ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କୋଭିଡ-19 ମୁକାବିଲା ଲାଗି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

• 22 ମାର୍ଚ୍ଚ ସକାଳ 7ଟାରୁ ରାତି 9ଟା ପର୍ଯ୍ୟନ୍ତ ଜନତା କର୍ଫୁ ପାଇଁ ନିବେଦନ
• 22 ମାର୍ଚ୍ଚ ଅପରାହ୍ଣ 5ଟାରେ ନିଃସ୍ୱାର୍ଥପର ସେବାପ୍ରଦାନକାରୀଙ୍କ ପ୍ରତି କୃତଜ୍ଞତା ପ୍ରକଟ କରିବାକୁ ଆହ୍ୱାନ
• ଭୟଭୀତ ହୋଇ ସାମଗ୍ରୀ ନ କିଣିବାକୁ ନାଗରିକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ; ଜରୁରୀ ସାମଗ୍ରୀ ମହଜୁଦ ନେଇ ଦେଲେ ଆଶ୍ୱାସନା
• ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ‘କୋଭିଡ-19 ଆର୍ଥିକ କାର୍ଯ୍ୟାନୁଷ୍ଠାନ ଟାସ୍କଫୋର୍ସ’ ଗଠନ ପାଇଁ ଘୋଷଣା

Posted On: 19 MAR 2020 1:38PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋଭିଡ-19 ମୁକାବିଲା ଲାଗି ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । ନବରାତ୍ର ଅବସରରେ ପ୍ରଧାନମନ୍ତ୍ରୀ ଦେଶର ଜନସାଧାରଣଙ୍କୁ 9ଟି ଅନୁରୋଧ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ଏହି ମହାମାରୀର ମୁକାବିଲା ଲାଗି ସଂଯମ ଓ ସଂକଳ୍ପର ଆବଶ୍ୟକତା ରହିଛି । ସେ ସମସ୍ତ ନାଗରିକଙ୍କୁ ରୋଗ ସଂକ୍ରମଣ ରୋକିବା ଲାଗି କେତେକ ପଦକ୍ଷେପ ନେବାକୁ ଆହ୍ୱାନ କରିଥିଲେ । ଏହି ମହାମାରୀକୁ ହାଲୁକା ଭାବେ ନ ନେବାକୁ ସେ ଅନୁରୋଧ କରିବା ସହିତ ଏହାର ନିରାକରଣ ଲାଗି ସତର୍କ ରହିବା ପାଇଁ ଆହ୍ୱାନ କରିଥିଲେ ।

ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ଆମେ ସୁସ୍ଥ ରହିଲେ ବିଶ୍ୱ ସୁସ୍ଥ ରହିବମନ୍ତ୍ର ପାଳନ ପାଇଁ ଆହ୍ୱାନ କରିଥିଲେ । ସାମାଜିକ ଦୂରତାବା ସୋସିଆଲ ଡିଷ୍ଟାନ୍ସିଂ ନିୟମ ପାଳନ କରିବା ଲାଗି ସେ ନାଗରିକମାନଙ୍କୁ ଅନୁରୋଧ କରିଥିଲେ । ଏହି ନିୟମକୁ ଧୈର୍ଯ୍ୟର ସହ ପାଳନ କରିବା ଲାଗି ସେ ନାଗରିକମାନଙ୍କୁ ଅନୁରୋଧ କରିବା ସହ ଅତି ଜରୁରୀ ହେଲେ ଘରୁ ବାହାରିବା ଏବଂ ଘରେ ଥାଇ କାମ କରିବା ତଥା ଅଯଥା ଯାତ୍ରା ନକରିବା ପାଇଁ ଆହ୍ୱାନ କରିଥିଲେ । ଆସନ୍ତା କିଛି ସପ୍ତାହ ପର୍ଯ୍ୟନ୍ତ 60 ବର୍ଷରୁ ଊର୍ଦ୍ଧ୍ଵ ବୟସର ଲୋକମାନେ ଘରୁ ନବାହାରିବା ଲାଗି ପ୍ରଧାନମନ୍ତ୍ରୀ ବରିଷ୍ଠ ନାଗରିକମାନଙ୍କୁ ଅନୁରୋଧ କରିଥିଲେ । ସେ ଡାକ୍ତରଖାନାଗୁଡ଼ିକ ଉପରେ ପଡ଼ୁଥିବା ଚାପ ବିଷୟରେ ଉଲ୍ଲେଖ କରି ନାଗରିକମାନଙ୍କୁ ଅନୁରୋଧ କରିଥିଲେ ଯେ ରୁଟିନ ସ୍ୱାସ୍ଥ୍ୟ ପରୀକ୍ଷା ଆବଶ୍ୟକ ନଥିଲେ ତାହାକୁ ଏଡ଼ାଇଯିବା ଦରକାର ।

