ଅର୍ଥ ମନ୍ତ୍ରଣାଳୟ
2017-18ରେ କୃଷକଙ୍କ ପାଇଁ 20,339 କୋଟି ଟଙ୍କାର ସୁଧ ସବସିଡି ମଞ୍ଜୁର
प्रविष्टि तिथि:
29 JAN 2018 4:41PM by PIB Bhubaneswar
ଦେଶର କୃଷକମାନଙ୍କୁ କ୍ଷୁଦ୍ର ଅବଧିର ଫସଲ ଋଣ ତଥା ଅମଳ ପରବର୍ତ୍ତୀ ଫସଲ ମହଜୁଦ କରିବା ଲାଗି ଦିଆଯାଉଥିବା ଋଣ ଉପରେ ଇନପୁଟ ଆବଶ୍ୟକତା ପୂରଣ କରିବା ଲାଗି ସରକାର 2017-18 ଆର୍ଥିକ ବର୍ଷରେ 20,339 କୋଟି ଟଙ୍କାର ସୁଧ ସବସିଡି ଘୋଷଣା କରିଛନ୍ତି । ବିଶେଷ କରି ସବୁଠୁ ଅଧିକ ଋଣ ନେଉଥିବା କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ପାଇଁ ଏହି ଘୋଷଣା କରାଯାଇଛି । କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀ ଅରୁଣ ଜେଟଲୀ ସଂସଦରେ 2017-18 ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିବା ଅବସରରେ ଏହା ପ୍ରକାଶ କରିଛନ୍ତି । ଆର୍ଥିକ ସର୍ବେକ୍ଷଣ ରିପୋର୍ଟରେ ଆହୁରି କୁହାଯାଇଛି ଯେ ସଂସ୍ଥାଗତ କ୍ରେଡିଟ କୃଷକମାନଙ୍କୁ କ୍ରେଡିଟର ଅଣ-ସଂସ୍ଥାଗତ ସ୍ରୋତର ପୃଥକ କରିବାରେ ସହାୟତା କରିବ । ଏଠାରେ ସାଧାରଣତଃ କୃଷକମାନେ ଉଚ୍ଚ ଦରରେ ଋଣ ନେବା ଲାଗି ବାଧ୍ୟ ହୋଇଥା’ନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନ୍ତର୍ଗତ ଫସଲ ବୀମା, ଫସଲର ଋଣ ସହିତ ଜଡ଼ିତ । ତେଣୁ କୃଷକ ଫସଲ ଋଣର ଲାଭ ଉଠାଇ ସରକାରଙ୍କ ଦୁଇଟି କୃଷକ ଅନୁକୂଳ ପଦକ୍ଷେପର ଲାଭ ପାଇପାରିବେ ।
ଆର୍ଥିକ ସର୍ଭେ ମୁତାବକ, କୃଷକ ଯେପରି ବଜାରରେ ନିଜ ଉତ୍ପାଦନର ଲାଭଜନକ ମୂଲ୍ୟ ପାଇପାରିବ ତାହା ସୁନିଶ୍ଚିତ କରିବା ଲାଗି ସରକାର ସଂସ୍କାରମୂଳକ ପଦକ୍ଷେପ ନେଉଛନ୍ତି । ଇଲେକଟ୍ରୋନିକ ଜାତୀୟ କୃଷି ବଜାର (ଇ-ନାମ) ସରକାରଙ୍କ ଦ୍ୱାରା ଏପ୍ରିଲ 2016ରେ ଆରମ୍ଭ କରାଯାଇଥିଲା । ଏହାର ଉଦ୍ଦେଶ୍ୟ ହେଉଛି ଅବ୍ୟବସ୍ଥିତ ହୋଇପଡ଼ିଥିବା ଏପିଏମସିଗୁଡ଼ିକୁ ଇଲେକଟ୍ରୋନିକ ପ୍ଲାଟଫର୍ମ ମାଧ୍ୟମରେ ଏକତ୍ରୀକରଣ କରିବା । କୃଷକମାନଙ୍କୁ ଅନଲାଇନ ବ୍ୟବସାୟ କରିବା ଲାଗି ମଧ୍ୟ ପରାମର୍ଶ ଦିଆଯାଉଛି । କୃଷକମାନେ ମାନ୍ୟତାପ୍ରାପ୍ତ ଶୀତଳ ଭଣ୍ଡାରରେ ନିଜ ଉତ୍ପାଦିତ ଫସଲ ସଂରକ୍ଷିତ କରି ଫସଲ ଅମଳ ପରେ ଋଣର ଲାଭ ଉଠାଇବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । କିସାନ କ୍ରେଡିଟ କାର୍ଡ ଥିବା କ୍ଷୁଦ୍ର ଏବଂ ନାମମାତ୍ର କୃଷକମାନଙ୍କୁ 6 ମାସ ଅବଧି ଏବଂ 2 ପ୍ରତିଶତ ସୁଧ ହାରରେ ଏହି ଋଣ ସହାୟତା ପ୍ରଦାନ କରାଯାଉଛି । ଏହାଦ୍ୱାରା ବଜାରରେ ମୂଲ୍ୟ ବୃଦ୍ଧି ସମୟରେ ନିଜ ଉତ୍ପାଦ ବିକ୍ରି କରିବାରେ ଏବଂ ମୂଲ୍ୟ ହ୍ରାସ ସମୟରେ ବିକ୍ରିରୁ ଓହରିବାରେ ସହାୟତା ମିଳିପାରିବ । ତେଣୁ ଛୋଟ ଏବଂ ନାମମାତ୍ର କୃଷକଙ୍କ ପାଇଁ ନିଜ କିସାନ କ୍ରେଡିଟ କାର୍ଡକୁ ସଚଳ ରଖିବା ଜରୁରୀ ।
ଆର୍ଥିକ ସର୍ବେକ୍ଷଣରେ କୁହାଯାଇଛି ଯେ ସରକାର 2022 ବେଳକୁ କୃଷକଙ୍କ ଆୟ ଦୁଇଗୁଣା କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ବିହନ ଠାରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛନ୍ତି । ସଂସ୍ଥାଗତ ଉତ୍ସରୁ କ୍ରେଡିଟ ଦ୍ୱାରା ମଧ୍ୟ ସରକାରଙ୍କ ଅନ୍ୟ ଯୋଜନା ଯେପରିକି ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ଇନପୁଟ ବ୍ୟବସ୍ଥା, ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା ଆଦିର କାର୍ଯ୍ୟାନ୍ୱୟନ ଫଳପ୍ରଦ ହୋଇପାରିବ ।
**********
(रिलीज़ आईडी: 1519300)
आगंतुक पटल : 19