ରେଳ ମନ୍ତ୍ରଣାଳୟ

ଷ୍ଟେସନ ପରିସର ସୌନ୍ଦର୍ଯ୍ୟକରଣ ପାଇଁ ପୁରସ୍କାର ପ୍ରଦାନ କଲେ ପିୟୁଷ ଗୋୟଲ

ପୋଷ୍ଟ କରାଯିବା ଦିନାଙ୍କ: 12 JUL 2018 2:45PM by PIB Bhubaneswar

ଷ୍ଟେସନ ସୌନ୍ଦର୍ଯ୍ୟକରଣ ପ୍ରତିଯୋଗିତାରେ ବିଜୟୀ ଷ୍ଟେସନ ଗୁଡ଼ିକୁ କେନ୍ଦ୍ର ରେଳ ଓ କୋଇଲା ମନ୍ତ୍ରୀ ପିୟୁଷ ଗୋୟଲ ରେଳଭବନରେ ଗୁରୁବାର ପୁରସ୍କାର ପ୍ରଦାନ କରିଛନ୍ତି । 2017 ଡିସେମ୍ବରରେ ଜୋନାଲ ରେଲୱେଗୁଡ଼ିକ ମଧ୍ୟରେ ଏହି ପ୍ରତିଯୋଗିତା କରାଯାଇଥିଲା । ସେଣ୍ଟ୍ରାଲ ରେଲୱେର ବଲ୍ଲାରସାହ ଏବଂ ଚନ୍ଦ୍ରପୁର ଷ୍ଟେସନ ପ୍ରଥମ ପୁରସ୍କାର ପାଇଛନ୍ତି । ଇଷ୍ଟ-ସେଣ୍ଟ୍ରାଲ ରେଲୱେର ମଧୁବନୀ ଏବଂ ସଦର୍ଣ୍ଣ ରେଲୱେର ମଦୁରାଇ ଷ୍ଟେସନ ଯୁଗ୍ମ ଭାବେ ଦ୍ୱିତୀୟ ପୁରସ୍କାର ବିଜେତା ହୋଇଛନ୍ତି । ତୃତୀୟ ପୁରସ୍କାର ୱେଷ୍ଟର୍ଣ୍ଣ ରେଲୱେର ଗାନ୍ଧୀଧାମ ଷ୍ଟେସନ, ୱେଷ୍ଟ ସେଣ୍ଟ୍ରାଲ ରେଲୱେର କୋଟା ଷ୍ଟେସନ ଏବଂ ସାଉଥ୍-ସେଣ୍ଟ୍ରାଲ ରେଲୱେର ସିକନ୍ଦରାବାଦ୍ ଷ୍ଟେସନ ମିଳିତ ଭାବେ ହାସଲ କରିଛନ୍ତି । ଷ୍ଟେସନ ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ସାମିଲ ହୋଇଥିବା କଳାକାରମାନଙ୍କୁ ମନ୍ତ୍ରୀ ନଗଦ ଅର୍ଥ ସହ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ରେଳ ରାଷ୍ଟ୍ରମନ୍ତ୍ରୀ ରାଜେନ ଗୋହେନ୍, ରେଲୱେ ବୋର୍ଡ ଅଧ୍ୟକ୍ଷ ଅଶ୍ୱନୀ ଲୋହାନୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ପିୟୁଷ ଗୋୟଲ ସୌନ୍ଦର୍ଯ୍ୟକରଣ ହୋଇଥିବା ଷ୍ଟେସନଗୁଡ଼ିକର ଫଟୋକୁ ନେଇ ପ୍ରସ୍ତୁତ ହୋଇଥିବା ଏକ ବୁକଲେଟ୍ ଉନ୍ମୋଚନ କରିଥିଲେ ।

ରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ଥାନୀୟ କଳାକାର, ବେସରକାରୀ ସଂସ୍ଥା ଏବଂ ସ୍ୱେଚ୍ଛାସେବୀମାନଙ୍କ ସହାୟତାରେ କାନ୍ଥ ଚିତ୍ର ଏବଂ ପେଣ୍ଟିଂ ଆଦି ଜରିଆରେ ଷ୍ଟେସନ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ସ୍ଥାନୀୟ କଳା, ଚିତ୍ର ଏବଂ ପ୍ରସଙ୍ଗକୁ ଆଧାର କରି ବିଭିନ୍ନ ଜୋନରେ 62ଟି ଷ୍ଟେସନର ସୌନ୍ଦର୍ଯ୍ୟକରଣ କରାଯାଇଥିଲା । ପ୍ରତିଯୋଗିତାରେ ସାମିଲ ହୋଇଥିବା ଷ୍ଟେସନ ଗୁଡ଼ିକର ମୂଲ୍ୟାୟନ କରିବାକୁ ବରିଷ୍ଠ ଅଧିକାରୀମାନଙ୍କ ଏକ କମିଟି ଗଠନ କରାଯାଇଥିଲା । କମିଟିର ସୁପାରିସ ଅନୁଯାୟୀ ପୁରସ୍କାର ପ୍ରଦାନ କରାଯାଇଛି ।

ପ୍ରଥମ ପୁରସ୍କାର ଭାବେ 10 ଲକ୍ଷ ଟଙ୍କା, ଦ୍ୱିତୀୟ ପୁରସ୍କାର 5 ଲକ୍ଷ ଏବଂ ତୃତୀୟ ପୁରସ୍କାର ଭାବେ 3 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

ଏହି ଅବସରରେ ପିୟୁଷ ଗୋୟଲ ବ୍ରିଜ୍ ମ୍ୟାନେଜମେଣ୍ଟ ସିଷ୍ଟମର ଉନ୍ମୋଚନ ମଧ୍ୟ କରିଥିଲେ । ଏହା ଏକ ୱେବଭିତ୍ତିକ ଆଇଟି ଆପ୍ଲିକେସନ । ବ୍ରିଜଗୁଡ଼ିକର ରକ୍ଷଣାବେକ୍ଷଣ ସମେତ ରେଳବାଇର ବିଭିନ୍ନ ତଥ୍ୟ ଆଦାନପ୍ରଦାନ ପାଇଁ ଏହା ସହାୟକ ହୋଇପାରିବ । ଏଥିସହ ମନ୍ତ୍ରୀ ଅଲଟ୍ରା ସୋନିକ୍ ଟେଷ୍ଟିଂ ପାମ୍ପଲେଟ୍, ଏଟି ୱେଲଡିଂ ପାମ୍ପଲେଟ, ଫ୍ଲାସ ବଟ୍ ୱେଲଡିଂ ଟେକ୍ନିକାଲ ପାମ୍ପଲେଟ ଆଦି ତିନୋଟି ବୁକଲେଟର ଉନ୍ମାଚନ କରିଥିଲେ ।

 

****************


(ରିଲିଜ ଆଡି: 1538552) ପରିଦର୍ଶକ କାଉଣ୍ଟର : 18