ଜନତା କର୍ଫ୍ୟୁ

ଆସନ୍ତା 22 ମାର୍ଚ୍ଚ ରବିବାର ଦିନ ସକାଳ 7ଟା ଠାରୁ ରାତି 9ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ପାଳନ ପାଇଁ ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ଆହ୍ୱାନ କରିଥିଲେ । ଜରୁରୀ ସେବାରେ ନିୟୋଜିତ ଥିବା ଲୋକମାନଙ୍କୁ ବାଦ ଦେଇ ଅନ୍ୟମାନଙ୍କୁ ଘରୁ ନବାହାରିବା ଲାଗି ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ । ଏପରି ଜନ ଆନ୍ଦୋଳନ ଏବଂ ଏଥିରୁ ମିଳିଥିବା ଅଭିଜ୍ଞତାକୁ ଆଧାର କରି ଆମେ ଆଗାମୀ ଦିନର ଆହ୍ୱାନକୁ ମୁକାବିଲା କରିପାରିବା । ମାର୍ଚ୍ଚ 22ରେ ଆମର ପ୍ରୟାସ ଆମର ଆତ୍ମସଂଯମ ଏବଂ ଦେଶର ହିତ ପାଇଁ କର୍ତ୍ତବ୍ୟ ପାଳନ ଦିଗରେ ଆମ ପ୍ରତିବଦ୍ଧତାର ପରିଚାୟକ ହେବ । ରାଜ୍ୟ ସରକାରମାନଙ୍କୁ ନେତୃତ୍ୱ ନେବାକୁ ଅନୁରୋଧ କରି ପ୍ରଧାନମନ୍ତ୍ରୀ ଏନସିସି, ଏନଏସଏସ, ନାଗରିକ ସମାଜ ଭଳି ସଂଗଠନକୁ ଜନତା କର୍ଫ୍ୟୁ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଅନୁରୋଧ କରିଥିଲେ । ସେ ସମସ୍ତଙ୍କ ଅତିକମରେ 10 ଜଣ ଲେଖାଏଁ ଲୋକଙ୍କୁ ଫୋନରେ ଜନତା କର୍ଫ୍ୟୁ ପାଳନ କରିବା ଲାଗି ସୂଚନା ଦେବାକୁ ଅନୁରୋଧ କରିଥିଲେ ।

ନିଃସ୍ୱାର୍ଥ ସେବକମାନଙ୍କୁ ଧନ୍ୟବାଦ

ପ୍ରଧାନମନ୍ତ୍ରୀ କହିଥିଲେ ଯେ କୋଭିଡ-19 ମହାମାରୀର ମୁକାବିଲା ଦିଗରେ ବହୁ ସାହସୀ ଲୋକ ଅଗ୍ରଣୀ ଭୂମିକା ନିର୍ବାହ କରୁଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ସ୍ୱାସ୍ଥ୍ୟ କର୍ମୀ, ପୋଲିସ, ସରକାରୀ କର୍ମଚାରୀ, ବିମାନ ବନ୍ଦର କର୍ମଚାରୀ, ଗଣମାଧ୍ୟମ କର୍ମୀ, ବସ, ଟ୍ରେନ, ଅଟୋ ସେବାରେ ଥିବା କର୍ମୀ ଏବଂ ହୋମ ଡେଲିଭରି କରୁଥିବା କର୍ମଚାରୀ । ଏଭଳି କଷ୍ଟକର ସମୟରେ ସେମାନେ ଦେଶ ପାଇଁ ବହୁତ ବଡ଼ ସେବା କରୁଛନ୍ତି । ସେମାନଙ୍କୁ ସମ୍ମାନ ଜଣାଇବା ଲାଗି ମାର୍ଚ୍ଚ 22 ସନ୍ଧ୍ୟା 5ଟାରେ ସମସ୍ତେ ସେମାନଙ୍କ ଘର ଦ୍ୱାର କିମ୍ବା ବାଲକୋନିରେ ଛିଡ଼ା ହୋଇ 5 ମିନିଟ ପର୍ଯ୍ୟନ୍ତ ତାଳି ମାରି କିମ୍ବା ଘଣ୍ଟି ବଜାଇ ଧନ୍ୟବାଦ ପ୍ରକଟ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ ।

