ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଜନସାଧାରଣଙ୍କ ଦ୍ୱାରା ମାସ୍କ ବ୍ୟବହାର ସମ୍ପର୍କିତ ନିୟମାବଳୀ

ପୋଷ୍ଟ କରାଯିବା ଦିନାଙ୍କ: 23 MAR 2020 5:22PM by PIB Bhubaneswar

୧.ଉପକ୍ରମ

୨୦୧୯ ମସିହା ଡିସେମ୍ବର ମାସରେ ନୋଭେଲ କରୋନା ଭୂତାଣୁ (କୋଭିଡ଼ -୧୯) ସଂକ୍ରମଣ ନାମକ ଏକ ରୋଗ ଚୀନରେ ପ୍ରଥମେ ଦେଖାଦେଇଥିଲା ଏବଂ ଏହା ଏବେ ସୁଦ୍ଧା ବିଶ୍ୱର ବହୁ ରାଷ୍ଟ୍ରକୁ ସଂପ୍ରସାରିତ ହୋଇସାରିଲାଣି । ଏହାଦ୍ୱାରା ଆକ୍ରାନ୍ତ ଅଧିକାଂଶ ରୋଗୀଙ୍କ ଠାରେ ଜ୍ୱର ଓ କିମ୍ବା କାଶ ଭଳି ସାଧାରଣ ଅସୁସ୍ଥତା ଦେଖା ଦେଇଥାଏ  ।  ଆକ୍ରାନ୍ତ ରୋଗୀଙ୍କ ମଧ୍ୟରୁ ଅତି କମ୍‌ଙ୍କ ଠାରେ ଏହା ବୃଦ୍ଧିପାଇ ଉଦ୍‌ବେଗଜନକ ହୋଇଥାଏ ଯେଉଁଥିରେ ରୋଗୀ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିଥାନ୍ତି ।

କୋଭିଡ଼ରେ ଆକ୍ରାନ୍ତ ବ୍ୟକ୍ତିଙ୍କ କାଶ ଓ ତାଙ୍କର କାଶର କ୍ଷୁଦ୍ରବିନ୍ଦୁ ଦ୍ୱାରା ଏହା ପାଖଆଖରେ ( ୧ ମିଟରରୁ କମ୍‌ ଦୂରତାରେ) ଥିବା ଲୋକମାନଙ୍କୁ ସଂକ୍ରମିତ କରିଥାଏ ।

ଏଭଳି ଯେକୌଣସି ନୂଆ ରୋଗ ସାଧାରଣତଃ ଯାହା କାଶ ସହ ସମ୍ପର୍କିତ ସାଧାରଣ ଲୋକ ସେଭଳି ରୋଗରୁ ରକ୍ଷା ପାଇବା ସକାଶେ ମାସ୍କ ପିନ୍ଧିବା ଲାଗି ବିଭିନ୍ନ ମାଧ୍ୟମ, ବିଶେଷ କରି ସାମାଜିକ ଗଣମାଧ୍ୟମରେ ପରାମର୍ଶ ଦିଆଯାଉଛି ।

୨.ଏହି ନିବନ୍ଧର ଉଦ୍ଦେଶ୍ୟ

ଏହି ଆଲେଖ୍ୟର ଉଦ୍ଦେଶ୍ୟସ ହେଲା ମାସ୍କ ବ୍ୟବହାର କରିବା ନେଇ ଜନସାଧାରଣଙ୍କୁ ପ୍ରମାଣ ଆଧାରିତ ଉଚିତ ସୂଚନା ପ୍ରଦାନ କରିବା

