ରାଷ୍ଟ୍ରପତିଙ୍କ ସଚିବାଳୟ

ରାଷ୍ଟ୍ରପତିଙ୍କ ଚେକ୍‌ ଗଣରାଜ୍ୟ ଗସ୍ତ;

ପ୍ରତିନିଧିସ୍ତରୀୟ ଆଲୋଚନାରେ ନେଲେ ନେତୃତ୍ୱ;
ଭାରତ-ଚେକ୍‌ ଗଣରାଜ୍ୟ ମଧ୍ୟରେ ପ୍ରତିରକ୍ଷା ଓ ପ୍ରଯୁକ୍ତି ସହଯୋଗ ଉପରେ ଗୁରୁତ୍ୱାରୋପ

ପୋଷ୍ଟ କରାଯିବା ଦିନାଙ୍କ: 07 SEP 2018 5:27PM by PIB Bhubaneswar

ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ତାଙ୍କ ତିନି ୟୁରୋପୀୟ ରାଷ୍ଟ୍ର ଗସ୍ତର ତୃତୀୟ ତଥା ଅନ୍ତିମ ଚରଣରେ ଆସି ଚେକ୍‌ ଗଣରାଜ୍ୟରେ ପହଞ୍ଚିଛନ୍ତି । ଆଜି ରାଷ୍ଟ୍ରପତିଙ୍କ ଆନୁଷ୍ଠାନିକ ଗସ୍ତ କ୍ରମ ପ୍ରାଗ୍‌ କ୍ୟାସଲ ପରିଦର୍ଶନଠାରୁ ଆରମ୍ଭ ହୋଇଥିଲା । ସେଠାରେ ଚେକ୍‌ ଗଣରାଜ୍ୟର ରାଷ୍ଟ୍ରପତି ଶ୍ରୀ ମିଲୋସ୍‌ ଜେମାନ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

ଏହା ପରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଏବଂ ତାଙ୍କର ଚେକ୍‌ ପ୍ରତିପକ୍ଷ ଶ୍ରୀ ଜେମିନ୍‌ଙ୍କ ମଧ୍ୟରେ ବିନା ସହାୟତାରେ ଏକକ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନା ପରେ ଦୁଇ ରାଷ୍ଟ୍ରର ରାଷ୍ଟ୍ରପତି ପ୍ରତିନିଧିସ୍ତରୀୟ କଥାବାର୍ତ୍ତାରେ ନେତୃତ୍ୱ ନେଇଥିଲେ । ତାଙ୍କୁ ଏବଂ ଭାରତୀୟ ପ୍ରତିନିଧିମଣ୍ଡଳଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବାରୁ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଚେକ୍‌ ରାଷ୍ଟ୍ରପତି ଏବଂ ସେ ଦେଶ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ଚେକ୍‌ ଗଣରାଜ୍ୟ ସହ ଭାରତ ପ୍ରତିରକ୍ଷା, ପ୍ରଯୁକ୍ତ ଏବଂ ଉତ୍ପାଦନ, ବାଣିଜ୍ୟ କାରବାର ବୃଦ୍ଧି ଏବଂ ଅନ୍ୟାନ୍ୟ ବିବିଧ କ୍ଷେତ୍ର ଯଥା ପର୍ଯ୍ୟଟନ ଆଦିରେ ସହଯୋଗ ବୃଦ୍ଧି ପାଇଁ ଆଗ୍ରହୀ ବୋଲି ମତ ପୋଷଣ କରିଥିଲେ । ରାଷ୍ଟ୍ରପତି କହିଲେ ଯେ ଉତ୍ପାଦନ ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିରେ ଚେକ୍‌ ଗଣରାଜ୍ୟ ସମୃଦ୍ଧ ଏବଂ ଭାରତର ଆର୍ଥିକ ବିକାଶ ତଥା ପରବର୍ତ୍ତୀ ପିଢ଼ିର ପ୍ରଗତି ପାଇଁ ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ସକାଶେ ବ୍ୟାପକ କ୍ଷେତ୍ର ଓ ସମ୍ଭାବନା ରହିଛି ।

