Prime Minister's Office

ମରିସସ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ୍ ବିବୃତି (ମେ 27, 2017)

Posted On: 27 MAY 2017 8:00PM by PIB Bhubaneshwar

 

ମହାମହିମ ପ୍ରଧାନମନ୍ତ୍ରୀ

ପ୍ରବୀନ୍ଦ ଜଗନାଥ

ଗଣମାଧ୍ୟମ ପ୍ରତିନିଧି

ଭାଇ ଓ ଭଉଣୀମାନେ,

ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜଗନାଥ ଏବଂ ତାଙ୍କ ସହିତ ଆସିଥିବା ପ୍ରତିନିଧି ଦଳକୁ ଭାରତରେ ମୁଁ ଖୁସିର ସହିତ ସ୍ୱାଗତ ଜଣାଉଛି ଚଳିତ ବର୍ଷ ପ୍ରାରମ୍ଭରେ ମରିସସ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ମହାମହିମ ପ୍ରଥମ ବିଦେଶ ଗସ୍ତ ଭାବେ ଭାରତ ଆସିବା ଲାଗି ନିଷ୍ପତ୍ତି ଗ୍ରହଣ କରିଥିବାରୁ ଆମେ ଗର୍ବିତ ଆପଣଙ୍କ ଗସ୍ତ ଦୁଇ ଶତାବ୍ଦୀ ଧରି ଆମ ମଧ୍ୟରେ ରହିଥିବା ଏବଂ ବିସ୍ତାର ଲାଭ କରିଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରତିଫଳିତ କରୁଛି  । ଆମର ସମ୍ବନ୍ଧ କେବଳ ସରକାରଙ୍କ ସ୍ତରରେ ସୀମିତ ହୋଇ ରହିନାହିଁ ଏହା ଆମ ଲୋକ ଏବଂ ସମାଜର ବିଭିନ୍ନ ସ୍ତରକୁ ପରିବ୍ୟାପ୍ତ ହୋଇଛି, ଯେଉଁମାନେ ଆମ ସମ୍ପର୍କର ମୂଳଭିତ୍ତିକୁ ନେଇ ଗର୍ବ ଅନୁଭବ କରିଥାନ୍ତି ସମୟ ଏବଂ ଦୂରତା ସତ୍ତ୍ଵେ ଆମ ସମ୍ପର୍କ ଅଧିକ ପରିବ୍ୟାପ୍ତ ହୋଇଛି ।  ଆଜି ଏହା ବିବିଧ କ୍ଷେତ୍ରରେ ବନ୍ଧୁତ୍ୱର ସମୃଦ୍ଧ ସମ୍ପର୍କ ବୁଣିଛି  ।

ବନ୍ଧୁଗଣ,

ପ୍ରଧାନମନ୍ତ୍ରୀ ଜଗନାଥଙ୍କ ସହ ମୋର ଆଲୋଚନା ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂ ଉପାଦେୟ ହୋଇଛି  । ଆମ ଆଲୋଚନା 2015 ମାର୍ଚ୍ଚରେ ମୋର ସ୍ମରଣୀୟ ମରିସସ୍ ଗସ୍ତ କଥା ମନେ ପକାଇ ଦେଇଥିଲା  । ତାହା ଥିଲା ଭାରତ ମହାସାଗର କ୍ଷେତ୍ରକୁ ମୋର ପ୍ରଥମ ଗସ୍ତ, ଯାହା ପାରସ୍ପରିକ ସହଯୋଗ ପାଇଁ ଆମକୁ ଏକ ମଜଭୂତ ଏଜେଣ୍ଡା ଦେଇଥିଲା  । ଏହା ମଧ୍ୟ ଆମର ମୂଲ୍ୟବୋଧ, ସ୍ୱାର୍ଥ ଏବଂ ଉଦ୍ୟମରେ ରହିଥିବା ସମାନତାକୁ ରେଖାଙ୍କିତ କରିଥିଲା  ।

