ଅର୍ଥ ମନ୍ତ୍ରଣାଳୟ

ଲକ୍ଷ୍ମୀ ବିଳାସ ବ୍ୟାଙ୍କ ସହ ଡିବିଏସ ବ୍ୟାଙ୍କର ମିଶ୍ରଣ ଯୋଜନାକୁ କ୍ୟାବିନେଟର ଅନୁମୋଦନ

ପୋଷ୍ଟ କରାଯିବା ଦିନାଙ୍କ: 25 NOV 2020 3:35PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଲକ୍ଷ୍ମୀବିଳାସ ବ୍ୟାଙ୍କ ଲିମିଟେଡ (ଏଲଭିବି) ସହ ଡିବିଏସ ବ୍ୟାଙ୍କ ଇଣ୍ଡିଆ ଲିମିଟେଡ (ଡିବିଆଇଏଲ) ମିଶ୍ରଣକୁ ଅନୁମୋଦନ କରାଯାଇଛି । ଗତ 17 ତାରିଖ ଦିନ ଜମାକାରୀମାନଙ୍କ ସ୍ଵାର୍ଥ ତଥା ବ୍ୟାଙ୍କର ଆର୍ଥିକ ସ୍ଥିତି ଓ ସ୍ଥାୟିତ୍ଵ ଦୃଷ୍ଟିରୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଆବେଦନ ତଥା ବ୍ୟାଙ୍କ ନିୟନ୍ତ୍ରଣ ଆଇନ 1949ର 45 ଧାରା ଅନୁସାରେ ଲକ୍ଷ୍ମୀବିଳାସ ବ୍ୟାଙ୍କର ନେଣ ଦେଣ କାର୍ଯ୍ୟକୁ 30 ଦିନ ପାଇଁ ଅଚଳ କରାଯାଇଥିଲା । ଭାରତୀୟ ରିଜର୍ଭ ବ୍ୟାଙ୍କ ସରକାରଙ୍କ ସହ ଆଲୋଚନା ପରେ ଏଲଭିବିର ବୋର୍ଡ ନିର୍ଦ୍ଦେଶକମାନଙ୍କୁ ଉପେକ୍ଷା କରି ଜମାକାରୀମାନଙ୍କ ସ୍ଵାର୍ଥ ରକ୍ଷା ପାଇଁ ଜଣେ  ପ୍ରଶାସକକୁ ନିଯୁକ୍ତି ଦେଇଥିଲା । ଜନସାଧାରଣ ଓ ଅଂଶିଦାରମାନଙ୍କ ଆପତ୍ତି ଅଭିଯୋଗ ତଥା ପ୍ରସ୍ତାବକ୍ରମେ ଆରବିଆଇ ବ୍ୟାଙ୍କର ସମିଶ୍ରଣ ପାଇଁ ଏକ ଯୋଜନା ପ୍ରସ୍ତୁତ କରି ସରକାରଙ୍କ ମଞ୍ଜୁରି ପାଇଁ ପଠାଇଥିଲା । ଏହା ଯଥେଷ୍ଟ ଆଗରୁ ପଠାଯାଇଥିଲା ଯାହାଫଳରେ କି ନେଣ ଦେଣ କାର୍ଯ୍ୟର କଟକଣା ଯୋଗୁଁ ଜମାକାରୀମାନଙ୍କ ଅର୍ଥ  ଉଠାଣ ନେଇ କୌଣସି ଅସୁବିଧା ହେବନାହିଁ । ଯୋଜନାର ଅନୁମୋଦନ କ୍ରମେ ଏଲଭିବି  ବ୍ୟାଙ୍କ ଡିବିଆଇଏଲରେ ବିଲୟ ହେବ ଏବଂ ଜମାକାରୀମାନେ ସେମାନଙ୍କ ଅର୍ଥ ଉଠାଣ ନେଇ କୌଣସି କଟକଣାର  ସମ୍ମୁଖୀନ ହେବେ ନାହିଁ ।

ଡିବିଆଇଏଲ ଆରବିଆଇ ଦ୍ଵାରା ଲାଇସେନ୍ସ ପ୍ରାପ୍ତ ଓ ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଛି । ଡିବିଆଇଏଲର ଏକ ଉନ୍ନତ ବାଲାନ୍ସସିଟ ଓ ମଜବୁତ ପୁଞ୍ଜି ହୋଇଛି । ସିଙ୍ଗାପୁରରେ ଏହାର ମୁଖ୍ୟାଳୟ ଥିବା ବେଳେ ଏହା  ଏସିଆ ମହାଦେଶର ଏକ  ଅଗ୍ରଣୀ  ଅର୍ଥସେବା ଗ୍ରୁପ ଭାବେ ପରିଗଣିତ ହେଉଛି । ଏହି ମିଶ୍ରଣ ପରେ ଡିବିଆଇଏଲର ବାଲାନ୍ସସିଟ ମଜବୁତ ରହିବା ସହ ଏହାର  ଶାଖା ସଂଖ୍ୟା 600କୁ ବୃଦ୍ଧି ପାଇବ । ଏହିପରି ତୁରନ୍ତ  ସମିଶ୍ରଣ  ତଥା ସରକାରଙ୍କ  ଅଙ୍ଗୀକାରବଦ୍ଧତା ଯୋଗୁଁ ଏକ ସ୍ଵଚ୍ଛ ବ୍ୟାଙ୍କିଙ୍ଗ ସେବା ଦିଆଯିବା ସହ ଜମାକାରୀ ଓ ଜନସାଧାରଣଙ୍କର ସ୍ଵାର୍ଥ ରକ୍ଷା ମଧ୍ୟ ହୋଇପାରିବ ।   

 

**********


(ରିଲିଜ ଆଡି: 1675888) ପରିଦର୍ଶକ କାଉଣ୍ଟର : 145