ସଂସ୍କୃତି ମନ୍ତ୍ରଣାଳୟ

ସାହିତ୍ୟ ଏକାଡେମୀ ପକ୍ଷରୁ ବାଲ ସାହିତ୍ୟ ପୁରସ୍କାର ଏବଂ ଯୁବ ପୁରସ୍କାର 2019 ଘୋଷଣା
• ଓଡ଼ିଆ ଶିଶୁ ସାହିତ୍ୟ କ୍ଷେତ୍ରକୁ ସାମଗ୍ରୀକ ଯୋଗଦାନ ନିମନ୍ତେ ବୀରେନ୍ଦ୍ର କୁମାର ସାମନ୍ତରାୟ ପାଇବେ ବାଲ ସାହିତ୍ୟ ପୁରସ୍କାର
• ସାହିତ୍ୟ ସମାଲୋଚନା ପୁସ୍ତକ ‘ବିମୁଗ୍ଧ ଉଚ୍ଚାରଣ’ ପାଇଁ ଶିଶିର ବେହେରାଙ୍କୁ ଯୁବ ପୁରସ୍କାର

Posted On: 14 JUN 2019 8:46PM by PIB Bhubaneshwar

2019 ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ସାହିତ୍ୟ ଏକାଡେମୀ ବାଲ ପୁରସ୍କାର ନିମନ୍ତେ 22 ଜଣ ଏବଂ ଯୁବ ପୁରସ୍କାର ଲାଗି 23 ଜଣ ଲେଖକଙ୍କ ନାମ ଘୋଷଣା କରାଯାଇଛି । ଓଡ଼ିଆ ଶିଶୁ ସାହିତ୍ୟ କ୍ଷେତ୍ରକୁ ସାମଗ୍ରୀକ ଯୋଗଦାନ ନିମନ୍ତେ ବୀରେନ୍ଦ୍ର କୁମାର ସାମନ୍ତରାୟଙ୍କ ନାମ ବାଲ ସାହିତ୍ୟ ପୁରସ୍କାର-2019 ନିମନ୍ତେ ଘୋଷଣା କରାଯାଇଛି । ଅନୁରୂପ ଭାବେ ଓଡ଼ିଆ ସାହିତ୍ୟ ସମାଲୋଚନାଧର୍ମୀ ପୁସ୍ତକ ବିମୁଗ୍ଧ ଉଚ୍ଚାରଣପାଇଁ ଶିଶିର ବେହେରା ଚଳିତଥର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇବା ନିମନ୍ତେ ମନୋନିତ ହୋଇଛନ୍ତି ।

ଆଜି ଅଗରତାଲାଠାରେ ସାହିତ୍ୟ ଏକାଡେମୀର କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ସଭାପତି ଡ. ଚନ୍ଦ୍ରଶେଖର କମ୍ବରଙ୍କ ଅଧ୍ୟକ୍ଷତାରେ ଆୟୋଜନ କରାଯାଇଥିଲା । ଏଥିରେ ପୁରସ୍କାର ବିଜେତାମାନଙ୍କ ନାମକୁ ଅନୁମୋଦନ କରାଯାଇଥିଲା । କେନ୍ଦ୍ର ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ପ୍ରହ୍ଲାଦ ସିଂ ପଟେଲ ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ପୁରସ୍କାର ଚୟନ ପାଇଁ ଏକାଡେମୀର ନିର୍ଦ୍ଦିଷ୍ଟ ନିୟମ ଏବଂ ପଦ୍ଧତି ରହିଛି । ତଦନୁଯାୟୀ ବିଭିନ୍ନ ଭାଷାରେ ତିନି ଜଣ ଲେଖାଏଁ ସଦସ୍ୟଙ୍କୁ ନେଇ ବିଚାରକ ମଣ୍ଡଳୀ ପୁରସ୍କାର ବିଜେତାମାନଙ୍କ ନାମ ଚୟନ କରିଥିଲେ । ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ, ବିଚାରକମାନଙ୍କ ସର୍ବସମ୍ମତି/ସଂଖ୍ୟାଗରିଷ୍ଠ ମତ ଆଧାରରେ କାର୍ଯ୍ୟନିର୍ବାହୀ ପରିଷଦ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିଥିଲେ । କେବଳ ମୈଥିଳୀ ଭାଷାରେ ପୁରସ୍କାର ଘୋଷଣା ପରବର୍ତ୍ତୀ ତାରିଖରେ କରାଯିବ ।

ବାଲ ସାହିତ୍ୟ ପୁରସ୍କାର ପାଇଁ, ପୁରସ୍କାର ବର୍ଷର ପୂର୍ବବର୍ତ୍ତୀ 5 ବର୍ଷ (1ଜାନୁଆରୀ 2013ରୁ 31 ଡିସେମ୍ବର 2017 ପର୍ଯ୍ୟନ୍ତ) ମଧ୍ୟରେ ପ୍ରକାଶିତ ପୁସ୍ତକକୁ ବିବେଚନା କରାଯାଇଥାଏ । ତେବେ ଶିଶୁ ସାହିତ୍ୟ କ୍ଷେତ୍ରକୁ ସାମଗ୍ରୀକ ଯୋଗଦାନ ନିମନ୍ତେ ପୁରସ୍କାର ପାଉଥିବା ବର୍ଷର ପୂର୍ବ 10 ବର୍ଷ (2010ରୁ 2019) ମଧ୍ୟରେ ଲେଖକଙ୍କ କୃତ୍ତିକୁ ଦେଖି ମଧ୍ୟ ଏହି ପୁରସ୍କାର ଦିଆଯାଇଥାଏ ।

ଚଳିତ ଥର 11ଟି କବିତା ପୁସ୍ତକ, 6ଟି କ୍ଷୁଦ୍ର ଗଳ୍ପ, 5ଟି ଉପନ୍ୟାସ ଏବଂ ଗୋଟିଏ ସାହିତ୍ୟ ସମାଲୋଚନା ପୁସ୍ତକ ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର-2019 ପାଇଁ ଚୟନ କରାଯାଇଛି । ପୁରସ୍କାର ବର୍ଷର ଜାନୁଆରୀ ପହିଲା ପୂର୍ବରୁ 35 ବର୍ଷ କିମ୍ବା ତାଠାରୁ କମ ବୟସର ଲେଖକମାନଙ୍କର ପୁସ୍ତକ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ।

ସାହିତ୍ୟ ଏକାଡେମୀ ପକ୍ଷରୁ ଏକ ନିର୍ଦ୍ଧାରିତ ତାରିଖରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁରସ୍କାର ସ୍ୱରୂପ ଏକ ତାମ୍ର ଫଳକ ଏବଂ 50 ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ ।

 

**********



(Release ID: 1574661) Visitor Counter : 89