ବନ୍ଧୁଗଣ,

ଆଜି ଆମେ ଆମ ଦ୍ୱିପାକ୍ଷିକ ଏଜେଣ୍ଡାରେ ଆଉ ଏକ ସୋପାନରେ ପହଂଚିଛୁ  । ଆମେ ଭାରତ ମହାସାଗର କ୍ଷେତ୍ରରେ ଅଗ୍ରଣୀ ରାଷ୍ଟ୍ର ହୋଇଥିବାରୁ ପ୍ରଧାନମନ୍ତ୍ରୀ ଜଗନାଥ ଏବଂ ମୁଁ ଆମ ବେଳାଭୂମିର ମିଳିତ ସାମୁଦ୍ରିକ ସୁରକ୍ଷା ଏବଂ ଆମର ସାମୁଦ୍ରିକ ଆର୍ଥିକ ଜୋନ (EEZ)ଗୁଡ଼ିକ ପ୍ରତି ରହିଥିବା ଉତ୍ତରଦାୟିତ୍ୱ ବିଷୟରେ ସହମତ ହୋଇଥିଲୁ  । ଆମ ଲୋକମାନଙ୍କୁ ସୁରକ୍ଷା ଯୋଗାଇଦେବା, ଆମ ସମାଜର ଜୀବିକା ସୁରକ୍ଷା ଏବଂ ଅର୍ଥନୈତିକ ସୁଯୋଗ ହାସଲ କରିବା ଲାଗି ଭାରତ ମହାସାଗର କ୍ଷେତ୍ରରେ ରହିଥିବା ପାରମ୍ପରିକ ଏବଂ ଅଣପାରମ୍ପରିକ ବିପଦକୁ ଦକ୍ଷତାର ସହ ମୁକାବିଲା ଲାଗି ଆମେ ରାଜି ହୋଇଥିଲୁ ଏବଂ ଏଥିପାଇଁ ଭାରତ-ମରିସସ ମଧ୍ୟରେ ପାରସ୍ପରିକ ସହଯୋଗ ବିଶେଷ ଗୁରୁତ୍ୱପୂର୍ଣ୍ଣ ।

ଆମକୁ କେତେକ କ୍ଷେତ୍ର ପ୍ରତି ସତର୍କ ଦୃଷ୍ଟି ରଖିବାକୁ ହେବ :

ବ୍ୟବସାୟ ଏବଂ ପର୍ଯ୍ୟଟନକୁ ପ୍ରଭାବିତ କରୁଥିବା ଜଳଦସ୍ୟୁ ସମସ୍ୟା;

ମାନବ ଚାଲାଣ ଏବଂ ନିଶା କାରବାର;

ବେଆଇନ ମାଛ ଧରା ଏବଂ

ସାମୁଦ୍ରିକ ସମ୍ପଦର ଅବାଧ ଓ ବେଆଇନ ଶୋଷଣ

ଆଜି ସମ୍ପନ୍ନ ହୋଇଥିବା ଦ୍ୱିପାକ୍ଷିକ ସାମୁଦ୍ରିକ ସୁରକ୍ଷା ଚୁକ୍ତି, ପାରସ୍ପରିକ ସହଯୋଗ ଏବଂ ଦକ୍ଷତାକୁ ମଜଭୂତ କରିବ ଆମେ ଏକ ସୁରକ୍ଷିତ ଏବଂ ଶାନ୍ତିପୂର୍ଣ୍ଣ ସାମୁଦ୍ରିକ କ୍ଷେତ୍ର ପାଇଁ ଜଳ ସର୍ବେକ୍ଷଣର ପରିବ୍ୟାପ୍ତ କ୍ଷେତ୍ରରେ ବ୍ୟାପକ ପାରସ୍ପରିକ ସହଯୋଗକୁ ଆହୁରି ମଜଭୂତ କରିବା ଲାଗି ମଧ୍ୟ ରାଜି ହୋଇଛୁ ଟ୍ରାଇଡେଂଟ ପ୍ରକଳ୍ପ ଜରିଆରେ ମରିସସ ଜାତୀୟ ଉପକୂଳ ସୁରକ୍ଷା ବାହିନୀର ଦକ୍ଷତା ବୃଦ୍ଧି ଲାଗି ଭାରତ ସହାୟତା ଯୋଗାଇଦେବ ଗ୍ରାଣ୍ଟ ସହାୟତା କାର୍ଯ୍ୟକ୍ରମ ଜରିଆରେ ମରିସସକୁ ଯୋଗାଇ ଦିଆଯାଇଥିବା କୋଷ୍ଟ ଗାର୍ଡ ଜାହାଜ ଗାର୍ଡିଆନର କାର୍ଯ୍ୟକାଳ ବଢ଼ାଇବା ଲାଗି ଆମେ ନିଷ୍ପତ୍ତି ନେଇଛୁ  ।

