ଜାହାଜ ଚଳାଚଳ ମନ୍ତ୍ରଣାଳୟ
ଦୁଇ ବର୍ଷ (2018-19) ପାଇଁ ଆନ୍ତର୍ଜାତିକ ସାମୁଦ୍ରିକ ପରିଷଦକୁ ଭାରତ ପୁନଃନିର୍ବାଚିତ
ପୋଷ୍ଟ କରାଯିବା ଦିନାଙ୍କ:
02 DEC 2017 5:46PM by PIB Bhubaneswar
ଆନ୍ତର୍ଜାତିକ ସାମୁଦ୍ରିକ ପରିଷଦକୁ (IMO) ଭାରତ ଦୁଇ ବର୍ଷ ପାଇଁ ପୁନଃନିର୍ବାଚିତ ହୋଇଛି । 2017 ଡିସେମ୍ବର 1 ତାରିଖରେ ଲଣ୍ଡନରେ ଅନୁଷ୍ଠିତ ଆଇଏମ୍ଓର 30ତମ ଆସେମ୍ବ୍ଲିରେ ‘B’ ବର୍ଗରେ ଭାରତ ନିର୍ବାଚିତ ହୋଇଛି । ଆଇଏମ୍ଓ ପରିଷଦରେ ମୋଟ 40 ଜଣ ସଦସ୍ୟ ରାଷ୍ଟ୍ର ଅଛନ୍ତି । ‘A’ ଓ ‘B’ ଶ୍ରେଣୀରେ 10ଟି ଲେଖାଏଁ ସଦସ୍ୟ ରାଷ୍ଟ୍ର ଥିବା ବେଳେ ‘C’ ଶ୍ରେଣୀରେ 20ଟି ରାଷ୍ଟ୍ର ଅଛନ୍ତି । ଏମାନେ ଆଇଏମ୍ଓ ଆସେମ୍ବ୍ଲି ଦ୍ୱାରା ନିର୍ବାଚିତ ହୋଇଥାନ୍ତି । ଆଇଏମ୍ଓ ଆସେମ୍ବ୍ଲିରେ ଅନେକ ଗୁରତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣରେ ଆଇଏମଓ ପରିଷଦର ଭୂମିକା ଥାଏ । ବିଶେଷ କରି ବିଶ୍ୱ ଜାହାଜ ଚଳାଚଳ ଶିଳ୍ପ, ଏହାର କାର୍ଯ୍ୟଶୈଳୀ ଏବଂ ବଜେଟ ଉପରେ ନିଷ୍ପତ୍ତି ନିଆଯାଇଥାଏ ।
ପୂର୍ବ ଥର ଭାରତ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ଆଇଏମଓ କାଉନସିଲକୁ ନିର୍ବାଚିତ ହୋଇଥିବା ବେଳେ ଏଥର ଭୋଟର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଚଳିତ ଥର ‘B’ଶ୍ରେଣୀର 10ଟି ଆସନ ପାଇଁ ଆଇଏମ୍ଓ କାଉନସିଲର ସଦସ୍ୟ ନଥିବା ତଥା ୟୁଏଇ ଏବଂ ‘C’ ଶ୍ରେଣୀରେ ଥିବା ଆଷ୍ଟ୍ରେଲିଆ ନାମାଙ୍କନ କରିଥିଲେ । ତେଣୁ ନିର୍ବାଚନର ଆବଶ୍ୟକତା ପଡ଼ିଥିଲା ଏବଂ ନିର୍ବାଚନରେ ଭାରତକୁ ସଫଳତା ମିଳିଥିଲା ।
ଆଇଏମ୍ଓ ଆସେମ୍ବ୍ଲିର 30ତମ ଅଧିବେଶନ ଲଣ୍ଡନସ୍ଥିତ ଆଇଏମ୍ଓ ମୁଖ୍ୟାଳୟରେ 2017 ନଭେମ୍ବର 30 ତାରିଖରୁ ଡିସେମ୍ବର 6 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି । ଅଧିବେଶନରେ ଭାରତର ପ୍ରତିନିଧି ଭାବେ କେନ୍ଦ୍ର ଜାହାଜ ଚଳାଚଳ, ସଡ଼କ ପରିବହନ ଏବଂ ରାଜମାର୍ଗ, ଜଳ ସମ୍ବଳ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ମନ୍ତ୍ରୀ ନୀତିନ ଗଡକରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧିଦଳରେ ଜାହାଜ ଚଳାଚଳ ବିଭାଗ ସଚିବ ଗୋପାଳ କ୍ରିଷ୍ଣା, ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ ଅମିତାଭ କୁମାର, ଜାହାଜ ଚଳାଚଳ ନିର୍ଦ୍ଦେଶାଳୟର ଡେପୁଟି ନଟିକାଲ ଆଡଭାଇଜର କ୍ୟାପଟେନ୍ ଜୟକୁମାର ଏବଂ ରେଜିଷ୍ଟ୍ରାର ଅଫ୍ ସିପିଙ୍ଗର ପ୍ରତିନିଧିମାନେ ଯୋଗ ଦେଇଛନ୍ତି ।
