ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଇକୋନୋମିକ ଟାଇମ୍ସ ବିଶ୍ୱ ବ୍ୟବସାୟିକ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
Posted On:
06 MAR 2020 8:51PM by PIB Bhubaneshwar
ବିଶ୍ୱ ବ୍ୟବସାୟିକ ଶିଖର ସମ୍ମିଳନୀର ଏହି ମଞ୍ଚ ଉପରେ, ପୃଥିବୀର ସବୁ ସ୍ଥାନରୁ ଆସିଥିବା ବିଶେଷଜ୍ଞଗଣଙ୍କ ଭିତରେ, ଦି ଇକୋନୋମିକ ଟାଇମ୍ସ କର୍ତ୍ତୃପକ୍ଷ ମୋତେ ମୋର ବକ୍ତବ୍ୟ ରଖିବା ଲାଗି ଅବସର ଦେଇଛନ୍ତି । ଏବଂ ବିଚାରର ଏହି ପ୍ରବାହରେ ଯେଉଁ ସମାନ ସୂତ୍ରଟି ରହିଛି, ତାହା ହେଲା- ‘ପୋଷଣୀୟ ବିକାଶ ପାଇଁ ସହଯୋଗ’ । ବିକାଶ ପାଇଁ ପରସ୍ପର ମଧ୍ୟରେ ସହଯୋଗର ବାତାବରଣ ସୃଷ୍ଟି କରିବାର ଯେଉଁ ଦୂରଦୃଷ୍ଟି, ଆଜିର ଆବଶ୍ୟକତା ଏବଂ ଭବିଷ୍ୟତର ଆଧାର ମଧ୍ୟ । ଏବଂ ଆମେ ସମସ୍ତେ ଏ କଥା ଭଲଭାବେ ଜାଣିଛୁ ଯେ ଏଭଳି ଭିଜନ ବିଗତ କିଛି ବର୍ଷର ବିଚାରଧାରା ଭିତରୁ ବାହାରି ଆସିଛି, ଏକଥା କଦାପି କୁହାଯାଇ ପାରିବନାହିଁ । ବିଘଟନ ଦ୍ୱାରା କ’ଣ କ’ଣ କ୍ଷତି ହେଉଛି, ତାହା ସାରା ବିଶ୍ୱ ଉତ୍ତମ ରୂପେ ଅନୁଭବ କରିସାରିଛି । ଯେତେବେଳେ ଆମେ ପରସ୍ପର ସହ ସାଥୀହୋଇ ଚାଲିବାକୁ ଆରମ୍ଭ କଲେ ସେତେବେଳେ ତାହା ସମ୍ଭ।ଳ ପଡ଼ିଗଲା । ଯେତେବେଳେ ଆମେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ଭାବେ ସମ୍ମୁଖୀନ ହେଉଛୁ ସେତେବେଳେ ତାହା ବିଗିଡ଼ି ଯାଉଛି ।
ସୃଜନ ପାଇଁ ସହଯୋଗର ବିଚାର ଯେତିକି ପ୍ରାଚୀନ, ସେତିକି ମଧ୍ୟ ପ୍ରାସଙ୍ଗିକ, ସେକଥା ଆମ ସମସ୍ତଙ୍କୁ ଭଲଭାବେ ଜଣା । ପ୍ରତ୍ୟେକ ଯୁଗରେ ନୂଆ ନୂଆ ଚାଲେଞ୍ଜର ସାମ୍ନା କରିବାକୁ ପଡ଼ିଥାଏ, ସେସବୁ ସ୍ୱାଭାବିକ ଭାବେ ଆସେ- ଆମ ଭିତରେ ଥିବା ସୃଜନ ପାଇଁ ସହଯୋଗର ମାନସିକତାକୁ ପରଖିବା ଲାଗି, ସେଭଳି ମନୋଭାବକୁ ଆହୁରି ମଜଭୁତ କରିବା ସକାଶେ ।
ଯେମିତି ଆଜି ‘କରୋନା ଭାଇରସ’ ରୂପରେ ଗୋଟିଏ ବିରାଟ ଚାଲେଞ୍ଜ ସାରା ବିଶ୍ୱ ସମ୍ମୁଖରେ ଠିଆ ହୋଇଛି । ଆର୍ଥିକ ଅନୁଷ୍ଠାନଗୁଡ଼ିକ ଏହା ଦ୍ୱାରା ଆର୍ଥିକ ଜଗତ ପାଇଁ ମସ୍ତବଡ଼ ଚାଲେଞ୍ଜ ବୋଲି ବିବେଚନା କରୁଛନ୍ତି । ଆଜି ଆମେ ସମସ୍ତେ ମିଳିତ ଭାବେ ଏଭଳି ଚାଲେଞ୍ଜର ସାମ୍ନା କରୁଛେ । ସୃଜନ ପାଇଁ ସହଯୋଗର ସଂକଳ୍ପ ଶକ୍ତି ଦ୍ୱାରା ହିଁ ଆମେ ଏହି ଚାଲେଞ୍ଜରେ ବିଜୟୀ ହୋଇପାରିବା ।
ବନ୍ଧୁଗଣ,
ବିଭାଜିତ ବିଶ୍ୱର ଚିନ୍ତାଧାରା ଓ ଦର୍ଶନ ଉପରେ ମଧ୍ୟ ଏଠାରେ ଆପଣମାନେ ମାନସମନ୍ଥନ କରିବାକୁ ଯାଉଛନ୍ତି । ବାସ୍ତବ ବିଭାଜନ, ଅତିମାତ୍ରାରେ କଳ୍ପିତ ବିଭାଜନ ଏବଂ ଏଥିପାଇଁ କିଏ ଦାୟୀ ସେହିସବୁ ପ୍ରସଙ୍ଗ ଉପରେ ଏଠାରେ ପୁଙ୍ଖାନୁପୁଙ୍ଖ ଚର୍ଚ୍ଚା କରାଯିବ ।
ସାଥୀଗଣ, ଏଭଳି ଏକ ସମୟ ଥିଲା ଯେତେବେଳେ କେବଳ ଏକ ନିର୍ଦ୍ଦିଷ୍ଟ ବର୍ଗଙ୍କ ଆକଳନ ଅନୁସାରେ ହିଁ ସବୁକଥା ଚାଲିଥିଲା । ସେମାନେ ଯେଉଁ ସିଦ୍ଧାନ୍ତ ଦେଉଥିଲେ, ତାହା ଚୂଡ଼ାନ୍ତି ବୋଲି ହେତୁ କରାଯାଉଥିଲା । କିନ୍ତୁ ପ୍ରଯୁକ୍ତିର ବିକାଶ ଦ୍ୱାରା ଏବଂ ଆଲୋଚନାର ‘ଡେମୋକ୍ରାଟାଇଜେସନ୍’ ଦ୍ୱାରା ଏବେ ଆଜିର ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ମତାମତ ବିଶେଷ ଗୁରୁତ୍ୱ ବହନ କରୁଛି । ଆଜି ସାଧାରଣ ଜନତା ନିଜ ନିଜର ମତକୁ ବେଶ୍ ମଜଭୁତ ସହକାରେ, ଅତି ଶୃଙ୍ଖଳିତ ଓ ଗୁରୁତ୍ୱପୂର୍ଣ୍ଣ ଢ଼ଙ୍ଗରେ, ତଥା କଥିତ ବିଜ୍ଞ ବ୍ୟକ୍ତିଙ୍କ ବିପରୀତ, ଖୁବ୍ ଦୃଢ଼ଭାବେ ନିଜର ମତକୁ ଉପସ୍ଥାପନ କରିପାରୁଛନ୍ତି । ପୂର୍ବରୁ ଏଭଳି ସାଧାରଣ ଲୋକଙ୍କ ଆଶା ଆକାଂକ୍ଷା ଉପରେ ସେହିସବୁ ଖାସ୍ ବର୍ଗର ଲୋକଙ୍କ ତର୍କ ଓ ତତ୍ତ୍ୱ ଲଦି ଦିଆଯାଉଥିଲା । ଏହା ଏକ ବହୁତ ବଡ଼ କାରଣ ଥିଲା ଯେତେବେଳେ ଆମେ . . . ଆପଣମାନେ ଯେତେବେଳେ ଆମମାନଙ୍କୁ ସେବା କରିବାର ସୁଯୋଗ ଦେଲେ . . . 2014 ମସିହାରେ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକୁ ସମ୍ଭାଳି ଦେଶର ଜନସଂଖ୍ୟାର ବହୁତ ବଡ଼ ଭାଗ , ଟୟଲେଟ, ଇଲେକ୍ଟ୍ରିସିଟି ସଂଯୋଗ, ଗ୍ୟାସ ସଂଯୋଗ, ନିଜର ବାସଗୃହ, ଏଭଳି ମୌଳିକ ସୁବିଧା ସୁଯୋଗ ପାଇବା ପାଇଁ ଯେତେବେଳେ ଲୋକମାନେ ବ୍ୟସ୍ତବିବ୍ରତ ହେଉଥିଲେ, ତାହା ଆମେ ସେମାନଙ୍କୁ ଯୋଗାଇଦେଇଛୁ ।