ବନ୍ଧୁଗଣ,

ମରିସସ ସହିତ ଏକ ଦୃଢ଼ ବିକାଶମୂଳକ ଭାଗିଦାରୀ ଆମ ସମ୍ପର୍କର ବିଶେଷତ୍ୱ  । ମରିସସରେ ଜାରି ରହିଥିବା ବିକାଶମୂଳକ କାର୍ଯ୍ୟକ୍ରମରେ ଭାଗିଦାର ହେବା ଭାରତ ପାଇଁ ସମ୍ମାନର ବିଷୟ । ମରିସସକୁ 500 ନିୟୁତ ଆମେରିକୀୟ ଡଲାର ଋଣ ପ୍ରଦାନ ଲାଗି ଆଜି ଚୁକ୍ତି ହୋଇଛି  । ଏହା ମରିସସର ବିକାଶ କ୍ଷେତ୍ରରେ ଆମର ଦୃଢ଼ ଏବଂ ନିରନ୍ତର ସହଯୋଗ ପ୍ରତିବଦ୍ଧତାର ଏକ ପ୍ରମାଣ ଏହା ପ୍ରାଥମିକତା ଦିଆଯାଉଥିବା ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ସହାୟକ ହେବ ପ୍ରଧାନମନ୍ତ୍ରୀ ଜଗନାଥ ଓ ମୁଁ ଜାରି ରହିଥିବା ପ୍ରକଳ୍ପର ଅଗ୍ରଗତି ନେଇ ସନ୍ତୋଷବ୍ୟକ୍ତ କରିଥିଲୁ  । ଦୁଇ ଦେଶ ମଧ୍ୟରେ ଚିହ୍ନଟ ହୋଇଥିବା ପ୍ରକଳ୍ପ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟକାରୀ କରିବା ଲାଗି ଭାରତ ପୂର୍ଣ୍ଣ ସହଯୋଗ ଯୋଗାଇଦେବ । ଏହି ପ୍ରକଳ୍ପ ମରିସସର ଅର୍ଥବ୍ୟବସ୍ଥାକୁ ସମୃଦ୍ଧ କରିବ ଏବଂ ଏମ ଆମ ସମ୍ପର୍କରେ ଉନ୍ନତ ପରିବର୍ତ୍ତନ ଆଣିବ ଆମ ଆଲୋଚନା କାଳରେ ଆମେ ମରିସସ ସହ ଦକ୍ଷତା ବିକାଶ କ୍ଷେତ୍ରରେ ସହଯୋଗ ଲାଗି ରାଜି ହୋଇଥିଲୁ । ଭାରତର ବହୁମୁଖୀ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ମରିସସ ସହିତ ବର୍ତ୍ତମାନ ଆରମ୍ଭ ହୋଇଥିବା ପାରସ୍ପରିକ ସହଯୋଗର ଏହା ଏକ ସକ୍ରିୟ ଅଂଶବିଶେଷ ଏହି କ୍ଷେତ୍ରରେ ପାରସ୍ପରିକ ସହଯୋଗକୁ ଆହୁରି ଗଭୀର କରିବା ଲାଗି ଆମେ ଖୁସିର ସହିତ ସହମତ ହୋଇଛୁ  ।

ବନ୍ଧୁଗଣ,

ନବୀକରଣଯୋଗ୍ୟ ଶକ୍ତିର ଗୁରୁତ୍ୱପ୍ରତି ଦୃଷ୍ଟି ଦେବା ଲାଗି ପ୍ରଧାନମନ୍ତ୍ରୀ ଜଗନାଥଙ୍କ ଆଗ୍ରହକୁ ଆମେ ସମ୍ମାନ ଜଣାଉଛୁ  । ମରିସସ ଅନ୍ତର୍ଜାତୀୟ ସୌର ମେଂଟର ଫ୍ରେମୱାର୍କ ଚୁକ୍ତିରେ ସ୍ୱାକ୍ଷର କରିଥିବାରୁ ଏହା ଆଂଚଳିକ କ୍ଷେତ୍ରରେ ଦୁଇ ଦେଶର ସହଯୋଗ ଲାଗି ବାଟ ଖୋଲିଦେଇଛି  ।

