ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଦେଶରେ 21 ଦିନ ପାଇଁ ସଂପୂର୍ଣ୍ଣ ଲକଡାଉନ ଘୋଷଣା କଲେ ପ୍ରଧାନମନ୍ତ୍ରୀ

କୋଭିଡ-19 ଉପରେ ରାଷ୍ଟ୍ରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

Posted On: 24 MAR 2020 9:08AM by PIB Bhubaneshwar

କୋଭିଡ-19 ମହାମାରୀର ସଂକ୍ରମଣର ପ୍ରସାର ଉପରେ ନିୟନ୍ତ୍ରଣ ପାଇଁ  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି(ମଙ୍ଗଳବାର ଦିନ) ମଧ୍ୟ ରାତ୍ରରୁ ଆଗାମୀ 21 ଦିନ ପାଇଁ ସୂଂପର୍ଣ୍ଣ ତାଲା ବନ୍ଦ (ଲକ ଡାଉନ) ଘୋଷଣା କରିଥିଲେ ।

ରାଷ୍ଟ୍ର ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର ଟି.ଭି. କାର୍ଯ୍ୟକ୍ରମରେ ନିଜ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେଉଁ ଦେଶଗୁଡିକ ପାଖରେ ଉତ୍ତମ ମେଡିକାଲ ସୁବିଧା ରହିଛି, ସେମାନେ ମଧ୍ୟ ଏହି ଭୂତାଣୁକୁ ରୋକି ପାରିନାହାଁନ୍ତି ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ହେଲେ ସାମାଜିକ ଦୂରତା କେବଳ ଏକମାତ୍ର ଉପାୟ । ଆପଣମାନେ ଦେଖୁଛନ୍ତି ଯେ କେଉଁଭଳି ଭାବେ ବିଶ୍ୱର ସବୁଠାରୁ ସମର୍ଥ ଦେଶଗୁଡିକୁ ଏହି ମହାମାରୀ ଅସହାୟ କରି ପକାଇଛି । ଏହା ନୁହେଁ ଯେ ସେହିସବୁ ରାଷ୍ଟ୍ରମାନେ ଏହାକୁ ପ୍ରତିହତ କରିବା ନିମନ୍ତେ କରୁଥିବା ପ୍ରଚେଷ୍ଟାରେ କିଛି ଉଣା କରିଛନ୍ତି ଅବା ସେମାନଙ୍କ ନିକଟରେ ଏଥିପାଇଁ ସାଧନ ନାହିଁ । କରୋନା ଭୂତାଣୁ ଏତେ ଶୀଘ୍ର ଏହାର କାୟା ବିସ୍ତାର କରୁଛି ଯେ ସମସ୍ତ ପ୍ରସ୍ତୁତି ଏବଂ ପ୍ରଚେଷ୍ଟା ସତ୍ତ୍ୱେ ମଧ୍ୟ ଏହିସବୁ ଦେଶଗୁଡିକରେ ସଙ୍କଟର ମୁକାବିଲା କରିବା କଷ୍ଟସାଧ୍ୟ ହୋଇପଡିଛି । ଏହିସବୁ ଦେଶଗୁଡିକରେ ଦୁଇ ମାସର ତର୍ଜମାରୁ ଏବଂ ବିଶେଷଜ୍ଞମାନଙ୍କ ମତ ଅନୁସାରେ ଏହା ପ୍ରମାଣିତ ହୋଇଛି ଯେ କରୋନା ଭୂତାଣୁର ପ୍ରଭାବୀ ମୁକାବିଲା ପାଇଁ ଏକମାତ୍ର ଉପାୟ ହେଉଛି ସାମାଜିକ ଦୂରତା ବୋଲି ସେ କହିଥିଲେ ।