ସାଥୀଗଣ, ଆମ ସାମ୍ନାରେ ମାର୍ଗ ଥିଲା ଯେ ପୂର୍ବରୁ ଯେମିତି ଚଳି ଆସୁଥିଲା, ସେହି ମାର୍ଗରେ ଆମେ ବି ଚାଲି ପାରିଥାନ୍ତୁ କିମ୍ବା ନିଜ ପାଇଁ ନୂତନ ମାର୍ଗ ଉନ୍ମୋଚନ କରିବୁ । ନୂତନ ଆଭିମୁଖ୍ୟର ସହ ଆଗକୁ ବଢ଼ିବୁ । ଆମେ ବେଶ୍ କିଛି ଚିନ୍ତାକରି ସିଦ୍ଧାନ୍ତ ଗ୍ରହଣ କଲୁ ଯେ . . . ଆମେ ଆମପାଇଁ ନୂତନ ମାର୍ଗ ପ୍ରସ୍ତୁତ କରିବୁ । ନୂତନ ଆଭିମୁଖ୍ୟର ସହ ଆଗକୁ ବଢ଼ିବୁ ଏବଂ ସେଥିରେ ସବୁଠାରୁ ବଳି ଅଧିକ ପ୍ରାଥମିକତା ଦେଲୁ- ସାଧାରଣ ଲୋକଙ୍କ ଆଶା ଆକାଂକ୍ଷାକୁ ।
ଇତ୍ୟବସରେ ଦେଶରେ ନିର୍ବାଚନ ବି ହେଲା, ଆମର କାର୍ଯ୍ୟ ଉପରେ ମୋହର ବି ଲାଗିଲା । କିନ୍ତୁ ଆଉ ଗୋଟିଏ ଆଶ୍ଚର୍ଯ୍ୟର କଥା ସାମ୍ନାକୁ ଆସିଲା । ଆଜି ଗ୍ଲୋବାଲ୍ ବିଜିନେସ୍ ସମିଟରେ, ମୁଁ ଆପଣମାନଙ୍କ ସାମ୍ନାରେ ତାହା ବି ବ୍ୟକ୍ତ କରିବାକୁ ଚାହୁଁଛି । ଏଠାରେ ଏହି ହଲ୍ରେ ବସିଥିବା ସମସ୍ତ ସାଥୀ, ଅବଶ୍ୟ ମୋର ଏହି କଥା ଉପରେ ଧ୍ୟାନ ଦେବେ ।
ବନ୍ଧୁଗଣ,
ଯେଉଁ ବର୍ଗଙ୍କ କଥା ମୁଁ ଆପଣମାନଙ୍କ ନିକଟରେ ଏବେ କହୁଥିଲି ସେମାନଙ୍କର ଏକ ବିରାଟ ପରିଚୟ ଥିଲା- “‘Talking The Right Things’” ଅର୍ଥାତ୍, ସଦାବେଳେ ସେମାନେ ହିଁ ଠିକ୍ କଥା କହନ୍ତି । ସତ କଥା କହିବାରେ କୌଣସି କ୍ଷତି ମଧ୍ୟ ନାହିଁ । କିନ୍ତୁ ସେଭଳି ବର୍ଗ ଏପରି ଲୋକଙ୍କୁ ଘୃଣା କରନ୍ତି, ସେମାନଙ୍କ ଉପରେ ଚିଡ଼ନ୍ତି, ଯେଉଁମାନେ “Doing The Right Things.” ଚିନ୍ତାଧାରା ଆଧାରରେ ମାର୍ଗ ଚାଲନ୍ତି । ସେଥିପାଇଁ ଯେତେବେଳେ ଯଥା ସ୍ଥିତିରେ ପରିବର୍ତ୍ତନ ଆସିଲା ତ ସେହି ବର୍ଗର ଲୋକମାନଙ୍କୁ କିଛି ଖାସ୍ ଉପାୟରେ ବିଶୃଙ୍ଖଳା ଦୃଶ୍ୟ ହେବା ଆରମ୍ଭ କଲା । ଆପଣମାନେ ମନେପକାନ୍ତୁ, ଯେଉଁ ଲୋକ ନିଜେ ଲିଙ୍ଗଗତ ନ୍ୟାୟର ମସିହା ବନାନ୍ତି, ସେମାନେ ତିନି ତଲାକ ବିରୁଦ୍ଧରେ ଆଇନ ପ୍ରଣୀତ ହେବା ସକାଶେ ଆମ ନିଷ୍ପତ୍ତିକୁ ବିରୋଧ କରୁଛନ୍ତି । ଯେଉଁମାନେ ସାରା ବିଶ୍ୱର ଶରଣାର୍ଥୀ ଅଧିକାର ସଂପର୍କରେ ଜ୍ଞାନ ଦେଉଛନ୍ତି, ସେମାନେ ଶରଣାର୍ଥୀମାନଙ୍କ ପାଇଁ ଯେତେବେଳେ ନାଗରିକତା ସଂଶୋଧନ ଆଇନ (ସିଏଏ) ପ୍ରଣୀତ ହେଲା, ତାହାକୁ ବିରୋଧ କରୁଛନ୍ତି ଯେଉଁ ଲୋକମାନେ ଦିନରାତି ସମ୍ବିଧାନର ଦ୍ୱାହି ଦେଉଛନ୍ତି, ସେଇମାନେ ସମ୍ବିଧାନର ଧାରା ୩୭୦ ଭଳି ଅସ୍ଥାୟୀ ବ୍ୟବସ୍ଥା ହଟାଇ, ଜାମ୍ମୁ କାଶ୍ମୀରରେ ସଂପୂର୍ଣ୍ଣ ସମ୍ବିଧାନ ଲାଗୁ କରାଯିବା ସିଦ୍ଧାନ୍ତକୁ ବିରୋଧ କରୁଛନ୍ତି । ଯେଉଁମାନେ ନ୍ୟାୟର କଥା କହୁଛନ୍ତି, ସେମାନେ ସୁପ୍ରିମ୍ କୋର୍ଟଙ୍କ ଗୋଟିଏ ରାୟ ସେମାନଙ୍କ ବିରୋଧରେ ଗଲାବେଳେ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଉଛନ୍ତି ।
ସାଥୀଗଣ, ଆପଣମାନଙ୍କ ଭିତରୁ କିଛି ଲୋକ ରାମଚରିତ ମାନସର ଚୌପାହି ନିଶ୍ଚିତ ରୂପେ ଶୁଣିଥିବେ-
ପର ଉପଦେଶ କୁଶଲ ବହୁତେରେ । ଜେ ଆଚରହି ତେ ନର ନ ଘନେରେ ।
ଅର୍ଥାତ୍, ଅନ୍ୟମାନଙ୍କୁ ଉପଦେଶ ଦେବା କାମ ତ ବହୁତ ସହଜ , କିନ୍ତୁ ନିଜେ ସେହି ଉପଦେଶଗୁଡ଼ିକୁ ପାଳନ କରିବା ଅତ୍ୟନ୍ତ କଠିନ କାର୍ଯ୍ୟ । ଯେପର୍ଯ୍ୟନ୍ତ ଯଥା ସ୍ଥିତି ରହିଥିଲା, ସେମାନଙ୍କର େକୌଣସି ପ୍ରତିବାଦ ନଥିଲା କି ସେମାନଙ୍କର କିଛି ଅସୁବିଧା ହେଉନଥିଲା । ସେଭଳି ଲୋକ ଭାବନ୍ତି ଯେ ‘କୌଣସି କାର୍ଯ୍ୟପନ୍ଥା ଗ୍ରହଣ ନକରିବା ହିଁ ଉଚିତ ପନ୍ଥା ।’ କିନ୍ତୁ ଆମ ପାଇଁ ରଷ୍ଟ୍ରେ ନିର୍ମା, ଦେଶର ବିକାଶ, ଉତ୍ତମ ଶାସନ, ସୁବିଧାର ବିଷୟ ନୁହେଁ, ଅପରନ୍ତୁ ଆମର ଏହା ହେଲା ପରମ୍ପରା । ଉଚିତ କାର୍ଯ୍ୟ କରିବା ପାଇଁ ଆମ ମନର ପ୍ରତିବଦ୍ଧତା, ଚିରାଚରିତ ଯଥା ସ୍ଥିତିକୁ ଭାଙ୍ଗିବାର ସଂକଳ୍ପ ।