୩. ମେଡ଼ିକାଲ ମାସ୍କ

ବଜାରରେ ବିଭିନ୍ନ ସାଇଜର ଓ ଆକାରର ମେଡ଼ିକାଲ ମାସ୍କ୍‌ ଉପଲବ୍ଧ । ସେଥି ମଧ୍ୟରୁ ସବୁଠାରୁ ସାଧାରଣ ମାସ୍କଟି ହେଲା ପ୍ଲିଟଯୁକ୍ତ ଫ୍ଲାଟ୍‌ ମାସ୍କ ଯାହା ବୁଣା କନାରେ ପ୍ରସ୍ତୁତ ଓ ଏହା ନାକ ଓ ମୁହଁକୁ ଘୋଡ଼ାଇଥାଏ । ଏଥିରେ ଲାଗିଥିବା ଫିତା କିମ୍ବା ଇଲାଷ୍ଟିକ୍‌ ଫିତାକୁ ମୁଣ୍ଡ ପଛପଟେ ବାନ୍ଧିବାକୁ ପଡ଼ିଥାଏ । ସେହିଭଳି କୋନ୍‌ କିମ୍ବା ଡକ୍‌ ଥଣ୍ଟ ପରି ଆକୃତିର ମାସ୍କ ବଜାରରେ ଉପଲବ୍ଧ ଯେଉଁଥିରେ ଭାଲ୍ଭ (କିମ୍ବା ଭାଲ୍ଭହୀନ) ଥାଏ । ଏହା ଉଭୟ ନାକ ଓ ପାଟିକୁ ଘୋଡ଼ାଇଥାଏ । ତେବେ ଏହା ସାଧାରଣ ମାସ୍କ ଠାରୁ ଅଧିକ ମୂଲ୍ୟ ।

୪. ସାଧାରଣ ଜନତାଙ୍କ ଦ୍ୱାରା ମାସ୍କ ବ୍ୟବହାର

୪.୧. ରୋଗ ଲକ୍ଷଣ ନଥିବା ଲୋକ ମାସ୍କ ପିନ୍ଧିବା ଅନାବଶ୍ୟକ

କୌଣସି ସୁସ୍ଥ ବ୍ୟକ୍ତି ଯାହାଙ୍କ ଠାରେ ରୋଗର କୌଣସି ଲକ୍ଷଣ ଦେଖାଯାଉନଥିବ ସେ ମେଡ଼ିକାଲ ମାସ୍କ ପିନ୍ଧିବା ଅନୁଚିତ । କାରଣ ଏହା ମନ ଭିତରେ ନିରାପତ୍ତାର ଏକ ଭୁଲ୍‌ ଧାରଣା ସୃଷ୍ଟି କରିଥାଏ ଯାହାକି ଅନ୍ୟାନ୍ୟ ଅତ୍ୟାବଶ୍ୟକ ସତର୍କତା ଯଥା ହାତ ଧୋଇବା ଇତ୍ୟାଦିକୁ ଗୌଣ କରି ଦେଇଥାଏ ।

ଅଧିକନ୍ତୁ, ସମାଜରେ ବସବାସ କରୁଥିବା କୌଣସି ରୋଗ ଲକ୍ଷଣ ନଥିବା ସୁସ୍ଥ ବ୍ୟକ୍ତି ମାସ୍କ ବ୍ୟବହାର କଲେ ସେଥିରୁ କିଛି ସୁଫଳ ମିଳିବାର ବୈଜ୍ଞାନିକ କାରଣ ନାହିଁ । ବରଂ, ମାସ୍କର ଭୁଲ୍‌  ଓ ନିୟମିତ ବ୍ୟବହାର କିମ୍ବା ଥରେ ବ୍ୟବହାରକ୍ଷମ ମାସ୍କକୁ ୬ ଘଣ୍ଟାରୁ ଅଧିକ ସମୟ ଏବଂ ବାରମ୍ବାର ବ୍ୟବହାର ସଂକ୍ରମଣର ଆଶଙ୍କାକୁ ବୃଦ୍ଧି କରିଥାଏ । ପୁଣି ଏଥିପାଇଁ ଲୋକମାନେ ଅଯଥାରେ ଖର୍ଚ୍ଚାନ୍ତ ହୋଇଥାନ୍ତି ।

ସେଭଳି ପରିସ୍ଥିତିରେ ସବୁଠାରୁ ସଫଳ ପଦକ୍ଷେପମାନ ହେଲା :