ଖାମଖିଆଲି ମନୋଭାବ ପ୍ରଦର୍ଶନ କରୁଥିବା ଲୋକମାନଙ୍କୁ ସତର୍କ କରାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ କିଛି ଲୋକମାନଙ୍କର ଖାମଖିଆଲି ମନୋଭାବ, କିଛି ଲୋକମାନଙ୍କର ଭ୍ରମ ଧାରଣା ଆପଣଙ୍କୁ, ଆପଣଙ୍କ ପିଲାମାନଙ୍କୁ, ଆପଣଙ୍କ ମାତା-ପିତାଙ୍କୁ, ଆପଣଙ୍କ ପରିବାରକୁ, ଆପଣଙ୍କ ବନ୍ଧୁମାନଙ୍କୁ ଏବଂ ଆଗାମୀ ଦିନରେ ସଂପୂର୍ଣ୍ଣ ଦେଶକୁ ବହୁତ ବଡ ସଙ୍କଟାପୂର୍ଣ୍ଣ ସ୍ଥିତିରେ ପକାଇଦେବ । ଯଦି ଏଭଳି ଖାମଖିଆଲି ମନୋଭାବ ଜାରୀ ରହେ ତେବେ ଭାରତକୁ ଏଥିପାଇଁ କେତେ ବଡ କ୍ଷତି ସହିବାକୁ ପଡିବ ତାହାର ଆକଳନ କରିବା ଅସମ୍ଭବ ।

ଦେଶର ଅନେକ ଅଂଚଳରେ ବିଗତ କିଛି ଦିନରେ କରାଯାଇଥିବା ଲକଡାଉନକୁ ଗମ୍ଭୀରତାର ସହ ଗ୍ରହଣ କରିବା ପାଇଁ ସେ ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ ।

ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ ଆଜି (ମଙ୍ଗଳବାର ଦିନ) ମଧ୍ୟରାତ୍ରରୁ ଦେଶ ସମ୍ପୁର୍ଣ୍ଣ ଲକଡାଉନ ହୋଇଯିବ, ଲୋକମାନଙ୍କୁ 21 ଦିନ ପର୍ଯ୍ୟନ୍ତ ନିଜ ନିଜ ଘରୁ ବାହାରକୁ ଯିବା ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ ଲଗାଯିବ ।

ସେ କହିଥିଲେ ଯେ ସ୍ୱାସ୍ଥ୍ୟ କ୍ଷେତ୍ରର ବିଶେଷଜ୍ଞମାନଙ୍କ ମତ ଏବଂ ଅନ୍ୟ ଦେଶଗୁଡିକର ଅନୁଭୂତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ଯେ ସଂକ୍ରମଣ ଶୃଙ୍ଖଳାକୁ ଭାଙ୍ଗିବା ପାଇଁ 21 ଦିନର ଆବଶ୍ୟକତା ରହିଛି  ।

ସେ କହିଥିଲେ ଯେ ଏହା ଜନତା କର୍ଫ୍ୟୁଠାରୁ କଠୋର ଏବଂ କିଛି ଅଧିକ ହେବ । ସେ କହିଥିଲେ ଯେ କରୋନା ମହାମାରୀ ଦ୍ୱାରା ଦେଶ ଏବଂ ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ଗୁରୁତ୍ୱପୂର୍ଣ୍ଣ ।

