ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ
ବିକଳ୍ପ ଜାଳେଣି କିମ୍ବା ବିଦ୍ୟୁତ ଚାଳିତ ସାଧାରଣ ପରିବହନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ ଅଟୋମୋବାଇଲ କମ୍ପାନୀମାନଙ୍କୁ ନିତିନ ଗଡକରୀଙ୍କ ଆହ୍ୱାନ;
ଜଳପଥକୁ ମଧ୍ୟ କମ୍ ଖର୍ଚ୍ଚ ପାଇଁ ବିକଳ୍ପ ପରିବହନ ବ୍ୟବସ୍ଥା ଭାବେ ପସନ୍ଦ କରିବାକୁ ଗଡକରୀଙ୍କ ପରାମର୍ଶ
ପୋଷ୍ଟ କରାଯିବା ଦିନାଙ୍କ:
07 SEP 2018 5:20PM by PIB Bhubaneswar
ଦେଶରେ ବିକଳ୍ପ ଜାଳେଣି କିମ୍ବା ବିଦ୍ୟୁତ ଚାଳିତ ତଥା ସୁଦକ୍ଷ ସାଧାରଣ ପରିବହନ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦେବାକୁ ଅଟୋମୋବାଇଲ କମ୍ପାନୀମାନଙ୍କୁ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ, ଜାହାଜ ଚଳାଚଳ, ଜଳସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ମନ୍ତ୍ରୀ ନିତିନ ଗଡକରୀ ଆହ୍ୱାନ ଦେଇଛନ୍ତି । ନୂଆଦିଲ୍ଲୀରେ ଶୁକ୍ରବାର ‘ମୁଭ୍-ଗ୍ଲୋବାଲ ମୋବିଲିଟି ସମିଟ୍ 2018’ରେ ଉପସ୍ଥିତ ଭାରତ ତଥା ବିଶ୍ୱର ବିଭିନ୍ନ ଅଟୋମୋବାଇଲ କମ୍ପାନୀର ସିଇଓମାନଙ୍କୁ ଉଦବୋଧନ ଦେଇ ସେ ଏହା କହିଛନ୍ତି । ଅଟୋମୋବାଇଲ କମ୍ପାନୀମାନେ ସାଧାରଣ ପରିବହନ ବ୍ୟବସ୍ଥାକୁ ଦକ୍ଷ କରିବା ଦିଗରେ ନୂତନ ଚିନ୍ତାଧାରାର ପ୍ରୟୋଗ ପାଇଁ ଗବେଷଣା ଜାରି ରଖିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ବେସରକାରୀ ଗାଡ଼ିର ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଥିବାରୁ ଏହି ଭିଡ଼କୁ ଧରି ରଖିବାରେ ଆମ ରାଜପଥ ଅକ୍ଷମ ହେବ ବୋଲି ସେ କହିଥିଲେ । ତେଣୁ ଆମେ ସାଧାରଣ ପରିବହନ ବ୍ୟବସ୍ଥାକୁ ନିରାପଦ, ଆରାମଦାୟକ ଏବଂ ଦକ୍ଷ କରି ଲୋକମାନଙ୍କୁ ସେ ଦିଗରେ ଆଗ୍ରହୀ ହେବା ସକାଶେ ପ୍ରରୋଚିତ କରିପାରିବା ବୋଲି ସେ କହିଥିଲେ ।