କ) ସାବୁନ ଓ ପାଣିରେ ହାତକୁ ୪୦ ସେକେଣ୍ଡ ପର୍ଯ୍ୟନ୍ତ ବାରମ୍ବାର ସଫା କରିବା ଆବଶ୍ୟକ । ଆଲକହଲଯୁକ୍ତ ସାନିଟାଇଜର ଯେଉଁଥିରେ କି ୭୦% ଆଲକହଲ ରହିଛି ସେଥିରେ ୨୦ ସେକେଣ୍ଟ ପର୍ଯ୍ୟନ୍ତ ହାତକୁ ସଫା କରନ୍ତୁ । ଯଦି ହାତ ଅଧିକ ମଇଳା କିମ୍ବା ଅସନା ହୋଇଥିବ ତେବେ ଆଲକହଲଯୁକ୍ତ ସାନିଟାଇଜର ବ୍ୟବହାର କରନ୍ତୁନାହିଁ । ସେପରି କ୍ଷେତ୍ରରେ ହାତକୁ ସାବୁନ ଓ ପାଣିରେ ଉତ୍ତମ ରୂପେ ସଫା କରିବା ବାଂଛନୀୟ ।

ଖ) ଯେତେବେଳେ ଜଣେ ବ୍ୟକ୍ତି କାଶିବେ କିମ୍ବା ଛିଙ୍କିବେ ସେତେବେଳେ ସେ ନିଜ ନାକ ଓ ମୁହଁକୁ ରୁମାଲ , ଟିସୁ ପେପରରେ ଢ଼ାଙ୍କିବା ଆବଶ୍ୟକ । ଯଦି ରୁମାଲ କିମ୍ବା ଟିସୁ ପେପର ଉପଲବ୍ଧ ନୁହେଁ ତେବେ ହାତକୁ ବଙ୍କାଇ ରଖି ପାଟି ଓ ନାକକୁ ଘୋଡ଼ାଇବା ଦରକାର । ବ୍ୟବହୃତ ଟିସୁକୁ ତୁରନ୍ତ ନଷ୍ଟ କରିବା ସହ ନିଜ ହାତକୁ ଭଲଭାବେ ଧୋଇନିଅନ୍ତୁ ।

ଗ) ମୁହଁ, ପାଟି, ନାକ ଓ ଆଖିକୁ ଛୁଇଁବାରୁ କ୍ଷାନ୍ତ ରହନ୍ତୁ ।

ଘ) କାଶୁଥିବା କିମ୍ବା ଛିଙ୍କୁଥିବା ବ୍ୟକ୍ତିଙ୍କ ଠାରୁ ଅନ୍ୟୁନ ଏକ ମିଟର ଦୂରତ୍ୱ ରକ୍ଷା କରନ୍ତୁ ।

ଙ) ନିଜର ଶରୀରର ଉତ୍ତାପକୁ ମନିଟର କରନ୍ତୁ ।

୪.୨. ମେଡ଼ିକାଲ ମାସ୍କ କିଏ ଓ କେତେବେଳେ ପିନ୍ଧିବା ଆବଶ୍ୟକ (ସ୍ୱାସ୍ଥ୍ୟସେବାରେ ନିୟୋଜିତ କର୍ମୀଙ୍କ ବ୍ୟତୀତ)

୪.୨.୧. ଯେତେବେଳେ ଜଣେ ବ୍ୟକ୍ତିଙ୍କ ଠାରେ କାଶ କିମ୍ବା ଜ୍ୱର ଦେଖାଯାଏ ।

ଅସୁସ୍ଥ ଥିବାବେଳେ ତିନି ପରସ୍ତଯୁକ୍ତ ମେଡ଼ିକାଲ ମାସ୍କ ବ୍ୟବହାର କଲେ ତାହା ଆପଣଙ୍କ ସଂକ୍ରମଣକୁ ଅନ୍ୟମାନଙ୍କ ଠାରେ ବ୍ୟାପିବାରୁ ରୋକିଥାଏ । କିନ୍ତୁ ଆପଣଙ୍କୁ ମଧ୍ୟ ନିଜ ହାତକୁ ବାରମ୍ବାର ଧୋଇବାକୁ ପଡ଼ିବ ଯଦ୍ୱାରା ସଂକ୍ରମଣ ଅନ୍ୟମାନଙ୍କ ଠାରେ ବ୍ୟାପିବନାହିଁ ।