ଭାରତରେ ପ୍ରାୟ 1359 ଟି ଜାହାଜ ବା ନୌକା ରହିଛି । ବିଦେଶ ସହ ଉପକୂଳରେ ଚଳାଚଳ କରୁଥିବା ଏହି ଜାହାଜ ଗୁଡ଼ିକରେ ବାର୍ଷିକ ପ୍ରାୟ 12.2 ମିଲିଅନ ଟନ ମାଲ ପରିବହନ ହେଉଛି । ବିଦେଶକୁ ହେଉଥିବା ବାଣିଜ୍ୟର ପ୍ରାୟ 90% ସାମୁଦ୍ରିକ ପଥରେ ହୋଇଥାଏ । ଏଥିରୁ ପ୍ରାୟ 92% ବିଦେଶୀ ପତାକା ବହନ କରୁଥିବା ଜାହାଜରେ ପରିବହନ ହୋଇଥାଏ । ଭାରତୀୟ ଅର୍ଥନୀତିରେ ଦ୍ରୁତ ଅଭିବୃଦ୍ଧି ଘଟୁଥିବାରୁ ଭାରତ ଉପୂକଳରେ ବିପୁଳ ପଣ୍ୟ ପରିବହନ ପାଇଁ ଉଭୟ ଭାରତୀୟ ଓ ବିଦେଶୀ ଜାହାଜ ଗୁଡ଼ିକ ପାଇଁ ଏବେ ଅପୂର୍ବ ସୁଯୋଗ ସୃଷ୍ଟି ହୋଇଛି । ଭାରତରେ ପ୍ରାୟ 145,000 ଜଣ ସକ୍ରିୟ ନାବିକ ଅଛନ୍ତି, ଯେଉଁମାନେ ସ୍ୱତନ୍ତ୍ର ନିୟୋଜିତ ଜାହାଜରେ ଯିବାକୁ ପସନ୍ଦ କରନ୍ତି ।
ଭାରତ ଆଇଏମ୍ଓର ଏକ ପୁରୁଣା ସଦସ୍ୟ । 1959 ରେ ଭାରତ ସଦସ୍ୟ ରାଷ୍ଟ୍ର ଭାବେ ପ୍ରବେଶ କରିବା ସହ ଅଧିବେଶନକୁ ମଧ୍ୟ ଅନୁମୋଦନ ଦେଇଥିଲା । କେବଳ 1983-84କୁ ଛାଡ଼ିଦେଲେ ଭାରତ ଏହାର ପରିଷଦକୁ ନିୟମିତ ନିର୍ବାଚିତ ହୋଇ ସକ୍ରିୟ ଭାବେ କାର୍ଯ୍ୟ କରିଛି ।
ଭାରତ 34ଟି ଆଇଏମ୍ଓ ଚୁକ୍ତି ବା ଚିଠାରେ ସ୍ୱାକ୍ଷର କରିଛି ଏବଂ ନିକଟରେ ବାଲାଷ୍ଟ ଜଳ ଚୁକ୍ତି ଏବଂ ବଙ୍କର ଚୁକ୍ତିରେ ଦସ୍ତଖତ କରିବାକୁ ଯାଉଛି । ଭାରତ ଇତି ମଧ୍ୟରେ ଆଇଏଲ୍ଓ ନିକଟରେ ନାବିକମାନଙ୍କ ପରିଚୟ ଚିଠା ଦାଖଲ କରିସାରିଛି ।
ଭାରତ ତାର ବିଶେଷଜ୍ଞ ମାନବ ସମ୍ବଳ ମାଧ୍ୟମରେ ଆଇଏମ୍ଓକୁ ଆବଶ୍ୟକ ସମୟରେ ସହାୟତା କରି ଆସୁଛି । ଆଇଏମ୍ଓର ଅଡିଟର ଟିମରେ ଅନେକ ଭାରତୀୟ ଅଛନ୍ତି । ଆଇଏମ୍ଓ କମିଟିରେ ଡୋମେନ୍ ଏକ୍ସପର୍ଟ ଭାବେ ମଧ୍ୟ ବହୁ ଭାରତୀୟ ସେବା ପ୍ରଦାନ କରୁଛନ୍ତି ।
ଆଇଏମ୍ଓକୁ ପୁନଃନିର୍ବାଚନ ଫଳରେ ଭାରତ ଆନ୍ତର୍ଜାତିକ ସାମୁଦ୍ରିକ ସମ୍ପ୍ରଦାୟ ସହ ସମ୍ପର୍କରେ ରହିପାରିବ ଏବଂ ଦେଶର ନାଗରିକଙ୍କ କଲ୍ୟାଣ ଦିଗରେ ସାମୁଦ୍ରିକ ସ୍ୱାର୍ଥକୁ ବ୍ୟବହାର କରିପାରିବ ।
****************
(ରିଲିଜ ଆଡି: 1511744)
ପରିଦର୍ଶକ କାଉଣ୍ଟର : 20