ସାଥୀଗଣ, କିଛି ଲୋକ ଏଭଳି ବି ଥାଆନ୍ତି, ଯେଉଁମାନେ ସ୍ୱାଭାବରେ ହିଁ ନିଜ ବିଚାରର ହିଁ କଇଦୀ ପାଲଟିଯାନ୍ତି । ସେମାନେ ନିଜ ଚିନ୍ତନ ପ୍ରକ୍ରିୟାରେ ହିଁ ସାରା ଜୀବନ ବନ୍ଦୀ ହୋଇ ରହିଥାନ୍ତି । ସେଭଳି ଲୋକମାନେ ସେଭଳି ସ୍ଥିତିରେ ହିଁ ଖୁସି ରହନ୍ତି, ଆନନ୍ଦିତ ହୁଅନ୍ତି । ଅନ୍ୟ ଭାଷାରେ କହିଲେ, ଯଥା ସ୍ଥିତିରେ ରହିବାକୁ ହିଁ ସେମାନେ ନିଜର ଜୀବନର ମୂଲ୍ୟବୋଧ ବନେଇ ଦିଅନ୍ତି । ସେମାନଙ୍କର ଚାପରୁ ମୁକ୍ତ ହୋଇ, ଆମ ସରକାର ଦେଶର ସମସ୍ତ ବ୍ୟବସ୍ଥାରେ ଥିବା ପୁରୁଣା ବିଚାରଧାରାଗୁଡ଼ିକ ଦ୍ୱାରା ଏଭଳି ବନ୍ଦୀମାନଙ୍କୁ ମୁକ୍ତ କରବା ଦିଗରେ କାର୍ଯ୍ୟ କରୁଛି । ଗୋଟିଏ ଗୋଟିଏ କରି ପ୍ରତ୍ୟେକ କ୍ଷେତ୍ରକୁ ‘ନିଷ୍କର୍ମର ସହଜତା’ ଭିତରୁ ମୁକ୍ତ କରିଚାଲିଛୁ । ଡିବିଟି. . . ଅର୍ଥାତ୍ ଡ଼ାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ମାଧ୍ୟମରେ ଆମେ ଯଥା ସ୍ଥିତିରେ ବହୁତ ବଡ଼ ପରିବର୍ତ୍ତନ ଆଣିଛୁ ଏବଂ ହଜାର ହଜାର କୋଟି ଟଙ୍କା ଅନୁଚିତ ହାତକୁ ଚାଲିଯିବାରୁ ତାକୁ ବଞ୍ଚାଇ ପାରିଛୁ ।
ଆରଇଆରଏ ଆଇନ ପ୍ରଣୟନ କରି ଆମେ ରିୟଲ ଇଷ୍ଟେଟ୍ କ୍ଷେତ୍ରକୁ କଳାଧନର ବନ୍ଧନରୁ ମୁକ୍ତି କରିବା ଦିଗରେ ଏକ ବହୁତ ବଡ଼ ପଦକ୍ଷେପ ଗ୍ରହଣ କରିଛୁ । ଏବଂ ମଧ୍ୟମ ବର୍ଗଙ୍କ ପହଞ୍ଚ, ସେମାନଙ୍କର ସ୍ୱପ୍ନର ଗୃହ ନିର୍ମାଣ ମଧ୍ୟ କରୁଛୁ ।
ମୁକ୍ତିର ଏହି ଅଭିଯାନ କର୍ପୋରେଟ ଦୁନିଆରେ ମଧ୍ୟ ଚଲାଯାଇଛି । ଆଇବିସି ପ୍ରସ୍ତୁତ କରି ଆମେ ଯଥା ସ୍ଥିତିରେ ପରିବର୍ତ୍ତନ ଘଟାଇଛୁ ଏବଂ ହଜାର ହଜାର କୋଟି ଟଙ୍କା ଫେରସ୍ତକୁ ସୁନିଶ୍ଚିତ କରିବା ସହ , ଅସୁବିଧାରେ ଫସି ରହିଥିବା କମ୍ପାନୀମାନଙ୍କୁ ଏକ ବିକାଶର ମାର୍ଗ ପ୍ରଦର୍ଶନ କରିଛୁ । ଅନ୍ୟଥା ଆମର ଏଠାରେ କେବଳ ଗୋଟିଏ ହିଁ ମାର୍ଗ ଥିଲା. . . ଆସି ସିନା ପାରୁଥିଲୁ କିନ୍ତୁ ସେଥିରୁ ବାହାରି ପାରୁନଥିଲୁ । ଆମେ ସେଭଳି ସଂକଟରୁ ଉଦ୍ଧାର ପାଇବାର ଅବସର ମଧ୍ୟ ସୃଷ୍ଟି କରିଛୁ ।
ମୁଦ୍ରା ଯୋଜନା ପ୍ରସ୍ତୁତ କରି ମଧ୍ୟ ଆମେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ପୁରୁଣା ଚିନ୍ତାଧାରାରୁ ବାହାରକୁ ଆଣିଛୁ ଏବଂ 11 ଲକ୍ଷ କୋଟି ଟଙ୍କାରୁ ଅଧିକ ରାଶି ବିନା ବ୍ୟାଙ୍କ୍ ଗ୍ୟାରେଣ୍ଟିରେ ଲୋକମାନଙ୍କୁ, ଯୁବକଯୁବତୀମାନଙ୍କୁ , ମହିଳାମାନଙ୍କୁ, ପ୍ରଥମଥର ଉଦ୍ଦ୍ୟୋଗୀଙ୍କୁ ଆମେ ସ୍ୱରୋଜଗାର ପାଇଁ ପ୍ରଦାନ କରିଛୁ । ସେହିଭହି ଆମେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍- ସିଡ଼ିଏସ ପଦବୀ ସୃଷ୍ଟି କରି ଯଥା ସ୍ଥିତିରେ ପରିବର୍ତ୍ତନ ଘଟାଇଛୁ ଏବଂ ଆମର ସେନାଙ୍କୁ ଉତ୍ତମ ସିନର୍ଜି ଏବଂ ସହଯୋଗ ମିଳିବାର ମାର୍ଗକୁ ସୁନିଶ୍ଚିତ କରିଛୁ । ସାଧାରଣ ବର୍ଗର ଗରିବ ଲୋକଙ୍କ ସକାଶେ 10 ପ୍ରତିଶତ ଆରକ୍ଷଣ ଦେଇ ମଧ୍ୟ ଆମେ ପ୍ରଚଳିତ ବ୍ୟବସ୍ଥାରେ ଏକ ବିରାଟ ପରିବର୍ତ୍ତନ ଘଟାଇଛୁ ଏବଂ ଏହାଦ୍ୱାରା ଗରିବ ଲୋକମାନଙ୍କର ଏକ ବହୁତ ବଡ଼ ଚିନ୍ତା ଦୂର ହୋଇପାରିଛି ।
ସାଥୀଗଣ,
2014 ମସିହା ପରେ ଦେଶ ମାନସିକତାରେ ସହଯୋଗ, କାର୍ଯ୍ୟରେ ସହଭାଗୀତା ଏବଂ ଚିନ୍ତାଧାରାରେ ଏକଜୁଟ ହେବାର ଭାବନାକୁ ନେଇ ଆଗକୁ ଆଗେଇ ଚାଲିଛି । ଆଜି ଭାରତ ପୋଷଣୀୟ ବିକାଶର ଏଭଳି ଏକ ମଡ଼େଲ ସୃଷ୍ଟି କରିଛି, ଯାହା ସମଗ୍ର ବିଶ୍ୱ ପାଇଁ ଉପକାରସିଦ୍ଧ ଭାବେ ବିବେଚିତ ହୋଇଛି । ବିଶ୍ୱର ସବୁଠାରୁ ବଡ଼ ଆର୍ଥିକ ସମାଯୋଜନ କାର୍ଯ୍ୟକ୍ରମ, ବିଶ୍ୱର ସବୁଠାରୁ ବଡ଼ ପରିମଳ କାର୍ଯ୍ୟକ୍ରମ, ବିଶ୍ୱର ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ବୀମା ଯୋଜନା, ଏହାର ଅନୁଭବ ସମଗ୍ର ବିଶ୍ୱର ବିକାଶକୁ ସହାୟତା ଯୋଗାଇ ଦେଉଛି । ଏକବିଂଶ ଶତାବ୍ଦୀର ଭାରତ ଢ଼େର୍ କିଛି ଶିଖୁଛି ଏବଂ ଦେଶର ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ବିକାଶର ଲାଭ ପହଞ୍ଚାଇବା ସକାଶେ ଆମେ ବେଶ୍ ତତ୍ପରତାର ସହ କାର୍ଯ୍ୟ କରୁଛୁ ।