ବନ୍ଧୁଗଣ,

ମରିସସର ଜାତୀୟ ଜୀବନରେ ଭାରତୀୟ ବଂଶୋଦ୍ଭବ ଲୋକମାନଙ୍କ ଯୋଗଦାନ ପାଇଁ ଆମେ ଗର୍ବିତ ମରିସସର ଭାରତୀୟ ବଂଶୋଦ୍ଭବଙ୍କ ସହିତ ଥିବା ସମୃଦ୍ଧ ସଂଯୋଗକୁ ପ୍ରୋତ୍ସାହନ ଦେବା ଲାଗି ଭାରତ ଗତ ଜାନୁଆରୀରେ କେବଳ ମରିସସ ପାଇଁ ସ୍ୱତନ୍ତ୍ର ଓସିଆଇ କାର୍ଡ ପ୍ରଚଳନ କରିବା ଲାଗି ଘୋଷଣା କରିଛି ଆମର ଫ୍ଲାଗ୍ କ୍ୟାରିଅର ଏଆରଲାଇନ୍ସଗୁଡ଼ିକ ସେମାନଙ୍କ କୋଡ ଶେୟାରିଂ ବ୍ୟବସ୍ଥାକୁ ନୂଆ ଗନ୍ତବ୍ୟସ୍ଥଳକୁ ବୃଦ୍ଧି କରିବା ଲାଗି ରାଜି ହୋଇଛନ୍ତି ଏହା ଆମ ଦୁଇ ଦେଶ ମଧ୍ୟରେ ଜନ-ଜନ ଯୋଗାଯୋଗ ଏବଂ ପର୍ଯ୍ୟଟନ ବିକାଶ କ୍ଷେତ୍ରରେ ସହାୟକ ହେବ  ।

ବନ୍ଧୁଗଣ,

ଦ୍ୱିପାକ୍ଷିକ ପ୍ରସଙ୍ଗ ସମେତ, ପ୍ରଧାମନ୍ତ୍ରୀ ଜଗନାଥ ଏବଂ ମୁଁ ବିଭିନ୍ନ ଆଂଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ମତ ଆଦାନପ୍ରଦାନ କରିଥିଲୁ । ସାଧାରଣ ସମସ୍ୟା ଏବଂ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଆମେ ବହୁପାକ୍ଷିକ କ୍ଷେତ୍ରରେ ପରସ୍ପରକୁ ସହଯୋଗ ଲାଗି ରାଜି ହୋଇଛୁ ପ୍ରଧାନମନ୍ତ୍ରୀ ଜଗନ୍ନାଥଙ୍କ ଗସ୍ତ ଆମ ସମ୍ପର୍କକୁ ଏକ ନୂତନ ସୋପାନରେ ପହଂଚାଇବା ସହ ଆମର ପାରମ୍ପରିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ।  ଆମ ସମ୍ପର୍କ ପ୍ରତି ସହଯୋଗ ଏବଂ ଦୂରଦୃଷ୍ଟି ପାଇଁ ମୁଁ ପ୍ରଧାନମନ୍ତ୍ରୀ ଜଗନାଥଙ୍କୁ ଧନ୍ୟବାଦ ଜଣାଉଛି ଆଜି ଆମେ ନେଇଥିବା ନିଷ୍ପତ୍ତି ଏବଂ କାର୍ଯ୍ୟକ୍ରମଗୁଡ଼ିକୁ ରୂପାୟନ କରିବା ଲାଗି ତାଙ୍କ ସହ ଆହୁରି ନିକଟତର ହୋଇ କାର୍ଯ୍ୟ କରିବା ନିମନ୍ତେ ମୁଁ ଆଗ୍ରହୀ  । ପୁଣିଥରେ ମୁଁ ପ୍ରଧାନମନ୍ତ୍ରୀ ଜଗନାଥଙ୍କୁ ସ୍ୱାଗତ ଜଣାଇବା ସହ ଭାରତରେ ତାଙ୍କର ଏକ ଫଳପ୍ରଦ ରହଣି କାମନା କରୁଛି  ।

ଧନ୍ୟବାଦ, ବହୁତ ଧନ୍ୟବାଦ ।

 

**********



(Release ID: 1491026) Visitor Counter : 385