ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

କୋଭିଡ-19 ପଜିଟିଭ ତବ୍ଲିଘ ଜମାତ କାର୍ଯ୍ୟକର୍ତ୍ତାଙ୍କୁ ଚିହ୍ନଟ, ପୃଥକ ଓ ସଙ୍ଗରୋଧ କରିବା ଲାଗି ସରକାର ସଂକଳ୍ପବଦ୍ଧ

• ଦିଲ୍ଲୀର ନିଜାମୁଦ୍ଦିନ ସମାବେଶ ପରେ କରୋନା ଭୂତାଣୁରେ ହୋଇଥିଲେ ସଂକ୍ରମିତ
• ତେଲଙ୍ଗାନାରେ କୋଭିଡ-19 ପଜିଟିଭ ମାମଲା ସାମ୍ନାକୁ ଆସିବା ପରେ ସାରା ଦେଶରେ ଥିବା କାର୍ଯ୍ୟକର୍ତ୍ତାଙ୍କ ବିବରଣୀ ମାର୍ଚ୍ଚ 21, 2020ରେ ସବୁ ରାଜ୍ୟକୁ ଯୋଗାଇ ଦିଆଯାଇଛି
• ନାରେଲା, ସୁଲତାନପୁରୀ ଓ ବକ୍କରୱାଲା ସଙ୍ଗରୋଧ କେନ୍ଦ୍ର ଓ ଡାକ୍ତରଖାନାକୁ ବର୍ତ୍ତମାନସୁଦ୍ଧା 1339 କାର୍ଯ୍ୟକର୍ତ୍ତା ସ୍ଥାନାନ୍ତରିତ
• ସମସ୍ତ ବିଦେଶୀ ତବ୍ଲିଘ କାର୍ଯ୍ୟକର୍ତ୍ତାଙ୍କ ଭିସା ଯାଞ୍ଚ କରୁଛି ରାଜ୍ୟ ପୋଲିସ, ଭିସା ନିୟମ ଉଲ୍ଲଙ୍ଘନ କରିଥିଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

Posted On: 31 MAR 2020 9:14PM by PIB Bhubaneshwar

ତେଲଙ୍ଗାନାରେ କେତେଜଣ ତବ୍ଲିଘ ଜମାତ କାର୍ଯ୍ୟକର୍ତ୍ତା କୋଭିଡ-19ରେ ସଂକ୍ରମିତ ହେବା ସମ୍ପର୍କରେ ସୂଚନା ମିଳିବା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗତ ମାର୍ଚ୍ଚ 21, 2020ରେ ସାରା ଦେଶରେ ଥିବା ତବ୍ଲିଘ ଜମାତ କାର୍ଯ୍ୟକର୍ତ୍ତାଙ୍କ ବିବରଣୀ ସବୁରାଜ୍ୟକୁ ଯୋଗାଇ ଦିଆଯାଇଛି

ଅନ୍ୟ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା, ପୃଥକ ରଖିବା ଏବଂ ସଙ୍ଗରୋଧ କରିବା ନିମନ୍ତେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ଗୃହ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କ ସମେତ ଦିଲ୍ଲୀ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ମାର୍ଚ୍ଚ 28 ଏବଂ 29ରେ ଡିପାର୍ଟମେଣ୍ଟ ଅଫ ଇଣ୍ଟେଲିଜେନ୍ସ ବ୍ୟୁରୋ (ଡିଆଇବି) ପକ୍ଷରୁ ସବୁ ରାଜ୍ୟର ପୋଲିସ ଡିଜିମାନଙ୍କୁ ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି ।

ଇତିମଧ୍ୟରେ, ନିଜାମୁଦ୍ଦିନ ମର୍କଜରେ ରହୁଥିବା ତବ୍ଲିଘ ଜମାତ କାର୍ଯ୍ୟକର୍ତ୍ତାମାନଙ୍କୁ ରାଜ୍ୟ କର୍ତ୍ତୃପକ୍ଷ ଏବଂ ପୋଲିସ ପକ୍ଷରୁ ମେଡ଼ିକାଲ ଯାଞ୍ଚ ପାଇଁ ନିଆଯାଇଛି । ମାର୍ଚ୍ଚ 29 ସୁଦ୍ଧା 162 ଜଣ ତବ୍ଲିଘ ଜମାତ କାର୍ଯ୍ୟକର୍ତ୍ତାଙ୍କୁ ଡାକ୍ତରୀ ଯାଞ୍ଚ କରାଯାଇ ସଙ୍ଗରୋଧ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା 1339 ତବ୍ଲିଘ ଜମାତ କାର୍ଯ୍ୟକର୍ତ୍ତାଙ୍କୁ ନାରେଲା, ସୁଲତାନପୁରୀ ଓ ବକ୍କରୱାଲା ସଙ୍ଗରୋଧ କେନ୍ଦ୍ର ସମେତ ଏଲଏନଜେପି, ଆରଜିଏସଏସ, ଜିଟିବି, ଡିଡିୟୁ ହସ୍ପିଟାଲ ଓ ଏମ୍ସ, ଝାଜ୍ଜର ଆଦି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଅବଶିଷ୍ଟଙ୍କ ଠାରେ କୋଭିଡ-19 ସଂକ୍ରମଣର ଡାକ୍ତରୀ ଯାଞ୍ଚ କରାଯାଉଛି ।

