ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ
ଭାରତୀୟ ବିକାଶ ଗାଥାରେ ଅଂଶଗ୍ରହଣ କରିବାକୁ ନିବେଶକଙ୍କୁ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ
ପୋଷ୍ଟ କରାଯିବା ଦିନାଙ୍କ:
13 NOV 2018 8:35PM by PIB Bhubaneswar
ଭାରତୀୟ ବିକାଶ ଗାଥାରେ ଅଂଶଗ୍ରହଣ କରିବାକୁ ନିବେଶକମାନଙ୍କୁ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଜଣାଇଛନ୍ତି । ସୋମବାର ଦିନ ଆବୁଧାବିଠାରେ ଆବିଷ୍କୃତ କ୍ଷୁଦ୍ର କ୍ଷେତ୍ର-2 ସଂପର୍କିତ ଏକ ରୋଡ଼ ସୋ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଶ୍ରୀ ପ୍ରଧାନ କହିଲେ ଯେ ଗତ ଚାରିବର୍ଷ ମଧ୍ୟରେ ତୈଳ ଓ ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ଆମେ ବିରାଟ ସଫଳତା ହାସଲ କରିସାରିଛୁ । ତେବେ ଏବେସୁଦ୍ଧା ଶ୍ରେଷ୍ଠ ସଫଳତା ହାସଲ କରିବାକୁ ବାକି ଅଛି । ଅନ୍ୟମାନଙ୍କ ସହଯୋଗ ଏବଂ ସହଭାଗୀତା ବିନା କୌଣସି ରାଷ୍ଟ୍ର, ଅନ୍ତରାଷ୍ଟ୍ରୀୟ ସଂଗଠନ କିମ୍ବା କମ୍ପାନୀ ଅଧିକ ପଥ ଏକାକୀ ଅଗ୍ରସର ହୋଇପାରିବ ନାହିଁ ।
ମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ ଭାରତ ଏବେ ବିଶ୍ୱର ତୃତୀୟ ବୃହତ ଶକ୍ତି ଉପଭୋକ୍ତା ରାଷ୍ଟ୍ରର ମାନ୍ୟତା ହାସଲ କରିଛି । ଭାରତର ଶକ୍ତି ଉପଭୁକ୍ତି ଗତ ଦଶନ୍ଧିରେ ବାର୍ଷିକ ଚକ୍ରବୃଦ୍ଧି ହାରରେ ଅଗ୍ରସର ହୋଇ 5%ରୁ ଅଧିକ ସ୍ତରରେ ରହିଛି । ଭବିଷ୍ୟତରେ ମଧ୍ୟ ଦେଶର ଶକ୍ତି ଚାହିଦା ସେହିଭଳି ଭାବେ ବୃଦ୍ଧି ପାଇବ ଏବଂ ଯାହା ବାର୍ଷିକ 4%ରୁ ଅଧିକ ହାରରେ ରହିବାର ଆଶା କରାଯାଉଛି । ବିଶ୍ୱବ୍ୟାପୀ ଅଧିକାଂଶ ଶକ୍ତି ଚାହିଦା ବିକାଶ ଭାରତରେ ହିଁ ଘଟିବାକୁ ଯାଉଛି । ଆମର ତୈଳ ଓ ବାଷ୍ପ ଚାହିଦା 2040 ମସିହା ସୁଦ୍ଧା ତିନିଗୁଣ ବୃଦ୍ଧି ପାଇବାର ଆକଳନ କରାଯାଇଛି । ଏବେ ତାହା 229 ନିୟୁତ ମେଟ୍ରିକ ଟନ ଥିବାବେଳେ ସେତେବେଳକୁ ତାହା 609 ନିୟୁତ ମେଟ୍ରିକ ଟନ ଛୁଇଁଥିବ । ସେ କହିଲେ ଯେ ଭାରତର ଅପଷ୍ଟ୍ରୀମ ଏବଂ ବାଷ୍ପ ସେକ୍ଟରରେ ନିବେଶର ଅନେକ ଉଜ୍ଜ୍ୱଳ କ୍ଷେତ୍ର ରହିଛି ଯେଉଁଠାରେ ପର୍ଯ୍ୟାପ୍ତ ଅର୍ଥ ନିବେଶ କରାଯାଇପାରିବ ।
ମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ ଭାରତ ସରକାର ଏହି କ୍ଷେତ୍ରରେ ପ୍ରଚଳିତ ନୀତିରେ ବ୍ୟାପକ ଢ଼ାଂଚାଗତ ସଂସ୍କାର ଆଣିଛନ୍ତି ଏବଂ ଶକ୍ତି ନିରାପତ୍ତାକୁ ସମଗ୍ର ଭାଲ୍ୟୁ ଚେନରେ ସାମିଲ କରାଯାଇସାରିଛି । ଏହା ଫଳରେ ସମଗ୍ର ଦେଶରେ ଶକ୍ତି ନିରାପତ୍ତା ସୁନିଶ୍ଚିତ ହୋଇପାରିଛି । ଶକ୍ତି ନିରାପତ୍ତା କ୍ଷେତ୍ରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଯାହା ଉପରେ କି ସରକାର ଗୁରୁତ୍ୱ ଆରୋପ କରିଛନ୍ତି ତାହା ହେଲା ଅନୁସନ୍ଧାନ ଓ ଉତ୍ପାଦନ ସେକ୍ଟର । ହାଇଡ଼୍ରୋକାର୍ବନ ଅନୁସନ୍ଧାନ ଓ ଲାଇସେନ୍ସିଂ ନୀତି ଏବଂ ଆବିଷ୍କୃତ କ୍ଷୁଦ୍ର କ୍ଷେତ୍ର ନୀତିରେ ପ୍ରଗତିଶୀଳ କାର୍ଯ୍ୟପନ୍ଥାମାନ ଗ୍ରହଣ କରାଯାଇଛି ଯାହାକି ଭାରତୀୟ ଏକରେଜରେ ଅନୁସନ୍ଧାନ କ୍ଷେତ୍ରରେ ନିବେଶକୁ ତ୍ୱରାନ୍ୱିତ କରିଛି । 10ଟି ସେଡ଼ିମେଂଟାରୀ ବେସିନରେ ସଂପ୍ରସାରିତ 55ଟି ବ୍ଲକ ଯାହାକି ପ୍ରଥମ ନିଲାମୀ ପର୍ଯ୍ୟାୟରେ ଓପନ ଏକରେଜ ଲାଇସେନ୍ସିଂ ନୀତି ଅନୁସାରେ 6 ବର୍ଷ ବ୍ୟବଧାନ ପରେ ନିକଟରେ ନିଲାମଧାରୀମାନଙ୍କୁ ପ୍ରଦାନ କରାଯାଇଛି । ପୂର୍ବରୁ 2016 ମସିହାରେ ସରକାର ଆବିଷ୍କୃତ କ୍ଷୁଦ୍ର କ୍ଷେତ୍ର ନିଲାମୀ ରାଉଣ୍ଡ-1 ଆରମ୍ଭ କରିଥିଲେ ଏବଂ ତାହା ବିପୁଳ ସଫଳତା ହାସଲ କରିଥିଲା ଯାହା ମାଧ୍ୟମରେ 30ଟି କଂଟ୍ରାକ୍ଟ କ୍ଷେତ୍ରରେ 20ଟି କମ୍ପାନୀଙ୍କୁ ତାହା ପ୍ରଦାନ କରାଯାଇଥିଲା । ଡ଼ିଏସଏଫ ପ୍ରଥମ ପର୍ଯ୍ୟାୟ ଓ ଓଏଏଲପି-1ର ସଫଳତାପୂର୍ବକ କାର୍ଯ୍ୟ ସଂପାଦନ ପରେ ସରକାରଙ୍କୁ ଏହା ବିପୁଳ ଆତ୍ମବିଶ୍ୱାସ ପ୍ରଦାନ କରିଛି ଏବଂ ଦ୍ୱିତୀୟ ପର୍ଯ୍ୟାୟ ଡ଼ିଏସଏଫ ଏବଂ ଓଏଲଏପି ଏବେ ଆରମ୍ଭ କରାଯାଇଛି । ଏଭଳି ଅତୁଳନୀୟ ସୁଯୋଗ ସଂପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ ଡ଼ିଏସଏଫ-2ରେ 60ଟି ଆବିଷ୍କୃତ କ୍ଷେତ୍ରକୁ ସାମିଲ କରାଯାଇଛି ଏବଂ ଏଥିରେ ପ୍ର 195 ନିୟୁତ ମେଟ୍ରିକ ଟନ ତୈଳ ଓ ତୈଳ ସମତୁଲ୍ୟ ବାଷ୍ପ ଗଚ୍ଛିତ ଥିବାର ଆକଳନ କରାଯାଇଛି । ଓଏଲଏପି ରାଉଣ୍ଡ-1ରେ 14ଟି ବ୍ଲକ ସାମିଲ ଏବଂ ସେଥିରେ 29,233ବର୍ଗ କିଲୋମିଟର କ୍ଷେତ୍ର ରହିଛି ।
