PIB Headquarters
6ଟି ଉପସାଗରୀୟ ଦେଶର ଓଡିଆ ସମାଜର ବ୍ୟକ୍ତିମାନଙ୍କ ସହ ଭିଡିଓ କନଫରେନ୍ସିଂ
• କରୋନା ପରବର୍ତ୍ତୀ ଭାରତ ପାଇଁ ସମ୍ଭାବନାର ସୁଯୋଗରେ ଓଡିଶାର ଭାଗ ପାଇଁ ଉଦ୍ୟମ କରିବା - ଧର୍ମେନ୍ଦ୍ର ପ୍ରଧାନ
• ୟୁଏଇ, କତାର, ସାଉଦିଆରବ, ବାହାରିନ୍, କୁଏତ୍ ଏବଂ ଓମାନର ଓଡିଆ ବ୍ୟକ୍ତି ସାମିଲ
• ଓଡିଶାର ବିକାଶ ପାଇଁ ସହଯୋଗର ହାତ ବଢାଇବା ପାଇଁ ଓଡିଆ ବ୍ୟକ୍ତିତ୍ୱଙ୍କ ସହମତି
• କରୋନା ମୁକାବିଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା
ପୋଷ୍ଟ କରାଯିବା ଦିନାଙ୍କ:
03 MAY 2020 8:30PM by PIB Bhubaneswar
ମେ 03 – ଉପସାଗରୀୟ ଦେଶ ସମୂହର 6ଟି ପ୍ରମୁଖ ଦେଶରେ ରହୁଥିବା ଓଡିଆ ସମାଜର ବ୍ୟକ୍ତିମାନଙ୍କ ସହ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କରୋନା ପରବର୍ତ୍ତୀ ପରିସ୍ଥିତିରେ ଭାରତ ବିଶ୍ୱ ଅର୍ଥନୀତିର ସମ୍ଭାବନାର କେନ୍ଦ୍ର ହେବା ନେଇ ଆକଳନ କରାଯାଉଛି । ଭାରତ ପାଇଁ ସୃଷ୍ଟି ହେଉଥିବା ସମ୍ଭାବନାକୁ କିପରି ଆମ ରାଜ୍ୟ ଓଡିଶା ମୁହାଁ କରିହେବ ଏବଂ ଓଡିଶା ଏଥିରୁ ଲାଭ ପାଇପାରିବ, ଏହା ଜଣେ ଓଡିଆ ଭାବରେ ସମସ୍ତଙ୍କ ଦାୟିତ୍ୱ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ କରୋନା ମୁକାବିଲା ଭାରତକୁ ଲାଭ ଦେଇଛି ।
ପ୍ରଧାନମନ୍ତ୍ରୀ ପ୍ରଥମେ ଜୀବନ ଏବଂ ପରେ ଜୀବିକା ବୋଲି କହି ଭାରତର ପ୍ରତ୍ୟେକ ନାଗରିକଙ୍କ ଜୀବନ ବଂଚାଇବା ଉପରେ ଗୁରୁତ୍ୱ ଦେଇଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଲୋକଙ୍କ ଜୀବନ ସହ ଜୀବିକାର ସୁରକ୍ଷାର କଥା କହିଥିଲେ ।
ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମରେ ଆଗାମୀ ଦିନ ମାନଙ୍କରେ ଭାରତ ବିଶ୍ୱର ବଡ ବ୍ରାଣ୍ଡ୍ ହେବ । ଭାରତର ବଜାର ପାଖରେ ବଡ ଶକ୍ତି ରହିଛି । ଆଗାମୀ ଦିନରେ ଭାରତ ସବୁଠାରୁ ବଡ ତୈଳ ବଜାର ହେବାର ସମ୍ଭାବନା ନେଇ ଭାରତର ବିଶ୍ୱ ବଜାରରେ ସୁବିଧାଜନକ ସ୍ଥିତି ହେବ ବୋଲି ସୂଚନା ଦେଇଥିଲେ ଶ୍ରୀ ପ୍ରଧାନ ।
ଉପସାଗରୀୟ ଦେଶ ଗୁଡିକରେ ଓଡିଆ ସମାଜର ସ୍ୱାସ୍ଥ୍ୟ ଓ ଆର୍ଥିକ ସ୍ଥିତି ଏବଂ ସ୍ୱଦେଶ ଫେରିବା ଇଚ୍ଛା ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ୟୁଏଇ, କତାର, ସାଉଦି ଆରବ, ବାହାରିନ, କୁଏତ ଏବଂ ଓମାନର 15ରୁ ଊର୍ଦ୍ଧ୍ଵ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ ।
ଏହି ଅବସରରେ ଓଡିଆ ବ୍ୟକ୍ତିମାନେ କୋଭିଡ-19 ପାଇଁ ସେଠାକାରଙ୍କ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ, ଓଡିଆ ସମୁଦାୟଙ୍କ ରହଣୀ ବା ସଙ୍ଗରୋଧ ଓ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଏହାସହ ଭାରତରେ କରୋନା ମୁକାବିଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସେମାନେ ପ୍ରଶଂସା କରିଥିଲେ । ଭାରତୀୟ ରାଷ୍ଟ୍ରଦୂତମାନେ ମଧ୍ୟ ସେମାନଙ୍କୁ ସମର୍ଥନ ଓ ସହଯୋଗ କରୁଥିବା ମତବ୍ୟକ୍ତ କରିଥିଲେ ।
ଏହି ଆଲୋଚନାରେ ସାଉଦିଆରବର ପ୍ରିୟମୋହନ ମଲ୍ଲିକ, ବି.ବି ସାହୁ, ଦେବାଶିଷ ରାଉତ, କତାରରୁ ବିଦ୍ୟାଭୂଷଣ ମହାନ୍ତି, କାଜଲ ପ୍ରସାଦ ବିଶ୍ୱାଲ, ବାହାରିନର ଅରୁଣ କୁମାର ପ୍ରହରାଜ, ରମେଶ ପ୍ରାଣିଗ୍ରାହୀ, ୟୁଏଇର ଚନ୍ଦ୍ର ଶେଖର ଖୁଂଟିଆ, ଅମିୟ ମିଶ୍ର, ସମୀର ବିଶ୍ୱାଲ, କୁଏତର ଗିରିଜା ଶଙ୍କର ପାଢୀ, ଗିରିଜାନନ୍ଦନ ପଣ୍ଡା, ଓମାନର ଦୀନବନ୍ଧୁ ସାମଲ ଓ ସଞ୍ଜୟ କୁମାର ଜେଟି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ନିଜର ମତାମତ ରଖିଥିଲେ ।
**********
(ରିଲିଜ ଆଡି: 1620753)
ପରିଦର୍ଶକ କାଉଣ୍ଟର : 103