ସେହିପରି ଅପରାହ୍ଣ 5ଟାରେ ସାଇରନ ବଜାଇ ସେମାନଙ୍କୁ ଧନ୍ୟବାଦ ଜଣାଇବା ଲାଗି ସେ ସ୍ଥାନୀୟ ପ୍ରଶାସନକୁ ଅନୁରୋଧ କରିଥିଲେ ।

ଆର୍ଥିକ ଆହ୍ୱାନର ମୁକାବିଲା

ଏହି ମହାମାରୀ ଦ୍ୱାରା ପଡ଼ିଥିବା ଆର୍ଥିକ ଆହ୍ୱାନର ମୁକାବିଲା ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କୋଭିଡ-19 ଆର୍ଥିକ କାର୍ଯ୍ୟାନୁଷ୍ଠାନ ଟାସ୍କଫୋର୍ସଗଠନ କରାଯିବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ଏହି ଟାସ୍କଫୋର୍ସ ବିଭିନ୍ନ ଅଂଶୀଦାରଙ୍କ ସହିତ ଆଲୋଚନା କରି ମତାମତ ସଂଗ୍ରହ କରିବ ଏବଂ ଏହାରି ଆଧାରରେ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ପଦକ୍ଷେପ ନେବ । ଏହି ଟାସ୍କଫୋର୍ସ ମଧ୍ୟ ନିଆଯାଇଥିବା ନିଷ୍ପତ୍ତିର କାର୍ଯ୍ୟାନ୍ୱୟନ ତଦାରଖ କରିବ ।

ପ୍ରଧାନମନ୍ତ୍ରୀ ମଧ୍ୟ ବ୍ୟବସାୟୀ ଗୋଷ୍ଠୀ ଏବଂ ଉଚ୍ଚ ଆୟ ବର୍ଗର ଲୋକମାନଙ୍କୁ ଅନୁରୋଧ କରି କହିଥିଲେ ଯେ ସେବା ଯୋଗାଉଥିବା ନିମ୍ନ ଆୟ ବର୍ଗର ଲୋକମାନଙ୍କ ଦରମା ଏଭଳି ସଂକଟଜନକ ପରିସ୍ଥିତିରେ ସେମାନେ କାଟିବା ଅନୁଚିତ । କାର୍ଯ୍ୟସ୍ଥଳୀକୁ ଆସିନପାରି ସେବା ଯୋଗାଇବାକୁ ଅସମର୍ଥ ହେଉଥିବା ଲୋକଙ୍କ ପ୍ରତି ମାନବିକତାର ସହ ବିଚାର କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ ।

ଖାଦ୍ୟ, କ୍ଷୀର, ଔଷଧ ଆଦି ଜରୁରୀ ସାମଗ୍ରୀର ଅଭାବ ହେବ ନାହିଁ ଏବଂ ଏ ଦିଗରେ ଯଥେଷ୍ଟ ପଦକ୍ଷେପ ନିଆଯିବ ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆଶ୍ୱାସନା ଦେଇଥିଲେ । ତେଣୁ ଅଯଥା ଆତଙ୍କିତ ହୋଇ କିଣାକିଣି ନ କରିବାକୁ ସେ ଅନୁରୋଧ କରିଥିଲେ ।

କୋଭିଡ-19 ମୁକାବିଲା ଲାଗି ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ । ଗୁଜବ ଓ ଭୁଲ ସୂଚନାକୁ ବିଶ୍ୱାସ ନକରିବା ଲାଗି ସେ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ । ଏଭଳି ବୈଶ୍ୱିକ ମହାମାରୀ ସମୟରେ ମାନବତାର ବିଜୟ ଓ ଭାରତର ବିଜୟଜରୁରୀ ବୋଲି ସେ କହିଥିଲେ ।

 

 

************



(Release ID: 1607290) Visitor Counter : 174


Read this release in: English