PIB Headquarters

ପିଏମ କିଷାନ ଯୋଜନାରେ ଦେଶର 8 କୋଟିରୁ ଊର୍ଦ୍ଧ୍ଵ କୃଷକ ଉପକୃତ

• ରାଜ୍ୟର 36.28 ଲକ୍ଷ କୃଷକଙ୍କୁ ମୋଟ 725.6 କୋଟି ଟଙ୍କାର ସହାୟତା
• ସାହାଯ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ହିତାଧିକାରୀ

Posted On: 24 APR 2020 8:40PM by PIB Bhubaneshwar

କରୋନା ଭୂତାଣୁ (କୋଭିଡ-19) ସଂକ୍ରମଣକୁ ପ୍ରତିହତ କରିବା ଲାଗି ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନରୁ କୃଷି ଓ ଆନୁସଙ୍ଗିକ କାର୍ଯ୍ୟକଳାପକୁ କେନ୍ଦ୍ର ସରକାର ବାଦ ଦେଇଛନ୍ତି । ଏଥିସହିତ ଦେଶର ଗରିବ କୃଷକମାନଙ୍କୁ ସୂଚାରୁ ରୂପେ କୃଷି କାର୍ଯ୍ୟ ସମ୍ପାଦନ ଲାଗି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା (ପିଏମ-କିଷାନ) ଜରିଆରେ କୃଷକମାନଙ୍କୁ 2ହଜାର ଟଙ୍କାର ଗୋଟିଏ କିସ୍ତି ତୁରନ୍ତ ଯୋଗାଇ ଦିଆଯାଇଛି । ଏହା ଦେଶରେ ଲକଡାଉନ କାରଣରୁ ଜାରି ଆର୍ଥିକ ମାନ୍ଦାବସ୍ଥା ସମୟରେ ଚାଷୀ ପରିବାରକୁ ଚାଷ କାର୍ଯ୍ୟ ଆରମ୍ଭରେ ବିଶେଷ ସହାୟକ ହୋଇପାରିବ ।

ଏପ୍ରିଲ 22, 2020 ସୁଦ୍ଧା ପିଏମ-କିଷାନ ଯୋଜନାରେ ସାମିଲ ହୋଇଥିବା ଦେଶର 8 କୋଟିରୁ ଊଦ୍ଧ୍ୱର୍ କୃଷକ ଉପକୃତ ହୋଇଛନ୍ତି । ଏହି ଯୋଜନାରେ ବର୍ତମାନସୁଦ୍ଧା 16,146 କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ଫଳରେ ଯୋଜନାରେ ସାମିଲ ପ୍ରତ୍ୟେକ କୃଷକଙ୍କୁ 2 ହଜାର ଟଙ୍କାର ଗୋଟିଏ କିସ୍ତି ମିଳିପାରିଛି ।

ଇତିମଧ୍ୟରେ ଓଡ଼ିଶାର ବହୁସଂଖ୍ୟକ କୃଷକ ମଧ୍ୟ ପିଏମ-କିଷାନ ଯୋଜନାରେ 2 ହଜାର ଟଙ୍କାର ସହାୟତା ପାଇଛନ୍ତି । ସେମାନେ ଏଥିପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପିଏମ କିଷାନ ଯୋଜନାରେ ରାଜ୍ୟର ମୋଟ 36.28 ଲକ୍ଷ କୃଷକ ଲାଭାନ୍ୱିତ ହୋଇଛନ୍ତି । ଓଡ଼ିଶାର ପ୍ରତ୍ୟେକ କୃଷକଙ୍କୁ 2ହଜାର ଟଙ୍କା ଲେଖାଏଁ ସହାୟତା ମିଳିଛି । ଏଥିପାଇଁ ମୋଟ 725.6 କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷୀଙ୍କ ବ୍ୟାଙ୍କ ଆକାଉଂଟକୁ ପ୍ରତ୍ୟକ୍ଷ ହସ୍ତାନ୍ତର କରାଯାଇଛି ।

ନବରଙ୍ଗପୁର ଜିଲ୍ଲା ତାରାଗାଁ ପଞ୍ଚାୟତର ଚାଷୀ କ୍ଷେତ୍ରପାଳ ବିଶି ଏହି ଯୋଜନାରେ 2ହଜାର ଟଙ୍କାର ସହାୟତା ପାଇଛନ୍ତି । ତାଙ୍କର ଅଢ଼େଇ ଏକର ଜମି ରହିଛି । ଲକଡାଉନ ସମୟରେ ସେ ଆର୍ଥିକ ସହାୟତା ପାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି । ଏହି ଅର୍ଥ ତାଙ୍କୁ ଚାଷ କାମ ଆରମ୍ଭ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି । ଏଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସେହିପରି ରାଜ୍ୟର ଆଉ ଜଣେ ଚାଷୀ ମାଲକାନଗିରି ଜିଲ୍ଲା ଗୌଡ଼ଗୁଡ଼ା ପଂଚାୟତ ଏମଭି-9 ଲକ୍ଷ୍ମୀକାନ୍ତ ସରକାରଙ୍କୁ ମଧ୍ୟ ପିଏମ କିଷାନ ଯୋଜନାର ଗୋଟିଏ କିସ୍ତି ବାବଦକୁ 2ହଜାର ଟଙ୍କାର ସହାୟତା ମିଳିଛି । ଲକଡାଉନ କାରଣରୁ ତାଙ୍କୁ ପାଖାପାଖି ଗୋଟିଏ ମାସ ହେବ କିଛି କାମ ମିଳୁନଥିଲା । ଏବେ ସେ ଅର୍ଥ ପାଇଥିବାରୁ ପରିବାର ଚଳାଇବା ସହ ଚାଷ କାମ ଆରମ୍ଭ କରିବେ ବୋଲି କହିଛନ୍ତି । ଏହି ସାହାଯ୍ୟ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ ଦେଶରେ କୋଭିଡ-19 ସଂକ୍ରମଣ କାରଣରୁ ଲକଡାଉନ ଜାରି ହେବା କାରଣରୁ ସମ୍ଭାବ୍ୟ ଆର୍ଥିକ ମାନ୍ଦାବସ୍ଥାର ମୁକାବିଲା ନିମନ୍ତେ ଗତ ମାର୍ଚ୍ଚ 26, 2020ରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ 1.70 ଲକ୍ଷ କୋଟି ଟଙ୍କାର ରିଲିଫ ପ୍ୟାକେଜ ଘୋଷଣା କରିଥିଲେ । ଏହି ଯୋଜନା ଅଧୀନରେ ପିଏମ କିଷାନ ହିତାଧିକାରୀ କୃଷକମାନଙ୍କୁ 2020-21 ଆର୍ଥିକ ବର୍ଷ ପ୍ରଥମ କିସ୍ତି ସ୍ୱରୂପ 2000 ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଏପ୍ରିଲ ମାସରେ ଅଗ୍ରୀମ ଆକାରେ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଥିଲା ।

 

**********



(Release ID: 1617968) Visitor Counter : 96