ରେଳ ମନ୍ତ୍ରଣାଳୟ
କରୋନା ମୁକାବିଲା ପାଇଁ ସ୍ୱାସ୍ଥ୍ୟସେବାରେ ସହଯୋଗ କରିବାକୁ ରେଳବାଇର ପ୍ରସ୍ତୁତି
5000 ପାସେଞ୍ଜର କୋଚକୁ ଆଇସୋଲେସନ କୋଚରେ ପରିଣତ କରାଯିବ
प्रविष्टि तिथि:
30 MAR 2020 8:41AM by PIB Bhubaneshwar
ଭାରତରେ ଚାଲିଥିବା କରୋନା ବିରୋଧୀ ଲଢେଇରେ ସରକାରଙ୍କୁ ଅତିରିକ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଭାରତୀୟ ରେଳବାଇ ନିଷ୍ପତ୍ତି ନେଇଛି । ବିଶେଷକରି ସରକାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯେଉଁସବୁ ପଦକ୍ଷେପ ଏବେ ଗ୍ରହଣ କରିଛନ୍ତି ସେଥିରେ ରେଳବାଇ ଆବଶ୍ୟକ ଅତିରିକ୍ତ ସହାୟତା ଯୋଗାଇ ଦେବ । ଏଥିପାଇଁ ରେଳବାଇ କେତେକ ପଦକ୍ଷେପ ହାତକୁ ନେଇଛି । ସେଥିମଧ୍ୟରେ ଟ୍ରେନ୍ କୋଚଗୁଡ଼ିକରେ ଆବଶ୍ୟକ ପରିବର୍ତ୍ତନ କରି ସେସବୁକୁ ଆଇସୋସେଲସନ କୋଚରେ ପରିଣତ କରିବା, ରେଳବାଇ ହସ୍ପିଟାଲଗୁଡ଼ିକରେ ଆବଶ୍ୟକ ଅତିରିକ୍ତ ଚିକିତ୍ସା ବ୍ୟବସ୍ଥା କରି କରୋନା ଆକ୍ରାନ୍ତଙ୍କ ପାଇଁ ଚିକିତ୍ସା ସୁବିଧା ଯୋଗାଣ, ଜରୁରୀ ଆବଶ୍ୟକତା ପୂରଣ ପାଇଁ ହସ୍ପିଟାଲରେ ସ୍ୱତନ୍ତ୍ର ଶଯ୍ୟା ବ୍ୟବସ୍ଥା ତଥା ଅଧିକ ଡାକ୍ତର ଓ ଚିକିତ୍ସା କର୍ମଚାରୀ ନିଯୁକ୍ତି ଆଦି ଅନ୍ୟତମ ।
ଭାରତ ସରକାରଙ୍କ ଦ୍ୱାରା ଅନୁମୋଦିତ ତଥା ନିର୍ଦ୍ଦେଶିତ ନୀତି ଅନୁସାରେ ରେଳବାଇ ଏସବୁ ସୁବିଧା ଆବଶ୍ୟକ ମୁତାବକ ଯୋଗାଇ ଦେବ । ସବୁ ରେଳଜୋନର ଜେନେରାଲ ମ୍ୟାନେଜର ଓ ମେଡ଼ିକାଲ ଅଧିକାରୀମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି ।
ପ୍ରାରମ୍ଭିକ ଭାବେ ରେଳବାଇ 5000 ପାସେଞ୍ଜର କୋଚର ପରିବର୍ତ୍ତନ ଓ ଢାଂଚା ବଦଳାଇବାକୁ ଯୋଜନା କରୁଛି । ସମ୍ଭାବ୍ୟ ଜରୁରୀ ଚିକିତ୍ସା ଆବଶ୍ୟକତାକୁ ଦୃଷ୍ଟିରେ ରଖି କରୋନା ଆକ୍ରାନ୍ତ ଆଇସୋଲେସନ ଆବଶ୍ୟକତା ପୂରଣ ପାଇଁ ଏହା କରାଯାଉଛି । ଦରକାର ପଡ଼ିଲେ ଏସବୁ ପରିବର୍ତ୍ତିତ କୋଚକୁ ଚିକିତ୍ସା ସେବାପାଇଁ ବ୍ୟବହାର କରାଯାଇପାରିବ । ଆବଶ୍ୟକ ପଡ଼ିଲେ ଅଧିକ ପାସେଞ୍ଜର କୋଚକୁ ଆଇସୋଲେସନ ୱାର୍ଡରେ ପରିଣତ କରାଯିବ । ଏସବୁ କୋଚରେ ମଶାରି, ଲ୍ୟାପଟପ ଓ ମୋବାଇଲ ଚାର୍ଜିଂ ପଏଣ୍ଟ, ଚିକିତ୍ସା କର୍ମଚାରୀଙ୍କ ରହିବା ପାଇଁ ଯାଗା ବ୍ୟବସ୍ଥା କରାଯିବ । ଜୋନ ଭିତ୍ତିରେ ଏହିସବୁ କୋଚ ପ୍ରସ୍ତୁତ କରାଯିବ ।
ଦେଶରେ ରେଳବାଇର ମୋଟ 125ଟି ହସ୍ପିଟାଲ ରହିଛି । ଜରୁରୀ ଆବଶ୍ୟକତା ପୂରଣ ପାଇଁ ଆଉ 70ରୁ ଅଧିକ ହସ୍ପିଟାଲ ଖୋଲିବାକୁ ଉଦ୍ୟମ ଚାଲିଛି । ଦରକାର ପଡ଼ିଲେ ଏହା ଆଗକୁ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହୋଇପାରିବ । ଏସବୁ ହସ୍ପିଟାଲରେ ସମର୍ପିତ ସ୍ୱତନ୍ତ୍ର କରୋନା ୱାର୍ଡ ପ୍ରସ୍ତୁତ କରିବାକୁ ଉଦ୍ୟମ ହେଉଛି । ଏହି ରୋଗୀଙ୍କ ପାଇଁ ପ୍ରାୟ 6500 ବେଡ ହସ୍ପିଟାଲରେ ପ୍ରସ୍ତୁତି କରିବାକୁ ମଧ୍ୟ ଉଦ୍ୟମ ଚାଲିଛି । ଅତିରିକ୍ତ ଡାକ୍ତର ଓ ଚିକିତ୍ସା କର୍ମଚାରୀଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତି ଦେବାକୁ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ କରିବାକୁ ରେଳବାଇ ବିଭିନ୍ନ ଜୋନର ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛି । ଆବଶ୍ୟକ ସ୍ଥଳେ ଜୋନାଲ ମୁଖ୍ୟମାନେ ମଧ୍ୟ ରେଳବାଇର ଅବସରପ୍ରାପ୍ତ ଡାକ୍ତରମାନଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତି ଦେଇପାରିବେ ବୋଲି କୁହାଯାଇଛି । କରୋନା ମୁକାବିଲା ପାଇଁ ଭାରତ ସରକାରଙ୍କ ପ୍ରୟାସକୁ ସଫଳ କରିବାକୁ ରେଳବାଇ ଉଦ୍ୟମ ଜାରି ରଖିଛି ।
**********
(रिलीज़ आईडी: 1609444)
आगंतुक पटल : 161
इस विज्ञप्ति को इन भाषाओं में पढ़ें:
English