ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କୋଭିଡ-19 ମୁକାବିଲା ଲାଗି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

Posted On: 19 MAR 2020 7:22PM by PIB Bhubaneshwar

ନମସ୍ତେ,

ମୋର ପ୍ରିୟ ଦେଶବାସୀ, ସାରା ବିଶ୍ୱ ବର୍ତ୍ତମାନ ସଂକଟର ବହୁତ ବଡ଼ ଗମ୍ଭୀର ସମୟ ଦେଇ ଗତି କରୁଛି । ସାଧାରଣତଃ, ଯେତେବେଳେ କୌଣସି ପ୍ରାକୃତିକ ସଂକଟକ ଆସିଥାଏ, ତାହା କୌଣସି ରାଜ୍ୟ କିମ୍ବା ଦେଶ ପର୍ଯ୍ୟନ୍ତ ସୀମିତ ରହିଥାଏ । କିନ୍ତୁ ଏଥର ଏପରି ଏକ ସଂକଟ ଆସିଛି, ଯାହା ସାରା ବିଶ୍ୱର ସମ୍ପୂର୍ଣ୍ଣ ମାନବ ଜାତିକୁ ସଂକଟରେ ପକାଇ ଦେଇଛି । ଯେତେବେଳେ ପ୍ରଥମ ବିଶ୍ୱ ଯୁଦ୍ଧ ହୋଇଥିଲା, ଦ୍ୱିତୀୟ ବିଶ୍ୱଯୁଦ୍ଧ ହୋଇଥିଲା, ସେତେବେଳେ ମଧ୍ୟ ଏତେ ଯୁଦ୍ଧ ଦ୍ୱାରା ପ୍ରଭାବିତ ହୋଇନଥିଲେ ଯେତିକି ଦେଶ ଆଜି କରୋନାର ଏହି ରୋଗ ଦ୍ୱାରା ପ୍ରଭାବିତ ହୋଇଛନ୍ତି ।

ଗତ ଦୁଇ ମାସ ଧରି ଆମେ ନିରନ୍ତର ବିଶ୍ୱରୁ ଆସୁଥିବା କରୋନା ଭୂତାଣୁ ସହ ଜଡ଼ିତ ଚିନ୍ତାଜନକ ଖବର ଦେଖୁଛୁ, ଶୁଣୁଛୁ । ଏହି ଦୁଇ ମାସ ମଧ୍ୟରେ ଭାରତର 130 କୋଟି ନାଗରିକ କରୋନା ଭଳି ବୈଶ୍ୱିକ ମହାମାରୀକୁ ସାହସର ସହିତ ମୁକାବିଲା କରିଛନ୍ତି । ସମସ୍ତ ଦେଶବାସୀ ଆବଶ୍ୟକ ସାବଧାନତା ଅବଲମ୍ବନ କରିବା ଲାଗି ଭରପୂର ପ୍ରୟାସ ମଧ୍ୟ କରିଛନ୍ତି । କିନ୍ତୁ ଗତ କିଛିଦିନ ଧରି ଏପରି ଏକ ପରିବେଶ ସୃଷ୍ଟି ହୋଇଛି, ପରିସ୍ଥିତି ଦେଖାଦେଇଛି ଯେ ଲାଗୁଛି ଯେପରି ଆମେ ସଂକଟରୁ ସୁରକ୍ଷିତ ହୋଇ ରହିଛୁ । ଲାଗୁଛି ସବୁ ଠିକ୍ ଅଛି । ବୈଶ୍ୱିକ ମହାମାରୀ କରୋନା ପ୍ରତି ଏପରି ନିଶ୍ଚିତ ହୋଇ ରହିଯିବା ଠିକ ନୁହେଁ । ତେଣୁ ପ୍ରତ୍ୟେକ ଦେଶବାସୀ ସଜାଗ ରହିବା, ସତର୍କ ରହିବା, ବହୁତ ଆବଶ୍ୟକ ।

ସାଥୀଗଣ,

ମୁଁ ଆପଣମାନଙ୍କୁ ଯେତେବେଳେ, ଯାହା କିଛି ମାଗିଛି ମୋତେ କେବେ ବି ଦେଶବାସୀ ନିରାଶ କରିନାହାନ୍ତି । ଏହା ଆପଣମାନଙ୍କ ଆଶୀର୍ବାଦର ଶକ୍ତି ଯେ ଆମେ ସମସ୍ତେ ମିଶି ଆମର ନିର୍ଦ୍ଧାରିତ ଲକ୍ଷ୍ୟ ଦିଗରେ ଆଗକୁ ବଢ଼ୁଛୁ । ପ୍ରୟାସ ସଫଳ ମଧ୍ୟ ହେଉଛି । ଆଜି ମୁଁ ସମସ୍ତ ଦେଶବାସୀଙ୍କ ଠାରୁ 130 କୋଟି ଦେଶବାସୀଙ୍କ ଠାରୁ, ଆପଣ ସମସ୍ତଙ୍କୁ ଠାରୁ କିଛି ମାଗିବାକୁ ଆସିଛି, ମୋର ଆପଣମାନଙ୍କ ଠାରୁ ଆପଣଙ୍କ ଆଗାମୀ କିଛି ସପ୍ତାହ ଦରକାର, ଆଗାମୀ କିଛି ସମୟ ଦରକାର ।

