ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଶାସନ ନୂତନ ଦୃଷ୍ଟିଭଙ୍ଗୀ ଓ ଚିନ୍ତାଧାରା ନେଇ କାର୍ଯ୍ୟ କରୁଛି : ପ୍ରଧାନମନ୍ତ୍ରୀ

• ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
• ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ : ସହଯୋଗୀ ସଂଘୀୟ ବ୍ୟବସ୍ଥାର ଶ୍ରେଷ୍ଠ ଉଦାହରଣ, କହିଲେ ପ୍ରଧାନମନ୍ତ୍ରୀ
• ମହିଳା ସଶକ୍ତିକରଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ : ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 06 FEB 2020 6:42PM by PIB Bhubaneswar

ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ଗୁରୁବାର ରାଜ୍ୟସଭାରେ ବକ୍ତବ୍ୟ ଦେଇ କହିଛନ୍ତି ବିଗତ ପାଞ୍ଚ ବର୍ଷ ସରକାର ଶାସନ ବ୍ୟବସ୍ଥାରେ ନୂତନ ଦୃଷ୍ଟିଭଙ୍ଗୀ ଓ ନୂତନ ଚିନ୍ତାଧାରା ଆଣିଛନ୍ତି । ଡିଜିଟାଲ ଇଣ୍ଡିଆକୁ ନୂଆ ଚିନ୍ତାଧାରା ଓ ନୂଆ ଦୃଷ୍ଟିଭଙ୍ଗୀର ଉଦାହରଣ ବୋଲି ସେ ଦର୍ଶାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, 2014 ପୂର୍ବରୁ ମାତ୍ର 59ଟି ପଞ୍ଚାୟତରେ ବ୍ରଡ ବ୍ୟାଣ୍ଡ ସଂଯୋଗ ଥିଲା । କିନ୍ତୁ ଗତ ପାଞ୍ଚ ବର୍ଷରେ 1.25 ଲକ୍ଷରୁ ଅଧିକ ଗ୍ରାମ ପଞ୍ଚାୟତକୁ ବ୍ରଡ ବ୍ୟାଣ୍ଡ ସେବା ଯୋଗାଇ ଦିଆଯାଇଛି ।

2014ରେ ଦେଶରେ 80 ହଜାର ଜନ ସେବା କେନ୍ଦ୍ର ଥିଲା, ହେଲେ ଏବେ ଏହି ସଂଖ୍ୟା ବୃଦ୍ଧି ପାଇ 3 ଲକ୍ଷ 65 ହଜାରରୁ ଅଧିକ ହୋଇଛି । 12 ଲକ୍ଷରୁ ଅଧିକ ଗ୍ରାମୀଣ ଯୁବକ ଯୁବତୀ ଅନଲାଇନ ଡେଲିଭରି ମାଧ୍ୟମରେ ସରକାରଙ୍କ ବିଭିନ୍ନ ସେବାକୁ ଏସବୁ କେନ୍ଦ୍ରରେ ସୁନିଶ୍ଚିତ କରୁଛନ୍ତି ।

ବିଶ୍ୱ ସ୍ତରରେ ଭୀମ ଆପକୁ ସୁରକ୍ଷିତ ଡିଜିଟାଲ ନେଣଦେଣ ପ୍ଲାଟଫର୍ମ ଭାବେ ସ୍ୱୀକୃତି ମିଳିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଜାନୁଆରୀ ମାସରେ ରେକର୍ଡ 2 ଲକ୍ଷ 16 ହଜାର କୋଟି ଟଙ୍କାରୁ ଅଧିକ ନେଣଦେଶ ଭୀମ ଆପ ମାଧ୍ୟମରେ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ରୂପେ କାର୍ଡ ମଧ୍ୟ ବିଭିନ୍ନ ଦେଶରେ ସ୍ୱୀକୃତ ହେଲାଣି ବୋଲି ସେ କହିଛନ୍ତି ।

ଜଳ ଜୀବନ ମିଶନ

ଜଳ ଜୀବନ ମିଶନ ସରକାରଙ୍କ ଆଭିମୁଖ୍ୟର ଆଉ ଏକ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରତି ପରିବାରକୁ ପାଇପ ପାଣି ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଥିବା ଏହି ମିଶନ ସ୍ଥାନୀୟ ଶାସନର ଉତ୍କୃଷ୍ଟ ଉଦାହରଣ ବୋଲି ସେ କହିଛନ୍ତି ।

କେନ୍ଦ୍ର ସରକାର ଏହି ମିଶନ ଆରମ୍ଭ କରିଥିଲେ ବି ଏହାର ପରିଚାଳନା ଗ୍ରାମୀଣ ସ୍ତରରେ ହେବ । ଗାଁ କମିଟି ଏହାର ରୂପାୟନ କରିବ, ଅର୍ଥ ପରିଚାଳନା ଓ ପାଇପ ଲାଇନ, ଟାଙ୍କି ନିର୍ମାଣ ଆଦି ସମ୍ପର୍କରେ ନିଷ୍ପତ୍ତି ନେବ ।

ସହଯୋଗୀ ସଂଘୀୟ ବ୍ୟବସ୍ଥାର ଶ୍ରେଷ୍ଠ ଉଦାହରଣ: ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ

କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଦେଶର 100ରୁ ଅଧିକ ଆକାଂକ୍ଷୀ ଜିଲ୍ଲାର ବିକାଶ ପାଇଁ କାମ କରୁଛନ୍ତି । ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମରେ ଜିଲ୍ଲାଗୁଡ଼ିକ କାର୍ଯ୍ୟାନ୍ୱୟନ ସଂସ୍ଥା ଭାବେ କାମ କରିବା ସହଯୋଗୀ ସଂଘୀୟ ବ୍ୟବସ୍ଥାର ଉତ୍କୃଷ୍ଟ ଉଦାହରଣ । ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ଦରିଦ୍ର, ଆଦିବାସୀଙ୍କ ବିକାଶ ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସମାଜର ସବୁବର୍ଗଙ୍କ ପାଇଁ ସମ୍ବେଦନଶୀଳ ଭାବେ କାମ କରୁଛୁ

ଦେଶର ଆଦିବାସୀ ଯୋଦ୍ଧାମାନଙ୍କୁ ସମ୍ମାନିତ କରିବା ପାଇଁ ବିଗତ ପାଞ୍ଚ ବର୍ଷ ହେଲା ପ୍ରୟାସ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ସଂଗ୍ରହାଳୟ, ଗବେଷଣା ସଂସ୍ଥାନ ସ୍ଥାପିତ ହୋଇଛି ଓ ଆଦିବାସୀ କଳା, ସାହିତ୍ୟକୁ ଡିଜିଟାଇଜ୍ କରାଯାଉଛି । ଆଦିବାସୀ ଅଞ୍ଚଳର ପ୍ରତିଭାବାନ ପିଲାମାନଙ୍କୁ ଗୁଣବତ୍ତା ସମ୍ପନ୍ନ ଶିକ୍ଷା ପ୍ରଦାନ ପାଇଁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ସ୍ଥାପନ କରାଯାଇଛି । ଏହାବ୍ୟତୀତ ଜଙ୍ଗଲ ଜାତ ଉତ୍ପାଦରୁ ଅଧିକ ରୋଜଗାର ସୃଷ୍ଟି ଉଦ୍ଦେଶ୍ୟରେ 3 ହଜାର ଜଙ୍ଗଲ ସମ୍ପଦ କେନ୍ଦ୍ର ସ୍ଥାପନ କରାଯାଉଛି । ଏଥିରେ 30 ହଜାର ସ୍ୱୟଂ ସହାୟକ ଗୋଷ୍ଠୀ ସାମିଲ ହେବେ । ଏଥିରୁ 900 କେନ୍ଦ୍ର ସ୍ଥାପିତ ହୋଇସାରିଛି ଓ 2.5 ଲକ୍ଷରୁ ଅଧିକ ଆଦିବାସୀ ସହଯୋଗୀ ଏଥିରେ ଜଡିତ ହୋଇଛନ୍ତି ବୋଲି ସେ କହିଛନ୍ତି ।

ମହିଳା ସଶକ୍ତିକରଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ

ମହିଳା ସଶକ୍ତିକରଣ ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଦେଶର ଇତିହାସରେ ପ୍ରଥମ ଥର ସୈନିକ ସ୍କୁଲଗୁଡ଼ିକରେ ଝିଅମାନଙ୍କ ନାମଲେଖାକୁ ମଞ୍ଜୁରି ମିଳିଛି । ସେନାବାହିନୀରେ ମହିଳାମାନଙ୍କୁ ନିଯୁକ୍ତି ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଦେଶରେ ମହିଳାମାନଙ୍କ ସୁରକ୍ଷା ପାଇଁ 6 ଶହରୁ ଅଧିକ ୱାନ ଷ୍ଟପ କେନ୍ଦ୍ର ସ୍ଥାପିତ ହୋଇଛି । ଦେଶର ପ୍ରତ୍ୟେକ ସ୍କୁଲରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଝିଅଙ୍କୁ ଆତ୍ମରକ୍ଷା ତାଲିମ ଦିଆଯାଉଛି । ଯୌନ ଅପରାଧୀଙ୍କୁ ଚିହ୍ନଟ କରିବା ଓ ନଜର ରଖିବା ପାଇଁ ଜାତୀୟ ଡାଟାବେସ ପ୍ରସ୍ତୁତ ହୋଇଛି । ଦେଶର ପ୍ରତ୍ୟେକ ଜିଲ୍ଲାରେ ମାନବ ଚାଲାଣ ନିରୋଧ ୟୁନିଟ ସ୍ଥାପନ ପାଇଁ ଯୋଜନା ରହିଛି । ଶିଶୁମାନଙ୍କ କ୍ଷେତ୍ରରେ ଘଟୁଥିବା ଯୌନ ଅପରାଧ ମାମଲାରେ କାର୍ଯ୍ୟାନୁଷ୍ଠାନ ପାଇଁ ପୋକ୍ସୋ ଆଇନରେ ସଂଶୋଧନ କରାଯାଇ ଅପରାଧ ପରିସୀମା ବିସ୍ତାର କରାଯାଇଛି । ସମୟୋଚିତ ନ୍ୟାୟ ପାଇଁ ଦେଶରେ ଏକ ହଜାରରୁ ଅଧିକ ଫାଷ୍ଟ ଟ୍ରାକ ଅଦାଲତ ପ୍ରତିଷ୍ଠା ହୋଇଛି ।     

 

*************

 

 

 

 


(ରିଲିଜ ଆଡି: 1602491) ପରିଦର୍ଶକ କାଉଣ୍ଟର : 53