ଭାରତୀୟ କୁଶଳୀ ଶ୍ରମଶକ୍ତି ଓ ବ୍ୟବସାୟିକ କର୍ମକର୍ତ୍ତାମାନଙ୍କଙ୍କ ସକାଶେ ଚେକ୍‌ ସରକାର  ବିଶେଷ ବ୍ୟବସ୍ଥା କରିଥିବାରୁ ରାଷ୍ଟ୍ରପତି ଚେକ୍‌ ରାଷ୍ଟ୍ରପତି ତଥା ଚେକ୍‌ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ । ଏଭଳି ବିଶେଷ ବ୍ୟବସ୍ଥା ଦୀର୍ଘକାଳୀନ ଭିତ୍ତିରେ କରାଯାଇଛି ଯାହାକି ଭାରତୀୟ କୁଶଳୀ ଶ୍ରମଶକ୍ତିଙ୍କ ସକାଶେ ଉପକାରସିଦ୍ଧ ହେବ । ପ୍ରାଥମିକ ସ୍ତରରେ ବର୍ଷକୁ ଏଥିପାଇଁ 500 ଭିସାର ବ୍ୟବସ୍ଥା ଥିବା ବେଳେ 2018 ମସିହା ଅକ୍ଟୋବର ମାସଠାରୁ କାର୍ଯ୍ୟକାରୀ ହୋଇଥିବା ନୂତନ ବ୍ୟବସ୍ଥା ଏଥିପାଇଁ ଅଧିକ ସୁଯୋଗ ସୃଷ୍ଟି କରିବ ।

ଏହି ଅବସରରେ ଭାରତ ଓ ଚେକ୍‌ ଗଣରାଜ୍ୟ ମଧ୍ୟରେ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ରାଜିନାମା ସ୍ୱାକ୍ଷରିତ ହୋଇଥିଲା । ସେଗୁଡ଼ିକ ହେଲା:

•    ଭାରତର ବୈଜ୍ଞାନିକ ଓ ଶିଳ୍ପ ଗବେଷଣା ପରିଷଦ ଓ ଚେକ୍‌ ଏକାଡ଼େମୀ ଅଫ୍‌ ସାଇନ୍ସେସ୍‌ ମଧ୍ୟରେ ସହଯୋଗ ବୃଦ୍ଧି

•    ବିଜ୍ଞାନ ଓ ପ୍ରଯୁକ୍ତର ବିବିଧ କ୍ଷେତ୍ରରେ ଇଣ୍ଡୋ- ଚେକ୍‌ ପ୍ରକଳ୍ପକୁ ସହାୟତା ଯୋଗାଣ ସକାଶେ କାର୍ଯ୍ୟଯୋଜନା । ଏଥିରେ ଭାରତୀୟ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ନେତୃତ୍ୱ ଗ୍ରହଣ କରିବ

•    କୂଟନୈତିକ ପାସପୋର୍ଟଧାରୀଙ୍କ ସକାଶେ ଭିସା ରାଜିନାମା ରିହାତି

•    ଇଏଲଆଇ ବିମଲାଇନ୍ସ ଏବଂ ଟାଟା ଇନଷ୍ଟିଚୁଟ ଅଫ୍‌ ଫଣ୍ଡାମେଣ୍ଟାଲ୍‌ ରିସର୍ଚ୍ଚ ମଧ୍ୟରେ ଲେଜର ଟେକ୍ନୋଲଜି କ୍ଷେତ୍ରରେ ସହଯୋଗ

•    ହରିୟାଣା କୃଷି ବିଶ୍ୱବିଦ୍ୟାଳୟ ଏବଂ ଚେକ୍‌ ୟୁନିଭର୍ସିଟି ଅଫ୍‌ ଲାଇଫ ସାଇନ୍ସେସ ମଧ୍ୟରେ ସହଯୋଗ