ମୋର ପ୍ରିୟ ଦେଶବାସୀ,

ବର୍ତ୍ତମାନ ସୁଦ୍ଧା ବିଜ୍ଞାନ କରୋନା ମହାମାରୀ କବଳରୁ ରକ୍ଷା ପାଇବା ଲାଗି କୌଣସି ନିଶ୍ଚିତ ସମାଧାନ ବାହାର କରିପାରିନାହିଁ । ଏହାର କୌଣସି ଟିକା ମଧ୍ୟ ବାହାରିପାରିନାହିଁ । ଏଭଳି ସ୍ଥିତିରେ ସମସ୍ତଙ୍କ ଚିନ୍ତା ବଢ଼ିବା ସ୍ୱାଭାବିକ । ବିଶ୍ୱର ବିଭିନ୍ନ ଦେଶରେ କରୋନା ଭୂତାଣୁ ଏବଂ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳୁଛି । ସେଠାରେ ଅଧ୍ୟୟନରେ ଆଉ ଏକ କଥା ସାମ୍ନାକୁ ଆସିଛି । ଏସବୁ ଦେଶରେ ପ୍ରାରମ୍ଭିକ କିଛି ଦିନ ପରେ ଅଚାନକ ରୋଗର ଏକପ୍ରକାର ବିସ୍ଫୋରଣ ହୋଇଛି । ଏସବୁ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଖୁବ ଦ୍ରୁତ ଗତିରେ ବୃଦ୍ଧି ପାଇଛି ।

ଭାରତ ସରକାର ଏହି ସ୍ଥିତିରେ, ଏହି ବୈଶ୍ୱିକ ମହାମାରୀ ସଂକ୍ରମଣର ଟ୍ରାକ ରେକର୍ଡ ଉପରେ ସମ୍ପୂର୍ଣ୍ଣ ନଜର ରଖିଛନ୍ତି । ତେବେ କିଛି ଦେଶ ଏପରି ଅଛନ୍ତି, ଯେଉଁମାନେ ଆବଶ୍ୟକ ନିଷ୍ପତ୍ତି ନେଇଛନ୍ତି ଏବଂ ନିଜ ଦେଶର ଲୋକମାନଙ୍କୁ ଅଧିକରୁ ଅଧିକ ପୃଥକ ରଖି ସ୍ଥିତିକୁ ନିୟନ୍ତ୍ରଣରେ ରଖିଛନ୍ତି । ଏଥିରେ ନାଗରିକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଭାରତ ଭଳି 130 କୋଟି ଜନସଂଖ୍ୟା ଥିବା ଦେଶ ସମ୍ମୁଖରେ ଏହି ଆହ୍ୱାନ, ଆମେ ପୁଣି ଏପରି ଏକ ଦେଶ ଯାହା ବିକାଶ ଲାଗି ସବୁବେଳେ ପ୍ରଯତ୍ନଶୀଳ, ଆମ ଭଳି ଦେଶ ଉପରେ କରୋନାର ଏହି ସଂକଟ ସାଧାରଣ କଥା ନୁହେଁ । ଆଜି ଯେତେବେଳେ ବଡ଼ ଏବଂ ବିକଶିତ ଦେଶରେ ଆମେ ଏହି ମହାମାରୀର ବ୍ୟାପକ ପ୍ରଭାବ ଦେଖୁଛୁ, ଭାରତ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ତାହା ମାନିନେବା ଭୁଲ । ସେଥିପାଇଁ ଏହି ବୈଶ୍ୱିକ ମହାମାରୀର ମୁକାବିଲା କରିବା ପାଇଁ ଦୁଇଟି ପ୍ରମୁଖ କଥାର ଆବଶ୍ୟକତା ରହିଛି । ପ୍ରଥମଟି ହେଲା ସଂକଳ୍ପ, ଦ୍ୱିତୀୟଟି ହେଲା ସଂଯମତା, ସଂକଳ୍ପ ଓ ସଂଯମତା । ଆଜି 130 କୋଟି ଦେଶବାସୀ ନିଜ ସଂକଳ୍ପକୁ ଆହୁରି ଦୃଢ଼ କରିବା ଜରୁରି ଯେ ଆମେ ଏହି ବୈଶ୍ୱିକ ମହାମାରୀକୁ ରୋକିବା ଲାଗି ଜଣେ ନାଗରିକ ଭାବେ ନିଜ କର୍ତ୍ତବ୍ୟର ପାଳନ କରିବୁ । କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କ ଦିଶା ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ଭାବେ ପାଳନ କରିବୁ ।  ଆଜି ଆମମାନଙ୍କୁ ଏହି ସଂକଳ୍ପ ନେବାକୁ ପଡ଼ିବ ଯେ ଆମେ ନିଜେ ସଂକ୍ରମିତ ହେବାରୁ ରକ୍ଷା ପାଇବା ଏବଂ ଅନ୍ୟମାନଙ୍କୁ ମଧ୍ୟ ସଂକ୍ରମିତ ହେବାରୁ ରକ୍ଷା କରିବା ।

