PIB Headquarters
ଲକଡାଉନରେ ହାତବାନ୍ଧି ବସିଥିବା ନିର୍ମାଣ ଶ୍ରମିକଙ୍କୁ ସହାୟତା
• ବର୍ତ୍ତମାନସୁଦ୍ଧା ଦେଶର 2.20 କୋଟି ନିର୍ମାଣ ଶ୍ରମିକଙ୍କୁ ସହାୟତା
• 15ଶହ ଟଙ୍କା ଆର୍ଥିକ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ହିତାଧିକାରୀ
ପୋଷ୍ଟ କରାଯିବା ଦିନାଙ୍କ:
09 MAY 2020 7:21PM by PIB Bhubaneswar
କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି କେନ୍ଦ୍ର ସରକାର ସାରା ଦେଶରେ ଲକଡାଉନ ଜାରି କରିଛନ୍ତି । ଏହି ଲକଡାଉନ ଦ୍ୱାରା ଦେଶର ଆର୍ଥିକ କାରବାର ପ୍ରଭାବିତ ହେବ ଏବଂ ଗରିବ, ଶ୍ରମିକ ଶ୍ରେଣୀର ଲୋକମାନେ ବିଶେଷ ଭାବେ ପ୍ରଭାବିତ ହେବେ ବୋଲି ହୃଦୟଙ୍ଗମ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ସରକାର 1.70 ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଏହି ପ୍ୟାକେଜ ଜରିଆରେ କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକମାନଙ୍କୁ 1500 ଟଙ୍କା ସହାୟତା ଯୋଗାଇ ଦେବା ନିମନ୍ତେ ନିର୍ଣ୍ଣୟ ନିଆଯାଇଥିଲା । ଇତିମଧ୍ୟରେ ଦେଶର 2.20 କୋଟି ନିର୍ମାଣ ଶ୍ରମିକ ଏହି ସହାୟତା ପାଇସାରିଲେଣି । ଏ ବାବଦରେ 3492.57 କୋଟି ଟଙ୍କା ବିତରଣ କରାଯାଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ଆଇନ ବଳରେ ଗଠିତ କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠିରୁ ଏହି ସହାୟତା ଯୋଗାଇ ଦିଆଯାଉଛି । ଆର୍ଥିକ ପ୍ୟାକେଜ ଘୋଷଣା କରିବା ସମୟରେ ଏହି ପାଣ୍ଠିରୁ ଅର୍ଥ ବିନିଯୋଗ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିଲା । ଦେଶର ମୋଟ 3.5 କୋଟି ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ଏହି ଯୋଜନାରେ ସହାୟତା ଦେବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନାରେ ସହାୟତା ପାଇଥିବା ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସରକାରଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଏହି ଯୋଜନାରେ ସହାୟତା ଯୋଗାଇ ଦିଆଯାଉଛି । ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ପାତ୍ରପୁଟ ପଞ୍ଚାୟତର ନିର୍ମାଣ ଶ୍ରମିକମାନେ 1500 ଟଙ୍କା ଲେଖାଏଁ ସହାୟତା ପାଇବା ପରେ ଖୁସି ବ୍ୟକ୍ତ କରିଛନ୍ତି । ଏହି ପଞ୍ଚାୟତ ଅନ୍ତର୍ଗତ ମେଙ୍ଗ୍ରା ଗ୍ରାମର ଶ୍ରମିକ ଭଗତ ବିଶୋୟୀ ଓ ଭଗବତୀ ବିଶୋୟୀ ଲକଡାଉନ ସମୟରେ ସହାୟତା ପାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି । କରୋନା ମହାମାରୀ କାରଣରୁ କାମଧନ୍ଦା ବନ୍ଦଥିବା ବେଳେ ଏହି ଆର୍ଥିକ ସହାୟତା ଦ୍ୱାରା ପରିବାର ଚଳାଇବା ସେମାନଙ୍କ ପାଇଁ ସହଜ ହୋଇପାରିବ ବୋଲି ଦୁହେଁ ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଏଥିସହିତ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଆର୍ଥିକ ସହାୟତା ଯୋଗାଇ ଦେଇଥିବାରୁ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଧନ୍ୟବାଦ ଜଣାଇଛନ୍ତି ।
**********
(ରିଲିଜ ଆଡି: 1622533)
ପରିଦର୍ଶକ କାଉଣ୍ଟର : 90