍କ କଲ୍ୟାଣ ଏହି ମାର୍ଗ ପ୍ରଦର୍ଶନ କରିବ ।

ବନ୍ଧୁଗଣ,

ଜଳବାୟୁ ପରିବର୍ତ୍ତନ ଉପରେ ଏହି ବୈଶ୍ୱିକ ମନ୍ଥନ ମଧ୍ୟରେ ମୁଁ ଭାରତ ତରଫରୁ ଏହି ଚାଲେଞ୍ଜରୁ ମୁକୁଳିବା ସକାଶେ ପାଞ୍ଚଟି ଅମୃତ (ପରାମର୍ଶ) ରଖିବାକୁ ଚାହୁଁଛି । ପଞ୍ଚାମୃତର ମାର୍ଗ ପ୍ରଦାନ କରିବାକୁ ଚାହେଁ ।

ପ୍ରଥମ: ଭାରତ, ୨୦୩୦ ପର୍ଯ୍ୟନ୍ତ ନିଜର ଅଣ- ଜୀବାଷ୍ମ କ୍ଷମତାକୁ ୫୦୦ ଗିଗାୱାଟ ପର୍ଯ୍ୟନ୍ତ ପହଞ୍ଚାଇବ ।

ଦ୍ୱିତୀୟ: ଭାରତ, ୨୦୩୦ ମସିହା ସୁଦ୍ଧ ନିଜର ୫୦ ପ୍ରତିଶତ ଶକ୍ତି ଆବଶ୍ୟକତା, ଅକ୍ଷୟ ଶକ୍ତି ମାଧ୍ୟମରୁ ହିଁ ପୂରଣ କରିବ ।

ତୃତୀୟ: ଭାରତ ଏବେଠାରୁ ନେଇ ୨୦୩୦ ସୁଦ୍ଧା ମୋଟ ପ୍ରୋଜେକ୍ଟେଡ଼୍‌ କାର୍ବନ ଉତ୍ସର୍ଜନରେ ଏକ ବିଲିୟନ୍‌ ଟନ୍‌ ହ୍ରାସ କରିବ ।

ଚତୁର୍ଥ: ୨୦୩୦ ମସିହା ପର୍ଯ୍ୟନ୍ତ ଭାରତ, ନିଜର ଅର୍ଥବ୍ୟବସ୍ଥାର କାର୍ବନ ଇଣ୍ଟେନସିଟିକୁ ୪୫ ପ୍ରତିଶତରୁ ଅଧିକ ହ୍ରାସ କରିବ ।

ପଞ୍ଚମ: ବର୍ଷ ୨୦୭୦ ସୁଦ୍ଧା ଭାରତ ନେଟ୍‌ ଜିରୋ ଲକ୍ଷ୍ୟ ହାସଲ କରିବ ।

ଏହି ପଞ୍ଚାମୃତ, ଜଳବାୟୁ କାର୍ଯ୍ୟପନ୍ଥାରେ ଭାରତର ଏକ ଅଭୂତପୂର୍ବ ଯୋଗଦାନ ହେବ ।

ବନ୍ଧୁଗଣ,

ଏହି ସତ୍ୟ ଆମ ସମସ୍ତଙ୍କୁ ଜଣା ଯେ ଜଳବାୟୁ ଫାଇନାନ୍ସକୁ ନେଇ ଆଜି ପର୍ଯ୍ୟନ୍ତ ଦିଆଯାଇ ଆସିଥିବା ପ୍ରତିଶ୍ରୁତି ଫମ୍ପା ବୋଲି ସାବ୍ୟସ୍ତ ହୋଇଛି । ଯେତେବେଳେ ଆମେ ସମସ୍ତେ ଜଳବାୟୁ କାର୍ଯ୍ୟପନ୍ଥା ଉପରେ ନିଜର ଆକାଂକ୍ଷାକୁ ବୃଦ୍ଧି କରିଚାଲିଛେ, ସେତେବେଳେ ଜଳବାୟୁ ଫାଇନାନ୍ସ ଉପରେ ବିଶ୍ୱର ମହତ୍ତ୍ୱାକାଂକ୍ଷା ସେହିଠାରେ ରହିପାରିବନାହିଁ ଯାହା ପ୍ୟାରିସ୍‌ ରାଜିନାମା ସମୟରେ ଥିଲା ।

ଆଜି ଯେତେବେଳେ ଭାରତ ଏକ ନୂତନ ପ୍ରତିବଦ୍ଧତା ଏବଂ ଏକ ନୂତନ ଶକ୍ତିର ସହିତ ଆଗକୁ ବଢ଼ିବାର ସଂକଳ୍ପ ନେଇଛି, ସେତେବେଳେ ଜଳବାୟୁ ଫାଇନାନ୍ସ ଏବଂ ସ୍ୱଳ୍ପ ମୂଲ୍ୟର ଜଳବାୟୁ ପ୍ରଯୁକ୍ତିର ହସ୍ତାନ୍ତରଣ ଆହୁରି ମହତ୍ତ୍ୱପୂର୍ଣ୍ଣ ହୋଇଯାଇଛି ।