ସାଥୀଗଣ, ଏଭଳି ବୈଶ୍ୱିକ ମହାମାରୀରେ ଗୋଟିଏ ମନ୍ତ୍ର କାମ କରିଥାଏ ଯେ ଆମେ ସୁସ୍ଥ ତଜଗତ ସୁସ୍ଥ । ଆମେ ସୁସ୍ଥ ତଜଗତ ସୁସ୍ଥ । ଏଭଳି ସ୍ଥିତିରେ ଯେତେବେଳେ ଏହି ରୋଗର କୌଣସି ଔଷଧ ନାହିଁ । ଆମେ ନିଜେ ସୁସ୍ଥ ରହିବା ସବୁଠୁ ବଡ଼ ଆବଶ୍ୟକତା । ଏହି ରୋଗରୁ ବର୍ତିବା ଏବଂ ନିଜେ ସୁସ୍ଥ ରହିବା ଲାଗି ଆଉ ଏକ ବାଧ୍ୟତା ହେଉଛି ସଂଯମ । ସଂଯମର ଉପାୟ ହେଉଛି ଭିଡ଼ରୁ ବର୍ତ୍ତିବା, ଘରୁ ବାହାରକୁ ନବାହାରିବା, ଆଜିକାଲି ଯାହାକୁ ସୋସିଆଲ ଡିଷ୍ଟାନ୍ସିଂ କୁହାଯାଉଛି । କରୋନା ବୈଶ୍ୱିକ ମହାମାରୀର ଏହି ସମୟରେ ଏହି ସୋସିଆଲ ଡିଷ୍ଟାନ୍ସିଂ ଅତି ଜରୁରି ଏବଂ ପ୍ରଭାବୀ ମଧ୍ୟ । ଆମର ସଂକଳ୍ପ ଓ ସଂଯମ ଏହି ବୈଶ୍ୱିକ ମହାମାରୀକୁ କମ କରିବାରେ ବହୁତ ବଡ଼ ଭୂମିକା ତୁଲାଇବ ।

ସେଥିପାଇଁ  ଯଦି ଆପଣଙ୍କୁ ଲାଗୁଛି ଯେ ଆପଣମାନେ ଠିକ ଅଛନ୍ତି, ଆପଣମାନଙ୍କୁ କିଛି ହେବ ନାହିଁ, ଆପଣମାନେ ଏମିତି ବଜାରରେ ବୁଲୁଥିବେ, ରାସ୍ତାରେ ବୁଲୁଥିବେ, ଏବଂ କରୋନାରୁ ରକ୍ଷା ପାଇଯିବେ । ମୁଁ ଭାବୁଛି ଏଭଳି ଭାବନା ଠିକ ନୁହେଁ । ଏପରି କରି ଆପଣ ନିଜ ସହିତ ଏବଂ ନିଜ ପ୍ରିୟଜନ, ପରିବାର ସହିତ ଅନ୍ୟାୟ କରିବେ ।

ସେଥିପାଇଁ ମୋର ସମସ୍ତ ଦେଶବାସୀଙ୍କୁ ଅନୁରୋଧ ଯେ ଆଗାମୀ କିଛି ସପ୍ତାହ ପର୍ଯ୍ୟନ୍ତ, ଅତି ଜରୁରି ଥିଲେ ଘରୁ ବାହାରକୁ ବାହାରନ୍ତୁ । ଯେତେ ସମ୍ଭବ, ଆପଣ ନିଜ କାମ, ବ୍ୟବସାୟ ସହ ସମ୍ପର୍କିତ ହୋଇଥାଉ, ଅଫିସ ସହିତ ଜଡ଼ିତ ହୋଇଥାଉ । ଘରେ ଥାଇ ହିଁ କରନ୍ତୁ ।

ଯେଉଁମାନେ ସରକାରୀ ସେବାରେ ଅଛନ୍ତି, ଡାକ୍ତରଖାନାରେ ନିୟୋଜିତ ଅଛନ୍ତି, ଜନପ୍ରତିନିଧି, ମିଡିଆ କର୍ମୀ, ସେମାନଙ୍କ ସକ୍ରିୟତା ଆବଶ୍ୟକ ଅଟେ । କିନ୍ତୁ ସମାଜର ବାକି ସବୁ ଲୋକମାନଙ୍କୁ ନିଜକୁ ବାକି ସମାଜ ଠାରୁ ଦୂରେଇ ନେବାର ଆବଶ୍ୟକତା ରହିଛି ।

