ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆୟୁଷ ଚିକିତ୍ସକଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ

• ଦେଶକୁ ସୁସ୍ଥ ରଖିବାରେ ଆୟୁଷ ଚିକିତ୍ସକଙ୍କ ଦୀର୍ଘ ଦିନର ପରମ୍ପରା ରହିଛି ଯଦ୍ୱାରା କୋଭିଡ-19କୁ ରୋକିବାରେ ସେମାନେ ବଳିଷ୍ଠ ଭୂମିକା ତୁଲାଇପାରିବେ - ପ୍ରଧାନମନ୍ତ୍ରୀ
• ରୋଗକୁ ଭଲ କରିବାରେ ଆୟୁଷ ଚିକିତ୍ସକମାନଙ୍କ ଦାବିକୁ ବିଚାରକୁ ନିଆଯାଇପାରେ
• ଟେଲିମେଡିସିନ ପ୍ରଚାର ପ୍ରସାରକୁ ଆଧାର କରି ଜନସେଚତନତା ସୃଷ୍ଟି ପାଇଁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ
• ଘରେ ଘରେ ଯୋଗକୁ ଲୋକାଭିମୂଖୀ କରିବାରେ ଆୟୁଷ ମନ୍ତ୍ରଣାଳୟର ଉଦ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Posted On: 28 MAR 2020 6:28PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଦୃଶ୍ୟଶ୍ରାବ୍ୟ କାର୍ଯ୍ୟକ୍ରମରେ ଜରିଆରେ ଆୟୁଷ ଚିକିତ୍ସକଙ୍କ ସହ ମତ ବିନିମୟ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶକୁ ସୁସ୍ଥ ରଖିବାରେ ଆୟୁଷର ଏକ ସୁଦୀର୍ଘ ପରମ୍ପରା ରହିଛି । କୋଭିଡ-19କୁ ପ୍ରତିହତ କରିବା ଦିଗରେ ଆୟୁଷ କ୍ଷେତ୍ର ବହୁମୂଖୀ ଭୂମିକା ତୁଲାଇପାରିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆୟୁଷ ଚିକିତ୍ସାର ପରିସର ସମଗ୍ର ଦେଶର କୋଣ ଅନୁକୋଣରେ ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶାବଳୀକୁ ଅନୁସରଣ କରି ଆୟୁଷ ଚିକିତ୍ସକମାନେ କରୋନା ଭୂତାଣୁ ସଂକ୍ରମଣ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ । ଲୋକମାନଙ୍କ ଶରୀର ଓ ମନକୁ ସୁସ୍ଥ ଓ ସତେଜ ରଖିବାରେ ଆୟୁଷ ମନ୍ତ୍ରଣାଳୟ ଘରକୁ ଘର ଯୋଗର ଉପାଦେୟତା ପ୍ରସାର କରେଇବା ନେଇ ପ୍ରଧାନମନ୍ତ୍ରୀ ଆୟୁଷ ମନ୍ତ୍ରଣାଳୟର ଭୂମିକାକୁ ପ୍ରଶଂସା କରିଥିଲେ । ଆୟୁଷ ଚିକିତ୍ସକମାନଙ୍କ ଦ୍ୱାରା ଏହି ସଂକ୍ରମଣର ନିରାକରଣ ନେଇ ଦାବୀ କରାଯାଉଥିବା ବେଳେ ଆୟୁଷ ବିଜ୍ଞାନୀ, ଆଇସିଏମଆର,ସିଏସଆଇଆର ଏବଂ ଅନ୍ୟନ୍ୟ ଗବେଷଣା ସଂଗଠନଗୁଡିକ ଏ ଦିଗରେ ମିଳିତ ଭାବେ ଅନୁଧ୍ୟାନ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କରୋନା ଆହ୍ୱାନର ମୁକାବିଲା ନିମନ୍ତେ ସ୍ୱାସ୍ଥ୍ୟସେବାରେ ନିଯୁକ୍ତ ସମସ୍ତ କର୍ମଚାରୀ ଏକାଠି ହେବା ଆବଶ୍ୟକ । ଆବଶ୍ୟକ ପଡିଲେ ଆୟୁଷ ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟରତ ଘରୋଇ ଚିକିତ୍ସକମାନେ ମଧ୍ୟ ଏ ଦିଗରେ ସହାୟତାର ହାତ ବଢ଼ାଇପାରିବେ ।

ଆୟୁଷ ଔଷଧପତ୍ର ପ୍ରସ୍ତୁତକାରୀ କମ୍ପାନୀଗୁଡିକ ଆଜିକାଲି ବହୁଳ ଭାବେ ଆବଶ୍ୟକ ହେଉଥିବା ସାନିଟାଇଜର ବା ବିଶୋଧକ ମଧ୍ୟ ପ୍ରସ୍ତୁତ କରିବାକୁ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ଟେଲିମେଡିସିନ ପ୍ଲାଟଫର୍ମର ସଦୁପଯୋଗ କରି କରୋନା ମହାମାରୀ ସଂଗ୍ରାମ ଦିଗରେ ଜନସଚେତନତା ସୃଷ୍ଟି ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆୟୁଷ ଚିକିତ୍ସକମାନଙ୍କୁ ଆହ୍ୱାନ ଦେଇଛନ୍ତି । ମହାମାରୀକୁ ରୋକିବା ପାଇଁ ସାମାଜିକ ଦୂରତ୍ୱ ନିୟମାବଳୀକୁ କଡାକଡି ପାଳନ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।

କୋଭିଡ-19ର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନକୁ ଆୟୁଷ ଚିକିତ୍ସକମାନେ ପ୍ରଶଂସା କରିଛନ୍ତି । ସେମାନେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଦିଗରେ ପାରମ୍ପାରିକ ଭାବେ ନିଆଯାଉଥିବା ପଦ୍ଧତିଗୁଡିକ ଉପରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ସେମାନେ ମଣିଷର ରୋଗର ଲକ୍ଷଣ ଅନୁସାରେ ଚିକିତ୍ସା ନେଇ ଗବେଷଣା କରିବା ତଥା ଦେଶ ଗତି କରୁଥିବା ଜଟିଳ ପରିସ୍ଥିତିରେ ସେବା ପ୍ରଦାନ କରିବାକୁ ଇଚ୍ଛା ପ୍ରକଟ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତର ପାରମ୍ପାରିକ ଭେଷଜ ପଦ୍ଧତି ଓ ଏହାର ଉପଯୋଗ ସମ୍ପର୍କରେ ବିଶ୍ୱକୁ ଜଣାଇବା ସହ ଏ ଦିଗରେ ଜନସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି । ସେ ଲୋକମାନଙ୍କ ସେବା ପାଇଁ ଆୟୁଷ ଚିକିତ୍ସକମାନଙ୍କ ଇଚ୍ଛା ଓ ସେବା ମନୋଭାବର ପ୍ରଶଂସା କରିବା ସହ କରୋନା ବିରୁଦ୍ଧରେ ଭାରତର ସଂଗ୍ରାମରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ ବୋଲି ଶ୍ରୀ ମୋଦୀ ଆଶା ବ୍ୟକ୍ତ କରିଥିଲେ । ଆୟୁଷ ମନ୍ତ୍ରୀ ଶ୍ରୀ ଶ୍ରୀପଦ ନାଏକ, କ୍ୟାବିନେଟ ସଚିବ ଓ ଆୟୁଷ ମନ୍ତ୍ରଣାଳୟ ସଚିବ ପ୍ରମୁଖ ଏହି ମତ ବିନିମୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

 

**********

 



(Release ID: 1608876) Visitor Counter : 181


Read this release in: English