ମହାମାରୀର ଅର୍ଥନୈତିକ ପ୍ରଭାବ ଉପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ନିଶ୍ଚିତ ରୂପେ ଦେଶକୁ ଏହି ଲକଡାଉନ କାରଣରୁ ଆର୍ଥିକ ମୂଲ୍ୟ ଦେବାକୁ ହେବ କିନ୍ତୁ ପ୍ରତ୍ୟେକ ଭାରତୀୟଙ୍କ ଜୀବନକୁ ବଂଚାଇବା ଆମର ସର୍ବୋତ୍ତମ ପ୍ରାଥମିକତା ରହିଛି । ସେଥିପାଇଁ ମୋର ଆପଣମାନଙ୍କ ପାଖରେ ଅନୁରୋଧ ଯେ ଆପଣମାନେ ଏହି ସମୟରେ ଦେଶର ଯେଉଁଠି ମଧ୍ୟ ଅଛନ୍ତି, ସେହିଠାରେ ହିଁ ରୁହନ୍ତୁ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯଦି ତିନି ସପ୍ତାହ ମଧ୍ୟରେ ସ୍ଥିତି ଉପରେ ଆମେ ନିୟନ୍ତ୍ରଣ ନ ଆଣିପାରିଲୁ ତେବେ ଦେଶ 21 ବର୍ଷ ପୂର୍ବକୁ ଚାଲିଯିବ ଏବଂ ଅନେକ ପରିବାର ସବୁଦିନ ପାଇଁ ନଷ୍ଟ ହୋଇଯିବ । ଏଭଳି ସ୍ଥିତିରେ ଲୋକମାନଙ୍କଠାରୁ ଆଗାମୀ 21 ଦିନ ମଧ୍ୟରେ କେବଳ ଗୋଟିଏ କାମ କରିବାକୁ ଅନୁରୋଧ କରୁଛି-ସେମାନେ ନିଜ ନିଜ ଘରେ ରୁହନ୍ତୁ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କରୋନା ମୁକାବିଲା କରିବା ପାଇଁ ଆଶାର କିରଣ ସେହି ଦେଶମାନଙ୍କ ଅନୁଭୂତି ମଧ୍ୟରୁ ମିଳିଛି ଯେଉଁମାନେ କିଛି ମାତ୍ରାରେ କରୋନାକୁ ନିୟନ୍ତ୍ରଣ କରିପାରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ବର୍ତ୍ତମାନ ଏଭଳି ସ୍ଥିତିରେ ରହିଛି ଯେଉଁଠି ଆମର ବର୍ତ୍ତମାନ ଗୋଟିଏ ପଦକ୍ଷେପ ନିଶ୍ଚିତ କରିବ ଯେ ଆମେ ଏହି ବିପତ୍ତିକୁ କେତେ ମାତ୍ରାରେ କମାଇ ପାରୁଛୁ । ଏହି ସମୟ ଲଗାତାର ଆମ ସଂକଳ୍ପକୁ ମଜବୁତ କରିବାର ସମୟ । ଏହି ସମୟରେ ପ୍ରତ୍ୟେକ ପଦକ୍ଷେପ ସାବଧାନତାର ସହ ନେବାର ସମୟ । ଆପଣଙ୍କୁ ଏହା ସ୍ମରଣ ରଖିବାକୁ ହେବ ଯେ ଜୀବନ ଥିଲେ ସବୁକିଛି । ଏହି ସମୟ ଧୈର୍ଯ୍ୟ ଏବଂ ଅନୁଶାସନର  । ଯେତେବେଳେ ଲକଡାଉନ ସ୍ଥିତି ଥିବ ସେତେବେଳେ ଆମେ ସଂକଳ୍ପବଦ୍ଧ ହୋଇ ନିଜର ପ୍ରତିଶୃତି ରକ୍ଷା କରିବାର ଆବଶ୍ୟକତା ରହିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ ଦେଶସାରା ଏହା ସୁନିଶ୍ଚିତ କରୁଛନ୍ତି ଯେ ଜନସାଧାଣମାନଙ୍କୁ ସେମାନଙ୍କ ଦୈନନ୍ଦିନ ଜୀବନରେ ଯେପରି ଅତ୍ୟଧିକ ଅସୁବିଧା ନ ହେଉ । ସେ କହିଥିଲେ ଯେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ନିରନ୍ତର ଯୋଗାଣ ପାଇଁ ବ୍ୟବସ୍ଥା କରାଯାଉଛି । ସେ ଆହୁରୀ ମଧ୍ୟ କହିଥିଲେ ଯେ କେନ୍ଦ୍ର ଏବଂ ରାଜ୍ୟ ସରକାରମାନଙ୍କ ବ୍ୟତୀତ ସିଭିଲ ସୋସାଇଟିର ଜନସାଧାରଣ ଏବଂ ପ୍ରତିଷ୍ଠାନଗୁଡିକ ମଧ୍ୟ ଏହି ସଙ୍କଟ ସମୟରେ ଗରିବଙ୍କ ସମସ୍ୟାକୁ କମ କରିବା କ୍ଷେତ୍ରରେ ଲଗାତାର ପ୍ରଚେଷ୍ଟା କରୁଛନ୍ତି  ।