ସାଥୀଗଣ,
ଭିନ୍ନ ଭିନ୍ନ କ୍ଷେତ୍ରରେ, ଭିନ୍ନ ଭିନ୍ନ କ୍ଷେତ୍ରର ପ୍ରତ୍ୟେକ ସ୍ତରରେ ଏହାର ପରିଣାମ ସ୍ପଷ୍ଟ ଭାବେ ପରଲକ୍ଷିତ ହୋଇଛି । 6 ବର୍ଷ ପୂର୍ବେ ଦେଶର ଜାତୀୟ ରାଜମାର୍ଗ ନିର୍ମାଣର ଗତି ପାଖାପାଖି ଦିନକୁ ମାତ୍ର 12 କିଲୋମିଟର ଥିଲା । ଆଜି ତାହା ବୃଦ୍ଧିପାଇ ପାଖାପାଖି ଦୈନିକ 30 କିଲୋମିଟରରେ ପହଞ୍ଚôସାରିଛି । 6 ବର୍ଷ ପୂର୍ବେ ସ୍ଥିତି ଏଭଳି ଥିଲା ଯେ ଗୋଟିଏ ବର୍ଷରେ ୬୦୦ କିଲୋମିଟର ପର୍ଯ୍ୟନ୍ତ ରେଳପଥ ବିଦ୍ୟୁତିକରଣ ହେଉଥିଲା । ଗତ ବର୍ଷ ଆମେ 5300 କିଲୋମିଟର ରେଳପଥ ବିଦ୍ୟୁତିକରଣ କରିପାରିଛୁ । 6 ବର୍ଷ ପୂର୍ବେ ଆମର ବିମାନ ବନ୍ଦର ବର୍ଷକୁ ପ୍ରାୟ 17 କୋଟି ଯାତ୍ରୀଙ୍କ ଆତଯାତକୁ ନିୟନ୍ତ୍ରଣ କରୁଥିଲା । ଏବେ ତାହା ବୃଦ୍ଧି ପାଇ 34 କୋଟିରୁ ଅଧିକ ସଂଖ୍ୟାରେ ପହଞ୍ଛିଛି ଏବଂ ଆମର ବିମାନବନ୍ଦରଗୁଡ଼ିକ ଯାତ୍ରୀମାନଙ୍କ ଆତଯାତର ସମସ୍ତ ସୁବିଧା ଉପଲବ୍ଧ କରାଇଛନ୍ତି ।
6 ବର୍ଷ ପୂର୍ବେ ଆମ ଦେଶର ପ୍ରମୁଖ ବନ୍ଦରଗୁଡ଼ିକରେ କାର୍ଗୋ କାରବାର ହାରାହାରି 550 ନିୟୁତ ଟନ ପାଖାପାଖି ଥିଲା । ଏବେ ତାହା ବୃଦ୍ଧିପାଇ 700 ନିୟୁତ ଟନ୍ ପର୍ଯ୍ୟନ୍ତ ପହଞ୍ଚିପାରିଛି । ଏବଂ ଏହାଦ୍ୱାରା େଗୋଟିଏ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ମଧ୍ୟ ହୋଇପାରିଛି, ଯାହା ପ୍ରତି ଆପଣମାନେ ଧ୍ୟାନ ଦେବା ଉଚିତ । ତାହା ହେଲା ପ୍ରମୁଖ ବନ୍ଦରରେ ଟର୍ଣ୍ଣ ଆରାଉଣ୍ଡ ସମୟ ୬ ବର୍ଷ ପୂର୍ବେ ବନ୍ଦରରେ ଟର୍ଣ୍ଣ ଆରାଉଣ୍ଡ୍ ଟାଇମ୍ ପାଖାପାଖି 100 ଘଣ୍ଟା ପର୍ଯ୍ୟନ୍ତ ହେଉଥିଲା । ତାହାକୁ କମାଇ ଏବେ 60 ଘଣ୍ଟାରେ ପହଞ୍ଚାଯାଇଛି । ଏହାକୁ ଆମେ ଆହୁରି କମ୍ କରିବା ସକାଶେ ନିରନ୍ତର ପ୍ରୟାଜ ଜାରି ରଖିଛୁ ।
ସାଥୀଗଣ, ଏହି ପାଞ୍ଚ ଛଅଟି ଉଦାହରଣ ସଂଯୋଗୀକରଣ ସହ ଜଡ଼ିତ । ଏଠାରେ ଏହି ହଲରେ ବସିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏକଥା ଭଲଭାବେ ଜଣାଯେ ସଂଯୋଗୀକରଣ, ସଂସାଧନ, ସୁଶାସନ... ଏହା ଆର୍ଥିକ କାର୍ଯ୍ୟକଳାପ ଉପରେ ଯଥେଷ୍ଟ ପ୍ରଭାବ ରହିଛି । ଏତେ ବଡ଼ ପରିବର୍ତ୍ତନ କ’ଣ ଏମିତି ଖାଲି ଖାଲି ହୋଇଗଲା ? ନା । ଆମେ ସରକାରଙ୍କ ପ୍ରତ୍ୟେକ ବିଭାଗ ମଧ୍ୟରେ ଥିବା ବିଭେଦକୁ ଦୂର କରିବା ଲାଗି ପ୍ରୟାସ କରିଛୁ, ଏଥିପାଇଁ ଶୃଙ୍ଖଳିତ ଭାବେ ପ୍ରୟାସ କରାଯାଉଛି ଏବଂ ସହଯୋଗ ଉପରେ ଅଧିକ ପ୍ରାଧାନ୍ୟ ଆରୋପ କରାଯାଉଛି । ସଂପୂର୍ଣ୍ଣ ରୂପେ ଗ୍ରାଉଣ୍ଡ ଲେଭଲକୁ ଯାଇ ସବୁ କାର୍ଯ୍ୟକୁ ସଜାଡ଼ିଛୁ । ଆଜି ଦେଶର ବିମାନ ବନ୍ଦରମାନଙ୍କରେ ଯେଉଁସବୁ କାର୍ଯ୍ୟ ହେଉଛି, ରେଳ ଷ୍ଟେସନଗୁଡ଼ିକରେ ଯେଉଁ ମାତ୍ରାରେ ଉନ୍ନୟନ ଓ ବିକାଶମୂଳକ କାର୍ଯ୍ୟ ହେଉଛି ତାହା ଆପଣମାନେ ବି ଦେଖି ପାରୁଛନ୍ତି । ଆମ ଦେଶର ଲୋକ କ’ଣ ପାଇବାକୁ ହକଦାର ଏବଂ ସେମାନଙ୍କୁ କ’ଣ ମିଳୁଥିଲା ତାହାର ଫରକକୁ ବୁଝିବା ମଧ୍ୟ ଆବଶ୍ୟକ ।
ସାଥୀଗଣ, କିଛି ବର୍ଷ ପୂର୍ବେ ପ୍ରତି ଦିନ ରେଳବାଇ କ୍ରସିଂରେ ଦୁର୍ଘଟଣାର ଖବର ଶୁଣିବାକୁ ମିଳୁଥିଲା । କାହିଁକି ? ଏବେ କିନ୍ତୁ ତାହା ଶୁଣିବାକୁ ମିଳୁନାହିଁ । କାରଣ, 2014 ପୂର୍ବରୁ ଦେଶରେ ବ୍ରଡ଼ଗେଜ୍ ଲାଇନ ଉପରେ ପାଖାପାଖି 9 ହଜାର ପର୍ଯ୍ୟନ୍ତ ମାନବ ବିହୀନ ଲେଭଲ କ୍ରସିଂ ଥିଲା । 2014 ପରେ ଆମେ ଏକ ଅଭିଯାନ ଚଳାଇ ବ୍ରଡ଼ଗେଜ୍ ରେଳ ଲାଇନକୁ ମାନବ ବିହୀନ ଲେଭଲ କ୍ରସିଂ ମୁକ୍ତ କରିଦେଇଛୁ । ସେମିତିକିଛି ବାସ୍ତବତା ବାୟୋ ଟୟଲେଟ୍ କ୍ଷେତ୍ରରେ ମଧ୍ୟ ଥିଲା । ପୂର୍ବର ସରକାରଙ୍କ ଅମଳରେ, ତିନି ବର୍ଷରେ 9 ହଜାର 500 ବାୟୋ ଟୟଲେଟ ନିର୍ମାଣ କରାଯାଇଥିଲା । ଆମ ସରକାର ଗତ ଛଅ ବର୍ଷ ଭିତରେ ରେଳ କୋଚରେ ଏକ ଲକ୍ଷ 75 ହଜାରରୁ ଅଧିକ ବାୟୋ ଟୟଲେଟ ଖଞ୍ଜିପାରିଛୁ ଏବଂ କେଉଁଠି 1 ଲକ୍ଷ 75 ହଜାର . . .