ଏହାତିରିକ୍ତ, ଭାରତ ଏବଂ ଚେକ୍‌ ଗଣରାଜ୍ୟ ବେସାବରିକ ଆଣବିକ ଶକ୍ତି କ୍ଷେତ୍ରରେ ପରସ୍ପର ସହ ସହଯୋଗ ପାଇଁ ସହମତ ହୋଇଛନ୍ତି । ଏ ସଂପର୍କରେ ଭବିଷ୍ୟତରେ ହରିଆଣାର ଝାଜ୍ଜରସ୍ଥିତ ଗ୍ଳୋବାଲ ସେଣ୍ଟର ଫର୍‌ ନ୍ୟୁକ୍ଲିଅର୍‌ ଏନର୍ଜି ପାର୍ଟନରସିପ୍‌ ଏବଂ ତତ୍ତୁଲ୍ୟ ଚେକ୍‌ ପ୍ରତିଷ୍ଠାନ ମଧ୍ୟରେ ସମ୍ଭାବ୍ୟ ରାଜିନାମା ସ୍ୱାକ୍ଷର ସକାଶେ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ।

ଋାଷ୍ଟ୍ରପତି ତାଙ୍କର ଚେକ୍‌ ଗଣରାଜ୍ୟ ଗସ୍ତ ପରିପ୍ରେକ୍ଷୀରେ ଏକ ପ୍ରେସ୍‌ ବିବୃତି ଜାରି କରିଛନ୍ତି ।

ପରେ, ତାଙ୍କ ସମ୍ମାନାର୍ଥେ ଚେକ୍‌ ରାଷ୍ଟ୍ରପତି ମିଲୋସ ଜେମାନ୍‌ ଆୟୋଜନ କରିଥିବା ଏକ ଭୋଜି ସଭାରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଯୋଗ ଦେଇଥିଲେ । ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଲେ ଯେ 2001 ମସିହାରେ ରାଷ୍ଟ୍ରପତି ଜେମାନଙ୍କ ଭାରତ ଗସ୍ତ ଦୁଇ ଦେଶ ମଧ୍ୟରେ ସଂପର୍କ ବୃଦ୍ଧିକୁ ବିଶେଷ ପ୍ରେରଣା ଯୋଗାଇଥିଲା । ସେତେବେଳେ ସେ ଦେଶର ପ୍ରଧାନମନ୍ତ୍ରୀ ଥିଲେ । ରାଷ୍ଟ୍ରପତି କହିଲେ ଯେ ଭାରତର ବିକାଶ ଯାତ୍ରା ଏବଂ ଚେକ୍‌ ପ୍ରଯୁକ୍ତି ଓ ଉତ୍ପାଦନ ଶିଳ୍ପ ପରସ୍ପରର ସହଜାତ ସହଭାଗୀ ଓ ସହଯୋଗୀ ।

ଗତକାଲି ସନ୍ଧ୍ୟାରେ ରାଷ୍ଟ୍ରପତି ପ୍ରାଗଠାରେ ଆୟୋଜିତ ଭାରତୀୟ ସମୁଦାୟଙ୍କ ଏକ ଭବ୍ୟ ସମାରୋହକୁ ସମ୍ବୋଧିତ କରିଥିଲେ । ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ  ଚେକ୍‌ ଗଣରାଜ୍ୟରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଶ୍ରୀମତୀ ନରୀନ୍ଦର ଚୌହାନ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିଜର ମତ ରଖି ରାଷ୍ଟ୍ରପତି କହିଲେ ଯେ ବିଦେଶରେ ବସବାସ କରୁଥିବା ପ୍ରତ୍ୟେକ ଭାରତୀୟଙ୍କୁ ଭାରତ ନିଜର ଜଣେ ଜଣେ ରାଷ୍ଟ୍ରଦୂତ ବୋଲି ବିବେଚନା କରେ । ତେଣୁ ଭାରତୀୟମାନେ ଯେଉଁସ୍ଥାନରେ ଅବସ୍ଥାନ କରନ୍ତୁ ନା କାହିଁକି ସେମାନେ ଭାରତୀୟ ସଂସ୍କୃତି ଓ ବ୍ୟବସାୟିକ ସାମର୍ଥ୍ୟକୁ ଅନ୍ୟମାନଙ୍କ ନିକଟରେ ଉପସ୍ଥାପନ କରିବା ଉଚିତ ।

 

**********


(ରିଲିଜ ଆଡି: 1545681) ପରିଦର୍ଶକ କାଉଣ୍ଟର : 19