ଶ୍ରୀ ପ୍ରଧାନ କହିଲେ ଯେ ସରକାର ଶକ୍ତି କ୍ଷେତ୍ରରେ ସରକାର ବ୍ୟାପକ ସଂସ୍କାର ଘଟାଇଛନ୍ତି ଯାହା ପ୍ରଚଳିତ ନୀତିକୁ ଅତିମାତ୍ରାରେ ସରଳ କରିପାରିଛି । ସେଥି ମଧ୍ୟରେ କୋଲ ବେଡ଼ ମିଥେନ ନୀତି, ସଂବର୍ଦ୍ଧିତ ରିକଭରି ପ୍ରୋତ୍ସାହନ ଯୋଜନା ଯାହା ତୈଳ ଓ ବାଷ୍ପ ଉତ୍ପାଦନ ବୃଦ୍ଧିରେ ସହାୟକ ହୋଇପାରିଛି, ଅଣପାରମ୍ପରିକ ହାଇଡ୍ରୋକାର୍ବନ କ୍ଷେତ୍ରରୁ ତୈଳ ଓ ବାଷ୍ପ ଅନୁସନ୍ଧାନ ଓ ଉତ୍ତୋଳନ ନୀତି ଆଦି ଅନ୍ୟତମ । ଶ୍ରୀ ପ୍ରଧାନ କହିଲେ ଯେ ଅତ୍ୟାଧୁନିକ ଜାତୀୟ ଡ଼ାଟା ରିପୋଜିଟୋରୀ ଗଠନ କରାଯାଇଛି ଯାହା ଦେଶର ହାଇଡ୍ରୋକାର୍ବନ କ୍ଷେତ୍ରର ସମସ୍ତ ଭୂ-ବୈଜ୍ଞାନିକ ଡ଼ାଟାକୁ ଏକତ୍ର ସଂଗୃହୀତ କରିଛି । ଜାତୀୟ ଡ଼ାଟା ରିପୋଜିଟୋରୀ ସହ ଏଭଳି ଅତ୍ୟାଧୁନିକ ପ୍ରଯୁକ୍ତି ସଂଯୋଗ କରାଯାଇଛି ଯାହା ଫଳରେ ଆଗ୍ରହୀ କମ୍ପାନୀମାନେ ସବୁପ୍ରକାର ତଥ୍ୟାବଳୀ ତୁରନ୍ତ ପାଇପାରୁଛନ୍ତି ।
ମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ ଭାରତ ବାଷ୍ପଭିତ୍ତିକ ତଥା ସ୍ୱଚ୍ଛ ଅର୍ଥନୀତି ଉପରେ ଗୁରୁତ୍ୱ ଆରୋପ କରିଆସୁଛି । ସଂପ୍ରତି ପ୍ରାକୃତିକ ବାଷ୍ପ ମିଶ୍ରିତ ଶକ୍ତି ଚାହିଦାର ତୁଳନାତ୍ମକ ଭାବେ କ୍ଷୁଦ୍ର ଅଂଶ ହୋଇ ରହିଛି । ତେବେ ପ୍ରାୟ 8 ବିଲିୟନ ଡ଼ଲାର ମୂଲ୍ୟର ବାଷ୍ପଭିତ୍ତିକ ସଂସାଧନ ପ୍ରକଳ୍ପ ଏବେ ଦେଶର ବିଭିନ୍ନ ସ୍ଥାନରେ ପ୍ରବର୍ତ୍ତିତ ହେଉଛି । ଏହି ଏନର୍ଜି ମିକ୍ସରେ ପ୍ରାକୃତିକ ବାଷ୍ପର ପରିମାଣକୁ ବର୍ତ୍ତମାନର 6.5% ଅଂଶକୁ 2022 ସୁଦ୍ଧା 15% କରିବାକୁ ପ୍ରୟାସ କରୁଛୁ । ଏହାଦ୍ୱାରା ଏକ ବିଶାଳ ପ୍ରାକୃତିକ ଟ୍ରେଡ଼ିଂ ହବ ସୃଷ୍ଟି ହୋଇପାରିବ । ଏହାକୁ ଆନୁଷ୍ଠାନିକ ଭାବେ ପ୍ରବର୍ତ୍ତନ କରିବା ସକାଶେ ଆମ ସରକାର ସବୁ ପ୍ରକାର କାର୍ଯ୍ୟପନ୍ଥା ଏବେସୁଦ୍ଧା ଗ୍ରହଣ କରିସାରିଛନ୍ତି ବୋଲି ସେ ସୂଚାଇଥିଲେ ।
**********
(ରିଲିଜ ଆଡି: 1552671)
ପରିଦର୍ଶକ କାଉଣ୍ଟର : 50