PIB Headquarters

କରୋନା ଲଢ଼େଇରେ ଅଗ୍ରଣୀ ଯୋଦ୍ଧା : ମାସ୍କ ପ୍ରସ୍ତୁତିରେ ଏସଏଚଜି ମହିଳାଙ୍କ ଉଲ୍ଲେଖନୀୟ ଭୂମିକା

• ସାରା ଦେଶରେ 1 କୋଟିରୁ ଊର୍ଦ୍ଧ୍ଵ ମାସ୍କ ତିଆରି କଲେଣି ସ୍ୱୟଂ ସହାୟକ ଗୋଷ୍ଠୀ
• ସେବା ସୁଯୋଗ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଏସଏଚଜି ସଦସ୍ୟା
• ଚାରି ଲକ୍ଷ ମାସ୍କ ପ୍ରସ୍ତୁତ କରୁଛନ୍ତି ଗଜପତି ଜିଲ୍ଲାର ମହିଳା ଗୋଷ୍ଠୀ

Posted On: 01 MAY 2020 1:28PM by PIB Bhubaneshwar

କରୋନା ଭୂତାଣୁ କବଳରୁ ରକ୍ଷା ପାଇବାର ଅନ୍ୟତମ ପ୍ରଭାବୀ ଉପାୟ ହେଉଛି ମୁହଁରେ ମାସ୍କ ପିନ୍ଧିବା । ସେଥିପାଇଁ ଘରୁ ବାହାରକୁ ଯାଉଥିବା ଲୋକଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ଏଭଳି ସ୍ଥିତିରେ ଦେଶରେ ମାସ୍କ ଚାହିଦା ମେଂଟାଇବା ଉଦେ୍ଦଶ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ମହିଳାମାନେ ମାସ୍କ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ।

ସାରା ଦେଶରେ ବିଭିନ୍ନ ଏସଏଚଜି ମହିଳାଙ୍କ ଦ୍ୱାରା ବର୍ତ୍ତମାନସୁଦ୍ଧା 1 କୋଟିରୁ ଅଧିକ ମାସ୍କ ତିଆରି କରାଯାଇସାରିଲାଣି । ଭାରତ ସରକାରଙ୍କ ସହରାଂଚଳ ବ୍ୟାପାର ଓ ଆବାସ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଦୀନ ଦୟାଲ ଉପାଧ୍ୟାୟ ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଡିଏୱାଇ-ଏନୟୁଏଲଏମ) ଯୋଜନା ଅଧୀନରେ ଏସଏଚଜି ମହିଳାମାନେ ମାସ୍କ ତିଆରି କରିବାରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଛନ୍ତି । ଏମାନଙ୍କୁ ମିଶନ ପକ୍ଷରୁ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଉଛି । ଏହି ମହିଳାମାନେ ଦେଶର କରୋନା ବିରୋଧୀ ଲଢ଼େଇରେ ଜଣେ ଜଣେ ଅଗ୍ରଣୀ ଯୋଦ୍ଧା ପାଲଟିଛନ୍ତି ।

ଏହିକ୍ରମରେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଏସଏଚଜି ମହିଳାମାନଙ୍କୁ ନେଇ ମୋଟ 4 ଲକ୍ଷ ମାସ୍କ ତିଆରି କରିବାକୁ ଲକ୍ଷ୍ୟ ରଖାଯାଇଛି । ପାରଳାଖେମୁଣ୍ଡିସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଏସଏଚଜି ମହିଳାମାନେ ମାସ୍କ ସିଲେଇ କରୁଛନ୍ତି । ପ୍ରଥମ ପର୍ଯ୍ୟାୟରେ 15ରୁ 20 ଦିନ ମଧ୍ୟରେ 1 ଲକ୍ଷ ମାସ୍କ ତିଆରି କରାଯିବ । ବିଭିନ୍ନ ଏସଏଚଜି ଗ୍ରୁପର ପାଖାପାଖି 50 ଜଣ ସଦସ୍ୟା ଦୈନିକ ହାରାହାରି 2500 ମାସ୍କ ତିଆରି କରୁଛନ୍ତି । ଏହାଦ୍ୱାରା ଜିଲ୍ଲାରେ ମାସ୍କ ଚାହିଦାକୁ ପୂରଣ କରାଯିବା ସମ୍ଭବପର ହେବା ସହିତ ଲକଡାଉନ ସମୟରେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ରୋଜଗାରର ପନ୍ଥା ମିଳିଯାଇଛି । ଏଭଳି ସୁଯୋଗ ପ୍ରଦାନ କରାଯାଇଥିବା କାରଣରୁ  ଏସଏଚଜି ସଦସ୍ୟା ଜେ. ବାଲାମଣି ଆଚାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାହାର ରାଜ୍ୟରୁ ଓଡ଼ିଶାକୁ ଫେରୁଥିବା ଲୋକଙ୍କୁ ଦୁଇଟି ଲେଖାଏଁ ମାସ୍କ ଯୋଗାଇ ଦିଆଯିବ । ଏହି ଉଦ୍ଦେଶ୍ୟରେ ମାସ୍କ ତିଆରି ଚାଲିଛି ବୋଲି ଗଜପତି ଜିଲ୍ଲାପାଳ ଅନୁପମ ଶାହା କହିଛନ୍ତି ।

************



(Release ID: 1620341) Visitor Counter : 71