ଶ୍ରୀ ମୋଦୀ ଘୋଷଣା କରିଥିଲେ ଯେ କରୋନା ପିଡୀତ ରୋଗୀମାନଙ୍କର ଚିକିତ୍ସା ଏବଂ ଏହାର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ସରକାର 15 ହଜାର କୋଟି ଟଙ୍କା (15,000,00,00,000 ) ର ବ୍ୟବସ୍ଥା କରିଛନ୍ତି ।

ସେ ଜନସାଧାରଣଙ୍କୁ ଏଭଳି ସ୍ଥିତିରେ କୌଣସି ପ୍ରକାର ଅପପ୍ରଚାର ଏବଂ ଅନ୍ଧବିଶ୍ୱାସରୁ ସତର୍କ ରହିବା ପାଇଁ ଆହ୍ୱାନ କରିଥିଲେ । ସେ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ଯେ ଯଦି ସଂକ୍ରମଣର ଲକ୍ଷଣ ପରିଲକ୍ଷିତ ହୁଏ ତେବେ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ଖାଆନ୍ତୁ ନାହିଁ । ସେ କହିଥିଲେ ଯେ ଏହିଭଳି ଘଡିସନ୍ଧି ମୁହୂର୍ତ୍ତରେ ମୋର ବିଶ୍ୱାସ ଯେ ପ୍ରତ୍ୟେକ ଭାରତୀୟ, ସରକାର ଏବଂ ସ୍ଥାନୀୟ ଅଧିକାରୀଙ୍କ ନିର୍ଦ୍ଦେଶକୁ ଅନୁପାଳନ କରିବେ ।

ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଭାରତୀୟଙ୍କର ପ୍ରଶଂସା କରିଥିଲେ, ଯେଉଁମାନେ ସଙ୍କଟ ସମୟରେ ସାଙ୍ଗରେ ଥିଲେ ଏବଂ ଜନତା କର୍ଫ୍ୟୁକୁ ସଫଳ କରିବା ପାଇଁ ସଂପୂର୍ଣ୍ଣ ଦାୟିତ୍ୱର ସହ ଏବଂ ସମ୍ବେଦନଶୀଳତାର ସହ ଯୋଗଦାନ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ କର୍ଫ୍ୟୁ ଜରିଆରେ ଭାରତ ଦେଖାଇଥିଲା ଯେ ଯେତେବେଳେ ଦେଶ ଉପରେ ସଙ୍କଟ ଆସିଥାଏ, ଯେତେବେଳେ ମାନବତା ଉପରେ ସଙ୍କଟ ଆସିଥାଏ ସେତେବେଳେ କେଉଁଭଳି ଭାବେ ପ୍ରତ୍ୟେକ ଭାରତୀୟ ମିଳିମିଶି ତାହାର ମୁକାବିଲା କରିଥାନ୍ତି ।

ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ ଯେ 21 ଦିନ ଏକ ଲମ୍ବା ସମୟ କିନ୍ତୁ ଆପଣଙ୍କ ଏବଂ ଆପଣଙ୍କ ପରିବାରର ସୁରକ୍ଷା ପାଇଁ ଏହା ଅତ୍ୟନ୍ତ ଆବଶ୍ୟକ । ସେ ଭରସା ଦେଇଥିଲେ ଯେ ପ୍ରତ୍ୟେକ ଭାରତୀୟ କେବଳ ଏହି ସଙ୍କଟ ସମୟରେ ଯୁଦ୍ଧ କରିବା ସହିତ ଏଥିରେ ବିଜୟ ଲାଭ ମଧ୍ୟ କରିବେ ।

 

**********

 



(Release ID: 1608710) Visitor Counter : 177


Read this release in: English