ମୋର ଆଉ ଏକ ଆଗ୍ରହ ହେଉଛି ଆମ ପରିବାରରେ ଯେଉଁମାନେ ବରିଷ୍ଠ ନାଗରିକ, ଯେଉଁମାନଙ୍କର ବୟସ 65 ବର୍ଷରୁ ଊର୍ଦ୍ଧ୍ଵ, ସେମାନେ ଆଗାମୀ କିଛି ସପ୍ତାହ ପର୍ଯ୍ୟନ୍ତ ବାହାରକୁ ଯାଆନ୍ତୁ ନାହିଁ ।

ଆଜିର ପିଢ଼ି ଏଥିପ୍ରତି ଅଧିକ ପରିଚିତ ନଥିବ, କିନ୍ତୁ ଆଗ କାଳରେ ଯେତେବେଳେ କୌଣସି ଯୁଦ୍ଧ ପରିସ୍ଥିତି ଦେଖାଦେଉଥିଲା, ଗାଁ ଗାଁରେ ବ୍ଲାକ ଆଉଟ ପରିସ୍ଥିତି ଦେଖାଦେଉଥିଲା । ଘର କାଚରେ କାଗଜ ଲଗାଇ ଦିଆଯାଉଥିଲା, ଲାଇଟ ବନ୍ଦ କରି ଦିଆଯାଉଥିଲା, ଲୋକମାନେ ଦଳ ଦଳ ପରି ପହରା ଦେଉଥିଲେ ।

ଏହା ବେଳେ ବେଳେ ବହୁତ ଦିନ ପର୍ଯ୍ୟନ୍ତ ଚାଲୁଥିଲା । ଯୁଦ୍ଧ ହେଉନଥିଲେ ମଧ୍ୟ ଅଧିକ ସଚେତନ ନଗରପାଳିକାଗୁଡ଼ିକ ବ୍ଲାକ ଆଉଟ ଡ୍ରିଲ ମଧ୍ୟ କରାଉଥିଲେ ।

ସାଥୀଗଣ,

ମୁଁ ଆଜି ପ୍ରତ୍ୟେକ ଦେଶବାସୀଙ୍କ ଠାରୁ ଆଉ ଏକ ସମର୍ଥନ ଚାହୁଁଛି ।

ଏହା ଜନତାଙ୍କ କର୍ଫୁ ।

ଜନତା କର୍ଫୁ ଅର୍ଥାତ ଜନତାଙ୍କ ପାଇଁ, ଜନତାଙ୍କ ଦ୍ୱାରା, ନିଜ ଉପରେ ଲାଗୁ ହୋଇଥିବା କର୍ଫୁ ।

ଏହି ରବିବାର ଅର୍ଥାତ, 22 ମାର୍ଚ୍ଚରେ ସକାଳ 7ଟାଠାରୁ ରାତି 9ଟା ପର୍ଯ୍ୟନ୍ତ ସମସ୍ତ ଦେଶବାସୀଙ୍କୁ ଜନତା କର୍ଫୁ ପାଳନ କରିବାକୁ ହେବ ।

ଏହି ସମୟରେ ସେମାନେ ଘରୁ ବାହାରକୁ ବାହାରିବେ ନାହିଁ, ରାସ୍ତାକୁ ଯିବେ ନାହିଁ, ଗଳିକନ୍ଦିକୁ ଯିବେ ନାହିଁ । କେବଳ ଆବଶ୍ୟକ ସେବା ସହିତ ଜଡ଼ିତ ଲୋକମାନେ ହିଁ 22 ମାର୍ଚ୍ଚରେ ନିଜ ଘରୁ ବାହାରିବେ ।

ସାଥୀଗଣ, 22 ମାର୍ଚ୍ଚରେ ଆମର ଏହି ପ୍ରୟାସ, ଆମର ଆତ୍ମ ସଂଯମ, ଦେଶ ହିତରେ କର୍ତ୍ତବ୍ୟ ପାଳନ କରିବାର ସଂକଳ୍ପର ଏକ ପ୍ରତୀକ ହେବ ।

22 ମାର୍ଚ୍ଚରେ ଜନତା-କର୍ଫୁର ସଫଳତା, ଏହାର ଅନୁଭବ, ଆମକୁ ଆଗାମୀ ଆହ୍ୱାନ ଲାଗି ମଧ୍ୟ ପ୍ରସ୍ତୁତ କରିବ ।

ମୁଁ ଦେଶର ସମସ୍ତ ରାଜ୍ୟ ସରକାରଙ୍କୁ ମଧ୍ୟ ଅନୁରୋଧ କରିବି ଯେ ସେମାନେ ଜନତା କର୍ଫୁ ପାଳନ କରିବାର ନେତୃତ୍ୱ ନିଅନ୍ତୁ ।