ବନ୍ଧୁଗଣ, କେହି କେବେ କଳ୍ପନା କରିଥିଲା. . . ଯେ ଭାରତରେ ଟ୍ରେନ ଯାତାୟାତ ବିଳମ୍ବ. . . ବୋଧହୁଏ ଏ ଖବର ବିଶ୍ୱାସର ବାହାରକୁ ଚାଲି ଯାଇଥିଲା. . . ଏମିତି ତ ହୋଇ ଚାଲିଛି. . . .ଟ୍ରେନ୍ ତ ଲେଟ୍ ହୁଏ । ଏ ଦେଶରେ ପ୍ରଥମ ଥର ପାଇଁ ଏହି ସଂସ୍କୃତିକୁ ଅଣା ଯାଇଛି ଯେ ଯେଉଁଠି ଟ୍ରେନ୍ ବିଳମ୍ବ ହେବା କାରଣରୁ ଯାତ୍ରୀମାନଙ୍କୁ ଟିକଟ ଅର୍ଥ ଫେରସ୍ତ ଦିଆଯାଉଛି. . . ଆମେ ସେହି ବ୍ୟବସ୍ଥାର ଶୁଭାରମ୍ଭ କରିଛୁ । ସବୁ ଏୟାର ଲାଇନ୍ସ ବି ବିଳମ୍ବ କାରଣରୁ କୌଣସି ଅର୍ଥ ଫେରସ୍ତ ଦେଉନଥିଲେ । କିନ୍ତୁ ଆଜି ଟ୍ରେନ୍ ବିଳମ୍ବ ହେଲେ ପାସେଞ୍ଜରମାନଙ୍କୁ ଟଙ୍କା ଫେରସ୍ତ ମିଳୁଛି । ତେଜସ୍ ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କୁ ଆମେ ଏ ସୁବିଧା ପ୍ରଦାନ କରିଛୁ । ଆମେ ଜାଣିଛୁ ଯେ ଆମେ ଏହା ଦ୍ୱାରା କେତେ ରିସ୍କ ନେଇ କାର୍ଯ୍ୟ କରୁଛି । ତୁରନ୍ତ ଆରଟିଆଇ କର୍ମୀମାନେ ଆଜି ରାତିରେ ହିଁ ଆରଟିଆଇ ଦରଖାସ୍ତ ପକେଇବେ. . . ସାମ୍ବାଦିକମାନେ ବି ବାହାରି ଆସିବେ. . . ପଚାରିବେ ଯେ କେତେ ଟଙ୍କା ଫେରସ୍ତ ଦେଲେ. . . କିନ୍ତୁ ଆମକୁ ସନ୍ତୋଷ ଲାଗୁଛି ଯେ ଆମ ମନରେ ଏତିକି ଆତ୍ମବିଶ୍ୱାସ ଅଛି ଯେ ଦେଶକୁ ଏହି ଦିଗରେ ଆମେ ନେଇ ଯାଉଛୁ. . . ଯେଉଁଥିରେ ଟ୍ରେନ୍ ଲେଟ୍ ହେଲେ ସେଥିପାଇଁ ସରକାର ଦାୟୀ ରହିବେ ।
ସାଥୀଗଣ,
ଆର୍ଥିକ ହେଉ ଅବା ସାମାଜିକ କ୍ଷେତ୍ର, ଆଜି ଦେଶ ପରିବର୍ତ୍ତନର ଏକ ବିରାଟ ପଥ ଦେଇ ଆଗକୁ ଆଗେଇ ଚାଲିଛି ।
ବିଗତ କିଛି ବର୍ଷ ମଧ୍ୟରେ ଭାରତ ବିଶ୍ୱ ଅର୍ଥ ବ୍ୟବସ୍ଥାର ଆହୁରି ମଜଭୁତ ଅଙ୍ଗ ଭାବେ ଉଭା ହୋଇଛି । କିନ୍ତୁ ଭିନ୍ନ ଭିନ୍ନ କାରଣୁ ଅନ୍ତରାଷ୍ଟ୍ରୀୟ ସ୍ଥିତିସବୁ ଏଭଳି ହୋଇଛି ଯେ ବିଶ୍ୱ ଅର୍ଥନୀତି ଦୁର୍ବଳ ହୋଇପଡ଼ିଛି ଏବଂ କଠିନ ପରିସ୍ଥିତି ଦେଇ ଗତି କରୁଛି । ତଥାପି, ଏହାର ପ୍ରଭାବ ଭାରତୀୟ ଅର୍ଥ ବ୍ୟବସ୍ଥା ଉପରେ ସାମାନ୍ୟରୁ ସାମାନ୍ୟତମ ଭାବେ କିଭଳି ପଡ଼ିବ. . . ସେଥିପାଇଁ ଆମେ ଯେତିକି ପଦକ୍ଷେପ ନେବା ସମ୍ଭବ. . . ଯେତିକି ସକାରାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ଭବ. . . ଆମେ ତାହା ନେଇଚାଲିଛୁ । ଏବଂ ଏହାର ଲାଭ ବି ଆମକୁ ମିଳିଛି । ଆମର ନୀତିମାନ ସ୍ପଷ୍ଟ । ଆମର ମୂଳଭିତ୍ତି ମଜଭୁତ ହୋଇଛି । ଏବେ ନିକଟରେ ବି ଭାରତ ବିଶ୍ୱର ପଞ୍ଚମ ସର୍ବବୃହତ୍ ଅର୍ଥନୀତି ଭାବେ ମୁଣ୍ଡ ଟେକିଛି । ଯେତେବେଳେ 2014ରେ ଆମେ କ୍ଷମତାକୁ ଆସିଲୁ ସେତେବେଳେ ଆମେ ଏକାଦଶ ସ୍ଥାନରେ ଥିଲୁ. . . ଏବେ ପଞ୍ଚମ ସ୍ଥାନରେ ପହଞ୍ଚିସାରିଛୁ ।
ବନ୍ଧୁଗଣ, ଭାରତ 5 ଟ୍ରିଲିୟନ୍ ଡଲାରର ଅର୍ଥ ବ୍ୟବସ୍ଥା ଲକ୍ଷ୍ୟକୁ ପ୍ରାପ୍ତ କରିବାସକାଶେ, ଏଥିପାଇଁ ଆମ ସରକାର ଚାରିଟି ଭିନ୍ନ ଭିନ୍ନ ସ୍ତରରେ କାମ କରିଚାଲିଛୁ ।
ପ୍ରଥମ- ଘରୋଇ କ୍ଷେତ୍ର ସହ ସହଭାଗୀତା
ଦ୍ୱିତୀୟ- ଉତ୍ତମ ପ୍ରତିଯୋଗିତା
ତୃତୀୟ- ସଂପଦ ସୃଷ୍ଟି
ଏବଂ ଚତୁର୍ଥ- ପୁରୁଣା ନିୟମଗୁଡ଼ିକର ଉଚ୍ଛେଦକରଣ
ସାଥୀଗଣ, ଆମେ ଭିତ୍ତିଭୂମି କ୍ଷେତ୍ରରେ 100 ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଂଜି ନିବେଶର ରୋଡ଼ମ୍ୟାପ୍ ପ୍ରସ୍ତୁତ କରିଛୁ । ଆମେ ପିପିପିରୁ ପିପିପିକୁ ଶକ୍ତି ପ୍ରଦାନ କରିବାର ମାର୍ଗ ଚୟନ କରୁଛୁ । ସରକାରୀ- ଘରୋଇ ସହଭାଗୀତା ଦ୍ୱାର ଦେଶର ବିକାଶକୁ ଶକ୍ତିଶାଳୀ ପ୍ରଗତିଶୀଳ ପ୍ରୋତ୍ସାହନ ମିଳିବ!!!
