ଆଣବିକ ଶକ୍ତି ବିଭାଗ

ଆଇଏନଓ ଉପରେ ଗବେଷଣା କାର୍ଯ୍ୟ

ପୋଷ୍ଟ କରାଯିବା ଦିନାଙ୍କ: 01 AUG 2018 5:12PM by PIB Bhubaneswar

ଭାରତ ଭିତ୍ତିକ ନ୍ୟୁଟ୍ରିନୋ ପର୍ଯ୍ୟବେକ୍ଷଣ କେନ୍ଦ୍ର (INO) ପ୍ରକଳ୍ପ ମୌଳିକ ବିଜ୍ଞାନ ଉପରେ ଗବେଷଣାର ଏକ ମହତ୍ତ୍ୱାକାଂକ୍ଷୀ ଉଦ୍ୟମ ଏବଂ ଏହା ନ୍ୟୁଟ୍ରିନୋସ୍‌ ଭଳି ଅତିସୂକ୍ଷ୍ମ ମୌଳିକ ଅଣୁର ଗୁଣ ଏବଂ କାର୍ଯ୍ୟାବଳୀ ସଂପର୍କରେ ଅଧିକ ଗବେଷଣା ଲାଗି ଉଦ୍ଦିଷ୍ଟ । ଏଥିପାଇଁ ତାମିଲନାଡ଼ୁର ଥେନି ଜିଲ୍ଲା ଅନ୍ତର୍ଗତ ବୋଡ଼ି ପଶ୍ଚିମ ପାହାଡ଼ମାଳା (BWH) ଠାରେ ଭୂଗର୍ଭରେ 51,000 ଟନ ଓଜନ ବିଶିଷ୍ଟ ଏକ ଲୌହ କ୍ୟାଲୋରିମିଟର (ICAL) ଡ଼ିଟେକ୍ଟର ନିର୍ମାଣ କରାଯିବାର ଲକ୍ଷ୍ୟ ରହିଛି । ଏହା ବ୍ୟତୀତ ମଦୁରାଇଠାରେ ଏକ ଆନ୍ତଃ - ଆନୁଷ୍ଠାନିକ ହାଇ ଏନର୍ଜି ଫିଜିକ୍ସ କେନ୍ଦ୍ର ସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି ।

ଏହାତିରିକ୍ତ, ନ୍ୟୁଟ୍ରିନୋମାନଙ୍କ ସଂପର୍କରେ ଅଧିକ ଅଧ୍ୟୟନ ସକାଶେ ଅନ୍ୟାନ୍ୟ ଅନୁସନ୍ଧାନ ପରୀକ୍ଷଣର ଯୋଜନା ଅଛି । ସେସବୁ ମଧ୍ୟରେ-

1. ପ୍ରାକୃତିକ ଭାବେ ସୃଷ୍ଟ ଟିଣର ଆଇସୋଟୋପ  ଯଥା 124Snରେ ବୋଲୋମିଟର ବ୍ୟବହାର କରି ଏବଂ ମିଲି-କେଲଭିନ ଉତ୍ତାପରେ 0-neutrino-2-beta କ୍ଷୟ ସମ୍ବନ୍ଧୀୟ ପରୀକ୍ଷଣ କରିବା ଏବଂ 

2. CsI(Tl) ଭଳି ସିଣ୍ଟିଲେଟର ବ୍ୟବହାର କରି ଏବଂ କ୍ରାୟୋଜେନିକ ଉତ୍ତାପରେ ଡ଼ାର୍କ ମ୍ୟାଟରର ସନ୍ଧାନ କରିବା

ଏହି ସମସ୍ତ ପ୍ରକାର ପରୀକ୍ଷଣ ସକାଶେ ନିମ୍ନ ବିକୀରଣଯୁକ୍ତ ପୃଷ୍ଟଭୂମିର ଆବଶ୍ୟକତା ରହିଛି । କେବଳ ପ୍ରାକୃତିକ ଭାବେ ସୃଷ୍ଟ ବିକିରଣ ପୃଷ୍ଠଭୂମି ହିଁ ଉପଲବ୍ଧ ହୋଇଥାଏ ଯାହା ସ୍ୱଳ୍ପ ହୋଇଥିବା ସତ୍ତ୍ୱେ, କ୍ରାୟୋଜେନିକ ଡ଼ିଟେକ୍ଟରକୁ ଘୋଡ଼ାଇ ଅଧିକ ସଂକୁଚିତ କରିବାକୁ ପଡ଼ିଥାଏ ।