ଏନସିସି, ଏନଏସଏସ ସହ ଜଡ଼ିତ ଯୁବକ, ଦେଶର ପ୍ରତ୍ୟେକ ଯୁବକ, ନାଗରିକ ସମାଜ, ପ୍ରତ୍ୟେକ ପ୍ରକାରର ସଂଗଠନ ଏ ସମସ୍ତଙ୍କୁ ମଧ୍ୟ ଅନୁରୋଧ କରିବି ଯେ ଏବେ ଠାରୁ ଆସନ୍ତା 2 ଦିନ ପର୍ଯ୍ୟନ୍ତ ଜନତା କର୍ଫୁ ବିଷୟରେ ଜନସାଧାରଣଙ୍କୁ ସଚେତନ କରାନ୍ତୁ । ସମ୍ଭବ ହେଲେ ପ୍ରତ୍ୟେକ ବ୍ୟକ୍ତି ପ୍ରତିଦିନ ଅତି କମରେ 10ଜଣ ଲୋକଙ୍କୁ ଫୋନ କରି କରୋନା ଭୂତାଣୁ ଠାରୁ ରକ୍ଷା ପାଇବା ଲାଗି ଜନତା-କର୍ଫୁ ବିଷୟରେ କୁହନ୍ତୁ ।

ସାଥୀଗଣ,

ଏହି ଜନତା କର୍ଫୁ ଏକ ପ୍ରକାରରେ ଆମ ପାଇଁ, ଭାରତବାସୀଙ୍କ ପାଇଁ ଏକ ପରୀକ୍ଷା ଭଳି ହେବ ।

ଏହା କରୋନା ଭଳି ବୈଶ୍ୱିକ ମହାମାରୀ ବିରୋଧରେ ଲଢ଼େଇ ପାଇଁ ଭାରତ କେତେ ମାତ୍ରାରେ ପ୍ରସ୍ତୁତ, ତାହା ଦେଖିବା ଏବଂ ପରୀକ୍ଷା କରିବାର ମଧ୍ୟ ସମୟ ।

ଆପଣମାନଙ୍କର ଏହି ପ୍ରୟାସ ମଧ୍ୟରେ, ଜନତା କର୍ଫୁ ଦିନ, 22 ମାର୍ଚ୍ଚକୁ ମୁଁ ଆପଣମାନଙ୍କ ଠାରୁ ଆଉ ଏକ ସହଯୋଗ ଚାହୁଁଛି । ଏହି କରୋନା ଭଳି ବୈଶ୍ୱିକ ମହାମାରୀ ବିରୋଧୀ ଲଢ଼େଇ ଲାଗି ଭାରତ କେତେ ପ୍ରସ୍ତୁତ, ଏହା ଦେଖିବା ଏବଂ ପରୀକ୍ଷା କରିବାର ମଧ୍ୟ ସମୟ ଆସିଯାଇଛି ।

ସାଥୀଗଣ,

ଗତ 2 ମାସ ଧରି ଲକ୍ଷାଧିକ ଲୋକ ଡାକ୍ତରଖାନାରେ, ବିମାନ ବନ୍ଦରରେ, ଦିନ ରାତିରେ କାମରେ ଲାଗିଛନ୍ତି । ଡାକ୍ତର ହୁଅନ୍ତୁ, ନର୍ସ ହୁଅନ୍ତୁ, ହସ୍ପିଟାଲ କର୍ମଚାରୀ ହୁଅନ୍ତୁ, ସଫେଇ କାର୍ଯ୍ୟରେ ନିୟୋଜିତ ଆମର ଭାଇ-ଭଉଣୀ ହୁଅନ୍ତୁ, ବିମାନ କର୍ମଚାରୀ ହୁଅନ୍ତୁ, ସରକାରୀ କର୍ମଚାରୀ, ପୋଲିସ କର୍ମଚାରୀ, ଗଣମାଧ୍ୟମ କର୍ମୀ, ରେଳ, ବସ, ଅଟୋ ରିକ୍ସା ସୁବିଧା ସହିତ ଜଡ଼ିତ ଲୋକ, ହୋମ ଡେଲିଭରୀ ଦେଉଥିବା ଲୋକମାନେ ହୁଅନ୍ତୁ, ଏମାନେ ନିଜ ବିଷୟରେ ଚିନ୍ତା ନକରି, ଅନ୍ୟମାନଙ୍କା ସେବାରେ ନିୟୋଜିତ ଅଛନ୍ତି । ଆଜିର ପରିସ୍ଥିତିକୁ ଦେଖିଲେ, ଏହି ସେବାକୁ ସାଧାରଣ ବୋଲି କୁହାଯିବ ନାହିଁ ।