ଏହା ମଧ୍ୟ ଆମର ଏକ ଅନୁଭବ ରହିଛି ଯେ ଯେଉଁସବୁ କ୍ଷେତ୍ରରେ ଘରୋଇ ସେକ୍ଟରକୁ ପ୍ରତିଦ୍ୱନ୍ଦ୍ୱିତା କରିବାର ରିହାତି ଦିଆଯାଇଛି, ତାହା କ୍ଷିପ୍ର ଗତିରେ ଆଗକୁ ବଢ଼ି ଚାଲିଛି । ସେଥିପାଇଁ ଆମ ସରକାର ଅର୍ଥ ବ୍ୟବସ୍ଥାରେ ଅଧିକରୁ ଅଧିକ ସେକ୍ଟରକୁ ଘରୋଇ ସେକ୍ଟର ପାଇଁ ଉନ୍ମୁକ୍ତ କରୁଛୁ ।
ସାଥୀଗଣ, ସଚ୍ଚୋଟତାର ସହ ଯେଉଁମାନେ ଆଗକୁ ବଢ଼ୁଛନ୍ତି, ଯେଉଁମାନେ ପ୍ରତିଯୋଗିତା ଦେଖୁଛନ୍ତି, ସଂପଦ ସୃଷ୍ଟି କରୁଛନ୍ତି, ସରକାର ସେମାନଙ୍କ ସହିତ ଦୃଢ଼ତାର ସହିତ ଠିଆ ହୋଇଛନ୍ତି । ସେଥିପାଇଁ ଆଇନଗୁଡ଼ିକୁ ନିରନ୍ତର ଭାବେ ସରଳ କରାଯାଇଚାଲିଛି । ପୁରୁଣା ଆଇନଗୁଡ଼ିକୁ ଆମେ ସମାପ୍ତ କରି ଚାଲିଛୁ । ସକାରାତ୍ମକ ପ୍ରତିଯୋଗିତାକୁ ପ୍ରୋତ୍ସାହନ ପ୍ରଦାନ ନିମନ୍ତେ ଆମେ ଦୁର୍ନୀତି ଓ କ୍ରୋନିଜିମ, ଉଭୟକୁ ଅତି ଦୃଢ଼ ହସ୍ତରେ ଦମନ କରିଚାଲିଛୁ । ବ୍ୟାଙ୍କିଙ୍ଗ୍ ହୋଇଥାଉ, ପ୍ରତ୍ୟକ୍ଷ ବିଦେଶୀ ପୁଂଜି ନିବେଶ (ଏଫଡ଼ିଆଇ) ହୋଇଥାଉ କିମ୍ବା ପ୍ରାକୃତିକ ସଂପଦର ଆବଣ୍ଟନ, କ୍ରୋନିଜିମକୁ ପ୍ରତ୍ୟେକ ସ୍ଥାନରୁ ହଟାଯାଉଛି । ଆମେ ନିମ୍ନଲିଖିତ ବିଷୟ ଉପରେ ବିଶେଷ ଧ୍ୟାନ ଦେଉଛୁ: ସରଳୀକରଣ , ସୁସଂଗତିକରଣ ଏବଂ ସ୍ୱଚ୍ଛକରଣ । ଟିକସ ବିବାଦଗୁଡ଼ିକର ସମାଧାନ ସକାଶେ ଆମେ ଏବେ ଏହି ବଜେଟରେ ‘ବିବାଦରୁ ବିଶ୍ୱାସ’ ନାମକ ଏକ ନୂତନ ଯୋଜନା ଆଣିଛୁ । ଶ୍ରମ, ସଂସ୍କାର ଦିଗରେ ମଧ୍ୟ ଆମେ ଦ୍ରୁତ ଗତିରେ ଆଗକୁ ବଢ଼ି ଚାଲିଛୁ । ଏବେ ଗଲା ପଅରିଦିନ, ସରକାର କମ୍ପାନୀ ଅଇନରେ ବଡ଼ ଧରଣର ପରିବର୍ତ୍ତନ ଘଟାଇ, କେତେକ ନୂତନ ପ୍ରାବଧାନକୁ ଡ଼ି-କ୍ରିମିନାଲାଇଜ କରି ଦେଇଛୁ ।
ସାଥୀଗଣ, ଆଜି ଭାରତ ବିଶ୍ୱରେ ସେହିସବୁ ପ୍ରମୁଖ ଦେଶମାନଙ୍କ ଭିତରେ ଗୋଟିଏ ଭାବେ ପରିଗଣିତ ହେଉଛି ଯେଉଁଠି କର୍ପୋରେଟ ଟିକସ ସବୁଠାରୁ କମ୍ । ଇଜ୍ ଅଫ୍ ଡୁଇଂ ବିଜିନେସ୍ ରାଙ୍କିଙ୍ଗରେ ମାତ୍ର ପାଞ୍ଚ ବର୍ଷରେ ରେପର୍ଡ଼ 77 ପାହାଚ ସୁଧାର ଆଣିପାରିଥିବା ଦେଶ ମଧ୍ୟ ଭାରତ ହୋଇପାରିଛି । ସରକାରଙ୍କ ଏଭଳି ପ୍ରୟାସ ମଧ୍ୟରେ ବିଦେଶ ନିବେଶକମାନଙ୍କ ମନରେ ଭାରତୀୟ ଅର୍ଥ ବ୍ୟବସ୍ଥା ଉପରେ ଲଗାତାର ଆସ୍ଥା ବୃଦ୍ଧି ପାଇବାରେ ଲାଗିଛି । କିଛି ସମୟ ପୂର୍ବେ, ଏଠାରେ ଆପଣମାନେ ବ୍ଲାକଷ୍ଟୋନ ସିଇଓଙ୍କୁ ଶୁଣିଛନ୍ତି । ସେ କହୁଥିଲେ ଯେ ଭାରତ ବିଶ୍ୱର ସବୁଠାରୁ ଅଧିକ ଲାଗ ଦେଉଛି ଏବଂ ସେ ତାଙ୍କର ନିବେଶ ଭାରତରେ ଦୁଇଗୁଣ ବଢ଼ାଇବାକୁ ଚିନ୍ତା କରୁଛନ୍ତି ।
ସାଥୀଗଣ, 2019 ମସିହାରେଦେଶରେ ପାଖାପାଖି 48 ବିଲିଅନ୍ ଡଲାରର ପ୍ରତ୍ୟକ୍ଷ ବିଦେଶୀ ପୁଂଜି ନିବେଶ କରାଯାଇଛି । ଏହି ବିକାଶ 16 ପ୍ରତିଶତରୁ ମଧ୍ୟ ଅଧିକ ।ଏହି ଭଳି ଭାବେ ଗତ ବର୍ଷ ଭାରତକୁ 19 ବିଲିଅନ୍ ଡ଼ଲାରର ଘରୋଇ ଇକୁଇଟି ଏବଂ ଭେଞ୍ଚର କ୍ୟାପିଟାଲ୍ ନିବେଶ ଆସିଥିଲା । ସେଥିରେ ଅଭିବୃଦ୍ଧି ହାର ରହିଥିଲା 53 ପ୍ରତିଶତ ଅଧିକ । ଦେଶରେ ବିଦେଶ ପୋର୍ଟଫୋଲିଓ ନିବେଶକମାନେ ଏବେ ସେମାନଙ୍କର ନିବେଶ ବଢ଼ାଇ ଚାଲିଛନ୍ତି । ଗତ ବର୍ଷ ଏହି ନିବେଶ ପାଖାପାଖି 19 ବିଲିଅନ୍ ଡ଼ଲାର ଥିଲା । ଏଥିରୁ ସ୍ପଷ୍ଟ ଯେ ନୂତନ ବିକଳ୍ପ ଖୋଜୁଥିବା ନିବେଶକମାନେ ବି ଏବେ ଭାରତ ଆଡ଼କୁ ପାଦ ବଢ଼ାଉଛନ୍ତି ।
ସାଥୀଗଣ,