ଶ୍ରୀ ଗଡକରୀ କହିଥିଲେ ଯେ, ପେଟ୍ରୋଲିୟମ ଉତ୍ପାଦ ଆମଦାନୀରେ ଦେଶର ଖର୍ଚ୍ଚ ପରିମାଣକୁ ହ୍ରାସ କରିବା ଜରୁରି । ତେଣୁ ଅଟୋମୋବାଇଲ କ୍ଷେତ୍ର ବିଦ୍ୟୁତ ଚାଳିତ ଯାନ କିମ୍ବା ବିକଳ୍ପ ଜାଳେଣି ତଥା, ଇଥାନଲ, ମିଥାନଲ୍, ବାୟୋ-ଡିଜେଲ କିମ୍ବା ହାଇବ୍ରିଡକୁ ଗୁରୁତ୍ୱ ଦେବା ଆବଶ୍ୟକ । ପେଟ୍ରୋଲିୟମ ଉତ୍ପାଦ ଆମଦାନୀ ଖର୍ଚ୍ଚ କମାଇବା ଲାଗି କମ୍ପାନୀମାନେ ବିକଳ୍ପ ଭାବେ ଆଣୁଥିବା ସମସ୍ତ ପରିବେଶ ଅନୁକୂଳ ତଥା ସ୍ୱଦେଶୀ ଜ୍ଞାନକୌଶଳକୁ ସରକାରଙ୍କ ସମର୍ଥନ ରହିଛି ବୋଲି ସେ କହିଥିଲେ ।
କମ୍ପାନୀମାନେ କମ୍ ଖର୍ଚ୍ଚରେ ପରିବହନ ସମ୍ଭବ ହୋଇପାରୁଥିବା ଆନ୍ତଃଜଳପଥକୁ ମଧ୍ୟ ଗୁରୁତ୍ୱ ଦେବା ପାଇଁ ଶ୍ରୀ ଗଡକରୀ ପରାମର୍ଶ ଦେଇଥିଲେ । ଏବେ କାର୍ଯ୍ୟକାରୀ ହେଉଥିବା ଜଳମାର୍ଗ ବିକାଶ ପ୍ରକଳ୍ପ ଦ୍ୱାରା ଗଙ୍ଗା ନଦୀ ପରିବହନ ପଥ ପାଇଁ ପ୍ରସ୍ତୁତ ହେଉଛି । ଭବିଷ୍ୟତରେ ଏହାକୁ ବ୍ରହ୍ମପୁତ୍ର ନଦୀ ସହ ସଂଯୋଗ କରାଯିବ, ଯାହା ଫଳରେ କି ଭାରତରୁ ବାଂଲାଦେଶ ଓ ମିଆଁମାରକୁ ଜଳପଥରେ ସାମଗ୍ରୀ ପରିବହନ ସମ୍ଭବ ହୋଇପାରିବ ବୋଲି ସେ କହିଥିଲେ । ନିଜ ନିଜ ଯାନ ଗୁଡ଼ିକୁ ଏହି ଜଳପଥରେ ପରିବହନ କରାଇବାକୁ ଅଟୋମୋବାଇଲ କମ୍ପାନୀମାନଙ୍କୁ ଶ୍ରୀ ଗଡକରୀ ପରାମର୍ଶ ଦେଇଥିଲେ ।
ଟାଟା ମୋଟର୍ସ, ଟାଟା ପାୱାର, ମର୍ସିଡିସ୍ ବେଞ୍ଜ୍ (ଭାରତ), ମାରୁତି ସୁଜୁକି, ହିରୋ ମୋଟୋକର୍ପ, ହୋଣ୍ଡା ଇଣ୍ଡିଆ, ଫୋର୍ଡ ଏବଂ ସ୍ପାଇସ୍ ଜେଟ୍ ସମେତ ଭାରତ ଓ ବିଶ୍ୱର ଅନେକ କମ୍ପାନୀର ସିଇଓ / ଏମଡି/ ପ୍ରତିନିଧି ଏହି ସମିଟରେ ଭାଗ ନେଇଥିଲେ । ଭାରତରେ ସେମାନଙ୍କ କମ୍ପାନୀ ମୋବିଲିଟି କ୍ଷେତ୍ରରେ ସମ୍ମୁଖିନ ହେଊଥିବା ବିଭିନ୍ନ ଆହ୍ୱାନ ସମ୍ପର୍କରେ ସେମାନେ ମତ ଉପସ୍ଥାପନ କରିଥିଲେ । ଦେଶର ମୋବିଲିଟି କ୍ଷେତ୍ରରେ ଥିବା ସମସ୍ୟାଗୁଡ଼ିକୁ ଦୂର କରିବାକୁ ପ୍ରଧାନମନ୍ତ୍ରୀ ଶୁକ୍ରବାର ସମିଟରେ ତାଙ୍କ ଉଦବୋଧନରେ ଗୁରୁତ୍ୱ ଦେଇଥିବା ପ୍ରସଙ୍ଗ (ଥ୍ରୀ-ସି; କମନ୍, କନେକ୍ଟେଡ, କନଭିନିଏଣ୍ଟ, କଞ୍ଜେସନ-ଫ୍ରି, ଚାର୍ଜଡ ଏବଂ କଟିଙ୍ଗ ଏଜ୍)କୁ ସେମାନେ ଉଲ୍ଲେଖ କରିଥିଲେ ।