ଆଜି ସେମାନେ ନିଜେ ସଂକ୍ରମିତ ହେବାର ସମ୍ପୂର୍ଣ୍ଣ ଆଶଙ୍କା ରହିଛି । ଏହାସତ୍ୱେ ସେମାନେ ନିଜ କର୍ତ୍ତବ୍ୟ ପାଳନ କରକୁଛନ୍ତି । ଅନ୍ୟମାନଙ୍କ ସେବା କରୁଛନ୍ତି । ଏମାନେ ରାଷ୍ଟ୍ର-ରକ୍ଷକଙ୍କ ଭଳି କରୋନା ମହାମାରୀ ଓ ଆମ ମଧ୍ୟରେ ପ୍ରାଚୀର ହୋଇ ଛିଡ଼ା ହୋଇଛନ୍ତି । ଦେଶ ଏମାନଙ୍କ ପ୍ରତି କୃତଜ୍ଞ । ମୁଁ ଚାହୁଁଛି ଯେ 22 ମାର୍ଚ୍ଚ, ରବିବାର ଦିନ ଏପରି ସବୁ ଲୋକମାନଙ୍କୁ ଧନ୍ୟବାଦ ଅର୍ପଣ କରିବା । ରବିବାର ଅପରାହ୍ଣ ଠିକ 5ଟା ସମୟରେ ଆମେ ଆମ ଘର ଦୁଆରେ ଛିଡ଼ା ହୋଇ, ବାଲକୋନିରେ, ଝରକା ପାଖରେ ଛିଡ଼ା ହୋଇ 5 ମିନିଟ ପର୍ଯ୍ୟନ୍ତ ଏପରି ଲୋକଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିବା । ତାଳି ବଜାଇ, ଥାଳି ବଜାଇ କିମ୍ବା ଘଂଟି ବଜାଇ, ଆମେ ଏମାନଙ୍କ ସାହସ ବଢ଼ାଇବା, ସେମାନଙ୍କୁ ଅଭିବାଦନ ଜଣାଇବା ।

ସାରା ଦେଶର ସ୍ଥାନୀୟ ପ୍ରଶାସନକୁ ମଧ୍ୟ ମୁଁ ଅନୁରୋଧ କରୁଛି ଯେ 22 ମାର୍ଚ୍ଚ ଅପରାହ୍ଣ 5ଟାରେ ସାଇରନ ବଜାଇ ଏହାର ସୂଚନା ଲୋକ ମାନଙ୍କ ନିକଟରେ ପହଁଚାନ୍ତୁ । ସେବା ପରମ ଧର୍ମ, ଆମର ଏହି ସଂସ୍କାରକୁ  ମାନୁଥିବା ଏପରି ଦେଶବାସୀଙ୍କ ଲାଗି ଆମକୁ ସମ୍ପୂର୍ଣ୍ଣ ଶ୍ରଦ୍ଧାର ସହିତ ନିଜର ଭାବନା ବ୍ୟକ୍ତ କରିବାକୁ ହେବ ।

ସାଥୀଗଣ,

ସଂକଟର ଏହି ସମୟରେ, ଆପଣମାନଙ୍କୁ ମଧ୍ୟ ଧ୍ୟାନରେ ରଖିବାକୁ ହେବ ଯେ ଆମର ଆବଶ୍ୟକ ସେବା ଉପରେ, ଆମର ହସ୍ପିଟାଲ ଉପରେ ଚାପ ନିରନ୍ତର ବଢ଼ିଚାଲିଛି । ସେଥିପାଇଁ ମୋର ଆପଣମାନଙ୍କୁ ଆଗ୍ରହ ଯେ ରୁଟିନ ଚେକ-ଅପ ପାଇଁ ଡାକ୍ତରଖାନାକୁ ଯିବା ଏଡ଼ାଇ ଯାଆନ୍ତୁ । ଆପଣମାନଙ୍କ ପାଇଁ ଅତି ଜରୁରି ହୋଇଥିଲେ ଆପଣ ପରିଚିତ ଡାକ୍ତର, ଆପଣଙ୍କ ଫ୍ୟାମିଲି ଡାକ୍ତର, କିମ୍ବା ନିଜର ସମ୍ପର୍କୀୟ ଡାକ୍ତର ହୁଅନ୍ତୁ, ତାଙ୍କ ଠାରୁ ଆବଶ୍ୟକ ପରାମର୍ଶ ନିଅନ୍ତୁ ।

ଯଦି ଆପଣ ଇଲେକ୍ଟିଭ ସର୍ଜରୀ, ଯାହା ଏତେ ଜରୁରି ନୁହେଁ, ଏପରି ସର୍ଜରୀ, ଯଦି ଆପଣ କୌଣସି ତାରିଖ ଧାର୍ଯ୍ୟ କରିଛନ୍ତି, ତାହେଲେ ମୋର ଅନୁରୋଧ ଯେ ତାହାକୁ ମଧ୍ୟ ଘୁଂଚାଇ ଦିଅନ୍ତୁ, ଗୋଟିଏ ମାସ ପରେ କୌଣସି ତାରିଖ ବାଛି ନିଅନ୍ତୁ ।