ଆମ ସରକାର ସମସ୍ତ ଷ୍ଟେକହୋଲ୍ଡରଙ୍କ ସହ ନିରନ୍ତର ଭାବେ ସଂପର୍କ ରକ୍ଷା କରିଆସିଛିନ୍ତି । ଲଗାତାର ଭାବେ ସେମାନଙ୍କ ଠାରୁ ମତାମତ ସଂଗ୍ରହ କରୁଛନ୍ତି । ପ୍ରତ୍ୟେକ ସ୍ତରରେ ବଡ଼ ବଡ଼ ନିଷ୍ପତ୍ତିମାନ ନେଉଛନ୍ତି । ସ୍ଥିତାବସ୍ଥାରୁ ଦେଶକୁ ମୁକ୍ତି ଦେଇ, ଆମେ ରାଷ୍ଟ୍ରୀୟ ସ୍ତରରେ କେବଳ ନୁହଁ, ବରଂ ଅନ୍ତରାଷ୍ଟ୍ରୀୟ ସ୍ତରରେ ସୁଦ୍ଧା ସହଯୋଗ ମାଧ୍ୟମରେ ସୃଜନ ଦିଗରେ ଆଗକୁ ଅଗ୍ରସର ହୋଇଚାଲିଛୁ । ଆପଣମାନଙ୍କର ସ୍ମରଣ ଥିବ, ଯେତେବେଳେ ସଂଯୁକ୍ତ ରାଷ୍ଟ୍ରରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ ଘୋଷଣା ପାଇଁ ପ୍ରସ୍ତାବ ଆସିଥିଲା ସେତେବେଳେ ଭାରତକୁ ପାଖାପାଖି ସମଗ୍ର ବିଶ୍ୱର ସମର୍ଥନ ପ୍ରାପ୍ତ ହୋଇଥିଲା । ଏବଂ ସମ୍ଭବତଃ ମିଳିତ ଜାତିସଂଘ ଇତିହାସରେ କୌଣସି ଏକ ପ୍ରସ୍ତାବକୁ ଏତେ ରାଷ୍ଟ୍ରଙ୍କ ସମର୍ଥନ ପ୍ରାପ୍ତ ହୋଇଛି । ପ୍ରଥମ ଥର ପାଇଁ ଏଭଳି ଏକ ଐତିହାସିକ ଘଟଣା ଘଟିଛି । ଏବଂ ଯୋଗର ପ୍ରଭାବ ମଧ୍ୟ ଏହା ଯେ ସମ୍ଭବତଃ ପ୍ରଥମ ଥର ପାଇଁ ଆପଣମାନେ ଏହି ଶିଖର ସମ୍ମିଳନୀ ଅବସରରେ ପ୍ରଥମେ ଆପଣମମାନଙ୍କୁ କେହି ମେଡ଼ିଟେସନ୍ କରାଇଛନ୍ତି ।
ବନ୍ଧୁଗଣ,
ଆଜି ଭାରତ ଶାନ୍ତି ସେନାରେ ସର୍ବାଧିକ ଭାଗୀଦାରୀ କରୁଥିବା ରାଷ୍ଟ୍ରଙ୍କ ମଧ୍ୟରେ ଅନ୍ୟତମ ଭାବେ ବିବେଚିତ ହୋଇଛି... ଅନ୍ୟ ଏକ ରାଷ୍ଟ୍ରର ନାଗରିକଙ୍କୁ ସୁରକ୍ଷା ଦେବା ସକାଶେ ସର୍ବ ପ୍ରଥମେ ଆଗକୁ ଆସିଛି । କେବଳ ସେତିକି ନୁହେଁ, ଆଜି ଭାରତ ଅନ୍ତରାଷ୍ଟ୍ରୀୟ ସ୍ତରରେ ସଂସ୍ଥାମାନ ଗଠନ ଦିଗରେ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଅନ୍ତରାଷ୍ଟ୍ରୀୟ ସୌର ସଂଗଠନ ହୋଇଥାଉ ଅବା ବିପର୍ଯ୍ୟୟ ସହନଶୀଳ ସଂସାଧନ ପାଇଁ ସହଯୋଗ ହୋଇଥାଉ, ଭବିଷ୍ୟତକୁ ଦିଗ ପ୍ରଦାନ କରିବା ଭଳି ଏଭଳି ସଂସ୍ଥାନ ସମଗ୍ର ଭାରତରେ ହିଁ ଆରମ୍ଭ କରାଯାଇଛି ଏବଂ ଆଜି ସାରା ଦୁନିଆ ଏହି ସଂଗଠନ ସହ ସାମିଲ ହେବାକୁ ଆରମ୍ଭ କରିଛି । କିନ୍ତୁ ବନ୍ଧୁଗଣ, ଯଥା ସ୍ଥିତିକୁ ସମର୍ଥନ କରୁଥିବା, ପରିବର୍ତ୍ତନକୁ ବିରୋଧ କରୁଥିବା ଭଳି ଶକ୍ତି ଯେଉଁଭଳି ଆମ ଦେଶରେ ଅଛନ୍ତି ସେହିକଳି ଶକ୍ତି ବିଶ୍ୱସ୍ତରରେ ମଧ୍ୟ ଏକଜୁଟ ହେବାକୁ ଆରମ୍ଭ କରିଛନ୍ତି ।
ସାଥୀଗଣ, ଇତିହାସରେ ଏଭଳି ଏକ କାଳ ଖଣ୍ଡ ଥିଲା ଯେତେବେଳେ ସଭିଏଁ ସଂଘର୍ଷର ମାର୍ଗରେ ଆଗକୁ ଅଗ୍ରସର ହେଉଥିଲେ । ସେତେବେଳେ କୁହା ଯାଉଥିଲା- ଜୋର ଯା’ର, ମୁଲକ ତା’ର । ପୁଣି ଏଭଳି ଏକ ସମୟ ଆସିଲା, ଯେତେବେଳେ ଏଭଳି ଚିନ୍ତାଧାରା ଲୋକମାନଙ୍କ ମନକୁ ଆଚ୍ଛନ୍ନ କଲା ଯେ ଆମେ ଯଦି ଏଭଳି ଗୋଷ୍ଠୀଙ୍କ ସାଙ୍ଗରେ ରହିବା, ତେବେ ବର୍ତ୍ତିଯାଇ ପାରିବା । ସେଭଳି ସମୟ ବି ଗତ ହୋଇସାରିଛି । ପୁଣି ଆଉ ଏକ ସମୟ ଏଭଳି ଆସିଲା- ଯେତେବେଳେ ଲୋକମାନେ ଗୋଷ୍ଠୀ ନିରପେକ୍ଷ ରକ୍ଷା ପାଇଁ ପ୍ରୟାସ କଲେ । ପୁଣି ଏପରି ଏକ ଯୁଗ ଆସି ପହଞ୍ଚିଲା ଯେତେବେଳେ ଉପଯୋଗୀତା ଆଧାରରେ ସମ୍ପର୍କ କରିବା ଲାଗି ଚିନ୍ତାକୁ ଅଗ୍ରପ୍ରାଧାନ୍ୟ ଦିଆଗଲା ।
ଏବେ ଆଜିର ଯୁଗକୁ ନିରୀକ୍ଷଣ କରନ୍ତୁ । ପ୍ରଯୁକ୍ତିର ଏହି ଯୁଗରେ ଆଜି ବିଶ୍ୱ ପରସ୍ପର ମଧ୍ୟରେ ସଂଯୁକ୍ତ ହୋଇଛନ୍ତି, ପରସ୍ପର ସହ ସମ୍ପର୍କ ରକ୍ଷା କରୁଛନ୍ତି ଏବଂ ପରସ୍ପର ଉପରେ ନିର୍ଭରଶୀଳ ମଧ୍ୟ ହୋଇଛନ୍ତି । ଏହା ଆଜିର ଶତାବ୍ଦୀର ପରିବର୍ତ୍ତନ. . . ବୈଶ୍ୱିକ ସ୍ତରରେ ଆସିଥିବା ପରିବର୍ତ୍ତନ ।
କିନ୍ତୁ, ତଥାପି ସୁଦ୍ଧା ଏକ ବୈଶ୍ୱିକ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ସକାଶେ, କୌଣସି ବୈଶ୍ୱିକ ଲକ୍ଷ୍ୟ ହାସଲ କରିବା ନିମନ୍ତେ, ଏକ ବହୁତ ବଡ଼ ସଂକଳ୍ପ- ବିଶ୍ୱରୁ ଦାରିଦ୍ର୍ୟ କିଭଳି ଭାବେ ଦୂର କରିପାରିବା, ଆତଙ୍କବାଦକୁ କିଭଳି ଭାବେ ମୂଳୋତ୍ପାଟନ କରିପାରିବା, ଜଳବାୟୁ ପରିବର୍ତ୍ତନ ଭଳି ପ୍ରସଙ୍ଗର କିଭଳି ଭାବେ ସଫଳ ମୁକାବିଲା କରିପାରିବା, . . . ଆଜି ମଧ୍ୟ ଏହିସବୁ ପ୍ରସଙ୍ଗଗୁଡ଼ିକୁ ନେଇ ସମଗ୍ର ବିଶ୍ୱ ଗୋଟିଏ ମଞ୍ଚ ଉପରେ ଠିଆ ହୋଇପାରି ନାହାନ୍ତି । ଆଜି ସମଗ୍ର ବିଶ୍ୱକୁ ଏହାର ପ୍ରତୀକ୍ଷା ରହିଛି, କିନ୍ତୁ ବାସ୍ତବ କ୍ଷେତ୍ରରେ ଏହା ହୋଇପାରୁନାହିଁ ।