ତାମିଲନାଡ଼ୁର ଥେନି ଜିଲ୍ଲା ଅନ୍ତର୍ଗତ ପୋଟ୍ଟିପୁରମଠାରେ ଚୟନ କରାଯାଇଥିବା ସ୍ଥାନ ଆଇଏନଓ ସ୍ଥାପନା ସକାଶେ ବେଶ ଅନୁକୂଳ । କାରଣ ସେଠାରେ ଭୂକମ୍ପନ ମାତ୍ରା , ପର୍ଯ୍ୟାବରଣ ପ୍ରଭାବ ସର୍ବନିମ୍ନ ଏବଂ ଭୌଗୋଳିକ ଦୃଷ୍ଟିକୋଣରୁ ସ୍ଥାନଟି ବେଶ୍‌ ଅନୁକୂଳ । 2010 ମସିହାରେ ସେଠାରେ ଏକ ଜନସଭାର ଆୟୋଜନ କରାଯାଇଥିଲା ଏବଂ ସେତେବେଳେ ସ୍ଥାନୀୟ ଜନସାଧାରଣଙ୍କ ସହ ସଂପର୍କ ସ୍ଥାପନ କରାଯାଇଥିଲା । ସ୍ଥାନୀୟ ଲୋକମାନଙ୍କଠାରେ ସେତେବେଳେ ଏହି କେନ୍ଦ୍ର ସେଠାରେ ସ୍ଥାପନ ସକାଶେ ଅଭୂତପୂର୍ବ ସମର୍ଥନ ମିଳିଥିଲା । ଅଧୁନା ସେଠାରେ ଜନସଂପର୍କ କାର୍ଯ୍ୟକ୍ରମ ଜାରି ରହିଛି ଯେଉଁଥିରେ ନିମ୍ନସୂଚୀତ କାର୍ଯ୍ୟକ୍ରମମାନ ସଂପାଦନ କରାଯାଉଛି: 1) ଥେନି ଜିଲ୍ଲାର ମଦୁରାଇ ଏବଂ ଅନ୍ୟ କେତେକ ଜିଲ୍ଲାରେ ସ୍କୁଲ ଏବଂ କଲେଜରେ ଭାବ ବିନିମୟ କାର୍ଯ୍ୟକ୍ରମ ଜାରି ରହିଛି; 2) ଗଣମାଧ୍ୟମ ଏବଂ ଟିଭି ଚାନେଲମାନଙ୍କ ସହ ସଂପର୍କ ଅବ୍ୟାହତ ରହିଛି; 3) ମଦୁରାଇସ୍ଥିତ ଆଇଆଇସିଏଚଇପି  ଟ୍ରାନଜିଟ କ୍ୟାମ୍ପସକୁ ପରିଦର୍ଶନର ବ୍ୟବସ୍ଥା କରାଯାଇଛି ଯଦ୍ୱାରା ସେଠାରେ ସଦ୍ୟ କାର୍ଯ୍ୟକାରୀ କରାଯାଇଥିବା 85 ଟନ୍‌ 1/200ତମ ସ୍କେଲ୍‌ ପ୍ରୋଟୋଟାଇପ୍‌ ମିନି-ଆଇସିଏଏଲ ଡ଼ିଟେକ୍ଟରକୁ ଲୋକମାନେ ଦେଖିପାରିବେ ।

ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ), ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, କାର୍ମିକ, ଜନ ଅଭିଯୋଗ ଓ ପେନସନ୍‌, ଆଣବିକ ଶକ୍ତି ଓ ମହାକାଶ ବିଭାଗ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଏହି ବିଷୟ ପ୍ରକାଶ କରିଛନ୍ତି ।

 

***************


(ରିଲିଜ ଆଡି: 1541533) ପରିଦର୍ଶକ କାଉଣ୍ଟର : 18