ସାଧାରଣତଃ ତବ୍ଲିଘ ଦଳର ଅଂଶବିଶେଷ ଭାବେ ଭାରତକୁ ଆସୁଥିବା ବିଦେଶୀ ନାଗରିକମାନେ ପର୍ଯ୍ୟଟକ ଭିସାର ଉପଯୋଗ କରିଥାନ୍ତି । ତେବେ ପର୍ଯ୍ୟଟକ ଭିସାରେ ଆସି ସେମାନେ ଧର୍ମପ୍ରଚାର କାର୍ଯ୍ୟରେ ନିୟୋଜିତ ରହିପାରିବେ ନାହିଁ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସମସ୍ତ ବିଦେଶୀ ତବ୍ଲିଘ ଜମାତ କାର୍ଯ୍ୟକର୍ତ୍ତାଙ୍କ ଭିସାକୁ ରାଜ୍ୟ ପୋଲିସ ପକ୍ଷରୁ ଯାଞ୍ଚ କରାଯାଉଛି । ସେମାନେ ଭିସା ନିୟମ ଉଲ୍ଲଙ୍ଘନ କରିଥିବା ଧରାପଡ଼ିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । 

ସୂଚନାଯୋଗ୍ୟ ଯେ ଦିଲ୍ଲୀର ନିଜାମୁଦ୍ଦିନ ଠାରେ ତବ୍ଲିଘ ଜମାତର ମୁଖ୍ୟାଳୟ (ମର୍କଜ) ରହିଛି । ଧାର୍ମିକ ଉଦ୍ଦେଶ୍ୟ ନେଇ ସାରା ଦେଶରୁ ଏବଂ ଦେଶବାହାରୁ ଧର୍ମନିଷ୍ଠ ମୁସଲିମମାନେ ଏଠାକୁ ଆସିଥାନ୍ତି ଏମାନଙ୍କ ମଧ୍ୟରୁ କେତେକ ପୃଥକ ଗୋଷ୍ଠୀରେ ବିଭକ୍ତ ହୋଇ ଦେଶର ବିଭିନ୍ନ ପ୍ରାନ୍ତକୁ ତବ୍ଲିଘ କାର୍ଯ୍ୟକଳାପ ପାଇଁ ଯାଇଥାନ୍ତି । ବର୍ଷତମାମ ଏଭଳି ପ୍ରକ୍ରିୟା ଜାରି ରହିଥାଏ

ମାର୍ଚ୍ଚ 21ରେ ପାଖାପାଖି 824 ଜଣ ବିଦେଶୀ ତବ୍ଲିଘ ଜମାତ କାର୍ଯ୍ୟକର୍ତ୍ତା ଧର୍ମ ପ୍ରଚାର ଉଦ୍ଦେଶ୍ୟରେ ଦେଶର ବିଭିନ୍ନ ପ୍ରାନ୍ତକୁ ଯାଇଥିଲେ। ଏହାଛଡ଼ା ମର୍କଜରେ 216 ଜଣ ବିଦେଶୀ ନାଗରିକ ରହିଥିଲେ । ଏହାବ୍ୟତୀତ 1500ରୁ ଊର୍ଦ୍ଧ୍ଵ ଭାରତୀୟ ତବ୍ଲିଘ କାର୍ଯ୍ୟକର୍ତ୍ତା ମର୍କଜରେ ରହୁଥିବା ସମୟରେ 2100 ଭାରତୀୟ ତବ୍ଲିଘ କାର୍ଯ୍ୟକର୍ତ୍ତା ଧର୍ମପ୍ରଚାର ଉଦ୍ଦେଶ୍ୟରେ ଦେଶର ବିଭିନ୍ନ ପ୍ରାନ୍ତକୁ ଗସ୍ତ କରିଥିଲେ ମାର୍ଚ୍ଚ 23ରେ କଡ଼ାକଡ଼ି ଭାବେ ଲକଡାଉନ ଜାରି ହେବା ପରେ ଦିଲ୍ଲୀ ଭିତରେ ଏବଂ ବାହାରେ ରାଜ୍ୟ ସରକାର ଏବଂ ପୋଲିସ ପକ୍ଷରୁ କଟକଣା ଜାରି କରାଯାଇଥିଲା ଫଳରେ ତବ୍ଲିଘ କାର୍ଯ୍ୟ ବନ୍ଦ ହୋଇଥିଲା

 

**********

 



(Release ID: 1609717) Visitor Counter : 199


Read this release in: English