ରସାୟନ ଓ ସାର ମନ୍ତ୍ରଣାଳୟ

2023 ସେପ୍ଟେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ତାଳଚେର ସାର କାରଖାନା : କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 07 FEB 2020 7:16PM by PIB Bhubaneswar

ଆସନ୍ତା 2023 ସେପ୍ଟେମ୍ବର ମାସ ସୁଦ୍ଧା ତାଳଚେର ସାର କାରଖାନା (ତାଳଚେର ଫର୍ଟିଲାଇଜର୍ସ ଲିଃ-ଟିଏଫଏଲ) କାର୍ଯ୍ୟକ୍ଷମ ହେବ । ଆଜି ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଶ୍ରୀ ଡି.ଭି. ସଦାନନ୍ଦ ଗୌଡ଼ା । ଏ ସଂକ୍ରାନ୍ତରେ ପଚରାଯାଇଥିବା ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସେ ସୂଚନା ଦେଇଥିଲେ ଯେ ବନ୍ଦ ହୋଇ ପଡ଼ି ରହିଥିବା ଭାରତୀୟ ସାର ନିଗମ ଲିଃ (ଏଫସିଆଇଏଲ)ର ତାଳଚେର ୟୁନିଟକୁ କାର୍ଯ୍ୟକ୍ଷମ କରିବା ଲାଗି ଭାରତ ସରକାର ଏକାଧିକ ପ୍ରସ୍ତାବକୁ କ୍ୟାବିନେଟ ଜରିଆରେ ମଞ୍ଜୁରି ଦେଇଛନ୍ତି । ଏହି ୟୁରିଆ ୟୁନିଟକୁ ପୁନଃକାର୍ଯ୍ୟକ୍ଷମ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି ।

ମନ୍ତ୍ରୀ ଆହୁରି ସୂଚନା ଦେଇଥିଲେ ଯେ ମେସର୍ସ ପିଡିଆଇଏଲକୁ ସାର କାରଖାନା କାର୍ଯ୍ୟକ୍ଷମ କରିବା ଲାଗି ପ୍ରାକ-ପ୍ରକଳ୍ପ କାର୍ଯ୍ୟକଳାପ ପାଇଁ ପ୍ରକଳ୍ପ ପରିଚାଳନା ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି । ଅଗଷ୍ଟ 2017ରେ ପେଟ କୋକ ଯୋଗାଣ ଲାଗି ଆଇଓସିଏଲ ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଫେବୃଆରୀ 2018ରେ ପ୍ରକଳ୍ପକୁ ପରିବେଶ ମଞ୍ଜୁରି ମିଳିଛି । ସେପ୍ଟେମ୍ବର 2018ରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଆରସିଏଫ ଇକ୍ୟୁଟି ଯୋଗଦାନ ପାଇଁ ମଞ୍ଜୁରି ଦେଇଥିଲା । ଡିସେମ୍ବର 2018ରେ କ୍ୟାପ୍ଟିଭ କୋଇଲା ଖଣି ପାଇଁ ଖଣି ଆବଂଟନ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ପ୍ରମୋଟରଙ୍କ ଠାରୁ ଅନୁମୋଦନ ଲାଭ କରିବା ପରେ 29 ଅଗଷ୍ଟ 2019ରେ ଟିଏଫଏଲ ବୋର୍ଡ ପକ୍ଷରୁ ପ୍ରକଳ୍ପ ପାଇଁ ନିବେଶ ମଞ୍ଜୁରି ଦିଆଯାଇଥିଲା । କୋଇଲା ବାଷ୍ପୀକରଣ ଏବଂ ଆମୋନିଆ/ୟୁରିଆ ପ୍ଳାଣ୍ଟ ପାଇଁ ଏଲଏସଟିକେ ଚୁକ୍ତି 11 ଓ 19 ସେପ୍ଟେମ୍ବରରେ ସ୍ୱାକ୍ଷରିତ ହୋଇଥିଲା । ଓଡ଼ିଶା ସରକାରଙ୍କ ଉଚ୍ଚସ୍ତରୀୟ କ୍ଲିଅରାନ୍ସ କର୍ତ୍ତୃପକ୍ଷଙ୍କ ଦ୍ୱାରା 31 ଅଗଷ୍ଟ, 2019ରେ ଟିଏଫଏଲ ପ୍ରକଳ୍ପକୁ ମଞ୍ଜୁରି ମିଳିସାରିଛି ।

 

**********

 


(ରିଲିଜ ଆଡି: 1602499) ପରିଦର୍ଶକ କାଉଣ୍ଟର : 56