୪.୨.୨. ଯେତେବେଳେ ଆପଣ କୌଣସି ସ୍ୱାସ୍ଥ୍ୟସେବା କେନ୍ଦ୍ରକୁ ଯାଉଛନ୍ତି ।

୪.୨.୩. ଯେତେବେଳେ ଆପଣ କୌଣସି ଅସୁସ୍ଥ ବ୍ୟକ୍ତିଙ୍କ ସେବାଯତ୍ନ କରୁଛନ୍ତି ।

୪.୨.୪. ଯଦି କୌଣସି ଜଣେ ସନ୍ଦିଗ୍ଧ/ ପ୍ରମାଣିତ ଅସୁସ୍ଥ ବ୍ୟକ୍ତି ଘରେ ରହି ଚିକିତ୍ସିତ ହେଉଛନ୍ତି, ତାଙ୍କର ନିକଟ ସଂସ୍ପର୍ଶରେ ଆସୁଥିବା ପରିବାରର ସଦସ୍ୟ ତିନି ପରସ୍ତଯୁକ୍ତ ମେଡ଼ିକାଲ ମାସ୍କ ପିନ୍ଧିବା ଆବଶ୍ୟକ ।

୪.୩. ଗୋଟିଏ ମେଡ଼ିକାଲ ମାସ୍କ କେତେ ସମୟ ପର୍ଯ୍ୟନ୍ତ ସଫଳତାର ସହ କାର୍ଯ୍ୟକରେ

ଉପଯୁକ୍ତ ଭାବେ ବୁଣାଯାଇଥିବା ଏକ ମେଡ଼ିକାଲ ମାସ୍କ ୮ ଘଣ୍ଟା ପାଇଁ ସଫଳତାର ସହ କାର୍ଯ୍ୟ କରିଥାଏ । ଯଦି ତାହା ଭିତରେ ଏହା ଓଦା ହୋଇଯାଏ, ତେବେ ତାହାକୁ ତୁରନ୍ତ ବଦଳାଇ ଦିଆଯିବା ଆବଶ୍ୟକ ।

୪.୪. ତିନି ପରସ୍ତଯୁକ୍ତ ମାସ୍କ ପିନ୍ଧିବାର ଉପଯୁକ୍ତ ବିଧି

 

ଯେତେବେଳେ ଆପଣ ଗୋଟିଏ ମେଡ଼ିକାଲ ମାସ୍କ ପିନ୍ଧୁଛନ୍ତି, ଆପଣଙ୍କୁ ନିମ୍ନରେ ପ୍ରଦତ୍ତ କେତେଗୋଟି ପଦକ୍ଷେପ ପ୍ରତି ଧ୍ୟାନ ଦେବାକୁ ପଡ଼ିବ । ଯଦି ଆପଣ ସେସବୁକୁ ଅନୁସରଣ ନକରନ୍ତି, ତେବେ ମାସ୍କରୁ ହିଁ ଆପଣ ସଂକ୍ରମିତ ହେବାର ଆଶଙ୍କା ରହିଛି । ସେହିସବୁ ପଦକ୍ଷେପଗୁଡ଼ିକ ହେଲା:

•        ପ୍ଲିଟକୁ ଖୋଲ, ସୁନିଶ୍ଚିତ ହୁଅ ଯେ ତାହା ପଛ ପଟକୁ ରହିଛି

•        ନାକ, ମୁହଁ ଓ ଚିବୁକ ଉପରେ ତାହାକୁ ପିନ୍ଧ

•        ନମନୀୟ ନାକ ଅଂଶକୁ (ଏକ ଧାତବ ପାତ ଯାହାକୁ ଆପଣ ସହଜରେ ଅନୁମାନ କରିପାରିବେ) ନାକ ଉପରେ ସ୍ଥାପନ କର ।

•        ମାସ୍କରେ ଲାଗିଥିବା ଫିତାକୁ ବାନ୍ଧ (ଉପର ଫିତାକୁ ମୁଣ୍ଡରେ କାନ ଉପରକୁ ବାନ୍ଧ ଓ ତଳ ଫିତାକୁ ବେକ ପଛପଟେ ବାନ୍ଧ) ।