ଶ୍ରୀ ଗଡକରୀ ସମିଟରେ ଅଧ୍ୟକ୍ଷତା କରି କମ୍ପାନୀମାନଙ୍କୁ ନୂତନ ପ୍ରଯୁକ୍ତି ବିଦ୍ୟା ଦ୍ୱାରା କମ୍ ଖର୍ଚ୍ଚ ତଥା ପରିବେଶ ଅନୁକୂଳ ସାଧାରଣ ବପରିବହନ ବ୍ୟବସ୍ଥା ଆଦରିବାକୁ ଆହ୍ୱାନ ଦେଇଥିଲେ । ଆସନ୍ତା କୁମ୍ଭ ମେଳା ଅବସରରେ ଆଲ୍ଲାହାବାଦ ଓ ବାରାଣସୀକୁ ଜଳପଥରେ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକମାନଙ୍କୁ ପରିବହନ କରିବାକୁ ସେ ପରାମର୍ଶ ଦେଇଥିଲେ ।
ସଡ଼କ ପରିହବନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ ସଚିବ ଯୁଦ୍ଧବିର ସିଂ ମଲ୍ଲିକ କହିଥିଲେ, କମ୍ପାନୀମାନେ ଆନ୍ତଃସହର ପରିବହନ ଉପରେ ବେଶୀ ଦୃଷ୍ଟି ଦେବା ସହ ଆମେମାନେ ବ୍ୟକ୍ତିଗତ ଯାନର ବିକଳ୍ପ ଭାବେ ସାଧାରଣ ପରିବହନ ବ୍ୟବସ୍ଥାକୁ ଗ୍ରହଣ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଏଥିପାଇଁ ସାଧାରଣ ପରିବହନ ବ୍ୟବସ୍ଥା ସମୟାନୁବର୍ତ୍ତୀ, ସହଜଲବ୍ଧ ଏବଂ ଆରାମଦାୟକ ହେବା ଜରୁରି । ରାଜପଥ ଗୁଡ଼ିକ ଏବେ 40% ଟ୍ରାଫିକ୍ ପରିବହନ କରୁଥିବା ବେଳେ ଏହାର ନିର୍ମାଣ ତ୍ୱରାନ୍ୱିତ ହୋଇଥିବା ସେ ସୂଚନା ଦେଇଥିଲେ । ତଥାପି ସବୁ ଅଞ୍ଚଳକୁ ସଂଯୋଗ ନେଇ ସେ ସଂଶୟ ପ୍ରକାଶ କରିଥିଲେ । ବିଗତ 25 ବର୍ଷରେ ଗାଡ଼ିମୋଟର ସଂଖ୍ୟା 10 ଗୁଣା ବୃଦ୍ଧି ପାଇଥିବା ସେ କହିଥିଲେ । ଦୁଇ ଚକିଆ ଯାନ ବେଶୀ ଓ କାର୍ ସଂଖ୍ୟା କମ୍ ବଢ଼ିଛି । ତୁଳନାତ୍ମକ ଭାବେ ବସ୍ ସଂଖ୍ୟା ବହୁତ କମ୍ । ତେଣୁ ଦେଶରେ ସାଧାରଣ ପରିବହନ ବ୍ୟବସ୍ଥାକୁ ସୁସଂହତ କରିବା ଆବଶ୍ୟକ ବୋଲି ସେ କହିଥିଲେ । ଜନସାଧାରଣ ଓ ସାମଗ୍ରୀ ପରିବହନରେ ନୂତନ ଦିଗ ଓ ସମ୍ଭାବନା ସୃଷ୍ଟି ଲକ୍ଷ୍ୟରେ ନୂଆଦିଲ୍ଲୀରେ ନିତି ଆୟୋଗ ଦ୍ୱାରା ଏହି ମୋବିଲିଟି ସମିଟ୍ ଆୟୋଜିତ ହୋଇଛି ।
**********
(ରିଲିଜ ଆଡି: 1545679)
ପରିଦର୍ଶକ କାଉଣ୍ଟର : 19