ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ
ଲକଡାଉନ ସମୟରେ ହାତବାନ୍ଧି ବସିଥିବା ନିର୍ମାଣ ଶ୍ରମିକଙ୍କୁ ମିଳିଲା 1500 ଟଙ୍କାର ଆର୍ଥିକ ସହାୟତା
• ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ମିଳିଲା ସହାୟତା
• ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମାଲକାନଗିରି ଖଇରପୁଟର ନିର୍ମାଣ ଶ୍ରମିକ
ପୋଷ୍ଟ କରାଯିବା ଦିନାଙ୍କ:
16 APR 2020 7:10PM by PIB Bhubaneswar
କରୋନା ମହାମାରୀ (କୋଭିଡ-19) ସଂକ୍ରମଣ କାରଣରୁ ବର୍ତ୍ତମାନ ଦେଶବ୍ୟାପୀ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଜାରି ରହିଛି । ଏଭଳି ସ୍ଥିତିରେ ବିଭିନ୍ନ ପ୍ରକାରର ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯିବା କାରଣରୁ ନିର୍ମାଣ ଶ୍ରମିକଙ୍କ ରୋଜଗାରର ବାଟ ବନ୍ଦ ହୋଇଯାଇଛି । ତେବେ ଏହି ମାନ୍ଦାବସ୍ଥା ସମୟରେ ସେମାନଙ୍କ ଜୀବନ ଧାରଣକୁ ସହଜ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକମାନଙ୍କୁ 1500 ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ଏହାଦ୍ୱାରା ବହୁସଂଖ୍ୟକ ନିର୍ମାଣ ଶ୍ରମିକ ଉପକୃତ ହୋଇଛନ୍ତି ।
ତଥ୍ୟ ଅନୁଯାୟୀ, ଏପ୍ରିଲ 13 ତାରିଖ ସୁଦ୍ଧା କେନ୍ଦ୍ର ସରକାରଙ୍କ ଆଇନ ଅନୁଯାୟୀ ଗଠନ କରାଯାଇଥିବା ତଥା ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିବା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠିରୁ 2.17 କୋଟି ନିର୍ମାଣ ଶ୍ରମିକଙ୍କୁ 15ଶହ ଟଙ୍କା ଲେଖାଏଁ ଆର୍ଥôକ ସହାୟତା ଯୋଗାଇ ଦିଆଯାଇସାରିଲାଣି । ଏହି ଯୋଜନା ଅଧୀନରେ 3.07 କୋଟି ହିତାଧିକାରୀମାନଙ୍କୁ ଆର୍ଥôକ ସହାୟତା ପ୍ରଦାନ କରାଯାଇସାରିଛି । ଏହି ଆର୍ଥିକ ସହାୟତା ପାଇଁ ବହୁସଂଖ୍ୟକ ନିର୍ମାଣ ଶ୍ରମିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ନିକଟରେ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡ଼ା ପଞ୍ଚାୟତ ବନ୍ଧୁଗୁଡ଼ା ଗ୍ରାମରେ ବଣ୍ଡା ଜନଜାତିର ନିର୍ମାଣ ଶ୍ରମିକମାନଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ 15 ଶହ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ସଂପୃକ୍ତ ଗ୍ରାମର ଯାତ୍ରୀ ବିଶ୍ରାମାଗାରରେ ହିତାଧିକାରୀଙ୍କୁ ଏହି ଅର୍ଥ ପ୍ରଦାନ କରାଯାଇଥିଲା । ଏଥିପାଇଁ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦିଆଯାଇଥିବା ବେଳେ ହିତାଧିକାରୀମାନେ 1 ମିଟର ଦୂରତାରେ ଠିଆ ହୋଇ ଏହି ଅର୍ଥ ଗ୍ରହଣ କରିଥିଲେ । ଏଥିପାଇଁ ମୁଦୁଲିପଡ଼ା ପଞ୍ଚାୟତ ପକ୍ଷରୁ ହାତ ଧୋଇବା ସହ ସାନିଟାଇଜର ଯୋଗାଇ ଦିଆଯାଇଥିଲା । ବନ୍ଧୁଗୁଡ଼ା ଗ୍ରାମର ଲଚ୍ଛିମ ମୁଦୁଲି ପଞ୍ଚାୟତ ଅଧିକାରୀମାନଙ୍କ ଠାରୁ 15ଶହ ଟଙ୍କା ଆର୍ଥିକ ସହାୟତା ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ଆମକୁ ତିନି ମାସ ପାଇଁ ଖାଦ୍ୟଶସ୍ୟ ଏବଂ ଆର୍ଥିକ ସହାୟତା ମିଳିଛି । ସେହିପରି ବିପିଏଲ କାର୍ଡ ଥିବାରୁ ଆହୁରି 1 ହଜାର ଟଙ୍କାର ସହାୟତା ମଧ୍ୟ ମିଳିଛି । ସେଥିପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି ।
ସୂଚନା ଯୋଗ୍ୟ ଯେ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଦେଶରେ ଜାରି ଲକଡାଉନ ସମୟରେ ଗରିବ ଲୋକଙ୍କୁ ସହାୟତା ନିମନ୍ତେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଗତ 26 ମାର୍ଚ୍ଚ, 2020ରେ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ 1.07 ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ । ଏହି ଅବସରରେ କେନ୍ଦ୍ର ସରକାରଙ୍କ ଆଇନ ଜରିଆରେ ଗଠନ କରାଯାଇଥିବା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠିର ଉପଯୋଗ କରି ନିର୍ମାଣ ଶ୍ରମିକମାନଙ୍କୁ ଆର୍ଥôକ ସହାୟତା ଯୋଗାଇ ଦେବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାକୁ ବିଭିନ୍ନ ରାଜ୍ୟ ଇତିମଧ୍ୟରେ କାର୍ଯ୍ୟକାରୀ କରିଛନ୍ତି । ଫଳରେ ବହୁସଂଖ୍ୟକ ନିର୍ମାଣ ଶ୍ରମିକ ଆର୍ଥିକ ସହାୟତା ପାଇବାକୁ ସକ୍ଷମ ହୋଇଛନ୍ତି ।
**********
(ରିଲିଜ ଆଡି: 1615084)
ପରିଦର୍ଶକ କାଉଣ୍ଟର : 139