ସାଥୀଗଣ,

ଏହି ବୈଶ୍ୱିକ ମହାମାରୀର ବୈଶ୍ୱିକ ଅର୍ଥବ୍ୟବସ୍ଥା ଉପରେ ମଧ୍ୟ ବ୍ୟାପକ ପ୍ରଭାବ ପଡ଼ୁଛି । କରୋନା ମହାମାରୀରୁ ଉତ୍ପନ୍ନ ହେଉଥିବା ଆର୍ଥିକ ଆହ୍ୱାନକୁ ଦୃଷ୍ଟିରେ ରଖି, ଅର୍ଥମନ୍ତ୍ରୀଙ୍କ ନେତୃତ୍ୱରେ ସରକାର ଏକ କୋଭିଡ-19 ଆର୍ଥିକ କାର୍ଯ୍ୟାନୁଷ୍ଠାନ ଟାସ୍କଫୋର୍ସ ଗଠନ କରିବାକୁ ନିଷ୍ପତ୍ତି ନେଇଛି । ଏହି ଟାସ୍କଫୋର୍ସ ସମସ୍ତ ଅଂଶୀଦାରମାନଙ୍କ ସହିତ ନିୟମିତ ଯୋଗାଯୋଗ ରକ୍ଷା କରି ଫିଡବ୍ୟାକ ଗ୍ରହଣ କରି ପ୍ରତ୍ୟେକ ସ୍ଥିତିର ଆକଳନ କରି ନିକଟ ଭବିଷ୍ୟତରେ ନିଷ୍ପତ୍ତି ନେବ ।

ଏହାମଧ୍ୟ ସୁନିଶ୍ଚିତ କରିବ ଯେ ଆର୍ଥିକ ସଂକଟକୁ କମ କରିବା ଲାଗି ଯେତେ ଅଧିକ ପଦକ୍ଷେପ ନିଆଯିବ, ସେଗୁଡ଼ିକ ଯେପରି ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ ହେବ । ନିଶ୍ଚିତ ଭାବେ ଏହି ମହାମାରୀ ଦେଶର ମଧ୍ୟମ ବର୍ଗ, ନିମ୍ନ ମଧ୍ୟବିତ ବର୍ଗ ଏବଂ ଗରିବ ଲୋକଙ୍କ ଆର୍ଥିକ ହିତକୁ ଗଭୀର କ୍ଷତି ପହଁଚାଇଛି ।

ସଂକଟର ଏହି ସମୟରେ ମୋ ଦେଶର ବ୍ୟବସାୟ ଜଗତ, ଉଚ୍ଚ ଆୟ ବର୍ଗଙ୍କୁ ମଧ୍ୟ ମୋର ଅନୁରୋଧ ଯେ ଯଦି ସମ୍ଭବ ହେଉଛି ତଆପଣମାନେ ଯେଉଁ ଲୋକମାନଙ୍କ ଠାରୁ ସେବା ନେଉଛନ୍ତି, ସେମାନଙ୍କ ଆର୍ଥିକ ହିତ ପ୍ରତି ଧ୍ୟାନ ଦିଅନ୍ତୁ । ହୋଇପାରେ ଯେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏହି ଲୋକମାନେ ଅଫିସକୁ ଆସିନପାରନ୍ତି, ଆପଣମାନଙ୍କୁ ଘରକୁ ଆସିନପାରନ୍ତି । ଏପରି ସ୍ଥିତିରେ ଆପଣ ସେମାନଙ୍କ ବେତନ କାଟନ୍ତୁ ନାହିଁ, ସମ୍ପୂର୍ଣ୍ଣ ମାନବିକତାର ସହିତ, ସମ୍ବେଦନଶୀଳତାର ସହିତ ନିଷ୍ପତ୍ତି ନିଅନ୍ତୁ ।

ସବୁବେଳେ ମନେ ରଖନ୍ତୁ ଯେ, ଏମାନଙ୍କୁ ମଧ୍ୟ ପରିବାର ଚଳାଇବାକୁ ଅଛି, ନିଜ ପରିବାରକୁ ରୋଗରୁ ସୁରକ୍ଷିତ ରଖିବାର ଅଛି । ମୁଁ ଦେଶବାସୀଙ୍କୁ ଏଥିପାଇଁ ମଧ୍ୟ ଆଶ୍ୱସ୍ତ କରୁଛି ଯେ ଦେଶରେ କ୍ଷୀର, ଖାଇବା ସାମଗ୍ରୀ, ଔଷଧ, ଜୀବନ ପାଇଁ ଏପରି ଜରୁରି ସାମଗ୍ରୀ ଯେମିତି ଅଭାବ ରହିବ ନାହିଁ ସେଥିନିମନ୍ତେ ବ୍ୟାପକ ପଦକ୍ଷେପ ନିଆଯାଉଛି ।