ଭାରତ ଏହି ପ୍ରତ୍ୟାଶା ରଖେ ଯେ ବିକଶିତ ରାଷ୍ଟ୍ରମାନେ ଯେତେ ଶୀଘ୍ର ସମ୍ଭବ ସେତେ ଶୀଘ୍ର ୧ ଟ୍ରିଲିୟନ୍‌ ଡଲାରର କ୍ଲାଇମେଟ୍‌ ଫାଇନାନ୍ସ ଉପଲବ୍ଧ କରାଇବା ଉଚିତ । ଆଜିର ଆବଶ୍ୟକତା ଏହା ଯେ ଯେଭଳି ଆମେ ଜଳବାୟୁ ସମାଧାନରେ ହୋଇଥିବା ପ୍ରତିକୁ ଟ୍ରାକ୍‌ କରିପାରୁଛେ, ସେହିଭଳି ଆମେ କ୍ଲାଇମେଟ୍‌ ଫାଇନାନ୍ସକୁ ମଧ୍ୟ ଟ୍ରାକ୍‌ କରିବା ଆବଶ୍ୟକ । ଉଚିତ ନ୍ୟାୟ ତ ଏହା ହେବ ଯେ ଯେଉଁ ରାଷ୍ଟ୍ର ଜଳବାୟୁ ଫାଇନାନ୍ସ ଉପରେ କରିଥିବା ନିଜର ପ୍ରତିଶ୍ରୁତିକୁ ପୂରଣ କରିବା ଦିଗରେ ବିଫଳ ହେବେ ସେମାନଙ୍କ ଉପରେ ଚାପ ପ୍ରୟୋଗ କରାଯିବା ଜରୁରି ।

ବନ୍ଧୁଗଣ

ଆଜି ଭାରତ ଜଳବାୟୁ  ପ୍ରସଙ୍ଗରେ ବହୁତ ବଡ଼ ସାହସୀ ଏବଂ ବଡ଼ ମହତ୍ତ୍ୱାକାଂକ୍ଷାର ସହିତ ଆଗକୁ ବଢ଼ୁଛି । ଭାରତ, ଅନ୍ୟ ସମସ୍ତ ବିକାଶଶୀଳ ରାଷ୍ଟ୍ରଙ୍କ ପୀଡ଼ାକୁ ମଧ୍ୟ ହୃଦୟଙ୍ଗମ କରୁଛି, ଏହାକୁ ଅନୁଭବ କରୁଛି, ସମାଧାନ କରିବା ପାଇଁ ପ୍ରୟାସ କରୁଛି । ପୁଣି ସେମାନଙ୍କର ପ୍ରତ୍ୟାଶାର ଅଭିବ୍ୟକ୍ତି ମଧ୍ୟ ନିରନ୍ତର କରିଚାଲିଛି । କେତେକ ବିକାଶଶୀଳ ଦେଶ ନିମନ୍ତେ ଜଳବାୟୁ ପରିବର୍ତ୍ତନ  ସେମାନଙ୍କର ଅସ୍ତିତ୍ୱ ଉପରେ ଘନୀଭୂତ ହୋଇ ଏକ ବିରାଟ ସଂକଟରେ ପରିଣତ ହୋଇଚାଲିଛି ।

ଆମକୁ ବିଶ୍ୱକୁ ବଞ୍ଚାଇବା ନିମନ୍ତେ, ଆଜି ବଡ଼ ପଦକ୍ଷେପ ଉଠାଇବାକୁ ପଡ଼ିବ । ଏହା ହେଉଛି ସମୟର ଆବଶ୍ୟକତା ଏବଂ ଏହା ଏହି ଫୋରମର ପ୍ରାସଙ୍ଗିକତାକୁ ମଧ୍ୟ ସିଦ୍ଧ କରିବ ।

ମୋର ବିଶ୍ୱାସ ଯେ ଗ୍ଲାସଗୋରେ ନିଆଯିବାକୁ ଥିବା ନିର୍ଣ୍ଣୟ, ଆମର ଭାବୀ ପିଢ଼ିଙ୍କ ଭବିଷ୍ୟତକୁ ବଞ୍ଚାଇ ପାରିବ, ଏହାକୁ ସୁରକ୍ଷିତ ରଖିପାରିବ ଏବଂ ସମୃଦ୍ଧ ଜୀବନକୁ ଉପହାର ପ୍ରଦାନ କରିବ ।

ଅଧ୍ୟକ୍ଷଜୀ, ମୁଁ ଅଧିକ ସମୟ ନେଇଥିବାରୁ ଆପଣଙ୍କ ଠାରୁ କ୍ଷମା ଚାହୁଁଛି, କିନ୍ତୁ ବିକାଶଶୀଳ ରାଷ୍ଟ୍ରମାନଙ୍କ ସ୍ୱର ଉଠାଇବା ନିମନ୍ତେ ଏହା ମୋର କର୍ତ୍ତବ୍ୟ ବୋଲି ମୁଁ ବିଶ୍ୱାସ କରେ । ସେଥିପାଇଁ ମୁଁ ଏହା ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରୁଛି ମୁଁ ପୁଣି ଥରେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି ।

 ଧନ୍ୟବାଦ!

*****************

SS/DD



(Release ID: 1768874) Visitor Counter : 248


Read this release in: English