PIB Headquarters

ଲକଡାଉନ ସମୟରେ ବେସାହାରା ଶ୍ରମିକଙ୍କୁ ଉପାର୍ଜନ ଯୋଗାଇଛି ଏମଜିଏନଆରଇଜିଏସ

• ସାରା ଦେଶରେ 5.97 କୋଟି ଶ୍ରମ ଦିବସ ସୃଷ୍ଟି, ରାଜ୍ୟଗୁଡ଼ିକୁ 21,032 କୋଟି ଟଙ୍କାର ପାଣ୍ଠି ଯୋଗାଣ
• ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଲେ ଗଜପତି ଜିଲ୍ଲାର ଜବକାର୍ଡଧାରୀ ଶ୍ରମିକ

Posted On: 08 MAY 2020 7:22PM by PIB Bhubaneshwar

କରୋନା ଭୂତାଣୁ ସଂକ୍ରମଣ କାରଣରୁ ସାରା ଦେଶରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକଡାଉନ ଜାରି କରାଯାଇଛି । ଏହି ସମୟରେ କାମଧନ୍ଦା ନପାଇ ବେସାହାରା ହୋଇପଡ଼ିଥିବା ଶ୍ରମିକଙ୍କୁ ସାହାରା ଦେଇଛି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମଜିଏନଆରଇଜିଏସ) । ଲକଡାଉନ କାରଣରୁ ଦେଶର ଶ୍ରମିକ ଶ୍ରେଣୀର ଲୋକଙ୍କୁ ଅଧିକ ଆର୍ଥିକ ଲାଭ ସହିତ କର୍ମସଂସ୍ଥାନ ଯୋଗାଇ ଦେବା ଉଦେ୍ଦଶ୍ୟରେ କେନ୍ଦ୍ର ସରକାର ଏହି ଯୋଜନାରେ ଦୈନିକ ମଜୁରି 20 ଟଙ୍କା ଲେଖାଏଁ ବୃଦ୍ଧି କରିଥିଲେ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଏହି ବୃଦ୍ଧି କରାଯାଇଥିଲା । ଏ ସଂକ୍ରାନ୍ତରେ ଏପ୍ରିଲ ମାସରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଯାବତ ସାରା ଦେଶରେ ଏହି ଯୋଜନାରେ ମୋଟ 5.97 କୋଟି ଶ୍ରମ ଦିବସ ସୃଷ୍ଟି କରାଯାଇସାରିଲାଣି । ମଜୁରି ଓ ବିଭିନ୍ନ ସାମଗ୍ରୀ ବାବଦ ବକେୟା ଅର୍ଥ ଶ୍ରମିକଙ୍କୁ ପ୍ରଦାନ କରିବା ଲାଗି ବର୍ତମାନସୁଦ୍ଧା ରାଜ୍ୟ ସରକାରଙ୍କୁ 21,032 କୋଟି ଟଙ୍କା ଯୋଗାଇ ଦିଆଯାଇଛି ।

ଏମଜିଏନଆରଇଜିଏସର ଯୋଜନା କାର୍ଯ୍ୟକାରୀ ହେବା ଫଳରେ କର୍ମସଂସ୍ଥାନ ପାଇଥିବା ଦେଶର ଶ୍ରମିକମାନେ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ଇତିମଧ୍ୟରେ ଜବକାର୍ଡଧାରୀ ଶ୍ରମିକମାନେ ଏହି ଯୋଜନାରେ କାମ ପାଇପାରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରୁ ଏବେ ଶ୍ରମିକମାନଙ୍କର ପ୍ରତିକ୍ରିୟା ହସ୍ତଗତ ହୋଇଛି । ଗଜପତି ଜିଲ୍ଲା ଗୋସାଣି ବ୍ଲକ କତଲକଇଠା ପଞ୍ଚାୟତର ଜନଜାତି ବହୁଳ ଇଲାକା ମାର୍କଡ଼ା ଗ୍ରାମର ଲୋକମାନେ ଏମଜିଏନଆରଇଜିଏସ ଯୋଜନାରେ କାମ ପାଇ ଖୁସି ବ୍ୟକ୍ତ କରିଛନ୍ତି । ଅତ୍ୟନ୍ତ ଗରିବ ଶ୍ରେଣୀର ଏହି ଶ୍ରମିକମାନେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଆମେ ବହୁତ ଗରିବ ଶ୍ରେଣୀର । ଲକଡାଉନ ସମୟରେ ଆମର ସବୁ କାମଧନ୍ଦା ବନ୍ଦ ହୋଇଗଲା । ଦୀର୍ଘଦିନ ଧରି ଏଭଳି ଦୁର୍ଦ୍ଦିନ ସମୟରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଥିଲା । ଏଭଳି ସ୍ଥିତିରେ ଗାଁ ପାଖରେ ଏମଜିଏନଆରଇଜିଏସ ଯୋଜନାରେ କାମ ମିଳିବା ଯୋଗୁ ଆମକୁ ବେଶ ଆଶ୍ୱସ୍ତି ମିଳିଛି । ଆମର ଅସୁବିଧା ପ୍ରତି ଧ୍ୟାନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ପ୍ରତି ଆମେ କୃତଜ୍ଞ ।

ମର୍କଡ଼ା ଗ୍ରାମର ହିତାଧିକାରୀମାନେ ଗାଁ ଉପକଣ୍ଠରେ ଥିବା ଖାଲୁଆ ଜାଗାରେ ପୋଖରୀ ଖେଳୁଛନ୍ତି । ଗାଁ ପାଖରେ ଥିବା ଶତାଧିକ ଏକର ଚାଷ ଜମିକୁ ଏଠାରୁ ଜଳସେଚନ କରାଯିବ । ଏହି କାମରେ ମୋଟ 18 ଜଣ ମହିଳା ଓ ପୁରୁଷ ଶ୍ରମିକ ନିୟୋଜିତ ରହିଛନ୍ତି । ସେମାନେ ମୁହଁରେ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରି କାମ କରୁଛନ୍ତି । ଏମାନଙ୍କ ମଧ୍ୟରୁ ଦୁଇ ଜଣ ଶ୍ରମିକ ଶିପନୀୟ ଶବର ଓ ସୁଧୀର ଶବର ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଲକଡାଉନ ଭଳି ଦୁର୍ଦ୍ଦିନରେ ଆମର କାମଧନ୍ଦା ବନ୍ଦ ହୋଇଯାଇଥିଲା । ପରିବାର ଚଳାଇବା କଷ୍ଟକର ହୋଇପଡ଼ିଥିଲା । ଆମକୁ କାମ ଓ ବର୍ଦ୍ଧିତ ମଜୁରି ଦେବା କାରଣରୁ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଉଛୁ ।

 

**********



(Release ID: 1622206) Visitor Counter : 76