ସେଥିପାଇଁ ମୋର ସମସ୍ତ ଦେଶବାସୀଙ୍କୁ ଅନୁରୋଧ ଯେ ଅତ୍ୟାବଶ୍ୟକ ସାମଗ୍ରୀ ସଂଗ୍ରହ କରିବା ଲାଗି ଭିଡ଼ ଜମାନ୍ତୁ ନାହିଁ । ଆପଣମାନେ ସାଧାରଣ ଭାବେ କିଣାକିଣି କରନ୍ତୁ । ଭୟଭୀତ ହୋଇ କିଣାକିଣି କରନ୍ତୁ ନାହିଁ ।

ସାଥୀଗଣ,

ଦୁଇ ମାସରେ 130 କୋଟି ଭାରତୀୟ, ଦେଶର ପ୍ରତ୍ୟେକ ନାଗରିକ, ଦେଶ ଆଗରେ ଦେଖାଦେଇଥିବା ସଂକଟକୁ ନିଜର ସଂକଟ ଭାବେ ଗ୍ରହଣ କରିଛନ୍ତି । ଭାରତ ପାଇଁ, ସମାଜ ପାଇଁ, ସେମାନଙ୍କ ଦ୍ୱାରା ଯାହା ସମ୍ଭବ ସେମାନେ କରିଛନ୍ତି । ମୋର ଭରସା ଅଛି ଯେ ଆଗାମୀ ଦିନରେ ମଧ୍ୟ ଆପଣମାନେ ନିଜ କର୍ତ୍ତବ୍ୟ, ନିଜ ଦାୟିତ୍ୱକୁ ଏପରି ନିର୍ବାହ କରିବେ । ହଁ, ମୁଁ ଏହା ମାନୁଛି ଯେ କିଛି କଷ୍ଟ ଆସିବ, ଆଶଙ୍କା ଓ ଗୁଜବର ବାତାବରଣ ମଧ୍ୟ ସୃଷ୍ଟି ହେବ । ଅନେକ ଥର ଜଣେ ନାଗରିକ ଭାବେ ଆମର ଆଶା ପୂରଣ ହୋଇପାରିନଥାଏ । ତଥାପି, ଏ ସଂକଟ ଏତେ ବଡ଼ ଯେ ସବୁ ଦେଶବାସୀଙ୍କୁ ଏହି ସମସ୍ୟା ଭିତରେ, ଦୃଢ଼ସଂକଳ୍ପ ସହିତ ଏସବୁ କଷ୍ଟର ମୁକାବିଲା କରିବାକୁ ହେବ ।

ସାଥୀଗଣ,

ଏବେ ଆମକୁ ନିଜର ସବୁ ସାମର୍ଥ୍ୟ କୋରୋନା ଠାରୁ ରକ୍ଷା ପାଇବାରେ ଲଗାଇବାକୁ ହେବ । ଆଜି ଦେଶରେ କେନ୍ଦ୍ରରେ ସରକାର ହୁଅନ୍ତୁ, ରାଜ୍ୟ ସରକାର ହୁଅନ୍ତୁ, ସ୍ଥାନୀୟ ପ୍ରଶାସନ ହେଉ, ପଞ୍ଚାୟତ ହେଉ, ଜନପ୍ରତିନିଧି କିମ୍ବା ନାଗରିକ ସମାଜ, ସମସ୍ତେ ନିଜ ଆଡ଼ୁ ଏହି ବୈଶ୍ୱିକ ମହାମାରୀ ଠାରୁ ରକ୍ଷା ପାଇବାରେ ନିଜର ଯୋଗଦାନ ଦେଉଛନ୍ତି ।

ଆପଣମାନଙ୍କୁ ମଧ୍ୟ ନିଜର ସମ୍ପୂର୍ଣ୍ଣ ଯୋଗଦାନ ଦେବାକୁ ହେବ । ଏହା ଆବଶ୍ୟକ ଯେ ବୈଶ୍ୱିକ ମହାମାରୀର ଏହି ବାତାବରଣରେ ମାନବ ଜାତି ବିଜୟୀ ହେଉ, ଭାରତ ବିଜୟୀ ହେଉ । କିଛିଦିନ ପରେ ନବରାତ୍ରି ପର୍ବ ପଡ଼ିବ । ଏହା ଶକ୍ତି ଉପାସନାର ପର୍ବ । ଭାରତ ସମ୍ପୂର୍ଣ୍ଣ ଶକ୍ତିର ସହିତ ଆଗକୁ ବଢ଼ୁ, ଏହା ହିଁ ଶୁଭକାମନା ।

ବହୁତ ବହୁତ ଧନ୍ୟବାଦ!!!

 

**********

 



(Release ID: 1607433) Visitor Counter : 254


Read this release in: English