•        ସୁନିଶ୍ଚିତ ହୁଅ ଯେ ପିନ୍ଧିଥିବା ମାସ୍କର କୌଣସି ପଟେ ଯେପରି ଫାଙ୍କ ରହିନାହିଁ, ସେପରି ଭାବେ ମାସ୍କକୁ ଆଡ଼ଜଷ୍ଟ କର ।

•        ଯେତେବେଳେ ବ୍ୟବହାର କରୁଛ, ମାସ୍କକୁ ଆଦୌ ଛୁଅଁନାହିଁ ।

•        ମାସ୍କକୁ ବେକରେ ଓହଳିବାକୁ କଦାପି ଦିଅନ୍ତୁନାହିଁ ।

•        ଛଅ ଘଣ୍ଟା ପରେ କିମ୍ବା ମାସ୍କଟି ଓଦାହେବା ମାତ୍ରେ ତାକୁ ତୁରନ୍ତ ବଦଳାଇ ଦିଅନ୍ତୁ ।

•        ଗୋଟିଏ ଥର ବ୍ୟବହାରକ୍ଷମ (ଡିସପୋଜେବଲ) ମାସ୍କକୁ ପୁନଃବ୍ୟବହାର କରନ୍ତୁନାହିଁ ଏହାକୁ ତୁରନ୍ତ ନଷ୍ଟ କରିଦେବା ଆବଶ୍ୟକ ।

•        ଯେତେବେଳେ ମାସ୍କ ଖୋଲୁଛନ୍ତି ସେତେବେଳେ ଅତି ମାତ୍ରାରେ ସତର୍କତା ଅବଲମ୍ବନ କରି ମାସ୍କର ସଂକ୍ରମିତ ବାହାର ଆବରଣକୁ କଦାପି ଛୁଅଁନ୍ତୁନାହିଁ ।

•        ମାସ୍କକୁ ଖୋଲିଲାବେଳେ ପ୍ରଥମେ ତଳ ଫିତାକୁ ଖୋଲନ୍ତୁ ଓ ତାପରେ ଉପର ଫିତାକୁ ଖୋଲନ୍ତୁ ଓ ମାସ୍କର ଉପର ଫିତାକୁ ଧରି ତାହାକୁ ମୁହଁରୁ କାଢ଼ନ୍ତୁ ।

୪.୫. ବ୍ୟବହୃତ ମାସ୍କକୁ କିଭଳି ନଷ୍ଟ କରିବେ

 ବ୍ୟବହୃତ ମାସ୍କକୁ ସଦାବେଳେ ସଂକ୍ରମିତ ହୋଇଥିବା ବସ୍ତୁ ଭଳି ବିବେଚନା କରାଯିବା ଉଚିତ । ଘରୋଇ ଉପଚାର ବେଳେ ରୋଗୀ/ ସେବା ପ୍ରଦାନକାରୀ/ ରୋଗୀଙ୍କ ନିକଟ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବ୍ୟବହାର କରିଥିବା ମାସ୍କକୁ ସାଧାରଣ ବ୍ଲିଚ୍‌ ସଲ୍ୟୁସନ (୫%) କିମ୍ବା ସୋଡ଼ିୟମ୍‌ ହାଇପୋକ୍ଲୋରାଇଟ ସଲ୍ୟୁସନ (୧%)ରେ ଧୋଇ ଜୀବାଣୁରହିତ କରନ୍ତୁ ଏବଂ ତାପରେ ତାକୁ ଜଳାଇ କିମ୍ବା ଗଭୀର ଗର୍ତ୍ତରେ ପୋତି ନଷ୍ଟ କରିଦିଅନ୍ତୁ ।

*********

 

 

 

 

 

 

 


(ରିଲିଜ ଆଡି: 1609291) ପରିଦର୍ଶକ କାଉଣ୍ଟର : 86

ପୃଷ୍ଠଭୂମି ରିଲିଜ ଦେଖନ୍ତୁ

Guidelines on Use of Masks by Public