ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ଦେଶରେ ମୋଟ 84 କରୋନା ସଂକ୍ରମିତ : ସୁସ୍ଥ ହେଲେ 10
• ମୁକାବିଲା ଲାଗି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ କ୍ଷମତା
• ଜୁନ 30 ପର୍ଯ୍ୟନ୍ତ ମାସ୍କ ଓ ସାନିଟାଇଜର ଅତ୍ୟାବଶ୍ୟକ ସାମଗ୍ରୀ ଘୋଷିତ
• ଅଭାବୀ ବିକ୍ରି ଓ କଳାବଜାରୀ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ
Posted On:
14 MAR 2020 8:39PM by PIB Bhubaneshwar
କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ଓ ନିରାକରଣ ଲାଗି ଭାରତ ସରକାର ସଂଖ୍ୟାଧିକ ତତ୍ପର ଓ ସମୟୋଚିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଯାତ୍ରା କଟକଣା, ବିମାନ ଓ ସାମୁଦ୍ରିକ ବନ୍ଦରରେ ଯାତ୍ରୀଙ୍କ ସାମୂହିକ ଯାଞ୍ଚ, ଭିସା ରଦ୍ଦ ଏବଂ କ୍ୱାରେଂଟିନ (ପୃଥକୀକରଣ) ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ।
ଅତିରିକ୍ତ କ୍ୱାରେଂଟିନ ସୁବିଧା ଠାବ କରିବା, ଆଇସୋଲେସନ ୱାର୍ଡ ବ୍ୟବସ୍ଥା, ସ୍ୱାସ୍ଥ୍ୟ କର୍ମୀ ଓ ଡାକ୍ତରମାନଙ୍କୁ ପ୍ରଶିକ୍ଷଣ, ପିପିଇ, ମେଡ଼ିସିନ, ମାସ୍କ ଆଦି ଯଥେଷ୍ଟ ସ୍ୱାସ୍ଥ୍ୟ ସରଞ୍ଜାମ ମହଜୁଦ କରି ରଖିବା ପଦକ୍ଷେପ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ପକ୍ଷରୁ ନିଆଯାଇଛି ।
ଆଜି କ୍ୟାବିନେଟ ସଚିବ ଭିଡିଓ କନଫରେନ୍ସ ଜରିଆରେ ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହିତ କୋଭିଡ-19 ମୁକାବିଲା ଲାଗି ନିଆଯାଇଥିବା ପଦକ୍ଷେପ ଏବଂ ପ୍ରସ୍ତୁତି ସମୀକ୍ଷା କରିଥିଲେ । ନିରାକରଣ ଓ ନିୟନ୍ତ୍ରଣ ପଦକ୍ଷେପକୁ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ବିଶେଷ କରି ଡାକ୍ତରଖାନାରେ ଯଥେଷ୍ଟ ସଂଖ୍ୟାରେ ସ୍ୱତନ୍ତ୍ର ୱାର୍ଡ ଖୋଲିବା, କ୍ୱାରେଂଟିନ ସୁବିଧା କରିବା ସହିତ ନିର୍ଦ୍ଧାରିତ ବ୍ୟବସ୍ଥା ଅନୁଯାୟୀ କରୋନା ପ୍ରବଣ ଦେଶରୁ ଆସୁଥିବା ଯାତ୍ରୀଙ୍କୁ ପୃଥକ ରଖିବା ସହିତ ସଚେତନତା ସୃଷ୍ଟି ଦିଗରେ ନିଆଯାଇଥିବା ପଦକ୍ଷେପ ସମୀକ୍ଷା କରାଯାଇଥିଲା ।
ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅନୁଯାୟୀ ଜୁନ 30, 2020 ପର୍ଯ୍ୟନ୍ତ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ଘୋଷଣା କରାଯାଇଛି । ଏହାର ଅଭାବୀ ବିକ୍ରି ଏବଂ କଳାବଜାରୀକୁ ଦୃଢ଼ ହସ୍ତରେ ଦମନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅନ୍ତର୍ଗତ ଯଥେଷ୍ଟ ପରିମାଣରେ ଏସବୁ ସାମଗ୍ରୀ ମହଜୁଦ କରିବା ଲାଗି ରାଜ୍ୟଗୁଡ଼ିକ ଉତ୍ପାଦକାରୀ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇପାରିବେ ।