ସାଥୀଗଣ,
ଏକବିଂଶ ଶତାବ୍ଦୀ ନିଜସ୍ୱ ଢ଼ଙ୍ଗରେ ଅନେକ ସମ୍ଭାବନାର ସହ ଭରି ରହିଛି । ଏହିସବୁ ସମ୍ଭାବନାଗୁଡ଼ିକ ଭିତରେ, ଆଜି ଏକ ସମଭାବାପନ୍ନ ବୈଶ୍ୱିକ ସ୍ୱରର ଅଭାବ ଅନୁଭୂତ ହେଉଛି । ତାହା ଏଭଳି ଏକ ସ୍ୱର, ଯେଉଁଥିରେ ସ୍ୱର ଯେତେ ଭିନ୍ନ ଭିନ୍ନ ହୋଇଥାଉ ନା କାହିଁକି, କିନ୍ତୁ ସେସବୁ ମିଳିତ ଭାବେ ଏକ ସ୍ୱର ନିର୍ମାଣ କରିବା ଆବଶ୍ୟକ । ଏକ ସ୍ୱରରେ ନିଜର ମତ ବ୍ୟକ୍ତ କରିବା ଉଚିତ । ଆଜି ସମଗ୍ର ବିଶ୍ୱ ସମ୍ମୁଖରେ ଏହା ହିଁ ହେଉଛି ମୁଖ୍ୟ ପ୍ରଶ୍ନ ଯେ ପରିବର୍ତ୍ତନଶୀଳ ପରିସ୍ଥିତି ଭିତରେ କେଉଁଭଳି ଭାବେ ଆମକୁ ଆଡ଼ଜଷ୍ଟ କରି ଜୀବନ ବଞ୍ଚିବାକୁ ହେବ । ପୁଣି ଏକ ନୂତନ ମାର୍ଗର ବିକାଶ ଘଟାଯାଇ ପାରିବ ।
ସାଥୀଗଣ,
ପରିବର୍ତ୍ତନଶୀଳ ଏଭଳି ବୈଶ୍ୱିକ ପରିସ୍ଥିତିମାନଙ୍କ ଭିତରେ, ଭାରତ ବ୍ୟାପକ ମାତ୍ରାରେ ସଂସ୍କାର କରିଚାଲିଛି । ଏକ କାଳଖଣ୍ଡ ଏଭଳି ଥିଲା, ଯେତେବେଳେ ଭାରତ ତଟସ୍ଥ ରହୁଥିଲା, ଆମେ ସମସ୍ତେ ତଟସ୍ଥ ଥିଲେ । କିନ୍ତୁ ଦେଶମାନଙ୍କ ଭିତରେ ସମାନ ଦୂରତା ବଜାୟ ରହିଥିଲା । ପରିବର୍ତ୍ତନ କିଭଳି ଆସିଛି - ଆଜି ମଧ୍ୟ ଭାରତ ତଟସ୍ଥ ରହିଛି, ଆମେ ତଟସ୍ଥ ଅଛୁ । କିନ୍ତୁ ଦୂରତା ଆଧାରରେ ନୁହେଁ, ବନ୍ଧୁତାର ଆଧାରରେ ହିଁ ତାହା ସମ୍ଭବପର ହୋଇପାରିଛି । ଆମେ ସାଉଦି ଆରବ ସହ ମଧ୍ୟ ବନ୍ଧୁତା ରକ୍ଷା କରିଛୁ... ଇରାନ ସହ ମଧ୍ୟ ବନ୍ଧୁତା ଅତୁଟ ରଖିଛୁ । ଆମେ ଆମେରିକା ସହିତ ବନ୍ଧୁତ୍ୱପୂର୍ଣ୍ଣ ସଂପର୍କ ସ୍ଥାପନ କରିଛୁ ... ରୁଷିଆ ସହିତ ମଧ୍ୟ ବନ୍ଧୁତା ବାନ୍ଧିଛୁ । ତଥାପି ଆମେ ତଟସ୍ଥ ରହିଛୁ... ଏଭଳି ଏକ ସମୟ ଥିଲା ଯେତେବେଳେ ଲୋକ ସମାନ ଦୂରତା ରକ୍ଷାକରି ସୁଦ୍ଧା ତଟସ୍ଥ ଥିଲେ, ଆମେ ସମାନ ବନ୍ଧୁତା କରି ତଟସ୍ଥ ରହିଛୁ । ସେହି କାଳଖଣ୍ଡରେ ଦୂରତା ରକ୍ଷା କରି, ବଞ୍ଚôବାର ପ୍ରୟାସ କରାଯାଉଥିଲା । ଆଜି ଆମେ ବନ୍ଧୁତା ରକ୍ଷାକରି, କାନ୍ଧକୁ କାନ୍ଧ ମିଳାଇ ସାଙ୍ଗରେ ଚାଲିବାର ପ୍ରୟାସ ଜାରି ରଖିଛୁ । ଏହା ହେଉଛି ଆଜିକାର ଭାରତର ବିଦେଶ ନୀତି, ଭାରତର ଆଜିର ଅର୍ଥ ନୀତିର ଗୁରୁତ୍ୱପୂର୍ଣ୍ଣ ସାରମର୍ମ ।
ସାଥୀଗଣ, ମୁଁ ମହାତ୍ମା ଗାନ୍ଧୀଜୀଙ୍କର ଗୋଟିଏ କଥା ଏଠାରେ ଉଲ୍ଲେଖ କରି ମୋର ବକ୍ତବ୍ୟ ସମାପ୍ତ କରିବାକୁ ଯାଉଛି । ଗାନ୍ଧୀଜୀ କହୁଥିଲେ ଯେ ‘ମୁଁ ଭାରତର ଉତ୍ଥାନ ଏଇଥିପାଇଁ ଚାହେଁ ଯେ ସମଗ୍ର ବିଶ୍ୱ ଏହାର ଲାଭ ଉଠାଇ ପାରିବେ ।’ ଏହି ଗୋଟିଏ ପଙ୍କ୍ତିରେ ଜଗତୀକରଣରେ ଭାରତୀୟ ଚିନ୍ତାଧାରା ନିହିତ ଏବଂ ଆଗାମୀ ଦିନ ପାଇଁ ସହଯୋଗର ମନ୍ତ୍ର ମଧ୍ୟ ଏଥିରେ ଭରି ରହିଛି ।
ମୁଁ ପୁଣି ଥରେ ଏଭଳି ମହତ୍ତ୍ୱପୂର୍ଣ୍ଣ ବିଷୟ ଉପରେ ଆପଣମାନେ ମାନସମନ୍ଥନର ଯେଉଁ ଯୋଜନା ପ୍ରସ୍ତୁତ କରିଛନ୍ତି, ସେଥିପାଇଁ ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଶୁଭ କାମନା ଜ୍ଞାପନ କରୁଛି । ଏବଂ ଆପଣମାନଙ୍କ ଗହଣକୁ ଆସିବାର ଅବସର ମୋତେ ମିଳିଥିବାରୁ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛନ୍ତି । ଆପଣମାନଙ୍କୁ ସମସ୍ତଙ୍କୁ ହୃଦୟର ସହ ଧନ୍ୟବାଦ ଜ୍ଞାପନ ପୂର୍ବକ ନିଜର ବକ୍ତବ୍ୟକୁ ବିରାମ ଦେଉଛି । ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ !!!
*************
(Release ID: 1605856)
Visitor Counter : 123