ସଂକ୍ରାମକ ରୋଗ ନିବାରଣ ଆଇନ, 1897 ଅନ୍ତର୍ଗତ ସଂକ୍ରାମକ ରୋଗ ମୁକାବିଲା ପାଇଁ ରହିଥିବା ବ୍ୟବସ୍ଥାକୁ କେତେକ ରାଜ୍ୟ ଉପଯୋଗ କରିଛନ୍ତି । ଏହି ଆଇନ ଅଧୀନରେ ଜନସାଧାରଣଙ୍କ କାର୍ଯ୍ୟ ଉପରେ ଅସ୍ଥାୟୀ କଟକଣା ଜାରି କରିବା ଲାଗି ରାଜ୍ୟଗୁଡ଼ିକ ପଦକ୍ଷେପ ନେଇପାରିବେ କିମ୍ବା କୌଣସି ବ୍ୟକ୍ତିକୁ କ୍ଷମତା ପ୍ରଦାନ କରିପାରିବେ ।
ବିପର୍ଯ୍ୟୟ ପରିଚାଳନା ଆଇନ ଅନ୍ତର୍ଗତ ରାଜ୍ୟଗୁଡ଼ିକ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଅର୍ଥରାଶି ସଂଗ୍ରହ କରିପାରିବେ । ଏହାବ୍ୟତୀତ ରାଜ୍ୟ ସରକାର ଓ ଏନଏଚଏମରୁ ମଧ୍ୟ ଅତିରିକ୍ତ ପାଣ୍ଠି ଯୋଗାଡ଼ କରିପାରିବେ । ଏ ଦିଗରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ଦିଶା ନିର୍ଦ୍ଦେଶ ଦିଆଯାଇସାରିଛି ।
ଏହାଛଡ଼ା ଦେଶର ମୋଟ 52ଟି ପରୀକ୍ଷାଗାରରେ କୋଭିଡ-19 ନମୁନା ପରୀକ୍ଷା ଲାଗି ବ୍ୟବସ୍ଥା କରାଯାଇଛି ।
ବର୍ତ୍ତମାନ ସୁଦ୍ଧା 30ଟି ବିମାନ ବନ୍ଦରରେ ପହଁଚିଥିବା 11,406ଟି ବିମାନରେ ଆସିଥିବା 12,29,363 ଯାତ୍ରୀଙ୍କର ସ୍କ୍ରିନିଂ କରାଯାଇଛି । ଏହାଛଡ଼ା ଭାରତ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ନିୟମ ଅନୁଯାୟୀ ନିର୍ଦ୍ଧାରିତ ନିୟମ ମୁତାବକ ପୃଥକ କରି ରଖିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।
ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ 84 ଜଣ ଲୋକ କୋଭିଡ-19 ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 10 ଜଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇସାରିଛନ୍ତି । ସମସ୍ତ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା 4ହଜାର ଲୋକଙ୍କ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି । ଏସବୁ ମାମଲାରେ ଅନ୍ୟ ସମ୍ଭାବ୍ୟ ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ପ୍ରୟାସ କରାଯାଉଛି ।
ଭାରତୀୟ ନାଗରିକମାନଙ୍କୁ ଅନାବଶ୍ୟକ ବିଦେଶ ଯାତ୍ରା ଏଡ଼ାଇବା ଏବଂ ଅଧିକ କରୋନା ଭୂତାଣୁ ସଂକ୍ରମଣ ଓ ମୃତ୍ୟୁ ମାମଲା ଥିବା ଦେଶକୁ ନଯିବା ଲାଗି ପୁଣିଥରେ ବାରଣ କରାଯାଇଛି । ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀ ନିଜ ସ୍ୱାସ୍ଥ୍ୟବସ୍ଥା ପ୍ରତି ଯତ୍ନବାନ ହେବା ଲାଗି ପରାମର୍ଶ ଦିଆଯାଇଛି । ଏଥିସହିତ କ’ଣ କରିବା ଉଚିତ ଏବଂ ଅନୁଚିତ ସେ ଦିଗରେ ସରକାରଙ୍କ ପରାମର୍ଶକୁ ମାନିବା ଲାଗି କୁହାଯାଇଛି ।
**********
(Release ID: 1606437)
Visitor Counter : 227